ଦୁର୍ଘଟଣା ରୋକିବାକୁ ପରିବହନ ବିଭାଗର ନୂଆ ଯୋଜନା: ଗୁରୁବାରଠାରୁ ରାଜଧାନୀରେ ନିୟମ ଉଲ୍ଲଂଘନକାରୀଙ୍କର ଉଠିବ ଫଟୋ

ଭୁବନେଶ୍ୱର: ଗାଡ଼ି ଚଳାଇବା (ବାଇକ୍ ହେଉ କି ଫୋର୍ ହୁଇଲର୍) ବେଳେ ମୋବାଇଲ୍ ଫୋନରେ କଥା ହେଉଛନ୍ତି କି? ଯଦି ହେଉଛନ୍ତି, ତା’ହେଲେ ଆସନ୍ତାକାଲିଠାରୁ ନିଶ୍ଚିତ ଭାବେ ଏହି ବଦଭ୍ୟାସକୁ ଛାଡ଼ି ଦିଅନ୍ତୁ। ନ ହେଲେ ଆପଣଙ୍କ ଫଟୋ ଉଠିବ। ଫଟୋରୁ ଗାଡ଼ିର ନମ୍ବର ଦେଖି ଆପଣଙ୍କ ପାଖରେ ପହଞ୍ଚିବ ଜୋରିମାନା ଚାଲାଣ। ଆପଣ ଗଣିବେ ୧୦୦୦ ଟଙ୍କା। ପ୍ରଥମ ଥର ଆପଣଙ୍କୁ ଜୋରିମାନା ବାବାଦକୁ ୧୦୦୦ ଟଙ୍କା ଦେବାକୁ ପଡ଼ିବ। ଦ୍ୱିତୀୟ ଥର ଧରାପଡ଼ିଲେ ଗଣିବାକୁ […]

transport

Rakesh Mallick
  • Published: Wednesday, 02 December 2015
  • , Updated: 02 December 2015, 03:53 PM IST

ଭୁବନେଶ୍ୱର: ଗାଡ଼ି ଚଳାଇବା (ବାଇକ୍ ହେଉ କି ଫୋର୍ ହୁଇଲର୍) ବେଳେ ମୋବାଇଲ୍ ଫୋନରେ କଥା ହେଉଛନ୍ତି କି? ଯଦି ହେଉଛନ୍ତି, ତା’ହେଲେ ଆସନ୍ତାକାଲିଠାରୁ ନିଶ୍ଚିତ ଭାବେ ଏହି ବଦଭ୍ୟାସକୁ ଛାଡ଼ି ଦିଅନ୍ତୁ। ନ ହେଲେ ଆପଣଙ୍କ ଫଟୋ ଉଠିବ। ଫଟୋରୁ ଗାଡ଼ିର ନମ୍ବର ଦେଖି ଆପଣଙ୍କ ପାଖରେ ପହଞ୍ଚିବ ଜୋରିମାନା ଚାଲାଣ। ଆପଣ ଗଣିବେ ୧୦୦୦ ଟଙ୍କା। ପ୍ରଥମ ଥର ଆପଣଙ୍କୁ ଜୋରିମାନା ବାବାଦକୁ ୧୦୦୦ ଟଙ୍କା ଦେବାକୁ ପଡ଼ିବ। ଦ୍ୱିତୀୟ ଥର ଧରାପଡ଼ିଲେ ଗଣିବାକୁ ପଡ଼ିବ ୨୦୦୦ ଟଙ୍କା। ଆଉ ତା’ ପରେ ଧରା ପଡ଼ିଲେ ୩ ମାସ ପାଇଁ ରଦ୍ଦ ହୋଇଯିବ ଡ୍ରାଇଭିଂ ଲାଇସେନ୍ସ। ରାସ୍ତାରେ ଗଲା ବେଳେ ଅନ୍ୟ ସବୁ ନିୟମଗୁଡ଼ିକୁ ଭାଙ୍ଗିଲେ ବି ଆପଣଙ୍କ ଫଟୋ ଉଠିବ ଓ  ଆପଣ ଜୋରିମାନା ଗଣିବେ। ଦୁର୍ଘଟଣା ରୋକିବାକୁ ଏଭଳି ଏକ ଅଭିନବ ଉପାୟ ଚିନ୍ତା କରିଛି ପରିବହନ ବିଭାଗ। ଆସନ୍ତାକାଲିଠାରୁ ରାଜଧାନୀ ଭୁବନେଶ୍ୱରରେ ଏହାକୁ କାର୍ଯ୍ୟକାରୀ କରାଯିବ।

ଏନେଇ ଭୁବନେଶ୍ୱର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ-୨ର ପରିବହନ ଅଧିକାରୀ ସଞ୍ଜୟ କୁମାର ବେହେରା କହିଛନ୍ତି ଯେ ସହର କିଛି ପ୍ରମୁଖ ସ୍ଥାନରେ ଅଭିଜ୍ଞ ଫଟୋଗ୍ରାଫରମାନଙ୍କୁ ନିଯୁକ୍ତ କରାଯିବ। ସେମାନେ ଡିଜିଟାଲ୍ କ୍ୟାମେରା ଯୋଗେ ଗାଡ଼ି ଚଳାଉଥିବା ବେଳେ ମୋବାଇଲ୍ ଫୋନରେ କଥା ହେଉଥିବା ବ୍ୟକ୍ତିମାନଙ୍କ ଫଟୋ ଉଠାଇବେ। ବାଇକ୍,ଫୋର୍ ହୁଇଲର୍ ଓ ବସ୍ ଡ୍ରାଇଭର ପ୍ରମୁଖ ମୋବାଇଲ ଫୋନରେ କଥା ହେଉଥିଲେ ସେମାନଙ୍କ ଫଟୋ ଉଠାଯିବ। ସେହି ଫଟୋଗୁଡ଼ିକୁ କ୍ୟାମେରାମ୍ୟାନମାନେ ଆଣି ଭୁବନେଶ୍ୱର ଆରଟିଓ-୨ରେ ଦେବେ। ପ୍ରତି ଫଟୋ ପିଛା ସେମାନଙ୍କୁ ୫୦ ଟଙ୍କା ଲେଖାଏଁ ଦିଆଯିବ। ତା’ପରେ ଫଟୋକୁ ଭିତ୍ତି କରି ଗାଡ଼ି ଚଳାଉଥିବା ବେଳେ ମୋବାଇଲ୍ ବ୍ୟବହାର କରୁଥିବା ବ୍ୟକ୍ତିଙ୍କ ଗାଡ଼ି ନମ୍ବର ଠାବ କରାଯିବ। ଏହା ପରେ ତାଙ୍କ ଠିକଣାରେ ଜୋରିମାନା ଚାଲାଣ ପଠାଯିବ। ପ୍ରଥମ ଥର ଏହି ଭୁଲ୍ ପାଇଁ ୧୦୦୦ ଟଙ୍କା ଜୋରିମାନା ଦେବାକୁ ହେବ। ଦ୍ୱିତୀୟ ଥର ଉକ୍ତ ଭୁଲ କଲେ ୨୦୦୦ ଟଙ୍କା ଫାଇନ୍ ଦେବାକୁ ପଡ଼ିବ। ତା’ପରେ ଭୁଲର ପୁନରାବୃତ୍ତି ହେଲେ ୩ ମାସ ପାଇଁ ତାଙ୍କର ଡ୍ରାଇଭିଂ ଲାଇସେନ୍ସକୁ ରଦ୍ଦ କରି ଦିଆଯିବ। କେବଳ ଗାଡ଼ି ଚଳାଉଥିବା ବେଳେ ମୋବାଇଲ୍ ବ୍ୟବହାର କରୁଥିବା ବ୍ୟକ୍ତି ନୁହନ୍ତି, ରାସ୍ତା ଉପରେ ଗାଡ଼ି ରଖାଯାଇଥିଲେ, ବସ୍ ଓ ଅଟୋରିକ୍ସା ଆଦି ରାସ୍ତା ମଝିରେ ଅଟକାଇ ଯାତ୍ରୀ ଉଠାଉଥିଲେ ବା ଓହ୍ଲାଉଥିଲେ, ମୁଖ୍ୟ ରାସ୍ତା ଉପରେ ମାଲବୁହା ଗାଡ଼ି ଲୋଡିଂ ବା ଅନ୍ ଲୋଡିଂ କରି ଅନ୍ୟମାନଙ୍କ ପଥ ଅବରୋଧ କରୁଥିଲେ ସେମାନଙ୍କର ଫଟୋ ଉଠାଯାଇ ପାରିବ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ମଦ ପିଇ ଗାଡ଼ି ଚଳାଉଥିବା ଅଭିଯୋଗରେ ଚଳିତ ବର୍ଷ ସାରା ରାଜ୍ୟରେ ୧,୫୦୦ରୁ ଅଧିକ ଲୋକ ଧରାପଡ଼ିଛନ୍ତି ଓ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସେମାନଙ୍କ ଲାଇସେନ୍ସ ରଦ୍ଦ କରାଯାଇଛି। କେବଳ ଭୁବନେଶ୍ୱରରେ ମଦ ପିଇ ଗାଡ଼ି ଚଳାଉଥିବା ବେଳେ ୮୫ ଜଣ ଧରାପଡ଼ିଛନ୍ତି।

ରେକର୍ଡ ଅନୁଯାୟୀ,  ୨୦୧୪-୧୫ରେ ଓଡ଼ିଶାର ଘଟିଛି ୯ ହଜାର ୬୮୦ଟି ବଡ଼ ସଡ଼କ ଦୁର୍ଘଟଣା। ଏଥିରେ ଯାଇଛି ୩ ହଜାର ୯୯୫ ଜଣଙ୍କ ଜୀବନ। ଅକର୍ମଣ୍ୟ ହୋଇଛନ୍ତି ୧୨ହଜାର। ପ୍ରତି ଶହେଟି ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଉଛନ୍ତି ୪୨ ଜଣ।

Related story