ଭୁବନେଶ୍ୱର: ସୁରବାବା ଓ ତାଙ୍କ ଦୁଇପୁଅଙ୍କୁ ପୁଣି ୩ଦିନ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ । ପ୍ରଥମ ୩ଦିନିଆ ରିମାଣ୍ଡ ସରିବା ପରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଆଜି ସୁରବାବା ଓ ଦୁଇ ପୁଅଙ୍କୁ ଜେଏମଏଫସି କୋର୍ଟରେ ହାଜର କରିବା ସହ ରିମାଣ୍ଡ ପାଇଁ ଆବେଦନ କରାଯାଇଥିଲା । ଏହାର ବିଚାର କରି କୋର୍ଟ ୩ଦିନ ରିମାଣ୍ଡରେ ନେବାକୁ ଶୁଣାଣି କରିଛନ୍ତି । ତେବେ ସୁରବାବାଙ୍କୁ କୋର୍ଟରେ ହାଜର ଲାଗି ନିଆଯିବା ବେଳେ ଉତ୍ତ୍ୟକ୍ତ ଲୋକଙ୍କ ଆକ୍ରୋଶ ଦେଖିବାକୁ ମିଳିଥିଲା । କିଛି ଲୋକ ସୁରବାବାଙ୍କୁ ଆକ୍ରମଣ କରିବା ସହ ଠେଲାପେଲା କରିଥିବା ଦେଖିବାକୁ ମିଳିଥିଲା । ସେପଟେ ଆଜି ତ୍ରାହି ଅଚ୍ୟୁତ ଆଶ୍ରମରୁ ପ୍ରଚୁର ସୁନା ଗହଣା ଓ ଟଙ୍କା ଜବତ କରିଛି କ୍ରାଇମବ୍ରାଞ୍ଚ । ୭ଟି ବ୍ୟାଙ୍କ ଆକାଉଣ୍ଟରୁ ୧୦ଲକ୍ଷ ଟଙ୍କା ଠାବ କରାଯାଇଛି । ଆଜି ଆଶ୍ରମ ଟ୍ରଷ୍ଟ କାର୍ଯ୍ୟାଳୟରୁ ଏକ ସୁନା ମୁକୁଟ ମଧ୍ୟ ଜବତ କରାଯାଇଛି । ସେହିପରି ମିଳିଥିବା ହୁଣ୍ଡି ମଧ୍ୟରୁ ୩ଟିରୁ ୪ଲକ୍ଷ ଟଙ୍କା ପାଇଛି କ୍ରାଇମବ୍ରାଞ୍ଚ । ଏପଟେ ଯୌନ କେଳେଙ୍କାରୀକୁ ନେଇ ଆଜି କ୍ରାଇମବ୍ରାଞ୍ଚ ପକ୍ଷରୁ ଅଭିଯୋଗକାରିଣୀଙ୍କ ବୟାନ ରେକର୍ଡ କରାଯାଇଛି । ସିଆରପିସି ୧୬୪ ଧାରାରେ ମହିଳାଙ୍କ ରେକର୍ଡ ବୟାନ କରାଯାଇଛି ।
ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ନିକଟ ଛତ୍ରପୁରରେ ଥିବା ତ୍ରାହି ଅଚ୍ୟୁତ ଆଶ୍ରମ ବିରୋଧରେ ଜମି ଠକେଇ ଅଭିଯୋଗ ଆସିବା ପରେ କ୍ରାଇମବ୍ରାଞ୍ଚ ଏକ ମାମଲା ରୁଜୁ କରିଛି । ଧାରା ୪୨୦, ୪୨୩, ୪୬୭, ୪୬୮ରେ ମାମଲା ରୁଜୁ ହୋଇଛି । ୨୦୧୩ରେ ବ୍ରହ୍ମପୁରର ମୋଚିରାମ ସାହୁ ନାମକ ଜଣେ ବ୍ୟକ୍ତିଙ୍କଠାରୁ ସୁରବାବା ଜମି ଠକେଇ କରିଥିବା ଅଭିଯୋଗ ହୋଇଥିଲା । ମୋଚିରାମଙ୍କ ଠାରୁ ସେ ଆଶ୍ରମ ନାଁରେ ଜମି କିଣି ପ୍ରାପ୍ୟ ବାବଦ ୧୬ ଲକ୍ଷ ୮୪ହଜାର ଟଙ୍କା ତାଙ୍କୁ ଦେଇ ନ ଥିବା ସେ ଅଭିଯୋଗ କରିଛନ୍ତି। ପୁଅର ଦେହ ଭଲ କରାଇ ଦେବେ ବୋଲି ପ୍ରଲୋଭନ ଦେଇ ମୋଚିରାମଙ୍କ ପାଞ୍ଚ ଭରଣ ଜମିକୁ ଠକେଇ କରି ନେଇଯାଇଥିବା ସେ ଅଭିଯୋଗରେ ଦର୍ଶଇଛନ୍ତି । ଏ ନେଇ ଛତ୍ରପୁର ଥାନା ମୋଚିରାମ ଏକ ଏତଲା ଦାୟର କରିଛନ୍ତି।
ତ୍ରାହିଅଚ୍ୟୁତ ନଗରରେ ଥିବା ଷ୍ଟେଟ ବ୍ୟାଙ୍କ ଶଖାରେ ସୁରେନ୍ଦ୍ର ତାଙ୍କ ପରିବାର ଓ ଟ୍ରଷ୍ଟ ନାଁରେ ୨ କୋଟି ୪୦ ଲକ୍ଷ ଟଙ୍କା ରହିଥିବା କ୍ରାଇମବ୍ରାଞ୍ଚ ଜାଣିବାକୁ ପାଇଛି। ସୁରେନ୍ଦ୍ର ମିଶ୍ର, ତାଙ୍କ ଦୁଇ ପୁଅ, ବୋହୂ, ସ୍ତ୍ରୀ ଓ ଟ୍ରଷ୍ଟ ନାଁରେ ଥିବା ୭ଟି ଆକାଉଣ୍ଟରେ ଏହିସବୁ ଟଙ୍କା ରହିଛି। ସେହିପରି କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ଗୁରୁବାର ସନ୍ଧ୍ୟାରେ ତ୍ରାହି ଅଚ୍ୟୁତ ଆଶ୍ରମରେ ଚଢ଼ାଉ ବେଳେ ସେଠାରୁ ବିଡା ବିଡା ୧୦୦୦ ଟଙ୍କିଆ ନୋଟ ଜବତ ହୋଇଛି। ସୁର ବାବାଙ୍କ ପୋଥୀ ଗଣନା ରୁମରୁ ବସ୍ତାରେ ଭର୍ତ୍ତି ହୋଇ ରହିଥିବା ଟଙ୍କା ଜବତ ହୋଇଛି। ସେହିଭଳି ଆଶ୍ରମର ମୁଖ୍ୟ କାର୍ଯ୍ୟାଳୟ ସମେତ ପୋଥୀ ଘରେ ଥିବା ସିନ୍ଧୁକ, ଆଲମାରୀ, ଲକର, ହୁଣ୍ଡି ଓ ଦାନବାକ୍ସରୁ ମଧ୍ୟ ଟଙ୍କା ଜବତ ହୋଇଛି। ଅନ୍ୟପକ୍ଷରେ ସୁରବାବାଙ୍କ ବହୁ ଚର୍ଚ୍ଚିତ ପୋଥୀକୁ ମଧ୍ୟ ଉଦ୍ଧାର କରାଯାଇଛି। ଆଶ୍ରମରୁ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମିଳିଥିବା କ୍ରାଇମବ୍ରାଞ୍ଚ୍ ପକ୍ଷରୁ ସୂଚନା ମିଳିଛି। ଗତକାଲି ଚଢ଼ାଉ ବେଳେ ସୁରବାବାଙ୍କ ପରିବାର ଲୋକଙ୍କୁ ମଧ୍ୟ ପଚରାଉଚରା କରାଯାଇଥିଲା। ସୁରେନ୍ଦ୍ର ମିଶ୍ରଙ୍କ ଅର୍ଥନୈତିକ କାରବାରର ସମ୍ପର୍କରେ ଆଗକୁ ଆହୁରି ଅଧିକ ତଥ୍ୟ ମିଳିବାର ସମ୍ଭାବନା ରହିଥିବା କ୍ରାଇମବ୍ରାଞ୍ଚ ଏଡିଜି ବିଜୟ ଶର୍ମା କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।