ବିଧାନସଭାରେ ୬୦୧୪.୦୬ କୋଟି ଟଙ୍କାର ଅତିରିକ୍ତ ବଜେଟ୍‌ ଆଗତ

ଭୁବନେଶ୍ୱର: ଆଜି ଆରମ୍ଭ ହୋଇଥିବା ବିଧାନସଭାର ଶୀତକାଳିନ ଅଧିବେଶନରେ ୬୦୧୪.୦୬ କୋଟି ଟଙ୍କାର ଅତିରିକ୍ତ ବଜେଟ୍‌ ଆଗତ ହୋଇଛି। ଆଜିର ଅତିରିକ୍ତ ବଜେଟ୍‌ ଓ ମୁଖ୍ୟ ବଜେଟ୍‌କୁ ମିଶାଇ ଚଳିତ ଆର୍ଥିକ ବର୍ଷ ପାଇଁ ବଜେଟ୍‌ରେ ବ୍ୟୟ ବରାଦ ଏକ ଲକ୍ଷ କୋଟି ଟଙ୍କା ଟପିଛି। ଅଧିବେଶନ ପ୍ରାରମ୍ଭରୁ ଗୃହରେ ଦେଖାଯାଇଛି ହଟ୍ଟଗୋଳ। ପ୍ରଶ୍ନକାଳ ବାତିଲ କରି ମାଲକାନଗିରିରେ ବ୍ୟାପି ଥିବା ଜାପାନୀ ଜ୍ୱର ସଂପର୍କରେ ମୋସନ୍ ଆଣିବାକୁ ଦାବି କରି କଂଗ୍ରେସ ବିଧାୟକମାନେ ହଟ୍ଟଗୋଳ କରିବାରୁ […]

assembly

Rakesh Mallick
  • Published: Thursday, 01 December 2016
  • , Updated: 01 December 2016, 10:46 PM IST

ଭୁବନେଶ୍ୱର: ଆଜି ଆରମ୍ଭ ହୋଇଥିବା ବିଧାନସଭାର ଶୀତକାଳିନ ଅଧିବେଶନରେ ୬୦୧୪.୦୬ କୋଟି ଟଙ୍କାର ଅତିରିକ୍ତ ବଜେଟ୍‌ ଆଗତ ହୋଇଛି। ଆଜିର ଅତିରିକ୍ତ ବଜେଟ୍‌ ଓ ମୁଖ୍ୟ ବଜେଟ୍‌କୁ ମିଶାଇ ଚଳିତ ଆର୍ଥିକ ବର୍ଷ ପାଇଁ ବଜେଟ୍‌ରେ ବ୍ୟୟ ବରାଦ ଏକ ଲକ୍ଷ କୋଟି ଟଙ୍କା ଟପିଛି।

ଅଧିବେଶନ ପ୍ରାରମ୍ଭରୁ ଗୃହରେ ଦେଖାଯାଇଛି ହଟ୍ଟଗୋଳ। ପ୍ରଶ୍ନକାଳ ବାତିଲ କରି ମାଲକାନଗିରିରେ ବ୍ୟାପି ଥିବା ଜାପାନୀ ଜ୍ୱର ସଂପର୍କରେ ମୋସନ୍ ଆଣିବାକୁ ଦାବି କରି କଂଗ୍ରେସ ବିଧାୟକମାନେ ହଟ୍ଟଗୋଳ କରିବାରୁ ବାଚସ୍ପତି ଗୃହକୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମୁଲତବି ରଖିଥିଲେ।

ଆଜି ଗୃହ କାର୍ଯ୍ୟ ପ୍ରାରମ୍ଭରେ ଦିବଗଂତ ପୂର୍ବତନ ବିଧାୟକ ବିନୋଦ ବିହାରୀ ସିଂ ବରିହା, ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର ଓ ଗୋର୍ସାଙ୍ଗ ଶବର ଏବଂ ସହିଦ ଯବାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଯାଇଥିଲା। ଏହା ପରେ ବାଚସ୍ପତି ପ୍ରଶ୍ନକାଳ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ପ୍ରଶ୍ନକାଳ ବାତିଲ କରି ମାଲକାନଗିରିରେ ବ୍ୟାପି ଥିବା ଜାପାନୀ ଜ୍ୱର ନେଇ ମୋସନ୍ ଆଣିବାକୁ ଦାବି କରିଥିଲେ। ବାଚସ୍ପତି ତାଙ୍କ ଦାବିକୁ ଅଗ୍ରାହ୍ୟ କରି ଦେଇଥିଲେ। ଏହା ପରେ କଂଗ୍ରେସ ବିଧାୟକମାନେ ଗୃହର ମଧ୍ୟଭାଗକୁ ଚାଲି ଆସି ହୋହାଲ୍ଲା କରିଥିଲେ। ଅଚଳାବସ୍ଥା ଦେଖି ବାଚସ୍ପତି ଗୃହକୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଥିଲେ।

ଏହାପରେ ମଧ୍ୟ ଗୃହ ସ୍ୱାଭାବିକ ହୋଇ ନ ଥିଲା। ଫଳରେ ବାଚସ୍ପତି ୩୦ ମିନିଟ୍‌ ପାଇଁ ଗୃହକୁ ମୁଲତବି କରିଥିଲେ। ଏହାପରେ ବାଚସ୍ପତି ସର୍ବଦଳୀୟ ବୈଠକ ଡାକି ଆଲୋଚନା କରିବା ପରେ ଅତିରିକ୍ତ ବଜେଟ୍‌ ଉପସ୍ଥାପିତ ହୋଇଥିଲା।

ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି,“ଜାପାନୀ ଜ୍ୱର ଭଳି ଏକ ଗୁରୁତର ପ୍ରସଙ୍ଗରେ ଆଲୋଚନା କରିବା ପାଇଁ ଦାବି କରିଥିଲୁ। ଜାପାନୀ ଜ୍ୱର ରୋକିବା ନେଇ କୌଣସି ପ୍ରତିକାର ବ୍ୟବସ୍ଥା କରାଯାଉ ନ ଥିବା ଯୋଗୁଁ ଏ ପ୍ରସଙ୍ଗ ଉଠାଇଥିଲୁ। କିନ୍ତୁ ବାଚସ୍ପତି ଏହାକୁ ଅଗ୍ରାହ୍ୟ କରି ଦେଲେ। ତେଣୁ ଆମ ସହଯୋଗୀମାନେ ହଟ୍ଟଗୋଳ କରିଥିଲେ।”

ଗୃହ ଅଚଳ ହେବା ନେଇ କଂଗ୍ରେସକୁ ସମାଲୋଚନା କରିଛି ବିଜେଡି। ଦଳୀୟ ବିଧାୟକ ତଥା ମୁଖପାତ୍ର ସମୀର ଦାଶ କହିଛନ୍ତି,“ବିଧି ବ୍ୟବସ୍ଥା ଅନୁଯାୟୀ ଜାପାନୀ ଜ୍ୱର ପ୍ରସଙ୍ଗରେ ଆଲୋଚନା ହୋଇପାରି ଥାଆନ୍ତା। କିନ୍ତୁ କଂଗ୍ରେସ ଉଦ୍ଦେଶମୂଳକ ଭାବେ ଗୃହକୁ ଅଚଳ କରୁଛି।”

ପ୍ରଶ୍ନକାଳରେ ବ୍ୟାଘାତ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ବିଜେପି ବିଧାୟକ ବସନ୍ତ ପଣ୍ଡା। ସେ କହିଛନ୍ତି,“ପ୍ରଶ୍ନକାଳ ପରେ ମଧ୍ୟ ଜାପାନୀ ଜ୍ୱର ନେଇ ଆଲୋଚନା ହୋଇପାରି ଥାଆନ୍ତା। ପ୍ରଶ୍ନକାଳ ବାତିଲ ହେବା ମୋତେ କଷ୍ଟ ଦେଇଛି।”

ତେବେ ଆସନ୍ତାକାଲି ଗୃହକୁ ମୁଲତବି କରାଯାଇଛି। ଭୁବନେଶ୍ୱରରେ ଚାଲିଥିବା ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭରେ ମନ୍ତ୍ରୀ ଓ ବିଧାୟକମାନେ ଯୋଗ ଦେବା ପାଇଁ ଗୃହକୁ ମୁଲତବି କରାଯାଇଛି। ଏହି କନ୍‌କ୍ଲେଭରେ ମନ୍ତ୍ରୀ ଓ ବିଧାୟକମାନେ ଯୋଗଦେବା ଆବଶ୍ୟକ ବୋଲି ଗୃହରେ ମତ ପ୍ରକାଶ ପାଇଥିଲା। ଫଳରେ ବାଚସ୍ପତି ଗତକାଲିର ଗୃହ କାର୍ଯ୍ୟକୁ ମୁଲତବି କରି ଦେଇଥିଲେ।

Related story