କଶ୍ମୀରକୁ ଭାରତର ଭୂସ୍ୱର୍ଗ ବୋଲି କୁହାଯାଏ। ଶୀତ ଦିନେ କଶ୍ମୀରର ଅନେକ ଅଞ୍ଚଳରେ ପ୍ରବଳ ବରଫ ବୃଷ୍ଟି ହୁଏ। ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ ଆକର୍ଷିତ କରେ। ବିଶେଷ କରି ଶୀତଋତୁରେ କଶ୍ମୀର ଭ୍ରମଣର କିଛି ନିଆରା ଅନୁଭୂତି ରହିଛି। କିନ୍ତୁ କଶ୍ମୀର ଧୀରେ ଧୀରେ ନିଜର ସୌନ୍ଦର୍ଯ୍ୟ ହରାଇବାକୁ ବସିଛି। ନିକଟରେ ପ୍ରକାଶ ପଇଥିବା ଏକ ରିପୋର୍ଟ ଅନୁସାରେ, ଚଳିତ ବର୍ଷ କଶ୍ମୀରର ଗୁଲମାର୍ଗରେ ତୁଷାରପାତର ପରିମାଣ ଯଥେଷ୍ଟ ହ୍ରାସ ପାଇଛି।
ବରଫରେ ଆଚ୍ଛନ୍ନ ହୋଇଯାଇଥିବା ଗୁଲମାର୍ଗ ଏଥର ଯେପରି ଶୁଷ୍କ ହୋଇଯାଇଛି। ପୂର୍ବରୁ ଯେଉଁ ଅଞ୍ଚଳକୁ ବରଫ ଚାଦର ଘୋଡ଼େଇ ଏକ ଆକର୍ଷଣୀୟ ଦୃଶ୍ୟ ସୃଷ୍ଟି କରୁଥିଲା, ସେହି ଅଞ୍ଚଳ ଯେପରି ସୌନ୍ଦର୍ଯ୍ୟ ହରାଇବା ଭଳି ମନେ ହେଉଛି। ରିପୋର୍ଟ ଅନୁସାରେ, ଡିସେମ୍ବରରେ ଗୁଲମାର୍ଗ ଅଞ୍ଚଳରେ ୭୯% କମ୍ ବୃଷ୍ଟିପାତ ହୋଇଛି। ଏଥିସହ ତୁଷାରପାତ ପରିମାଣ ମଧ୍ୟ ହ୍ରାସ ପାଇଛି।
ଏହି ଅସ୍ୱାଭାବିକ ପାଣିପାଗ ଢାଞ୍ଚାକୁ ଏଲ୍ ନିନୋ ପ୍ରଭାବ ସହ ଜଡ଼ିତ କରାଯାଉଛି, ଯାହା ପ୍ରଶାନ୍ତ ମହାସାଗରରେ ସମୁଦ୍ର ପୃଷ୍ଠର ତାପମାତ୍ରା ବୃଦ୍ଧିକୁ ବର୍ଣ୍ଣିତ କରେ। ଏପରି ହେବା ଦ୍ୱାରା ବିଶ୍ୱ ପାଣିପାଗରେ ବ୍ୟାଘାତ ଘଟେ, ଫଳରେ ପ୍ରଭାବିତ ଅଞ୍ଚଳରେ ତୁଷାରପାତ ଏବଂ ବୃଷ୍ଟିପାତରେ ଏକ ପରିବର୍ତ୍ତନ ଘଟେ।
ଗୁଲମାର୍ଗରେ ଏହି ପରିବର୍ତ୍ତନ କେବଳ ଯେ, ପର୍ଯ୍ୟଟକଙ୍କୁ ନିରାଶ କରୁଛି ତାହା ନୁହେଁ, ଜଳବାୟୁ ପରିବର୍ତ୍ତନ ନେଇ ଚିନ୍ତାଜନକ ସମସ୍ୟା ମଧ୍ୟ ସୃଷ୍ଟି କରିଛି। କାରଣ ବୃଷ୍ଟିପାତର ଅଭାବ ସ୍ଥାନୀୟ କୃଷି ଓ କୃଷକଙ୍କ ପାଇଁ ବିପଦ ସଙ୍କେତ। ଏଠାକାର ସ୍ଥାନୀୟ କୃଷି ପାଇଁ ଜଳାଭାବ ସମସ୍ୟା ଲାଗି ରହିପାରେ। ଭବିଷ୍ୟତରେ ଏହି ଉପତ୍ୟକା ମରୁଡ଼ିର ସମ୍ମୁଖୀନ ହୋଇପାରେ ବୋଲି ପାଣିପାଗ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି। ଏହିପରି ହେଲେ ଭାରତର ଭୂସ୍ୱର୍ଗରେ ଇକୋସିଷ୍ଟମ ଏବଂ ଅର୍ଥନୀତି ପ୍ରଭାବିତ ହେବା ନେଇ ଆଶଙ୍କା କରାଯାଉଛି।