ବିରାଟବାହିନୀର ବାରବାଟୀ ବିଜୟ

କଟକ (ଓଡ଼ିଶା ରିପୋର୍ଟର): ରୋହିତ୍‌, ରାହୁଲ୍ ଓ କୋହଲିଙ୍କ ଦମଦାର ପ୍ରଦର୍ଶନ ପରେ ଟେଲ୍ ଏଣ୍ଡର ଶାର୍ଦ୍ଦୁଲ ଠାକୁରଙ୍କୁ ସାଥୀ କରି ବାମହାତୀ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ୯ଟି ବଲ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ବାରବାଟୀରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଅନ୍ତିମ ଦିନିକିଆ ସହ ସିରିଜ୍ ବିଜୟ ଦେଇଛନ୍ତି। ବିଶେଷକରି ଶାର୍ଦ୍ଦୁଲ ୪୮ତମ ଶେଷ ଓଭରରେ କଟ୍ଟରେଲଙ୍କ ଲଗାତାର ଛକା ଓ ଚୌକା ସହ ଏହି ବିଜୟକୁ ସହଜ କରିଥିଲେ। ଏହି ବିଜୟ ସହ ଟିମ୍ ଇଣ୍ଡିଆ ୨୦୧୯କୁ […]

india2

Ranjit Kumar Jena
  • Published: Sunday, 22 December 2019
  • , Updated: 22 December 2019, 10:50 PM IST

କଟକ (ଓଡ଼ିଶା ରିପୋର୍ଟର): ରୋହିତ୍‌, ରାହୁଲ୍ ଓ କୋହଲିଙ୍କ ଦମଦାର ପ୍ରଦର୍ଶନ ପରେ ଟେଲ୍ ଏଣ୍ଡର ଶାର୍ଦ୍ଦୁଲ ଠାକୁରଙ୍କୁ ସାଥୀ କରି ବାମହାତୀ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ୯ଟି ବଲ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ବାରବାଟୀରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଅନ୍ତିମ ଦିନିକିଆ ସହ ସିରିଜ୍ ବିଜୟ ଦେଇଛନ୍ତି। ବିଶେଷକରି ଶାର୍ଦ୍ଦୁଲ ୪୮ତମ ଶେଷ ଓଭରରେ କଟ୍ଟରେଲଙ୍କ ଲଗାତାର ଛକା ଓ ଚୌକା ସହ ଏହି ବିଜୟକୁ ସହଜ କରିଥିଲେ। ଏହି ବିଜୟ ସହ ଟିମ୍ ଇଣ୍ଡିଆ ୨୦୧୯କୁ ବିଦାୟ ଦେଇଛି।

ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଇଣ୍ଡିଜ୍ ନିର୍ଦ୍ଧାରିତ ୫୦ ଓଭରରେ ୫ ୱିକେଟ୍ ହରାଇ ୩୧୫ ରନ୍ କରିଥିଲା ଏବଂ ଭାରତ ଆଗରେ ୩୧୬ ରନର ଚ୍ୟାଲେଞ୍ଜିଂ ଟାର୍ଗେଟ୍ ଛିଡ଼ା କରିଥିଲା। ଜବାବରେ ଆୟୋଜକ ଟିମ୍ ୪୮.୪ ଓଭରରେ ୬ ୱିକେଟ୍ ହରାଇ ଆବଶ୍ୟକ ରନ୍ କରି ମୁକାବିଲାକୁ ୪ ୱିକେଟ୍ ଜିତି ନେଇଛି । ଭାରତ ବିଜୟରେ ମୁଖ୍ୟ ଭୂମିକା ବହନ କରିଥିବା କୋହଲି ସର୍ବାଧିକ ୮୫ (୮୧ ବଲ୍‌, ୯ ଚୌକା) ରନ୍ କରିଥିବା ବେଳେ ଶେଷ ଭାଗରେ ଶାର୍ଦ୍ଦୁଲ ମାତ୍ର ୬ ବଲରେ ୨ ଚୌକା ଓ ୧ ଛକା ସହ ୧୭ ଓ ଜାଡେଜା ୩୧ ବଲରେ ୪ ଚୌକା ସହ ୩୯ ରନ୍ କରି ଅପରାଜିତ ଥିଲେ।

୩୧୬ ରନର ବଡ଼ ଲକ୍ଷ୍ୟର ପିଛା କରୁଥିବା ଟିମ୍ ଇଣ୍ଡିଆର ଦମଦାର ଆରମ୍ଭ ଦେଇଥିଲେ ଦୁଇ ଇନଫର୍ମ ଓପ୍ନର ରୋହିତ୍ ଶର୍ମା ଓ ଲୋକେଶ ରାହୁଲ୍। ଦୁହେଁ ଇଣ୍ଡିଜ୍ ବୋଲରଙ୍କ ଉପରେ ପ୍ରଥମରୁ ହିଁ ଚାପ ପକାଇଥିଲେ ଏବଂ ଲଗାତାର ଆଟାକ୍ କରିଥିଲେ। ଦୁହେଁ ୮.୧ ଓଭରରେ ୫୦ ଏବଂ ୧୬ ଓଭରରେ ସ୍କୋରରେ ୧୦୦ ରନରେ ପହଞ୍ଚାଇଥିଲେ। ରୋହିତ୍ ୫୨ ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଥିବା ବେଳେ ରାହୁଲ ୪୯ ବଲରେ ୫୦ ମାରି ଭାରତକୁ ମଜଭୁତ୍ ଆରମ୍ଭ ଦେଇଥିଲେ।

ରୋହିତ୍ ଅର୍ଦ୍ଧଶତକ ମାରିବା ପରେ ଦ୍ରୁତ ରନ୍ କରିବା ପ୍ରୟାସରେ ନିଜ ୱିକେଟ୍ ଦେଇ ବସିଥିଲେ। ସେ ବ୍ୟକ୍ତିଗତ ୬୩ (୬୩ ବଲ୍‌, ୮ ଚୌକା, ୧ ଛକା) ରନ୍ କରି ହୋଲ୍ଡରଙ୍କ ବଲରେ ୱିକେଟକିପର ହୋପଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ। ପ୍ୟାଭିଲିୟନ୍ ଫେରିବା ପୂର୍ବରୁ ରୋହିତ୍ ରାହୁଲଙ୍କ ସହ ପ୍ରଥମ ୱିକେଟ୍ ପାଇଁ ୧୨୨ ରନ୍ ଯୋଡ଼ିଥିଲେ। ରାହୁଲଙ୍କୁ ସାଥ୍ ଦେଇଥିଲେ କ୍ୟାପଟେନ୍ କୋହଲି କ୍ରିଜକୁ ଆସିବା ମାତ୍ରକେ ନିଜର ସ୍ୱାଭାବିକ ଖେଳ ଖେଳିଥିଲେ। ରାହୁଲ ଓ କୋହଲିଙ୍କ ମଧ୍ୟରେ ଦ୍ୱିତୀୟ ୱିକେଟ୍ ପାଇଁ ୪୫ ରନର ପାର୍ଟନରଶିପ୍ ହୋଇଥିଲା। ଟିମର ସ୍କୋର ୧୬୭ ଥିବା ବେଳେ ରାହୁଲଙ୍କୁ ଅଲଜାରୀ ଜୋସେଫ୍ ପ୍ୟାଭିଲିୟନ୍ ପଠାଇଥିଲେ। ରାହୁଲ୍ ୮୯ ବଲରେ ୮ ଚୌକା ଓ ୧ ଛକା ସହ ୭୭ ରନ୍ କରିଥିଲେ।

ଏହା ପରେ ମଧ୍ୟକ୍ରମରେ ଶ୍ରେୟସ୍ ଆୟର୍ (୭), ଋଷଭ ପନ୍ତ (୭) ଓ କେଦାର ଯାଦବ (୯) ଦୁଇଅଙ୍କ ଛୁଇଁବା ପୂର୍ବରୁ ପ୍ୟାଭିଲିୟନ୍ ଫେରିଥିଲେ। ଏହି ସମୟରେ ନନଷ୍ଟ୍ରାଇକର୍ ଏଣ୍ଡରେ ଥିବା କୋହଲିଙ୍କୁ ଭାଗୀଦାରୀର ଆବଶ୍ୟକତା ଥିଲା, ଯାହା ରବୀନ୍ଦ୍ର ଜାଡେଜା ପୂରଣ କରିଥିଲେ। କୋହଲି ଓ ଜାଡେଜା ଜବରଦସ୍ତ ବ୍ୟାଟିଂ କରି ଭାରତକୁ ବିଜୟ ଅଭିମୁଖେ ନେଇଥିଲେ। କୋହଲି ନିଜର ଶତକ ଆଡ଼କୁ ଅଗ୍ରସର ହେଉଥିବା ବେଳେ ତାଙ୍କୁ କୀମୋ ପଲ୍ କ୍ଲିନ୍ ବୋଲ୍ଡ କରି ଇଣ୍ଡିଜ୍ ପାଇଁ ଆଶା ସଞ୍ଚାର କରିଥିଲେ। କୋହଲିଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ବେଳେ ଶାର୍ଦ୍ଦୁଲ ଠାକୁର ନିଜର ଦମ୍ ଦେଖାଇଥିଲେ ଏବଂ ଗୋଟିଏ ଚୌକା ଓ ଛକା ମାରି ଭାରତର ବିଜୟ ପକ୍କା କରିଥିଲେ। ଇଣ୍ଡିଜ୍ ପକ୍ଷରୁ ପଲ୍ ୩ଟି, ଶେଲଡନ୍ କଟ୍ଟରେଲ୍‌, ଜେସନ୍ ହୋଲ୍ଡର ଓ ଜୋସେଫ୍ ଗୋଟିଏ ଲେଖାଏ ୱିକେଟ୍ ହାସଲ କରିଥିଲେ।

ପ୍ରଥମେ ବ୍ୟାଟିଂ କରିଥିବା ଇଣ୍ଡିଜ୍ ଟିମର ବହୁତ ଆରମ୍ଭ ଧୀମା ରହିଥିଲା। ତେବେ ମଧ୍ୟକ୍ରମରେ ବ୍ୟାଟ୍ସମ୍ୟାନ୍ ନିକୋଲାସ ପୁରନ୍ ଓ କ୍ୟାପଟେନ୍ କାଇରନ୍ ପୋଲାର୍ଡ ଚମତ୍କାର ବ୍ୟାଟିଂ ଇଣ୍ଡିଜକୁ ବଡ଼ ସ୍କୋରରେ ପହଞ୍ଚାଇଥିଲେ। ପୁରନ୍ ମାତ୍ର ୬୪ ବଲରେ ୧୦ ଚୌକା ଓ ୩ ଛକା ସହ ୮୯ ଏବଂ ପୋଲାର୍ଡ ୫୧ ବଲରେ ୩ ଚୌକା ଓ ୭ ଛକା ସହ ଅପରାଜିତ ୭୪ ରନ୍ କରିଥିଲେ। ଦୁଇ ଓପ୍ନର ଏଭିନ୍ ଲୁଇସ୍ ନିଜ ସାମର୍ଥ୍ୟଠାରୁ ବିପରୀତ ବ୍ୟାଟିଂ କରିଥିଲେ। ସେ ୫୦ ବଲ୍ ଖେଳିଥିଲେ ହେଁ, ମାତ୍ର ୨୧ ରନ୍ କରି ରବୀନ୍ଦ୍ର ଜାଡେଜାଙ୍କ ଶିକାର ହୋଇଥିଲେ। ଆଉଟ୍ ହେବା ପୂର୍ବରୁ ସେ ଶାଇ ହୋପଙ୍କ ସହ ମିଶି ପ୍ରଥମ ୱିକେଟ୍ ପାଇଁ ୫୭ ରନ୍ ଯୋଡ଼ିଥିଲେ।

ଚମତ୍କାର ଫର୍ମରେ ଥିବା ହୋପ୍ ଆଉ ଏକ ଭଲ ଇନିଂସକୁ ବଡ଼ ସ୍କୋରରେ ପରିଣତ କରିପାରିନଥିଲେ। ସେ ବ୍ୟକ୍ତିଗତ ୪୨ (୫୦ ବଲ୍‌, ୫ ଚୌକା) ରନ୍ କରିଥିବା ବେଳେ ମହମ୍ମଦ ଶାମିଙ୍କ ବଲରେ କ୍ଲିନ୍ ବୋଲ୍ଡ ହୋଇଥିଲେ। ତୃତୀୟ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ରୋଷ୍ଟନ୍ ଚେଜ୍ ଓ ଯୁବ ବାମହାତୀ ବ୍ୟାଟ୍ସମ୍ୟାନ୍ ଶିମରନ୍ ହେଟମେୟର୍ ଭଲ ବ୍ୟାଟିଂ କରିଥିଲେ। ହେଟମେୟର୍ ଦ୍ରୁତ ୩୭ (୩୩ ବଲ୍‌, ୨ ଚୌକା, ୨ ଛକା) ରନ୍ କରିଥିବା ବେଳେ ଡେବ୍ୟୁଟାଣ୍ଟ ନଭଦୀପ ସାଇନିଙ୍କ ବଲରେ କୁଲଦୀପ ଯାଦବଙ୍କୁ କ୍ୟାଚ୍ ଦେଇ ବସିଥିଲେ। ସାଇନିଙ୍କ ଚମକ ଜାରିଥିଲେ ଏବଂ ସେଟ୍ ବ୍ୟାଟ୍ସମ୍ୟାନ୍ ଚେଜ୍ (୩୮)ଙ୍କୁ ମଧ୍ୟ ନିଜର ଶିକାର ବନାଇଥିଲେ।

ଚେଜଙ୍କ ଆଉଟ୍ ସମୟରେ ଇଣ୍ଡିଜର ସ୍କୋର ୩୧.୩ ଓଭରରେ ୧୪୪/୪ ରନରେ ଥିଲା। ଏଭଳି ସ୍ଥିତିରେ ଟିମ୍ ପକ୍ଷେ ୨୫୦ ରନ୍ ଅତିକ୍ରମ କରିବା କଷ୍ଟକର ଲାଗୁଥିଲା। କିନ୍ତୁ ଇନଫର୍ମ ପୁରନ୍ ଏବହ କ୍ୟାପଟେନ୍ କାଇରନ୍ ପୋଲାର୍ଡ ସବୁ ବାଜି ପଲଟାଇ ଦେଇଥିଲେ। ବିଶେଷକରି ବିଶାଖାପାଟଣା ଭଳି ବାରବାଟୀରେ ମଧ୍ୟ ନିଜର ଘାତକ ବ୍ୟାଟିଂ ଦେଖାଇଥିଲେ। ସେ ୪୩ ବଲରେ କ୍ରମାଗତ ଅର୍ଦ୍ଧଶତକ ମାରିଥିଲେ ଏବଂ ଟିମର ସ୍କୋରକୁ ୩୦୦ ଅଭିମୁଖେ ନେଇଥିଲେ।

ପୁରନ୍ ଓ ପୋଲାର୍ଡ ପଞ୍ଚମ ୱିକେଟ୍ ପାଇଁ ୧୩୫ ରନର ଶତକୀୟ ଭାଗୀଦାରୀ କରିଥିଲେ। ପୁରନ୍ ନିଜର ଶତକ ଆଡ଼କୁ ଯାଉଥିବା ବେଳେ ତାଙ୍କୁ ଶାର୍ଦ୍ଦୁଲ ଠାକୁର ପ୍ୟାଭିଲିୟନ୍ ପଠାଇଥିଲେ। ଏହା ପରେ ପୋଲାର୍ଡ ଶେଷ ଓଭର ଗୁଡ଼ିକରେ ଆକ୍ରମଣାତ୍ମକ ବ୍ୟାଟିଂ କରି ଇଣ୍ଡିଜକୁ ୩୧୫ ରନରେ ପହଞ୍ଚାଇଥିଲେ। ତାଙ୍କୁ ସାଥ ଦେଇଥିବା ଜେସନ୍ ହୋଲ୍ଡର୍ ୭ ରନ୍ କରି ଅପରାଜିତ ଥିଲେ। ଭାରତ ପକ୍ଷରୁ ପଦାର୍ପଣ କରିଥିବା ନବଦୀପ ସାଇନି ଆକର୍ଷଣୀୟ ବୋଲିଂ କରି ମ୍ୟାଚରେ ୨ ୱିକେଟ୍ ଦଖଲ କରିଥିବା ବେଳେ ଶାର୍ଦ୍ଦୁଲ, ଶାମି ଓ ଜାଡେଜା ଗୋଟିଏ ଲେଖାଏ ସଫଳତା ପାଇଥିଲେ।

Related story