ଭାଇ ବଦଳରେ ସାର୍‌?

ଦେବେନ୍ଦ୍ର ପୃଷ୍ଟି ପ୍ରାଣୀ ସଂପଦ ଓ ପ୍ରାଣୀ ଚିକିତ୍ସା ବିଭାଗର ନିର୍ଦ୍ଦେଶାଳୟ ତରଫରୁ ‘ଉପର ଅଫିସରଙ୍କୁ ଭାଇ ନଡାକିବା’ ସଂକ୍ରାନ୍ତରେ ଯେଉଁ ଚିଠି ଜାରି ହୋଇଛି ତାହା ଅଫିସ ‘ଡେକୋରମ’ ବା ଶିଷ୍ଟାଚାର ଦୃଷ୍ଟିରୁ ଠିକ୍‌ ହୋଇପାର। ତଳିଆ ଅଫିସର, କିରାଣୀ ବା ପିଅନମାନେ ଉପର ଅଫିସରଙ୍କୁ ଭାଇ ଡାକିଲେ ତାହା ଦାପ୍ତରିକ ଶିଷ୍ଟାଚାର ଉଲ୍ଲଙ୍ଘନ କରୁଛି ବୋଲି ଚିଠିରେ ଉଲ୍ଲେଖ କରାଯାଇଛି। ଏଭଳି ସମ୍ବୋଧନ ଉପର ଅଫିସରମାନଙ୍କ ମର୍ଯ୍ୟାଦାର ଉଲ୍ଲଙ୍ଘନ କରୁଥାଇ ପାରେ। କାରଣ ସମସ୍ତଙ୍କର […]

4789

Debendra Prusty
  • Published: Monday, 18 November 2019
  • , Updated: 18 November 2019, 07:06 PM IST

ଦେବେନ୍ଦ୍ର ପୃଷ୍ଟି

ପ୍ରାଣୀ ସଂପଦ ଓ ପ୍ରାଣୀ ଚିକିତ୍ସା ବିଭାଗର ନିର୍ଦ୍ଦେଶାଳୟ ତରଫରୁ ‘ଉପର ଅଫିସରଙ୍କୁ ଭାଇ ନଡାକିବା’ ସଂକ୍ରାନ୍ତରେ ଯେଉଁ ଚିଠି ଜାରି ହୋଇଛି ତାହା ଅଫିସ ‘ଡେକୋରମ’ ବା ଶିଷ୍ଟାଚାର ଦୃଷ୍ଟିରୁ ଠିକ୍‌ ହୋଇପାର। ତଳିଆ ଅଫିସର, କିରାଣୀ ବା ପିଅନମାନେ ଉପର ଅଫିସରଙ୍କୁ ଭାଇ ଡାକିଲେ ତାହା ଦାପ୍ତରିକ ଶିଷ୍ଟାଚାର ଉଲ୍ଲଙ୍ଘନ କରୁଛି ବୋଲି ଚିଠିରେ ଉଲ୍ଲେଖ କରାଯାଇଛି। ଏଭଳି ସମ୍ବୋଧନ ଉପର ଅଫିସରମାନଙ୍କ ମର୍ଯ୍ୟାଦାର ଉଲ୍ଲଙ୍ଘନ କରୁଥାଇ ପାରେ। କାରଣ ସମସ୍ତଙ୍କର କିଛିଟା ଦାପ୍ତରିକ ଓ ସାମାଜିକ ଅହଂକାର ଅଛି। ଅଫିସ ବାହାରେ ସମସ୍ତ ଭାଇ ଭାଇ ହୋଇପାରନ୍ତି। କିନ୍ତୁ ଅଫିସ ଭିତରେ ଭାଇ ଡାକିଲେ ତାହା ସରକାରୀ ଆଦବକାଇଦାର ଉଲ୍ଲଙ୍ଘନ।

କେତେକ କ୍ଷେତ୍ରରେ ଦେଖାଯାଏ ଯେ ତଳିଆ ଅଧିକାରୀମାନେ ଉପରିସ୍ଥ ଅଧିକାରୀଙ୍କଠାରୁ ବୟସରେ ସାନ। ସେ କ୍ଷେତ୍ରରେ କେହିକେହି ଉପରିସ୍ଥ ଅଧିକାରୀଙ୍କୁ ଭାଇ ବୋଲି ସମ୍ବୋଧନ କରୁଥାଇ ପାରନ୍ତି। ତେବେ ଅନେକ କ୍ଷେତ୍ରରେ ଏହା ମଧ୍ୟ ଦେଖାଯାଏ ଯେ ଉପର ଅଫିସର ତଳ ଅଫିସର ଓ କର୍ମଚାରୀଙ୍କଠାରୁ ବୟସରେ ବଡ଼ ନହୋଇ ସାନ ମଧ୍ୟ ହୋଇପାରନ୍ତି। ସିଧାସଳଖ ଆଇଏଏସ ଓ ଓଏଏସ ପାଇ ଚାକିରିରେ ଯୋଗ ଦେଇଥିବା ଅଧିକାରୀମାନେ ତାଙ୍କଠାରୁ ବୟସରେ ଢେର ବଡ଼ କିରାଣୀ ସ୍ତରୀୟ କର୍ମଚାରୀଙ୍କ ଉପରିସ୍ଥ ଅଧିକାରୀ ଭାବେ କାର୍ଯ୍ୟ କରିଥାନ୍ତି। ଏ କ୍ଷେତ୍ରରେ ବୟସ୍କ ତଳିଆ କର୍ମଚାରୀ କଦାଚିତ ଉପରିସ୍ଥ ଅଳ୍ପ ବୟସର ଅଧିକାରୀଙ୍କୁ ଯେ ଭାଇ ଡାକୁଥିବେ ତାହା ବିଶ୍ୱାସଯୋଗ୍ୟ ହେଉନାହିଁ। ଯଦି ବି ବୟସ୍କ କର୍ମଚାରୀମାନେ କମ୍‌ ବୟସ୍କର ଅଧିକାରୀଙ୍କୁ ଭାଇ ଡାକୁଥିବେ ତେବେ ତାହା ସାମାଜିକ ଓ ଦାପ୍ତରିକ ଦୃଷ୍ଟିକୋଣରୁ ଅଶିଷ୍ଟ କେମିତି ହେଲା ତାହା ବୁଝାପଡ଼ୁ ନାହିଁ।

ଭାରତୀୟ ରାଜନୀତିରେ ସାନବଡ଼ ସମସ୍ତେ ଭାଇ। ଏମିତିକି ଅନେକ ସମୟରେ ବୟସ୍କ ରାଜନେତାମାନେ କନିଷ୍ଠ ନେତାଙ୍କୁ ମଧ୍ୟ ଭାଇ ବୋଲି ସମ୍ବୋଧନ କରିଥାନ୍ତି। ବୟସରେ ଯଥେଷ୍ଟ ସାନ ରାଜନୀତିକ କର୍ମୀ ଅନେକ ସମୟରେ ବୟସରେ ଯଥେଷ୍ଟ ବଡ଼ ନେତାଙ୍କୁ ଦାଦା କି ମଉସା ନଡାକି ଭାଇ ସମ୍ବୋଧନ କରିଥାନ୍ତି। ଏହା ପ୍ରାୟ ସବୁ ଦଳର ଏକ ରାଜନୀତିକ ପରମ୍ପରା। କିନ୍ତୁ ଭାରତୀୟ ପ୍ରଶାସନରେ ଏହି ପରମ୍ପରା ନାହିଁ। ଭାରତୀୟ ପ୍ରଶାସନ ମୁଖ୍ୟତଃ ବ୍ରିଟିଶ ଢାଞ୍ଚାରେ ଗଠିତ। ବ୍ରିଟିଶ ସଂସ୍କାର ମଧ୍ୟ ଭାରତୀୟ ଅମଲାତନ୍ତ୍ରରେ ଅବ୍ୟାହତ ରହିଛି। ଦେଶ ୭୨ ବର୍ଷ ତଳେ ବ୍ରିଟିଶ ଶାସନରୁ ମୁକ୍ତ ହୋଇଥିଲେ ମଧ୍ୟ ଭାରତୀୟ ଅମଲାତନ୍ତ୍ରରୁ ବ୍ରିଟିଶ ହଟି ନାହିଁ। ଏବେ ବି ତଳିଆ ଅଫିସରମାନେ ଉପରିସ୍ଥ ଅଧିକାରୀଙ୍କୁ ସାର୍‌ ବୋଲି ସମ୍ବୋଧନ କରୁଛନ୍ତି। କେତେକ କ୍ଷେତ୍ରରେ ତଳିଆ କର୍ମଚାରୀ ବୟସରେ ବହୁତ ବଡ଼ ହୋଇଥିଲେ ସାର୍‌ ନକହି ଆଜ୍ଞା ବା ବାବୁରେ କାମ ଚଳେଇ ନିଅନ୍ତି। ସେହିପରି ଉପରିସ୍ଥ ଅଧିକାରୀମାନେ ତଳିଆ କର୍ମଚାରୀଙ୍କଠାରୁ ବୟସରେ ସାନ ହୋଇଥିଲେ ଶିଷ୍ଟାଚାର ଦୃଷ୍ଟିରୁ ତମେ ଓ ତୁ ଆଦି ବଦଳରେ ବାବୁ ବୋଲି ସମ୍ବୋଧନ କରିବାର ଦେଖାଯାଏ। ଅବଶ୍ୟ ଏହା ବ୍ରିଟିଶ ପରମ୍ପରା ନୁହେଁ। ବ୍ରିଟିଶ ପରମ୍ପରା ହେଉଛି ସମସ୍ତଙ୍କୁ ପଦବୀ ନାଁ ଧରି ଡାକିବା। ମିଷ୍ଟର ପ୍ରାଇମ ମିନିଷ୍ଟ, ମିଷ୍ଟର ଫାଇନାନ୍ସ ମିନିଷ୍ଟର, ମିଷ୍ଟର କଲେକ୍ଟର, ମିଷ୍ଟର ଏସପି ଆଦି ସମ୍ବୋଧନ ବ୍ରିଟିଶ ଅମଲାତନ୍ତ୍ରର ବହୁ ପୁରୁଣା ପରମ୍ପରା। ଉପର ଅଫିସରମାନେ ତଳିଆ କର୍ମଚାରୀଙ୍କୁ ଓ ତଳିଆ କର୍ମଚାରୀମାନେ ଉପରିସ୍ଥ ଅଧିକାରୀଙ୍କୁ ନାଁ ଧରି ଡାକିବା ମଧ୍ୟ ବ୍ରିଟିଶ ପ୍ରାଶାସନିକ ବ୍ୟବସ୍ଥାର ଅଙ୍ଗ। ଭାରତରେ କିନ୍ତୁ ଏପରି ହୁଏ ନାହିଁ।

ଭାରତରେ ଉପରିସ୍ଥ ଅଧିକାରୀଙ୍କୁ ତଳିଆ କର୍ମଚାରୀମାନେ ନାଁ ଧରି ଡାକିବା ଦେଖାଯାଏ ନାହିଁ। ଭାରତ ସ୍ୱାଧୀନ ହୋଇଛି ସତ କିନ୍ତୁ ଏଯାଏଁ ସାମନ୍ତବାଦୀ ସଂସ୍କାର ଭାରତର ଶାସନ ଓ ପ୍ରଶାସନରୁ ସଂପୂର୍ଣ୍ଣ ଭାବେ ଦୂର ହୋଇନାହିଁ। ବ୍ରିଟିଶ କୋର୍ଟ ପରମ୍ପରାରେ ଯେମିତି ବିଚାରପତିମାନଙ୍କୁ ମି ଲର୍ଡ଼ ସମ୍ବୋଧନ କରାଯାଏ ଭାରତୀୟ ଅଦାଲତରେ ମଧ୍ୟ ସେହି ବ୍ୟବସ୍ଥା ଥିଲା। ଏଇ ଅଳ୍ପ ଦିନ ତଳେ କୋର୍ଟ ମି ଲର୍ଡ଼ ସମ୍ବୋଧନ ବିରୋଧରେ ମତ ଦେଇଛନ୍ତି। କିନ୍ତୁ, ଭାରତୀୟ ସଂସଦରେ ଏବେ ବି ବାଚସ୍ପତିଙ୍କୁ ସାର୍‌ ବୋଲି ସମ୍ବୋଧନ କରାଯାଉଛି। ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ସାଧାରଣ ସାଂସଦଙ୍କ ଯାଏଁ ସମସ୍ତ ଲୋକସଭାର ବାଚସ୍ପତି ଓ ରାଜ୍ୟସଭାର ଅଧ୍ୟକ୍ଷଙ୍କୁ ସାର୍‌ ବୋଲି ସମ୍ବୋଧନ କରିଥାନ୍ତି। ରାଜ୍ୟଗୁଡ଼ିକର ବିଧାନସଭା ଓ ବିଧାନ ପରିଷଦରେ ମଧ୍ୟ ଏହି ପରମ୍ପରା ବଳବତ୍ତର ରହିଛି।

ଭାରତୀୟ ପ୍ରଶାସନରେ ମଧ୍ୟ ସାର୍‌ ସମ୍ବୋଧନ ବ୍ରିଟିଶ ଅମଳରୁ ଚଳି ଆସୁଛି। ପୁଲିସ ବିଭାଗରେ ସାର୍‌ମାନେ ବେଳେବେଳେ ସାହେବ, ସାହାବ ବା ସାଇବ ହୋଇଯାଆନ୍ତି। ନୀତି ଓ ଚଳଣି ଅନୁଯାୟୀ ପୁଲିସ ବିଭାଗରେ ସମସ୍ତେ ପୁଲିସ। କନଷ୍ଟେବଳଠାରୁ ଆରମ୍ଭ କରି ଡିଜିଙ୍କ ଯାଏଁ ସମସ୍ତ ପୁଲିସ। ସେହିପରି ସେନା ବାହିନୀରେ ଯବାନଙ୍କଠାରୁ ଆରମ୍ଭ କରି ଜେନେରାଲଙ୍କ ଯାଏଁ ସମସ୍ତେ ସୈନିକ। ତଥାପି ସମସ୍ତଙ୍କର ପାହ୍ୟା ନେଇ ସମ୍ବୋଧନ ବଦଳିଯାଏ।

ଓଡ଼ିଶା ପ୍ରଶାସନର ସବୁ ବିଭାଗରେ, ସବୁ ଦପ୍ତରରେ ଯେ ତଳିଆ କର୍ମଚାରୀମାନେ ଉପର ଅଧିକାରୀମାନଙ୍କୁ ଭାଇ ବୋଲି ଡାକୁଥିଲେ ତାହା ନୁହେଁ। ଏମିତି କେଉଁଠି କାଁ ଭାଁ ହେଉଥିବ। ହୁଏତ ପ୍ରାଣୀ ସଂପଦ ଓ ପ୍ରାଣୀ ଚିକିତ୍ସା ବିଭାଗରେ ଭାଇ ସମ୍ବୋଧନ ଅଧିକ ଶୁବୁଥିବ ତେଣୁ ଏହି କଟକଣା ଜାରି ହୋଇଛି। ତେବେ, ଏଣିକି ତଳିଆ କର୍ମଚାରୀମାନେ ଉପରିସ୍ଥ କର୍ମଚାରୀଙ୍କୁ ଭାଇ ଡାକିବା ବନ୍ଦ କରି କ’ଣ ଡାକିବେ? ସାର୍‌ ନା ହାକିମ? ବାବୁ ନା ଗୁରୁ? ଏହା ଅମଲତାନ୍ତ୍ରିକ ଶିଷ୍ଟାଚାର ହେବ କି? ବିଶେଷକରି ଏକ ସାମ୍ବିଧାନିକ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ସାର୍‌ ଓ ବାବୁ ଭଳି ସମ୍ବୋଧନର ଔଚିତ୍ୟ ଉପରେ ମଧ୍ୟ ଭିନ୍ନମତ ସୃଷ୍ଟି ହୋଇପାରେ। ଏହା ସେଇ ସାମନ୍ତବାଦୀ ଚିନ୍ତାଧାରାର ପ୍ରତିଫଳନ। ଯଦି ତଳିଆ ଓ କମ୍‌ ବୟସ୍କ କର୍ମଚାରୀମାନେ ଉପରିସ୍ଥ ଓ ବୟସ୍କ ଅଧିକାରୀମାନଙ୍କୁ ସାର୍‌, ହାକିମ, ବାବୁ, ଗୁରୁ ଓ ଭାଇ ବୋଲି ସମ୍ବୋଧନ ନକରିବେ ତେବେ କ’ଣ ଡାକିବେ? ଦାଦା ନା ମଉସା? ଲିଙ୍ଗଭେଦରେ ଭାଇ ଜାଗାରେ ଭଉଣୀ, ମଉସା ଜାଗାରେ ମାଉସୀ, ବାବୁ ଜାଗାରେ ବାବୁଆଣି ଆଦି ଶବ୍ଦ କ’ଣ ଠିକ ହେବ?

ଯେଉଁ ଚିଠିରେ ଭାଇ ସମ୍ବୋଧନକୁ ଶିଷ୍ଟାଚାର ବହିର୍ଭୂତ ବୋଲି କୁହାଯାଇଛି ସେଇ ଚିଠିରେ ଏହାର ବିକଳ୍ପ ଶବ୍ଦର ଅବତାରଣା କରାଯାଇଥିଲେ ଭଲ ହୋଇଥାନ୍ତା। ପୁଣି କେବଳ ଏଇ ନିର୍ଦ୍ଦିଷ୍ଟ ବିଭାଗରେ ନୁହେଁ, ଓଡ଼ିଶା ଶାସନର ସବୁ ବିଭାଗ ଓ ଦପ୍ତରରେ ତଳିଆ କର୍ମଚାରୀମାନେ ଉପରିସ୍ଥ ଅଧିକାରୀମାନଙ୍କୁ କ’ଣ ଡାକିବେ ସେନେଇ ଏକ ସ୍ପଷ୍ଟ ନିର୍ଦ୍ଦେଶାବଳି ଜାରି କରାଯିବା ଉଚିତ। କିଏ କାହାକୁ ସାର୍‌ ଓ ମାଡାମ ଡାକିବେ, କିଏ କାହାକୁ ସାହାବ ଓ ହାକିମ ଡାକିବେ, କିଏ କାହାକୁ ମାନ୍ୟବର ଓ ମଉସା ଡାକିବେ ଏସବୁ ସ୍ଥିର କରାଯାଇ ସେ ସଂପର୍କରେ ଏକ ଗେଜେଟ ବିଜ୍ଞପ୍ତି ଜାରି କରାଗଲେ ତାହା ସମସ୍ତଙ୍କ ପାଇଁ ପାଳନୀୟ ହୁଅନ୍ତା ଏବଂ ଲୋକମାନେ ମଧ୍ୟ ବୁଝିଯାଆନ୍ତେ, ଏଠି କେତେ ଲୋକ ବ୍ରିଟିଶ ଓ କେତେ ଲୋକ ଓଡ଼ିଆ!

Related story