ଘର

ଆଗକୁ ଆଉ ନ ବଢ଼ିବାର ନିଷ୍ପତ୍ତି ନିଆ ସରିଥିଲା, ଯେଉଁଠୁ ଦିଶିଯାଇଥିଲା ଘରଟି।

ପ୍ରଥମରୁ ଦୁଇଭାଇ ଘର କିଣିବା କଥା ଶୁଣିଲେ ନାଇଁ ନାଇଁ କରୁଥିଲେ- ଆମର ଘର କିଣିବାର ନାହିଁ। ଘର ଆମର କ’ଣ ହେବ?

ବେଶୀ କେହି ସେମାନଙ୍କ ଧାରଣା ବଦଳେଇବାକୁ ଚାହିଁଲେ, ସେମାନେ ଯୁକ୍ତି ରଖୁଥିଲେ- ମଣିଷ ନେଲାବେଳକୁ କ’ଣ ନେଇଯିବ ଯେ ଘରବାଡ଼ିର ମୋହମାୟାରେ ଛନ୍ଦି ହୋଇ ଅଯଥାରେ କଷ୍ଟ ପାଇ ଚାଲିଥିବ। ପ୍ରତି ମାସରେ ଲୋନ୍ ଶୁଝି ଶୁଝି ବୁଢ଼ା ହୋଇଯାଇଥିବ। ବରଂ ଯେତିକି ଦିନ ବଞ୍ଚିବ, ବିନା ଝିନ୍‌ଝଟ୍‌ରେ ଖାଇପିଇ ମସ୍ତ କରି ରୁହ। ଏ ପାଥିର୍ବ ସମ୍ପତ୍ତି ପଛରେ ଗୋଡ଼େଇ ଗୋଡ଼େଇ ସୁଖଶାନ୍ତିଠୁ ଦୂରେଇ ରହିବା ବୋକାମି ଛଡ଼ା ଆଉ କିଛି ନୁହଁ।

ଯୁକ୍ତିକୁ ଟିକିଏ ହାଲୁକା କରିଦେବାକୁ ସେମାନେ ଆଉ ଗୋଟିଏ କଥା କହିବାକୁ ଭୁଲନ୍ତିନି- ବୋକା ଯିଏ ଘର କରେ। ବୁଦ୍ଧିମାନ ସିଏ, ଯିଏ ସେ ଘରେ ରହେ।

ଅନେକ ଶୁଭେଚ୍ଛୁ ଏସବୁ କଥା ଶୁଣି ଆଉ ଯୁକ୍ତି କରିବାକୁ ଚାହାନ୍ତିନି।

ଭଡ଼ାଘର କ’ଣ ସେଇ ଘର, ତୁମର ଓ ତୁମ ପିଲାମାନଙ୍କର ସ୍ମୃତିକୁ ଜାବୁଡି଼ ଧରି ରଖିପାରିବ? ତୁମେ ଏବେ କ’ଣ ତୁମ ପିଲାମାନଙ୍କୁ କି ତୁମ ପିଲାମାନେ ତାଙ୍କ ପର ପିଢ଼ିକୁ ଚିହ୍ନେଇ ପାରିବେ- ଏଇ ଦେଖ, ଏଇ ଘର ଆମର ଏନ୍ତୁଡ଼ିଶାଳ। ଏଇଠି ଆମେ ଜନ୍ମ ହୋଇଛୁ। ଏଇଠି ଚାଲିବା ଶିଖିଛୁ, ଦୌଡ଼ିଛୁ, ଖେଳିବା ଶିଖିଛୁ। ସାଙ୍ଗସାଥୀ ପାଇଛୁ। ପୃଥିବୀ ଏତିକି ଜାଗା ହୋଇ ଆମ ଆଗରେ। ଏଇଠି ଆମେ ବର୍ଷାରେ ଭିଜିଛୁ। ତାରାକୁ ଚିହ୍ନିଛୁ। ପକ୍ଷୀର ସ୍ୱର ବାରିଛୁ। କଙ୍କି ପଛରେ ଗୋଡେ଼ଇଛୁ। ଏଇଠି ସରିଛି ସ୍କୁଲ ଯିବାର ଦିନ। ଏଇଠି ରହିଛି ମାଆର, ସ୍କୁଲ ଫେରନ୍ତା ପୁଅକୁ କୋଳେଇ ନେବା ପାଇଁ ପ୍ରତୀକ୍ଷାଯୁକ୍ତ ମୁହୂର୍ତ୍ତ। ତୁମମାନଙ୍କର ଟୁକୁଟୁକୁ ପାଦରେ ପବିତ୍ର ହୋଇଯାଇଛି ଏ ଘର।

ପାରିବେ?

ଏମିତି ଏକ ପ୍ରଶ୍ନ ସେମାନଙ୍କୁ କେହି ଜଣେ ପଚାରିଦେବ, ଯେଉଁ ପ୍ରଶ୍ନର ଭେଦଶକ୍ତି ସେମାନଙ୍କର ବର୍ଷ ବର୍ଷ ଧରି ଜମି ଆସିଥିବା ଭ୍ରାନ୍ତ ଧାରଣାକୁ ଖଣ୍ଡ ଖଣ୍ଡ କରି କାଟି ପକେଇବ, ଏକଥା ସେମାନେ ଭାବିପାରି ନ ଥିଲେ।

ଟିକିଏ ଦୂରରେ ଠିଆ ହୋଇ ଘାଇଲା କରିପାରୁଥିବା ଲୋକଟିକୁ ସେମାନେ ପାଖରେ ଡକେଇ ବସେଇଲେ, ଖୁବ୍ ଆଦର କରି। ନିଜକୁ ପଚାରି ଚାଲିଥିଲେ ପ୍ରଶ୍ନ ପରେ ପ୍ରଶ୍ନ, ପରାସ୍ତ ମୁହୂର୍ତ୍ତକୁ ଭୁଲିଯିବା ପାଇଁ ମଣିଷ ଯେପରି ନିଜକୁ ସାମ୍ନା କରେ, ନିଜଦ୍ୱାରା ପ୍ରସ୍ତୁତ ଅନେକ ପ୍ରଶ୍ନକୁ-

ଆମେ କେମିତି ଆଗରୁ ଏଇକଥା ଭାବିପାରିନୁ?

ଆମେ ଯେଉଁ ଧାରଣା ନେଇ ବଞ୍ଚିଥିଲୁ, କେମିତି ବୁଝିପାରିଲୁନି ସମୟାନୁସାରେ ତାହା ବଦଳେ?

ବହୁବର୍ଷ ଧରି ଭଡ଼ାଘରେ ରହିବା ଭିତରେ, ସୀମିତ ସୁବିଧାକୁ ପାଥେୟ କରି, ଅନେକ ଅସୁବିଧାକୁ ମନରେ ବୁଝେଇପାରି ଖୁସିରେ ଅଛୁ ବୋଲି ଭାବିନେବାର ଅଭ୍ୟାସରୁ ଉପରକୁ ଉଠିପାରିନୁ କେମିତି?

ସବୁ ତର୍କ ପାଣି ପରି ବୋହିଗଲା।

ସବୁ ଯୁକ୍ତି, ରକେଟ୍‌ର ଧୂଆଁ ଆକାଶରୁ ଲିଭିଯିବା ପରି କୁଆଡେ଼ ନିମିଷକେ ଲିଭିଗଲା।

ତତ୍‌କ୍ଷଣାତ୍ ଆସିଗଲା ଏକ ନିଷ୍ପତ୍ତି; ଭଡ଼ାଘରେ ଆଉ ରହିବାନି। ସ୍ଥାୟିତ୍ୱ ବି ଦରକାର ଆମମାନଙ୍କର, ଆମ ପରିଚୟର। ପ୍ରଶ୍ନ ଶୁଣିବାକୁ ନ ପଡ଼ୁ ଆମକୁ କି ଆମ ପିଲାମାନଙ୍କୁ। ବରଂ ଗର୍ବ ଟିକିଏ ଆସିଲେ ବି ଚଳିବ, ଘରଟିଏ ଅଛି ବୋଲି।

ଖୋଜା ହେଲା ସେମିତିକା ଜାଗା, ଯୋଉଠି ମାନୁଥିବ ମନ। ଲହଡ଼ି ମାରୁଥିବ ଶାନ୍ତି। ସ୍ଥାୟୀ ବାସିନ୍ଦା ପରି ଜମି ରହିଥିବ ଖୁସି। ଗଢ଼ି ଉଠିଥିବ ଭାଇଚାରାର ପରିବେଶ ଓ ତା’ର ନାଁ ଦେବା ‘ଘର’।

ସେ ଲୋକଟିକୁ କିପରି କୃତଜ୍ଞତା ଦେବେ, ଜାଣିପାରୁ ନ ଥିଲେ ଦୁଇଭାଇ।

ଆପଣ ଏଣିକି ଦାୟିତ୍ୱ ନେବେ ଆମର। ଯେମିତି ବଦଳେଇ ଦେଇପାରିଲେ ଆମର ଧାରଣା, ସେପରି ଆମକୁ ନିଜର ଭାବି, ଆମ ପାଇଁ ଖୋଜିଦିଅନ୍ତୁ ଘରଟିଏ କିମ୍ୱା ଘର ପାଇଁ ଠିକ୍‌ଠାକ୍ ଥିବା ଜାଗାଟିଏ।

ଲୋକଟି କୃତକୃତ୍ୟ ହେଲା କଥା ପଦକରେ।

ଖୋଜି ବସୁଥିବା ସୁଯୋଗଟି ଆପେ ଆପେ ଧରାଦେଉଛି ହାତରେ। ତା’ର ଦାୟିତ୍ୱ ସମ୍ପନ୍ନ ଉତ୍ତର।

ଆପଣମାନଙ୍କୁ ଦେଖିଲା ପରେ, ଆପଣଙ୍କ ପରିବାରର ଚଳଣୀ ଦେଖିଲାପରେ ମୁଁ କ’ଣ ଜାଣିପାରୁନି କେମିତିକା ଘରଟିଏ ଆପଣଙ୍କୁ ସୁହାଇବ?

ଯଦି ଆପଣମାନେ ମନ ନିଶ୍ଚିତ କଲେଣି, ଘରଟିଏ କେତେ ଦୂର?

ତା’ପରଦିନ ସକାଳୁ ଦୁଇଭାଇ ପ୍ରାତଃଭ୍ରମଣ ସାରି ଆସିଲାବେଳକୁ ଲୋକଟି ଦୁଆର ମୁହଁରେ ସହାସ୍ୟ ଠିଆ।

କ’ଣ ଏତେ ସକାଳୁ? କିଛି ଭଲ ଖବର ଆଣି ଆସିଛନ୍ତି ବୋଧେ?

ଘୋଷି ଘୋଷି ମୁଖସ୍ଥ କରିବାର ଅଭ୍ୟାସ ରଖିଥିଲା ବୋଧହୁଏ ଲୋକଟି। ତତ୍‌କ୍ଷଣାତ୍ କହି ଚାଲିଲା:

ଦକ୍ଷିଣ ଦୁଆରୀ ଘର। ଖିଲ୍‌ଖିଲ୍ ପବନ, କି ଖରା, କି ବର୍ଷା, କି ଶୀତ! ଛାତ ଉପରକୁ ଉଠିଯିବେ ତ ଦିଶୁଥିବ ନଈ। ଘରଟା କୋଣ ମୁଣ୍ଡିଆ। ପଛପଟ ବାଲକୋନିରେ ଠିଆହେଲେ ଆପଣଙ୍କୁ ଲାଗିବନି ଆପଣ କୋଉ ସହରରେ ଠିଆ ହୋଇଛନ୍ତି? ସେଇଠୁ ଦିଶିବ ଦୂର ଦିଗ୍‌ବଳୟ, ଦୂର ପାହାଡ଼ ଓ ଦିଗନ୍ତବିସ୍ତାରୀ କ୍ଷେତ ଜମି। ମୁଖ୍ୟ ରାସ୍ତାରୁ ମାତ୍ର ଶହେ ମିଟର ଦୂରତାରେ ଘର। ଯୋଉ ଗଳିଟି ମୁଖ୍ୟ ରାସ୍ତାରୁ ଲମ୍ୱିଯାଇଛି। ସେଇ ଗଳିରେ ମିଳିଯାଏ ସବୁ ହରେକ ରକମର ଦୋକାନ- ଚା ପାନ ଦୋକାନଠୁ ନେଇ ମୋବାଇଲ ରିପେୟାରିଙ୍ଗ‌ ଦୋକାନ। ପରିବା ଦୋକାନଠୁ ନେଇ ହୋଟେଲ। ମୁଖ୍ୟ ରାସ୍ତାରେ ବି ସବୁ ବଡ଼ବଡ଼ ଦୋକାନ। ଗଳି ଯୋଉଠି ଆରମ୍ଭ ହୋଇଛି, ତା’ର ଶହେ ମିଟର ଏପଟ ସେପଟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ପେଟ୍ରୋଲ ଟାଙ୍କି, ବ୍ୟାଙ୍କ‌, ଥାନା, ଲୁଗାଦୋକାନ। ସେ ଡବଲ ରୋଡ୍ ଏବେ ପୁଣି ବଢ଼ିବ। ଆପଣମାନେ ଯେତେବେଳେ ଜାଗା ହେଉ ଅବା ଘର କିଣିବାକୁ ମନସ୍ଥ କରିସାରିଛନ୍ତି। ଏ ସୁଯୋଗକୁ ହାତଛଡ଼ା କରିବା ଉଚିତ ନୁହେଁ।

ଗୃହ ଆଉ ଲକ୍ଷ୍ମୀ ସମସ୍ତଙ୍କ ଭାଗ୍ୟରେ ଜୁଟେନା।

ଘରର ଅବସ୍ଥିତି ଓ ପ୍ରକୃତିର ପରିପୂର୍ଣ୍ଣତାରେ ରହିବାର ସୁଯୋଗ, ଦୁଇଭାଇଙ୍କର ମନକୁ ଟାଣି ନେଉଥିଲା ଜାଗାଟିକୁ ଦେଖିନେବା ପାଇଁ। ପରସ୍ପରକୁ ଚାହିଁ ଦୁଇଭାଇ କହିଲେ- ଯିବା ଚାଲ। ଏଇଠୁ। ଏଇ ସାଙ୍ଗେ ସାଙ୍ଗେ। ସେମାନେ ଆସିଲେ। ଚାଲିଚାଲି। ମଧ୍ୟସ୍ଥିର ନା ସତ୍ତ୍ୱେ।

ଚାଲିଚାଲି ଗଲେ ବେଶୀ ସମୟ ଲାଗିବ। ଦୁଇଭାଇଙ୍କର ମନ ବଦଳିଯାଇପାରେ। ଭାବିପାରନ୍ତି- ଏତେ ଦୂର!

କିନ୍ତୁ ସେମାନଙ୍କର ଆଗ୍ରହକୁ ମନା କରିପାରିଲାନି ମଧ୍ୟସ୍ଥି। ସେମାନେ ଚାଲିଲେ।

ଦୁଇଭାଇଙ୍କର ଆଗ୍ରହ ଓ ଉତ୍କଣ୍ଠା ପବିତ୍ର ସ୍ଥାନଟିଏ ଦର୍ଶନ କରିବାକୁ ଯାଉଛନ୍ତି ଯେମିତି। ମଧ୍ୟସ୍ଥିର ଟାଣିଟୁଣି- ହାତରୁ ଖସି ନ ଯାଉ, ଆସିବାକୁ ଥିବା ଧନରାଶି। ସେମାନେ ଚାଲୁଥିଲେ। କଥାବାର୍ତ୍ତା ହେଉଥିଲେ ଅନେକ କଥା। ମଧ୍ୟସ୍ଥି ଅନ୍ୟମନସ୍କ। ସେ ବେଶୀ ଚିନ୍ତାରେ ପଡ଼ିଯାଉଥାଏ, ଯେତେବେଳେ ସାନଭାଇ ବ୍ୟଗ୍ର ହୋଇ ପଚାରିଦେଉଥାନ୍ତି- ଆଉ କେତେବାଟ? ରାସ୍ତା ଅଧା ଶେଷ ନ ହେଉଣୁ ଏମାନେ ବ୍ୟସ୍ତ, ଘର ଯାଏ ପହଞ୍ଚିବେ କେମିତି? ବିରକ୍ତି ଆସିଗଲେ ଘର କିଣିବାର ମାନସିକତାରେ ପରିବର୍ତ୍ତନ ଆସିପାରେ। କେମିତି କେତେ ଶୀଘ୍ର ଗଳି କନ୍ଦି ରାସ୍ତା ହେଉ ପଛେ, ପହଞ୍ଚିଗଲେ କାମଟି ଠିକ୍‌ରେ ହୋଇପାରେ।

‘ଆଉ କେତେବାଟ?’ ପୁଣି ସାନଭାଇର ପ୍ରଶ୍ନ।

ଏଇତ ପାଇଗଲା। ମଧ୍ୟସ୍ଥି କହିପକାଏ ସିନା ମନ ଭିତରେ ଶଙ୍କୁଥାଏ।

କ’ଣ କଥା ପକେଇ ସେମାନଙ୍କର ମନକୁ କିଛି କ୍ଷଣ ପାଇଁ ବଦଳେଇହେବ, ସେ ଚିନ୍ତା କରିପାରୁ ନ ଥିଲା।

ତଥାପି ସେ ଗୋଟିଏ ଗଳି ପାଇଗଲା। ହୁଏତ କିଛି ରାସ୍ତା କମିଯାଇପାରେ। ରାସ୍ତା ଚଉଡ଼ା ନ ହେଲେ ବି ଗଳିଟି ରାସ୍ତାର କିଛି ଦୂରତ୍ୱକୁ କମେଇବାକୁ ସମର୍ଥ ଥିଲା। ମଧ୍ୟସ୍ଥି ଦୁଇଭାଇଙ୍କୁ ସେଇ ଗଳି ଭିତର ଦେଇ ଯିବା ପାଇଁ ସଗ୍ଧେତ ଦେଲାବେଳକୁ ଯିଏ ହଠାତ‌ ଦେଖା ହୋଇଗଲେ, ତାହା ହିଁ ଥିଲା ଏକ ପ୍ରକାର ବିସ୍ମୟ।

ଘରକୁ ଯିବା ଆଗରୁ ବାଟରେ ଦେଖାହୋଇଗଲେ ସେ।

ମଧ୍ୟସ୍ଥି ଆଗରୁ ଯିବା ଖବର ଜଣେଇପାରି ନ ଥିଲା। ଯଦିଓ ଏକ ପ୍ରକାର ନିଶ୍ଚିତ ଥିଲା- ରବିବାର ଦିନ ସେ କୁଆଡେ଼ ଘର ବାହାରକୁ ଯାଇ ନ ଥିବେ। ପ୍ରକୃତ କଥା ହେଲା, ଜଣେଇବାର ଅବକାଶ ହିଁ ନ ଥିଲା। କଥା ଆରମ୍ଭ ହେଉ ହେଉ ଦୁଇଭାଇ ତ ରାଜି ହୋଇଗଲେ ଓ ତତ୍‌କ୍ଷଣାତ‌ ବାହାରି ଆସିବାକୁ ଚାହିଁଲେ।

ମଧ୍ୟସ୍ଥି ଏଇ ଦୁଇଭାଇଙ୍କୁ ଅଚାନକ ଦେଖା ହୋଇଥିବା ଭଦ୍ରବ୍ୟକ୍ତିଙ୍କ ସହ ପରିଚୟ କରେଇଦେଲେ- ୟେ ହେଉଛନ୍ତି ଘର ମାଲିକ। ଯଦିଓ ବାପା ଅଛନ୍ତି, ଇଏ  ହିଁ ପ୍ରକୃତରେ ଏ ବିଷୟରେ ସବୁ ନିଷ୍ପତ୍ତି ନେବେ।

କଥାବାର୍ତ୍ତା ଆରମ୍ଭ ହୋଇଗଲା, ଚାଲୁଚାଲୁ।

ଆପଣ ଘରଟି ବିକୁଛନ୍ତି କାହିଁକି? କିଛି ଅସୁବିଧା?

ଆଜ୍ଞା। ଅସୁବିଧା ନ ଥିଲେ କିଏ କ’ଣ ଘର ବିକେ? ମୁଁ ସେମିତି ଅସୁବିଧାରେ ପଡ଼ିଛି। ଆଉ କିଛି ଉପାୟ ନାହିଁ।

ମଧ୍ୟସ୍ଥି ଖୁସି। ଅନେକ କାମ ସହଜ ହୋଇଗଲା। କଥାବାର୍ତ୍ତା ଭିତରେ ବାଟ ଚାଲିବା ଜଣାପଡ଼ିବନି କି ବିରକ୍ତି ଆସିବନି।

ଘରଟିଏ କ’ଣ ପୁଣି ତିଆରି କରିପାରିବେ? ସମସ୍ୟାର ସମାଧାନ ଏ ଘର ବିକ୍ରି ଟଙ୍କାରୁ ହେଉ ବା ଅନ୍ୟ କିଛି ଉପାୟରୁ ହେଉ, ହୋଇପାରିବ ମାତ୍ର ଥରେ ଘର ବିକିଦେଲେ…

ଆମ ପାଖରେ ଆଉ କିଛି ସାଧନ ନାହିଁ ଆଜ୍ଞା। ବାପା ଜମାରୁ ଚାହୁଁନାହାନ୍ତି  ଏ ଘର ବିକ୍ରି କରିବାକୁ। ତାଙ୍କର ଯୁକ୍ତି- ‘ମୁଁ ଆଉ କେତେବର୍ଷ ବଞ୍ଚିବି? ଥରେ ହୃଦ୍‌ଘାତ ହୋଇଥିବା ଲୋକ, ଦ୍ୱିତୀୟ ଥରକୁ ହିଁ କେବଳ ଚାହିଁରହିଥାଏ। ତୁମମାନଙ୍କର ଭଲପାଇବା ମୁଁ ବୁଝୁଛି। ହାର୍ଟ ଅପରେସନ‌ କରି, କିଛି ନୂଆ ଯନ୍ତ୍ରପାତି ବଳରେ ମୋତେ ଅଧିକ କିଛିଦିନ ବେଞ୍ଚଇପାର। ମୁଁ ବଞ୍ଚିଲେ କ’ଣ କରିପାରିବି, ତୁମମାନଙ୍କୁ ହନ୍ତସନ୍ତ କରିବା ଛଡ଼ା। ଏଇଥିପାଇଁ ତୁମେ ଘରଟା ବିକ୍ରି କରିଦେବ? ବରଂ ଚାଲିଯିବା ଆଗରୁ ମୋତେ ଖୁସିଟିଏ ମିଳୁଥାଉ- ମୋ ପିଲାମାନେ ମୁଣ୍ଡ ଗୁଞ୍ଜିବା ପାଇଁ ଘରଟିଏ ଅଛି ତ।’

ସେଇଠି ଅଟକିଗଲେ ଦୁଇଭାଇ।

କ’ଣ କହୁଛନ୍ତି ଆପଣ?

ଘରମାଲିକ ବି ଶଙ୍କିଗଲେ- କ’ଣ ଭୁଲଭାଲ କରିପକେଇଛି କି? ଯୋଉକଥା ଘର ବିକୁଥିବା ହତଭାଗାଟି କହିବା କଥା ନୁହେଁ, କହିଦେଇଛି କି?

କ’ଣ ହେଲା ଆଜ୍ଞା? ଆପଣମାନେ ଅଟକିଗଲେ ଯେ?

ମଧ୍ୟସ୍ଥି ବି ଆଶଙ୍କିତ- ହାତରୁ ସୁଯୋଗଟି ଖସିଗଲା କି?

ବଡ଼ଭାଇଙ୍କ ପ୍ରଶ୍ନ: ଏ ଘର କିଏ କରିଥିଲେ? ଆପଣ ନା ଆପଣଙ୍କ ବାପା?

ମୋ ବାପା ଆଜ୍ଞା। ବହୁତ ପୁରୁଣା ଦିନର ଘର। ଏ ଅଞ୍ଚଳର ପ୍ରଥମ ଘର କହିପାରନ୍ତି। ଆମେ ସେତେବେଳକୁ ଛୋଟ ପିଲା। ବାପା କୁହନ୍ତି, ସେ ଯେତେବେଳେ ଏଠି ଘର କରିବା ପାଇଁ ପ୍ରଥମ ଥର ପଥର ପକେଇଲେ, ତାଙ୍କର ବନ୍ଧୁମାନେ କହିଲେ- ବାଇଆଟା କିରେ, ସେ ଶ୍ମଶାନ ପଡ଼ିଆରେ କାହିଁକି ଘର କରୁଛୁ, ତୋତେ ଆଉ କୋଉଠି ଜାଗା ମିଳିଲାନି? ଆମ ଘର ପରେ ପରେ ଅନେକ ଲୋକ ଘର କରିବା ଆରମ୍ଭ କରିଦେଲେ, ଯୋଉମାନେ ସେଠି ଜାଗା କିଣି ପକେଇଥିଲେ ଅଥଚ ଏକୁଟିଆ ରହିବାର ସାହାସ କରିପାରୁ ନ ଥିଲେ।

ବାପା ବହୁତ କଷ୍ଟ କରିଥିବେ, ସେଇ ସମୟରେ।

ହଁ ଆଜ୍ଞା। ପ୍ରତିମାସରେ ପେଟରୁ କାଟି, ସବୁ ଖୁସିରୁ କାଟି କିଛି କିଛି ଯୋଡ଼ୁଥିଲେ ଘରେ। ଘର ତିଆରି ହେବାର ଦିନତକ ସକାଳୁ ଘରୁ ବାହାରିଯିବେ ଯେ ଫେରିବେ ସଞ୍ଜବେଳକୁ। ନିଜେ ବୋହୁଥିବେ ପଥର, ଗୋଳୋଉଥିବେ ସିମେଣ୍ଟ, ବାଲି, ମୁଣ୍ଡରେ ଟଣରା ବୋହିକି ମିସ୍ତ୍ରୀ ପାଖକୁ ନେଉଥିବେ, କାମ ସରିଲା ପରେ କୂଅରୁ ପାଣି ବୋହି ଢାଳୁଥିବେ। ମୂଲିଆର ମଜୁରୀ ରହିଗଲେ ସେଇ ଘରକାମରେ ଲାଗିଯିବାର ଆଶାରେ।

ମଧ୍ୟସ୍ଥି ତରତର କରୁଥିଲା, ପାଦ ଜୋର୍‌ରେ ବଢ଼େଇବାକୁ।

ଦୁଇଭାଇଙ୍କର ପାଦ ବଢ଼ୁ ନ ଥିଲା।

ମଧ୍ୟସ୍ଥି ଓ ଘରମାଲିକ ବୁଝିପାରୁ ନ ଥିଲେ: କ’ଣ ପାଇଁ ଅଟକି ଯାଉଛି ପାଦ। ସବୁ ଠିକ୍‌ଠାକ୍ ଥିଲାବେଳେ ହଠାତ୍‌ ପଛଘୁଞ୍ଚା କାହିଁକି? ଘରମାଲିକ ଅନୁରୋଧ କରୁଥିଲେ- ଏଇ ପାଖରେ ଆଜ୍ଞା। ଚାଲନ୍ତୁ, ଦେଖିନେବେ। ଘର ପସନ୍ଦ ନ ହେଲେ ଅଲଗା କଥା। ଥଙ୍ଗମଙ୍ଗ ହୋଇ ଦୁଇଭାଇ ଚାଲୁଥିଲେ, ଅନୁରୋଧକୁ ଏଡେ଼ଇ ନ ପାରି।

ଆତ୍ମୀୟତା ବଢ଼ିଚାଲିଛି। ଆଲୋଚନା ବି ଚାଲିଛି, ଘର ବିଷୟରେ। ଦୁଇଭାଇ ଦେଖିପାରୁ ନ ଥିଲେ, ଯାହା ସେମାନେ ଦେଖିବାକୁ ଆସିଛନ୍ତି। ଇଟା, ଗୋଡ଼ି, ସିମେଣ୍ଟର ଘର ବଦଳରେ ସେମାନେ ଅନୁଭବ କରିପାରୁଥିଲେ ବାପାଟିଏକୁ। ଆକଳନ କରୁଥିଲେ: କେତେ ନିର୍ଭୟ ଓ ପ୍ରସ୍ତର ବାପାର ହାତ। ମୋଡ଼ଟିଏ ବୁଲିଗଲା ବେଳକୁ ଉତ୍ସାହିତ ମଧ୍ୟସ୍ଥି ଉଚ୍ଚଗଳାରେ କହିପକେଇଲେ- ଏଇ ଯେ ଘର! ସେଇ ହନୁମାନ ରଙ୍ଗର। ସବା ଶେଷକୋଣରେ ଥିବା ଘରଟା। ସ୍ତବ୍ଧ ହୋଇଗଲେ ଦୁଇଭାଇ।

ବାପାର ଚିକିତ୍ସା ପାଇଁ ନିହାତି ଲୋଡ଼ା ଥିବା ଅର୍ଥରାଶି ଯୋଗାଡ଼ରେ ବ୍ୟାକୁଳିତ ନିରୂପାୟ ପୁଅ ଚାହିଁରହିଥିଲା ଘର କିଣିବାକୁ ମନ ବଳେଇଥିବା ଦୁଇଭାଇଙ୍କୁ। ମଧ୍ୟସ୍ଥି ସୂଚେଇ ସାରିଥିଲା କିଛି ବାଟର ଚାଲିବା ଭିତରେ- ଖାଲି ଘର ପସନ୍ଦ ହୋଇଗଲେ, ଡିଲ୍ ଫାଇନାଲ ଜାଣ।

ଘର ମାଲିକ ମନରେ ବି କିଛି ସ୍ୱାଭାବିକ ପ୍ରଶ୍ନ-

ଏମାନେ ଝୁଣ୍ଟୁଛନ୍ତି କାହିଁକି? କାହିଁକି ପଚାରୁନାହାନ୍ତି?- ‘ଘର କେତେ ବର୍ଷର’, ‘କେତେ ବର୍ଗଫୁଟ’, ‘କେତୁଟା କୋଠରୀ’, ‘ପଡ଼ୋଶୀମାନେ କେମିତି’, ‘ବର୍ଷକୁ ସାହିଚାନ୍ଦା କେତେ ଦେବାକୁ ହୁଏ’, ‘ଘର ବନ୍ଧା ପକେଇ କୌଣସି ବ୍ୟାଙ୍କ‌ କି ଅନ୍ୟ ସଂସ୍ଥାରୁ ଋଣ କରିଛନ୍ତି କି ନା’, ‘ବଜାର ମୂଲ୍ୟ କେତେ ହେବ’, ‘ଏ ଏରିଆରେ ଗୁଣ୍ଠ ଏବେ କେତେ ଚାଲିଛି?’, ‘ଟଙ୍କା ନଗଦ ଦେବେ ନା ବ୍ୟାଙ୍କ ଆକାଉଣ୍ଟରେ ଜମା ହେବ’।

ଦୁଇଭାଇଙ୍କର ହାତ ଅଟକିଗଲା, ଘରମାଲିକଙ୍କ କାନ୍ଧ ଉପରେ। ‘ଆମେ ଏ ଘର କିଣିପାରିବୁନି।’

ଅସୁବିଧା କ’ଣ ହେଲା ଆଜ୍ଞା। ମିଳିତ ପ୍ରଶ୍ନ ଘରମାଲିକ ଓ ମଧ୍ୟସ୍ଥି ଉଭୟଙ୍କର।

ଆମେ ଗୋଟିଏ ଘର କିଣିବାକୁ ଚାହୁଁଥିଲୁ, ଏହା ସତ୍ୟ। ମାତ୍ର କଂକ୍ରିଟ, ଇଟା, ସିମେଣ୍ଟର ଘର। ଆପଣଙ୍କ ଘର ପରି ଘର ନୁହେଁ।

ପୁଅଟିଏ ବ୍ୟସ୍ତ ହୋଇପଡ଼ିଲା।

ଦେଖନ୍ତୁ ଆଜ୍ଞା। ଆପଣ ନ କିଣିଲେ ମୋ ବାପାଙ୍କୁ ବେଞ୍ଚଇବା ମୋ ପାଇଁ ବହୁ କଷ୍ଟ ହୋଇପଡ଼ିବ। ସେ ଆମ ପାଇଁ ସବୁ କିଛି। ଆପଣ କେବଳ ଘରଟିଏ କିଣୁଛନ୍ତି, ଭାବନ୍ତୁନି। ଏହା ବି ନିଶ୍ଚିତ ହୁଅନ୍ତୁ ଯେ, କାହାର ବଞ୍ଚିବାରେ ଆପଣ ବି ସହଯୋଗ କରୁଛନ୍ତି।

ଦୁଇଭାଇ ନିରବ।

ଆପଣଙ୍କର ଘରଟିଏ କିଣିବାର ଅଛି ଓ ତା ସହ ଈଶ୍ୱର ଦେଇଛନ୍ତି, ଆପଣଙ୍କୁ ଘରଟିଏ କିଣିବାର ସାମର୍ଥ୍ୟ। ଆପଣ କିଣିବେ ନାହିଁ କାହିଁକି? ଘରଟିଏ ଦେଖିବାକୁ ଏତେ ବାଟ ଆସି, ପାଖରେ ପହଞ୍ଚି ପୁଣି ନ ଦେଖି ଫେରିଯାଉଛନ୍ତି କିପରି? ଦୁଇଭାଇ ପରସ୍ପରର ମୁହଁକୁ ଚାହୁଁଛନ୍ତି କେବଳ।

ଡାକ୍ତର କହିଛନ୍ତି, ଅଧିକରୁ ଅଧିକ ସାତଦିନ ଭିତରେ ଅପରେସନ‌ କରିବାକୁ ହେବ। ଏବେ ବି ଯେକୌଣସି ମୁହୂର୍ତ୍ତରେ କିଛି ବି ଅସୁବିଧା ହୋଇଯାଇପାରେ। ଆମେ ପଛେ ଅଘୋରି ହୋଇ ରହିବୁ, ଆମ ଆଗରେ, ଅର୍ଥାଭାବରୁ ଚିକିତ୍ସା ନ ହୋଇପାରି, ବାପା ଚାଲିଯିବେ, ପୁଅ ହୋଇ ବଞ୍ଚିବାର ଆମର କୌଣସି କାରଣ ବି ନାହିଁ। ଆପଣଙ୍କର ବି ତ ବାପା ଥିବେ, ଆପଣ ବୁଝିପାରୁନାହାନ୍ତି କେମିତି? ବଡ଼ଭାଇ କହିଲେ- ସେଇଥିପାଇଁ ତ କହୁଛି, ଏ ଘର ନ କିଣିବା ପାଇଁ। ଏ ଘର କେବଳ ଘର ନୁହେଁ, ଆପଣଙ୍କର ବାପାଙ୍କର ପ୍ରତିରୂପ। ବାପାଙ୍କର ଅବର୍ତ୍ତମାନରେ ଆପଣମାନେ ମୁଣ୍ଡ ଗୁଞ୍ଜିପାରିବେ ଏ ଘରେ। ଆପଣଙ୍କର ବାପାଙ୍କର ଏହାହିଁ ଇଚ୍ଛା। ଆମେ ଅଭାଗା, ପିଲାଦିନୁ ହରେଇ ଦେଇଛୁ ଆମ ବାପାଙ୍କୁ। ଆମ ଦମ୍ଭକୁ। ବୋଧହୁଏ ସେଥିପାଇଁ ବି ସବୁ ଥାଇବି ଆମେ ଘରଟିଏ କରିପାରିନାହୁଁ। ବାପା ନାହାନ୍ତି ବୋଲି ଆମେ ବେଶୀ ବୁଝିପାରୁଛୁ ଜଣେ ବାପାଙ୍କୁ। ବାପାଙ୍କର ଇଚ୍ଛାକୁ।

ଦୁଇଭାଇ ପଛମୁହାଁ ହୋଇସାରିଲା ବେଳକୁ ଅସହାୟ ଘରମାଲିକ ଅପଲକ ଚାହିଁ ରହିଥିଲେ ବାପା ତିଆରି କରିଥିବା ଘରକୁ।

ଫୋନ୍‌ ନମ୍ବର ୯୪୩୮୧୭୭୫୨୬

Previous ArticleNext Article

Leave a Reply

Send this to a friend