ଭାଟ୍ ବିବାଦ: ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ବ୍ୟବସାୟୀ ମହାସଂଘ ରାଜି

ଭୁବନେଶ୍ୱର: ଡାଲି ଓ ଗହମ ଜାତ ସାମଗ୍ରୀ ଉପରୁ ଭାଟ୍ ଉଚ୍ଛେଦ ଦାବିରେ ଗତକାଲିଠାରୁ ଆମଦାନି ବନ୍ଦ କରି ଦେଇଥିବା ରାଜ୍ୟ ବ୍ୟବସାୟୀ ମହାସଂଘ ଆନ୍ଦୋଳନକୁ ସ୍ଥଗିତ ରଖିବାକୁ ଆଜି ରାଜି ହୋଇଛି। ଆଜି ସନ୍ଧ୍ୟାରେ ସଚିବାଳୟରେ ଅର୍ଥମନ୍ତ୍ରୀ ପ୍ରଦୀପ ଅମାତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚ ସ୍ତରୀୟ ବୈଠକ ପରେ ଆନ୍ଦୋଳନ ସ୍ଥଗିତ ରଖିବା ପାଇଁ ରାଜି ହୋଇଛି ବ୍ୟବସାୟୀ ମହାସଂଘ। ତେବେ ଆସନ୍ତାକାଲି ସାଧାରଣ ପରିଷଦ ବୈଠକ ପରେ ଏନେଇ ଆନୁଷ୍ଠାନିକ ଘୋଷଣା କରାଯିବ […]

vat

Rakesh Mallick
  • Published: Saturday, 02 April 2016
  • , Updated: 02 April 2016, 03:30 PM IST

ଭୁବନେଶ୍ୱର: ଡାଲି ଓ ଗହମ ଜାତ ସାମଗ୍ରୀ ଉପରୁ ଭାଟ୍ ଉଚ୍ଛେଦ ଦାବିରେ ଗତକାଲିଠାରୁ ଆମଦାନି ବନ୍ଦ କରି ଦେଇଥିବା ରାଜ୍ୟ ବ୍ୟବସାୟୀ ମହାସଂଘ ଆନ୍ଦୋଳନକୁ ସ୍ଥଗିତ ରଖିବାକୁ ଆଜି ରାଜି ହୋଇଛି। ଆଜି ସନ୍ଧ୍ୟାରେ ସଚିବାଳୟରେ ଅର୍ଥମନ୍ତ୍ରୀ ପ୍ରଦୀପ ଅମାତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚ ସ୍ତରୀୟ ବୈଠକ ପରେ ଆନ୍ଦୋଳନ ସ୍ଥଗିତ ରଖିବା ପାଇଁ ରାଜି ହୋଇଛି ବ୍ୟବସାୟୀ ମହାସଂଘ। ତେବେ ଆସନ୍ତାକାଲି ସାଧାରଣ ପରିଷଦ ବୈଠକ ପରେ ଏନେଇ ଆନୁଷ୍ଠାନିକ ଘୋଷଣା କରାଯିବ ବୋଲି ମହାସଂଘ ପକ୍ଷରୁ କୁହାଯାଇଛି।

ବୈଠକ ପରେ ଅର୍ଥମନ୍ତ୍ରୀ କହିଥିଲେ ଯେ ଚଳିତ ବିଧାନସଭା ଅଧିବେଶନ ମେ’ ୨୬ ତାରିଖରେ ସରିବ। ବିଧାନସଭା ଅଧିବେଶନ ଶେଷ ହେବା ପରେ ବ୍ୟବସାୟୀ ମହାସଂଘର  ଦାବିଗୁଡ଼ିକ ଉପରେ ସରକାର ବିଚାର କରିବା ପାଇଁ ଆଜି ବୈଠକରେ ସହମତି ହୋଇଛି। ବ୍ୟବସାୟୀ ମହାସଂଘ ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ସ୍ୱୀକୃତି ପ୍ରଦାନ କରିଛନ୍ତି। ତେଣୁ ଆସନ୍ତାକାଲିଠାରୁ ଆମଦାନି ଆରମ୍ଭ ହେବ ବୋଲି ଆଶା କରାଯାଉଛି।

ବ୍ୟବସାୟୀ ମହାସଂଘ ସଂପାଦକ ସୁଧାକର ପଣ୍ଡା କହିଥିଲେ,“ ବ୍ୟବସାୟୀ ମହାସଂଘର ଦାବିଗୁଡ଼ିକୁ ସରକାର ପରୋକ୍ଷରେ ଗ୍ରହଣ କରିଛନ୍ତି। ମେ’ ୨୬ ତାରିଖ ପର୍ଯ୍ୟନ୍ତ ସରକାର ସମୟ ମାଗିଛନ୍ତି ଓ ସକାରାତ୍ମକ ଭାବେ ଦାବିଗୁଡ଼ିକ ଉପରେ ବିଚାର କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ତେଣୁ ରାଜ୍ୟବାସୀଙ୍କ ସ୍ୱାର୍ଥ ଓ ସରକାରଙ୍କ ସମ୍ମାନକୁ ଦୃଷ୍ଟିରେ ରଖି ଆମେ ଆନ୍ଦୋଳନ ପ୍ରତ୍ୟାହାର କରି ନେବାକୁ ନିଷ୍ପତ୍ତି କରିଛୁ। ତେବେ ଆସନ୍ତାକାଲି ସଂଘର ସାଧାରଣ ପରିଷଦ ବୈଠକ ପରେ ଏନେଇ ଆନୁଷ୍ଠାନିକ ଘୋଷଣା କରାଯିବ।”

ବୈଠକରେ ଅର୍ଥମନ୍ତ୍ରୀଙ୍କ ବ୍ୟତୀତ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମା, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ଖାଦ୍ୟ ଓ ଯୋଗାଣ ବିଭାଗ ସଚିବଙ୍କ ସହିତ ଟାସ୍କଫୋର୍ସର ସଦସ୍ୟମାନେ ଉପସ୍ଥିତ ଥିଲେ। ଏଥିରେ ରାଜ୍ୟ ବ୍ୟବସାୟୀ ମହାସଂଘର ୫ ଜଣିଆ ପ୍ରତିନିଧି ଦଳ ମଧ୍ୟ ଉପସ୍ଥିତ ରହିଥିଲେ।

୨୫ଟି ରାଜ୍ୟରେ ଡାଲି ଓ ଗହମଜାତ ସାମଗ୍ରୀ ଉପରେ ଭାଟ୍ ଲାଗୁ ନ ଥିବାରୁ ଓଡ଼ିଶାରେ ମଧ୍ୟ ଏସବୁ ସାମଗ୍ରୀ ଉପରେ ଭାଟ୍ ଉଚ୍ଛେଦ କରାଯାଉ ବୋଲି ରାଜ୍ୟ ବ୍ୟବସାୟୀ ମହାସଂଘ ଦାବି କରୁଛି। ଡାଲି ଓ ଗହମ ଜାତୀୟ ଖାଦ୍ୟ ସାମଗ୍ରୀ ଉପରେ ରାଜ୍ୟ ସରକାର ୫ ପ୍ରତିଶତ ଭାଟ୍ ଲଗାଇ ବାର୍ଷିକ ୧୪,୫୦୦ କୋଟି ଟଙ୍କା ରାଜସ୍ୱ ପାଉଛନ୍ତି। ତେବେ ଏକକ ଟିକସ୍ ବ୍ୟବସ୍ଥା ଲାଗୁ ହେଲେ ସରକାର ଏ ବାବଦକୁ ୧୮ ହଜାର କୋଟି ଟଙ୍କା ପାଇବେ ବୋଲି ରାଜ୍ୟ ବ୍ୟବସାୟୀ ମହାସଂଘ ଯୁକ୍ତି ବାଢ଼ିଛି।

Related story