କରୋନାରୁ ସୁସ୍ଥ ପରେ ବି ରହିଛି ବିପଦ, ସରକାର ଜାରି କଲେ ଆଡଭାଇଜରି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନାରୁ ସୁସ୍ଥ ହେଉଥିବା ଲୋକମାନଙ୍କର ସ୍ୱାସ୍ଥ୍ୟ ପ୍ରତି ବିପଦ ଆଶଙ୍କା ରହିଛି। ସେମାନେ ବିଭିନ୍ନ ପ୍ରକାରର ସ୍ୱାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଯାହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କରୋନାରୁ ସୁସ୍ଥ ହେଉଥିବା ବ୍ୟକ୍ତିମାନଙ୍କ ନିମନ୍ତେ ଆଜି ଏକ ପରାମର୍ଶନାମା ଜାରି କରିବା ସହ କୋଭିଡ୍ ପରବର୍ତ୍ତୀ ପରିଚାଳନା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ସମସ୍ତ ଜିଲ୍ଲାପାଳ, ମ୍ୟୁନିସପାଲ କମିଶନର, ସିଡିଏମଓ ଏବଂ ସମସ୍ତ ସରକାରୀ ମେଡିକାଲ କଲେଜର ଅଧୀକ୍ଷକଙ୍କୁ ପରାମର୍ଶ ଦେଇଛନ୍ତି। କୋଭିଡ […]

corona

corona

Tapas Behera
  • Published: Wednesday, 21 October 2020
  • Updated: 21 October 2020, 09:35 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନାରୁ ସୁସ୍ଥ ହେଉଥିବା ଲୋକମାନଙ୍କର ସ୍ୱାସ୍ଥ୍ୟ ପ୍ରତି ବିପଦ ଆଶଙ୍କା ରହିଛି। ସେମାନେ ବିଭିନ୍ନ ପ୍ରକାରର ସ୍ୱାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଯାହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କରୋନାରୁ ସୁସ୍ଥ ହେଉଥିବା ବ୍ୟକ୍ତିମାନଙ୍କ ନିମନ୍ତେ ଆଜି ଏକ ପରାମର୍ଶନାମା ଜାରି କରିବା ସହ କୋଭିଡ୍ ପରବର୍ତ୍ତୀ ପରିଚାଳନା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ସମସ୍ତ ଜିଲ୍ଲାପାଳ, ମ୍ୟୁନିସପାଲ କମିଶନର, ସିଡିଏମଓ ଏବଂ ସମସ୍ତ ସରକାରୀ ମେଡିକାଲ କଲେଜର ଅଧୀକ୍ଷକଙ୍କୁ ପରାମର୍ଶ ଦେଇଛନ୍ତି। କୋଭିଡ ପରବର୍ତ୍ତୀ ପରିଚାଳନା ନମନ୍ତେ ୧ରୁ ୧୨ ସପ୍ତାହ ଯାଏ ସତର୍କ ରହିବା ପାଇଁ ବିଭିନ୍ନ ପ୍ରକାରର ସ୍ୱାସ୍ଥ୍ୟ ପରୀକ୍ଷା କରାଇବାକୁ ପରାମର୍ଶ ଦେଇଛନ୍ତି।

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପିକେ ମହାପାତ୍ର ଏହି ଆଡଭାଇଜରି ଆଜି ଜାରି କରି କହିଛନ୍ତି ଯେ, ବର୍ତ୍ତମାନର କୋଭିଡ-୧୯ ମହାମାରୀ ପର୍ଯ୍ୟାୟରେ ହୋଇଥିବା କେତେକ ଗବେଷଣାରୁ ସ୍ୱାସ୍ଥ୍ୟ ପ୍ରତି ଏହାର ଦୀର୍ଘକାଳୀନ ପ୍ରଭାବ ରହୁଥିବା ଜଣାପଡ଼ିଛି। ହୃଦରୋଗ, ଶ୍ୱାସକ୍ରିୟା,ମସ୍ତିଷ୍କଜନିତ, ଅନ୍ତଃସ୍ରାବଜନିତ ସମସ୍ୟାର ଆଶଙ୍କା ରହୁଛି। କୋଭିଡ-୧୯ ସଂକ୍ରମଣରୁ ସୁସ୍ଥ ହେଉଥିବା ରୋଗୀମାନଙ୍କ ଶରୀରରେ ଅନେକ ପ୍ରକାରର ଲକ୍ଷଣ ଦେଖାଦେଉଛି। ଶରୀପୀଡ଼ା, ଗଳାରେ ସମସ୍ୟା, କାଶ, ନିଶ୍ୱାସପ୍ରଶ୍ୱାସରେ ସମସ୍ୟା, ହୃଦରୋଗ, ଆଘ୍ରାଣ ଶକ୍ତି ହ୍ରାସ, ଦୁଶ୍ଚିନ୍ତା, ଭୟ ଓ ଆଶଙ୍କା ଆଦି ସହ ମଧୁମେହ ଓ ଆଜମାରେ ଅସ୍ଥିରତା ଭଳି ସ୍ୱାସ୍ଥ୍ୟଗତ ସମସ୍ୟାର ଆଶଙ୍କା ରହିଛି।

ଏହି କାରଣରୁ କରୋନାରୁ ସୁସ୍ଥ ହେଉଥିବା ଲୋକମାନଙ୍କୁ ନିୟମିତ ବ୍ୟାୟାମ କରିବା ପାଇଁ ସରକାର ପରାମର୍ଶ ଦେଇଛନ୍ତି। ମାସ୍କ, ହାତ ଧୋଇବା ଓ ସାମାଜିକ ଦୂରତ୍ୱକୁ ପାଳନ କରିବା ସହ ଉଷୁମ ପାଣି ପର୍ଯ୍ୟାପ୍ତ ପରିମାଣରେ ପିଇବାକୁ କୁହାଯାଇଛି। ଯଦି ଶରୀର ଅନୁମତି ଦେଉଛି ତା’ହେଲେ ଘରକରଣା କାର୍ଯ୍ୟ ଓ ପେଷାଦାର କାର୍ଯ୍ୟ ପର୍ଯ୍ୟାୟକ୍ରମେ କରିବା ଉଚିତ୍। ସ୍ୱଳ୍ପ ଓ ମଧ୍ୟମ ବ୍ୟାୟାମ କରିବାକୁ ମଧ୍ୟ ସରକାର ପରାମର୍ଶ ଦେଇଛନ୍ତି। ସ୍ୱାସ୍ଥ୍ୟ ଯେତିକି ଅନୁମତି ଦେବ ସେହି ପରିମାଣରେ ଦୈନିକ ଯୋଗାସନ, ପ୍ରାଣାୟମ କରିବା ସହ ଡାକ୍ତରଙ୍କ ପରାମର୍ଶରେ ନିଶ୍ୱାସପ୍ରଶ୍ୱାସର ବ୍ୟୟାମ ଏବଂ ଦୈନିକ ସକାଳ କିମ୍ବା ସନ୍ଧ୍ୟାରେ ଚାଲିବାକୁ ମଧ୍ୟ କୁହାଯାଇଛି।

ସନ୍ତୁଳିତ ଖାଦ୍ୟ ବିଶେଷକରି ରୋଷେଇ ହୋଇଥିବା ସୂକ୍ଷ୍ମ ଖାଦ୍ୟ ଖାଇବା ସହ ପର୍ଯ୍ୟାପ୍ତ ପରିମାଣର ନିଦ୍ରା, ମଦ ଓ ସିଗାରେଟ୍ ସେବନ ନକରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। ଲୋକମାନେ ନେଉଥିବା ମେଡିସିନ୍ ସମ୍ପର୍କରେ ଡାକ୍ତରଙ୍କୁ ସର୍ବଦା ଅବଗତ କରିବାକୁ କୁହାଯାଇଛି। ରୋଗୀ ସୁସ୍ଥ ହେବାର ୪ ସପ୍ତାହ ପରେ ଯଦି ଆବଶ୍ୟକ ପଡ଼େ, ତା’ହେଲେ ଛାତିର ଏକ୍ସରେ କରାଇବେ। ସେହିପରି ୧୨ ସପ୍ତାହ ପରେ କୋଭିଡରୁ ସୁସ୍ଥ ରୋଗୀ ଛାତି ଏକ୍ସରେ, ଅକ୍ସିଜେନ୍‌ ପରିମାଣ ଯାଞ୍ଚ, ପିଏଫଟି ଓ ଇକୋ କାର୍ଡିଓଗ୍ରାଫି କରିବାକୁ ପରାମର୍ଶ ଦେଇଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ଆଜିସୁଦ୍ଧା ମୋଟ ୨.୭୪ଲକ୍ଷ ଲୋକ ସଂକ୍ରମିତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୨.୫୨ଲକ୍ଷ ଲୋକ ସୁସ୍ଥ ହୋଇଛନ୍ତି। ୧୧୮୧ଜଣ ଲୋକଙ୍କର ମୃତ୍ୟୁ ହୋଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos