ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଘର ତିଆରି ବେଳେ ପ୍ରାୟ ସମସ୍ତେ ବାସ୍ତୁକୁ ଗୁରୁତ୍ୱ ଦେଇଥା’ନ୍ତି। ବେଡ୍ ରୁମ୍, ପୂଜା ଘର, ରୋଷେଇ ଘର, ଷ୍ଟୋର ରୁମ୍ ଓ ବାଥ୍ ରୁମ୍ ଆଦି ଘରର କେଉଁ ସ୍ଥାନରେ ରହିବ, ସେ ନେଇ ଲୋକେ ବାସ୍ତୁ ବିଶେଷଜ୍ଞଙ୍କ ପରାମର୍ଶ ନେବାକୁ ଭୁଲି ନ ଥା’ନ୍ତି। ସେହିପରି ଘରେ କେଉଁଠି କେଉଁ ଜିନିଷ ରଖିଲେ ଭଲ, ସେ ନେଇ ବି ଲୋକେ ପରାମର୍ଶ ନିଅନ୍ତି।
ଏହା ସତ୍ତ୍ୱେ ଅନେକଙ୍କ ଘରେ ସୁଖଶାନ୍ତି ପରିବର୍ତ୍ତେ ସବୁବେଳେ କଳିଝଗଡ଼ା ଲାଗି ରହେ ଓ ଆର୍ଥିକ ଅନଟନ ପିଛା ଛାଡ଼େନି। ତା’ହେଲେ କେଉଁଠି ଭୁଲ୍ ରହିଗଲା। ଆପଣ କେବେ ଭାବିଛନ୍ତି, ଆପଣଙ୍କ ଘର ଆଖପାଖରେ ଥିବା କିଛି ଗଛ ବି ଏହାର କାରଣ ହୋଇପାରନ୍ତି। ତେଣୁ ଘରେ ଗଛ ଲଗାଉଥିଲେ, ବାସ୍ତୁ ପ୍ରତି ବି ଧ୍ୟାନ ଦିଅନ୍ତୁ। ତା’ହେଲେ ଆସନ୍ତୁ ଜାଣିବା କେଉଁ ଗଛକୁ ବଗିଚାରେ ଲଗାଇଲେ ଭଲ ଓ କେଉଁ ଗଛ ଘରର ପାଚେରି ବାହାରେ ରହିଲେ ଭଲ।
- କିଛି ଗଛ ଅଛି, ଯେଉଁଗୁଡ଼ିକୁ ଘର ବଗିଚାରେ ଲଗାଇଲେ ଶୁଭ ବୋଲି କୁହାଯାଏ। ସେଥିମଧ୍ୟରେ ରହିଛି ଡାଳିମ୍ବ, ନଡ଼ିଆ, ଅଶୋକ, ଗୋଲାପ, ବକୁଳ, ଚମେଲି ଓ ଚମ୍ପା ଆଦି ଗଛ। ହେଲେ ଆମ୍ବ, ଜାମୁକୋଳି, ଅଶ୍ୱସ୍ତ ଓ କଣ୍ଟାଜାତୀୟ ଗଛକୁ ଘର ପରିସରରେ ଲଗାଇବା ଉଚିତ୍ ନୁହେଁ।
- କଣ୍ଟାଜାତୀୟ ଗଛକୁ ଘର ପରିସରରେ ଲଗାଇବାକୁ ବାରଣ କରାଯାଏ। କିନ୍ତୁ ଆଶ୍ଚର୍ଯ୍ୟର କଥା ଗୋଲାପ ଗଛକୁ ଘର ବାଡ଼ିରେ ଲଗାଇବାକୁ କେହି ମନା କରନ୍ତି ନାହିଁ। ଏହାକୁ ଆପଣ ବଗିଚାରେ ଲଗାଇ ପାରିବେ। କଣ୍ଟା ଜାତୀୟ ଗଛ ହୋଇଥିବା ସତ୍ତ୍ୱେ ଏହାକୁ ଘର ବଗିଚାରେ ଲଗାଯାଇପାରିବ। ଏହାକୁ ଲକ୍ଷ୍ମୀଙ୍କର ପ୍ରିୟ ପୁଷ୍ପ ବୋଲି କୁହାଯାଏ। ନିୟମିତ ଭାବେ ପ୍ରତି ଶୁକ୍ରବାର ଦେବୀ ଲକ୍ଷ୍ମୀଙ୍କୁ ଭକ୍ତିର ସହ ଗୋଲାପ ଫୁଲ ଅର୍ପଣ କଲେ ଘରେ ଧନସମ୍ପତ୍ତିର ଅଭାବ ରହେ ନାହିଁ ବୋଲି କୁହାଯାଏ।
- ଶୁଭ ଫଳ ପ୍ରାପ୍ତି ପାଇଁ ତୁଳସୀ ଗଛକୁ ସବୁବେଳେ ଘରର ଉତ୍ତର କିମ୍ବା ଉତ୍ତର-ପୂର୍ବ ଦିଗରେ ଲଗାଇବା ଉଚିତ୍। ଏପରି କଲେ ଘରେ ସବୁବେଳେ ସୁଖସମୃଦ୍ଧି ବଜାୟ ରହେ।
- ବର ଓ ଅଶ୍ୱସ୍ତ ଗଛକୁ କେବେ ବି ଘର ପରିସରରେ ଲଗାଇବା ଉଚିତ୍ ନୁହେଁ। ଏହାକୁ ସବୁବେଳେ ଘରର ପାଚେରି ବାହାରେ ଲଗାନ୍ତୁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।