ଏକ ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ରାସ୍ତାରୁ ଓହ୍ଲାଇ ଏକ ଘରେ ପିଟି ହେବାରୁ ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩ ଜଣ ଗୁରୁତର ଆହତ ହୋଇଛନ୍ତି।
‘ଯୋଗମାୟା’ ନାମକ ଏହି ଘରୋଇ ବସ୍ଟି ପାରାଦୀପରୁ ଜଗତସିଂହପୁର ହୋଇ ନାଉଗାଁ ଯାଉଥିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବସ୍ଟି ଏକ ଘର ଉପରକୁ ମାଡ଼ି ଯାଇଥିଲା। ଘରର କାନ୍ଥ ଭାଙ୍ଗି ଯାଇଥିବା ବେଳେ ବସ୍ର ସମ୍ମୁଖ ଭାଗ କ୍ଷତିଗ୍ରସ୍ତ ହୋଇଛି।
ଆହତମାନଙ୍କ ମଧ୍ୟରେ ଜଣେ ବୃଦ୍ଧ ଅଛନ୍ତି। ତାଙ୍କୁ ଅଧିକ ଆଘାତ ଲାଗିଥିବା ଜଣାପଡ଼ିଛି। ଆହତମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଜଗତସିଂହପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ସେମାନଙ୍କର ଚିକିତ୍ସା କରାଯାଇଛି।
ଦୁର୍ଘଟଣା ଘଟିବା ବେଳେ ବସ୍ରେ ପ୍ରାୟ ୪୦ ଯାତ୍ରୀ ଥିଲେ ବୋଲି କୁହାଯାଉଛି। କିଛି ଯାତ୍ରୀ କହିଛନ୍ତି ଯେ ବସ୍ଟି ଠିକ୍ଠାକ୍ ଚାଲିଥିଲା। ହଠାତ୍ ରାସ୍ତା ଡେଇଁ ଏହା ଏକ ଘରର କାନ୍ଥରେ ପିଟି ହୋଇଥିଲା।
କିଛି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ ଦୁର୍ଘଟଣା ଘଟିବା ସମୟରେ ବସ୍ଟି ଦ୍ରୁତଗତିରେ ଯାଉଥିଲା। ତେଣୁ ପ୍ରକୃତରେ କାହିଁକି ବସ୍ଟି ଦୁର୍ଘଟଣାଗ୍ରସ୍ତ ହେଲା, ତାହା ସ୍ପଷ୍ଟ ହୋଇପାରିନି।
ଅନ୍ୟପକ୍ଷରେ ଖୋର୍ଦ୍ଧା ଜିଲ୍ଲା ଜଟଣୀର ନାଇଜର ଛକରେ ଏକ ଅଟୋକୁ ଦ୍ରୁତଗାମୀ କାର ପଛରୁ ଧକ୍କା ଦେଇଛି। ଫଳରେ ଅଟୋ ରେ ଯାଉଥିବା ୪ ଯାତ୍ରୀଙ୍କ ସହିତ ଡ୍ରାଇଭର ଗୁରୁତର ଭାବେ ଆହତ ହୋଇଛନ୍ତି। ସମସ୍ତଙ୍କୁ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମହିଳା ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି।
ଅଟୋରେ ଯାଉଥିବା ଯାତ୍ରୀମାନଙ୍କ ମଧ୍ୟରୁ ୨ଜଣ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଅଞ୍ଚଳର ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଡେଲାଙ୍ଗ ଅଞ୍ଚଳର ବୋଲି ଜଣାପଡ଼ିଛି। ଏହି ଦୁର୍ଘଟଣା ଘଟାଇଥିବା କାରକୁ ପୁଲିସ ଜବତ କରିବା ସହିତ ଦୁଇ ଜଣଙ୍କୁ ଥାନାରେ ଅଟକ ରଖି ପୁଲିସ ତା’ର ତଦନ୍ତକୁ ଜାରି ରଖିଛି।
ସୂଚନାଯୋଗ୍ୟ, ଗତ ରାତି ପ୍ରାୟ ୮ଟାରୁ ଖବର ଲେଖାଯିବା ପର୍ଯ୍ୟନ୍ତ ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରେ ୧୪ ଜଣଙ୍କ ମୃତ୍ୟୁ ହୋଇସାରିଛି। ବରଗଡ଼ରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜମନକିରାରେ ୩, ବଣାଇରେ ୨, କେନ୍ଦୁଝରରେ ୩ ଓ ଜଟଣୀ ଏବଂ ବଲାଙ୍ଗିରରେ ଜଣେ ଲେଖାଏ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/03/09/bus-accident-2026-03-09-17-16-06.jpg)