ଉଛୁଳୁଛି ମହାନଦୀ, ୧୦ ଜିଲ୍ଲାକୁ ଆଲର୍ଟ

କଟକ(ଓଡ଼ିଶା ରିପୋର୍ଟର): ହୀରାକୁଦ ଡ୍ୟାମରେ ଏବେ ୪୦ଟି ଗେଟ୍‌ ନେଇ ଜଳ ନିଷ୍କାସିତ ହେଉଥିବାରୁ ଉଛୁଳୁଛି ମହାନଦୀ । ଫଳରେ ରାଜ୍ୟରେ ବନ୍ୟା ପରିସ୍ଥିତି ଗମ୍ଭୀର ହୋଇଛି । କଟକ ମୁଣ୍ଡଳୀଠାରେ ମହାନଦୀରେ ୧୨ ଲକ୍ଷ କ୍ୟୁସେକରୁ ଅଧିକ ପାଣି ପାସ୍ କରୁଥିବାରୁ ଆଜି ଓ ଆସନ୍ତାକାଲି ପାଇଁ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି ହୋଇଛି । ଗତକାଲି ରାତିରୁ ହୀରାକୁଦ ଡ୍ୟାମ୍‌ର ୪୦ଟି ଗେଟ୍ ଖୋଲାଯାଇଛି। ଏହି ପାଣି  ମୁଣ୍ଡଳିରେ ପହଞ୍ଚିବାକୁ ୩୬ ଘଣ୍ଟା ଲାଗିବ । […]

banki

  • Published: Wednesday, 17 August 2022
  • , Updated: 17 August 2022, 09:32 AM IST

କଟକ(ଓଡ଼ିଶା ରିପୋର୍ଟର): ହୀରାକୁଦ ଡ୍ୟାମରେ ଏବେ ୪୦ଟି ଗେଟ୍‌ ନେଇ ଜଳ ନିଷ୍କାସିତ ହେଉଥିବାରୁ ଉଛୁଳୁଛି ମହାନଦୀ । ଫଳରେ ରାଜ୍ୟରେ ବନ୍ୟା ପରିସ୍ଥିତି ଗମ୍ଭୀର ହୋଇଛି । କଟକ ମୁଣ୍ଡଳୀଠାରେ ମହାନଦୀରେ ୧୨ ଲକ୍ଷ କ୍ୟୁସେକରୁ ଅଧିକ ପାଣି ପାସ୍ କରୁଥିବାରୁ ଆଜି ଓ ଆସନ୍ତାକାଲି ପାଇଁ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି ହୋଇଛି ।

ଗତକାଲି ରାତିରୁ ହୀରାକୁଦ ଡ୍ୟାମ୍‌ର ୪୦ଟି ଗେଟ୍ ଖୋଲାଯାଇଛି। ଏହି ପାଣି  ମୁଣ୍ଡଳିରେ ପହଞ୍ଚିବାକୁ ୩୬ ଘଣ୍ଟା ଲାଗିବ । ଅର୍ଥାତ ଗତକାଲି ରାତିରୁ ହୀରାକୁଦ ଡ୍ୟାମରୁ ଛଡ଼ା ଯାଇଥିବା ପାଣି ଶୁକ୍ରବାର ସନ୍ଧ୍ୟାରେ ମୁଣ୍ଡଳିରେ ପହଞ୍ଚିବ ବୋଲି ଆକଳନ କରାଯାଉଛି। ତେବେ ଇତି ମଧ୍ୟରେ ମୁଣ୍ଡଳିରେ ଜଳସ୍ତର ଖସିବା ଆରମ୍ଭ କରିଥିବାରୁ ବେଶି ବିପଦ ଆଶଙ୍କା ନାହିଁ ବୋଲି କହିଛନ୍ତି ମୁଣ୍ଡଳି ବ୍ୟାରେଜ କର୍ତ୍ତୃପକ୍ଷ ।

ତେବେ ଉପରମୁଣ୍ଡରେ ପୁଣି ବର୍ଷା ହେଲେ ବନ୍ୟା ଆଶଙ୍କା ଘନେଇପାରେ ବୋଲି କୁହାଯାଉଛି।  ଏଣେ ବନ୍ୟା ପାଇଁ ପଶ୍ଚିମ ଓଡ଼ିଶାର ସମ୍ବଲପୁର, ସୁବର୍ଣ୍ଣପୁର, ବୌଦ୍ଧ ସହ ଅନୁଗୁଳ, ନୟାଗଡ଼, ଖୋର୍ଦ୍ଧା, କଟକ, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଆଦି ୧୦ଟି ଜିଲ୍ଲାକୁ ଆଲର୍ଟରେ ରଖାଯାଇଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ବନ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି । ବନ୍ୟାରେ ଯେପରି ଗୋଟିଏ ବି ଜୀବନହାନୀ ନ ହୁଏ ଓ ଯୋଗଯୋଗରେ ବିଭ୍ରାଟ ନ ହୁଏ ତାକୁ ସୁନିଶ୍ଚିତ କରିବାକୁ ସେ ଗୁରୁତ୍ୱ ଦେଇଛନ୍ତି । ବିପଦସଂକୁଳ ଅଂଚଳରେ ଥିବା ଲୋକମାନଙ୍କୁ ଆବଶ୍ୟକ ରିଲିଫ୍ ଓ ମୌଳିକ ସୁବିଧା ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।

ମହାନଦୀରେ ବନ୍ୟା ଯୋଗୁଁ କଟକ ବଡମ୍ବା ବ୍ଲକ ନୂଆ ବାଙ୍ଗେରିସିଙ୍ଗା ଓ ନରଣପୁର ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି । ଫଳରେ ଲୋକମାନେ ଜଳବନ୍ଦୀ ହୋଇ ରହିଛନ୍ତି । ପ୍ରଶାସନ ପକ୍ଷରୁ ସେମାନଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ନେବାକୁ ସେପରି କୌଣସି ତତ୍ପରତା ଦେଖିବାକୁ ମିଳୁନି । ସେହିପରି ବଡମ୍ବା ନରଣପୁର ଗାଁର ଲୋକମାନେ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି । ହେକ୍ଟର ହେକ୍ଟର ଚାଷଜମିରେ ୧୦ରୁ ୧୨ ଫୁଟ୍ ଉଚ୍ଚର ପାଣି ପ୍ରବାହିତ ହେଉଛି । ତଳିଆ ଅଞ୍ଚଳ ବାଙ୍ଗେରିସିଙ୍ଗା, ନରଣପୁର ଭଳି ଅଞ୍ଚଳର ଜଳବନ୍ଦୀ ଲୋକଙ୍କ ପାଇଁ ପ୍ରଶାସନ ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଇନଥିବାରୁ ଅସନ୍ତୋଷ ଦେଖାଦେଇଛି। ସାମାନ୍ୟ ବିପଦ ପରିସ୍ଥିତି ସୃଷ୍ଟି ହେଲେ ତୁରନ୍ତ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବାକୁ ମୁଖ୍ୟମନ୍ତ୍ରୀ ଗତକାଲି କଡ଼ା ନିର୍ଦ୍ଦେଶ  ଦେଇଥିଲେ। ହେଲେ  କଟକ ବଡମ୍ବା ବ୍ଲକ  ଅଞ୍ଚଳରେ ଏହି ନିର୍ଦ୍ଦେଶକୁ ଖୁଲମଖୁଲା ଅବମାନନା କରୁଥିବା ଦେଖିବାକୁ ମିଳୁଛି।

ବନ୍ୟା ସ୍ଥିତିର ମୁକାବିଲା ପାଇଁ ପ୍ରଭାବିତ ଜିଲ୍ଲାରେ ୯ଟି ଏନଡିଆରଏଫ୍‌, ୯ଟି  ଓଡ୍ରାଫ୍ ଓ ୪୪ଟି ଅଗ୍ନିଶମ ଟିମ୍ ମୁତୟନ କରାଯାଇଛି । ଜଗତସିଂହପୁର ଜିଲ୍ଲାର ସମସ୍ତ ସ୍କୁଲ ଏବଂ ନୟାଗଡ଼ ଜିଲ୍ଲାର ୩ଟି ବ୍ଲକ୍‌ର  ୩୨ଟି ସ୍କୁଲକୁ ୨ ଦିନ ବନ୍ଦ ରଖିବାକୁ ଘୋଷଣା କରାଯାଇଛି । ଆବଶ୍ୟକ ହେଲେ ଅନ୍ୟ ସ୍ଥାନରେ ମଧ୍ୟ ଶିକ୍ଷାନୁଷ୍ଠାନ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଆସନ୍ତା ୭ ଦିନ ଯାଏଁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍ କରାଯାଇଛି । କେନ୍ଦ୍ରାପଡ଼ା ଜିଲ୍ଲାରେ ବନ୍ୟା ସ୍ଥିତିକୁ ଦେଖି ଜିଲ୍ଲାର ଗରଦପୁର, ମାର୍ଶାଘାଇ ଓ ମହାକାଳପଡ଼ା ବ୍ଲକର ସମସ୍ତ ଶିକ୍ଷାନୁଷ୍ଠାନକୁ ଆସନ୍ତା ଦୁଇ ଦିନ ଲାଗି ଛୁଟି ଘୋଷଣା କରାଯାଇଛି ।

Related story