୧୫ରୁ ଖରିଫ ଧାନ ସଂଗ୍ରହ ପାଇଁ ଚାଷୀ ପଞ୍ଜିକରଣ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଖରିଫ ଧାନ ସଂଗ୍ରହ ପାଇଁ ଚଳିତମାସ ୧୫ତାରିଖରୁ ଅନଲାଇନ୍ ମାଧ୍ୟମରେ ଚାଷୀଙ୍କ ନାମ ପଞ୍ଜିକରଣ କାର୍ଯ୍ୟ ଆରମ୍ଭ ହେବ। ଏହି ପଞ୍ଜିକରଣ ପ୍ରକ୍ରିୟା ଅଗଷ୍ଟ ୧୬ତାରିଖ ପର୍ଯ୍ୟନ୍ତ ଚାଲିବ । ଜମି ମାଲିକଙ୍କ ସମ୍ମତି ପତ୍ର ବିନା ଭାଗଚାଷୀମାନେ ଧାନ ବିକ୍ରି ପାଇଁ ନିଜର ନାମ ପଞ୍ଜିକରଣ କରିପାରିବେ ନାହିଁ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି। ରାଜ୍ୟ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଜାରି ସୂଚନା ଅନୁସାରେ, ଧାନ […]

paddy

Ordigital Desk
  • Published: Saturday, 10 July 2021
  • , Updated: 10 July 2021, 10:03 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଖରିଫ ଧାନ ସଂଗ୍ରହ ପାଇଁ ଚଳିତମାସ ୧୫ତାରିଖରୁ ଅନଲାଇନ୍ ମାଧ୍ୟମରେ ଚାଷୀଙ୍କ ନାମ ପଞ୍ଜିକରଣ କାର୍ଯ୍ୟ ଆରମ୍ଭ ହେବ। ଏହି ପଞ୍ଜିକରଣ ପ୍ରକ୍ରିୟା ଅଗଷ୍ଟ ୧୬ତାରିଖ ପର୍ଯ୍ୟନ୍ତ ଚାଲିବ । ଜମି ମାଲିକଙ୍କ ସମ୍ମତି ପତ୍ର ବିନା ଭାଗଚାଷୀମାନେ ଧାନ ବିକ୍ରି ପାଇଁ ନିଜର ନାମ ପଞ୍ଜିକରଣ କରିପାରିବେ ନାହିଁ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି।
ରାଜ୍ୟ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଜାରି ସୂଚନା ଅନୁସାରେ, ଧାନ ବିକ୍ରି ପାଇଁ ଚାଷୀଙ୍କୁ ସାନି ପଞ୍ଜିକରଣ କରିବାକୁ ପଡ଼ିବ । ପୂର୍ବ ପଞ୍ଜିକରଣ ନବୀକରଣ ହେବ ନାହିଁ। ଚାଷୀମାନେ ସୁବିଧାରେ ଫର୍ମ ପୂରଣ କରିବା ପାଇଁ ପ୍ରତ୍ୟେକ ସୋସାଇଟିରେ ଗୋଟିଏ ହେଲପ୍ ଡେସ୍କ ରହିବ । କୌଣସି ଆପତ୍ତି-ଅଭିଯୋଗ ଆସିଲେ ତା’ର ତୁରନ୍ତ ଶୁଣାଣି କରାଯିବ । ଚାଷୀମାନେ ଜୁଲାଇ ୧୫ରୁ ଅଗଷ୍ଟ ୧୬ତାରିଖ ପର୍ଯ୍ୟନ୍ତ ପଞ୍ଜିକରଣ ଫର୍ମ ଓ ଆବଶ୍ୟକ ଦସ୍ତାବିଜ୍ ଦାଖଲ କରିପାରିବେ ।

ଚାଷୀଙ୍କ ନାମ ପଞ୍ଜିକରଣ ନିମନ୍ତେ ଜିଲ୍ଲାପାଳମାନଙ୍କୁ ଗାଇଡଲାଇନ୍ ପଠାଯାଇଛି । ସୋସାଇଟିରେ ଧାନ ବିକ୍ରି କରିବା ପାଇଁ ପୂର୍ବରୁ ନାମ ପଞ୍ଜିକରଣ କରାଇବା ବାଧ୍ୟତାମୂଳକ । ଯେଉଁ ଚାଷୀମାନେ ଚାଷୀମାନେ ନିଜର ବଳକା ଧାନ ସରକାରଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟରେ ବିକ୍ରି କରିବାକୁ ଇଚ୍ଛୁକ ସେମାନେ ନିକଟବର୍ତ୍ତୀ ସୋସାଇଟିରେ ନାମ ପଞ୍ଜିକରଣ କରାଇବେ । ଅଧିସୀକୃତ ପ୍ୟାକ୍ସ, ଲ୍ୟାମ୍ପସ, ମହିଳା ସହାୟକ ଗୋଷ୍ଠୀ, ପାଣି ପଂଚାୟତରେ ନିଜ ନିଜ ଅଂଚଳ ନିମନ୍ତେ ଚାଷୀଙ୍କ ନାମ ପଞ୍ଜିକରଣ କରାଯିବ । ଚାଷୀଙ୍କ ପୂର୍ବ ପଞ୍ଜିକରଣ ନବୀକରଣ ହେବ ନାହିଁ ଓ ସାନି ପଞ୍ଜିକରଣ କରାଇବାକୁ ପଡ଼ିବ । ସେହିପରି ଭାଗଚାଷୀଙ୍କୁ ପଞ୍ଜିକରଣ ଫର୍ମ ସହିତ ଜମି ମାଲିକଙ୍କ ସମ୍ମତି ପତ୍ର ଦାଖଲ କରିବାକୁ ପଡ଼ିବ ।

ଏଥିସହିତ ଭାଗଚାଷୀଙ୍କୁ ଜମି ମାଲିକଙ୍କ ଆଧାର କାର୍ଡର ନକଲ ଓ ମୋବାଇଲ ନମ୍ବର ଦାଖଲ କରିବାକୁ ପଡ଼ିବ । ଜମି ମାଲିକମାନଙ୍କ ସମ୍ମତି ପତ୍ର ବିନା ଭାଗଚାଷୀଙ୍କ ନାମ ପଞ୍ଜିକରଣ କରାଯାଇ ପାରିବ ନାହିଁ । ପ୍ରତ୍ୟେକ ସୋସାଇଟିରେ ଚାଷୀ ପଞ୍ଜିକରଣ ଫର୍ମ ଚାଷୀଙ୍କୁ ବିନା ମୂଲ୍ୟରେ ଯୋଗାଇ ଦିଆଯିବ । ଚାଷୀମାନେ ଫର୍ମରେ ନିର୍ଭୁଲ ତଥ୍ୟ ପ୍ରଦାନ କରିବେ । କେହି ଭୁଲ୍ ତଥ୍ୟ ପ୍ରଦାନ କଲେ ସେମାନେ ଧାନ ସଂଗ୍ରହ ପ୍ରକ୍ରିୟାରୁ ବାଦ୍ ପଡ଼ିବେ । ତେବେ ଏଥିପାଇଁ ଏହି ତଥ୍ୟକୁ ଅପଲୋଡ୍ କରିଥିବା ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଚାଷୀମାନେ ଚଳିତ ଖରିଫରେ ପ୍ରକୃତରେ କେତେ ପରିମାଣ ଜମିରେ ଧାନ ଚାଷ କରିଛନ୍ତି ତା’ର ସତ୍ୟତା ସମ୍ପର୍କରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଯାଂଚ କରିବାକୁ ଯୋଗାଣ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁ ପ୍ଲଟଗୁଡ଼ିକ ‘ଭୂଲେଖ’ରେ ନଥିବ ସେଗୁଡ଼ିକ ରାଜସ୍ୱ ଅଧିକାରୀଙ୍କ ଦ୍ୱାରା ଯାଂଚ କରାଯିବ ।

ସମସ୍ତ ରେଜିଷ୍ଟ୍ରେସନ ଫର୍ମର ଡିଜିଟାଇଜେସନ୍ କାର୍ଯ୍ୟ ଜୁଲାଇ ୧୮ରୁ ଅଗଷ୍ଟ ୨୨ତାରିଖ ମଧ୍ୟରେ ଶେଷ ହେବ । ସେପ୍ଟେମ୍ବର ୭ତାରିଖ ସୁଦ୍ଧା ସମସ୍ତ ଯାଂଚ କାର୍ଯ୍ୟ ଶେଷ ହେବ ଓ ସେପ୍ଟେମ୍ବର ୩୦ତାରିଖ ସୁଦ୍ଧା ଚାଷୀ ନାମ ପଞ୍ଜିକରଣର ଚୂଡ଼ାନ୍ତ ମାଷ୍ଟର ତାଲିକା ପ୍ରସ୍ତୁତ କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Related story