ଇଜ୍ ଅଫ୍ ଡୁଇଂ ବିଜନେସ୍ କ୍ଷେତ୍ରରେ ଟପ୍ ଥ୍ରୀରେ ସ୍ଥାନ ପାଇବା ଲକ୍ଷ୍ୟରେ ଓଡ଼ିଶା: କମର୍ସିଆଲ କେସ ଶୁଣାଣି ଲାଗି ହାଇକୋର୍ଟରେ ହେବ ସ୍ୱତନ୍ତ୍ର ବେଞ୍ଚ

ଭୁବନେଶ୍ୱର: ଇଜ୍ ଅଫ୍ ଡୁଇଂ ବିଜନେସ୍ କ୍ଷେତ୍ରରେ ଦେଶରେ ଟପ୍ ଥ୍ରୀ ତାଲିକାରେ ସ୍ଥାନ ପାଇବାକୁ ଲକ୍ଷ୍ୟ ରଖିଛି ଓଡ଼ିଶା। ରାଜ୍ୟରେ ଶିଳ୍ପ ଓ ନିବେଶ କ୍ଷେତ୍ରରେ ଏକ ସୁସ୍ଥ ବାତାବରଣ ରଖିବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏ ନେଇ ନିଷ୍ପତ୍ତି ହୋଇଛି। ନିବେଶ କ୍ଷେତ୍ରରେ ଥିବା ଜଟିଳ ପ୍ରକ୍ରିୟାକୁ ସରଳ କରି ଏକ ବ୍ୟବସାୟ ଅନୁକୂଳ ବାତାବରଣ ସୃଷ୍ଟି କରାଯାଇ ରାଜ୍ୟକୁ ଦେଶର ଟପ୍-ଥ୍ରୀରେ ରଖାଯାଇପାରିବ ସେ ନେଇ ପଦକ୍ଷେପ ନେବାକୁ ବିଭିନ୍ନ […]

cm

Rakesh Mallick
  • Published: Sunday, 18 October 2015
  • , Updated: 18 October 2015, 01:02 PM IST

ଭୁବନେଶ୍ୱର: ଇଜ୍ ଅଫ୍ ଡୁଇଂ ବିଜନେସ୍ କ୍ଷେତ୍ରରେ ଦେଶରେ ଟପ୍ ଥ୍ରୀ ତାଲିକାରେ ସ୍ଥାନ ପାଇବାକୁ ଲକ୍ଷ୍ୟ ରଖିଛି ଓଡ଼ିଶା। ରାଜ୍ୟରେ ଶିଳ୍ପ ଓ ନିବେଶ କ୍ଷେତ୍ରରେ ଏକ ସୁସ୍ଥ ବାତାବରଣ ରଖିବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏ ନେଇ ନିଷ୍ପତ୍ତି ହୋଇଛି। ନିବେଶ କ୍ଷେତ୍ରରେ ଥିବା ଜଟିଳ ପ୍ରକ୍ରିୟାକୁ ସରଳ କରି ଏକ ବ୍ୟବସାୟ ଅନୁକୂଳ ବାତାବରଣ ସୃଷ୍ଟି କରାଯାଇ ରାଜ୍ୟକୁ ଦେଶର ଟପ୍-ଥ୍ରୀରେ ରଖାଯାଇପାରିବ ସେ ନେଇ ପଦକ୍ଷେପ ନେବାକୁ ବିଭିନ୍ନ ବିଭାଗକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ବାକି ଥିବା କାର୍ଯ୍ୟ ଡିସେମ୍ୱର ସୁଦ୍ଧା ଶେଷ କରିବା ସହ ଦ୍ୱିତୀୟ ପର୍ଯ୍ୟାୟ ରିଫର୍ମ ଆସନ୍ତା ଫେବୃୟାରୀ ସୁଦ୍ଧା ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି। କାର୍ଯ୍ୟର ଅଗ୍ରଗତି ନେଇ ପ୍ରତିମାସରେ ରିପୋର୍ଟ ଦେବାକୁ ମୁଖ୍ୟ ଶାସନ ସଚିବଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଇଜ୍ ଅଫ୍ ଡୁଇଂ ବିଜନେସ୍ ତାଲିକାର ଓଡ଼ିଶା ଏବେ ଦେଶରେ ସପ୍ତମ ସ୍ଥାନରେ ରହିଛି।

ଜଟିଳ ପ୍ରକ୍ରିୟାକୁ ସରଳ କରି କିପରି ଭାବେ ଏକ ବ୍ୟବସାୟଅନୁକୂଳ ବାତାବରଣ ସୃଷ୍ଟି କରାଯାଇପାରିବ ସେ ନେଇ ଶିଳ୍ପ ବିଭାଗ ମୁଖ୍ୟମନ୍ତ୍ରୀଙ୍କ ଆଗରେ ପ୍ରସ୍ତାବ ରଖିଛି। ଜମି ରେକର୍ଡ ଡାଟାବେସ୍ ସହ ଜମିକୁ ନେଇ ଯଦି କିଛି କେସ୍ ଥାଏ ତେବେ ଉଭୟର ଡାଟାବେସ୍ ପ୍ରସ୍ତୁତ କରାଯିବ। କମର୍ସିଆଲ୍ କେସର ଶୁଣାଣି ପାଇଁ ହାଇକୋର୍ଟରେ ଏକ ସ୍ୱତନ୍ତ୍ର ବେଞ୍ଚ ପ୍ରତିଷ୍ଠା ପାଇଁ ମଧ୍ୟ ପ୍ରସ୍ତାବ ରହିଛି।

ସେହିପରି ଦ୍ୱିତୀୟ ପର୍ଯ୍ୟାୟ ରିଫର୍ମ ପାଇଁ ତିଆରି ହୋଇଛି ରୋଡମ୍ୟାପ୍। ରାଜ୍ୟରେ ବ୍ୟବସାୟକୁ ସରଳ କରିବା ପାଇଁ ବିଭିନ୍ନ ବିଭାଗରେ କେଉଁ ସବୁ ରିଫର୍ମ କରାଯିବ ସେ ନେଇ ଶିଳ୍ପ ବିଭାଗ କିଛି ପ୍ରସ୍ତାବ ରଖିଛି। ଆଇନ୍ ବିଭାଗରେ କମର୍ସିଆଲ୍ କେସ୍ ଶୁଣାଣି ପାଇଁ ହାଇକୋର୍ଟରେ ଏକ ବେଞ୍ଚ୍ ବା ଡିଭିଜନ୍ ପ୍ରତିଷ୍ଠା ପାଇଁ ପ୍ରସ୍ତାବ ରହିଛି । ସେହିପରି ଜିଲ୍ଲା ଓ କମର୍ସିଆଲ୍ କୋର୍ଟର ୯୦ ପ୍ରତିଶତ ପଦବୀ ପୂରଣ, ଦୁଇଟି ଆଡଜର୍ଣ୍ଣମେଣ୍ଟ ଭିତରେ ସମୟ ସୀମାକୁ ୯୦ଦିନ ମଧ୍ୟରେ ସୀମିତ କରିବା, ମଧ୍ୟସ୍ଥତା କିମ୍ୱା ବୁଝାମଣା ପାଇଁ ଅର୍ଥ ପୁରସ୍କାର ରଖିବାର ପ୍ରସ୍ତାବ ରହିଛି। ରାଜସ୍ୱ ବିଭାଗରେ ଲ୍ୟାଣ୍ଡ ରେକର୍ଡ ଡାଟାବେସ୍ ସହ ମଡଗେଜ୍ ଓ ଜମି ସମ୍ପର୍କୀତ ମାମଲା ବିଷୟରେ ବି ଡାଟାବେସ୍ ପ୍ରସ୍ତୁତ କରାଯିବ । ଜମି ଆପ୍ରୁଭାଲ୍ ସାର୍ଟିଫିକେଟ ଓ ପଲ୍ୟୁସନ କଣ୍ଟ୍ରୋଲ୍ ସାର୍ଟିଫିକେଟକୁ ଯାଞ୍ଚ ତୃତୀୟ ପକ୍ଷ ଦ୍ୱାରା କରାଯିବ । ଶିଳ୍ପ ବିଭାଗକୁ ଡିସିସନ ମେକିଂ କ୍ଷମତା ଦିଆଯିବ ଓ ସମସ୍ତ ଆପ୍ରୁଭାଲ୍ ପାଇଁ  ଶିଳ୍ପ ବିଭାଗ ହେବ ସିଙ୍ଗଲ୍ ୱିଣ୍ତୋ ଏଜେନ୍ସି। ୪୮ ଘଣ୍ଟା ଭିତରେ ବିଭାଗ ଯାଞ୍ଚ କରି ରିପୋର୍ଟ ଦେବ। ଶ୍ରମ ଓ ପ୍ରଦୂଷଣ ନିୟମ ମାନୁଛନ୍ତି କି ନାହିଁ ସେ ନେଇ ତଦନ୍ତ କରିବା ଦାୟିତ୍ୱ ତୃତୀୟ ପକ୍ଷକୁ ଦିଆଯିବ । ୧୦ ବର୍ଷରୁ ଅଧିକ ଥିବା ଶିଳ୍ପର ଲାଇସେନ୍ସ ଓ ରିନୁଆଲ୍ ଦାୟିତ୍ୱ ଶ୍ରମ ବିଭାଗକୁ ଦିଆଯିବ। ସବୁ ଶ୍ରମ ନିୟମ ପାଇଁ ଗୋଟିଏ ରିଟର୍ଣ୍ଣ ଦାଖଲ କରିବାକୁ ପଡିବ। ଏଥିରେ ମଧ୍ୟ ତୃତୀୟ ପକ୍ଷକୁ ଯାଞ୍ଚ କରିବାକୁ ଦାୟିତ୍ୱ ଦିଆଯିବାକୁ କୁହାଯାଇଛି । ଶକ୍ତି ବିଭାଗରେ ବିଜୁଳି ସରବରାହ ଓ ସଂରକ୍ଷଣ ପାଇଁ ଏକ ସ୍ୱୟଂ ଚାଳିତ ବ୍ୟବସ୍ଥା ରହିବ। ବ୍ୟବହାର କେତେ ହେଉଛି, ସେ ତଥ୍ୟ ଅନଲାଇନରେ ରହିବ। ଧାର୍ଯ୍ୟ ପରିମାଣଠାରୁ ଅଧିକ ବିଦ୍ୟୁତ୍ ଦେଲେ ବିତରଣ କମ୍ପାନୀ ଉପରେ ଜରିମାନା କରାଯିବାକୁ ଏଥିରେ କୁହାଯାଇଛି ।

Related story