ଭୁବନେଶ୍ୱର: ଭୁବନେଶ୍ୱର ବିମାନ ବନ୍ଦରୁ ଆସନ୍ତା କାଲିଠାରୁ ଦୁଇଟି ବିମାନ ବିଦେଶ ଯାତ୍ରା ଲାଗି ଉଡାଣ କରିବ । ଏଠାରୁ ପ୍ରଥମ ଅନ୍ତର୍ଜାତୀୟ ସିଡ୍ୟୁଲ୍ ବିମାନ ସେବା ଆରମ୍ଭ କରିଥିବା ଏୟାର ଇଣ୍ଡିଆ ଏହାର ଉଡ଼ାଣ ବଢ଼ାଇବାକୁ ଯାଉଛି। ଆସନ୍ତାକାଲି ପୂର୍ବାହ୍ନ ଓ ଅପରାହ୍ନରେ ଦୁଇଟି ବିମାନ ଅନ୍ତର୍ଜାତୀୟ ତଥା ଘରୋଇ ଯାତ୍ରୀଙ୍କୁ ନେଇ ଉଡ଼ାଣ କରିବ।
ଏହାଦ୍ୱାରା ଏଣିକି ଭୁବନେଶ୍ୱରରୁ ଉଭୟ ପୂର୍ବାହ୍ନ ଓ ଅପରାହ୍ନରେ ମିଳିବ ଅନ୍ତର୍ଜାତୀୟ ସିଡ୍ୟୁଲ୍ ବିମାନ ସେବା। ଏୟାର ଇଣ୍ଡିଆ ବିମାନ ଏଆଇ-୦୭୭ ସକାଳ ୭ଟା ୫ରେ ନୂଆଦିଲ୍ଲୀରୁ ଉଡ଼ାଣ ଆରମ୍ଭ କରି ସକାଳ ୯ଟା ୧୫ରେ ଭୁବନେଶ୍ୱରରେ ପହଞ୍ଚିବ। ସେହି ବିମାନ ଏଆଇ-୦୭୮ ନାଁରେ ପୂର୍ବାହ୍ନ ୧୦ଟା ୧୫ରେ ଭୁବନେଶ୍ୱରରୁ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିବ। ସେହିଭଳି ଏଆଇ-୦୭୫ ଅପରାହ୍ନ ଗୋଟାଏ ୧୫ ମିନିଟରେ ଭୁବନେଶ୍ୱରରେ ପହଞ୍ଚିବ ଓ ଏଆଇ-୦୭୬ ଭାବେ ଅପରାହ୍ନ ୨ଟା ୧୫ ମିନିଟରେ ଭୁବନେଶ୍ୱରରୁ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିବ ବୋଲି ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ ଶରଦ କୁମାର କହଛନ୍ତି ।
ସୂଚନାଯୋଗ୍ୟ, ୨୦୧୩ ଅକ୍ଟୋବର ୩୦ ତାରିଖରେ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ବିମାନବନ୍ଦର ଅନ୍ତର୍ଜାତୀୟ ବିମାନ ବନ୍ଦର ମାନ୍ୟତା ପାଇଥିଲା। ଚଳିତବର୍ଷ ଜୁଲାଇ ୧୦ରେ ଏଠାରୁ ପ୍ରଥମ ସିଡ୍ୟୁଲ୍ ଅର୍ନ୍ତଜାତୀୟ ବିମାନ ଉଡ଼ାଣ ଆରମ୍ଭ କରିଥିଲା। ଏଠାରୁ ସିଧାସଳକ ଅନ୍ତର୍ଜାତୀୟ ବିମାନ ସେବା ପାଇଁ ଏୟାର ଏସିଆ ସହ ଆଲୋଚନା ଚାଲିଥିଲେ ବି ଏହା ଫଳପ୍ରଦ ହୋଇପାରିନି।