ଷ୍ଟିଲ୍ ଇଣ୍ଡଷ୍ଟ୍ରିକୁ ଉଦ୍ଧାର କରିବାକୁ କେନ୍ଦ୍ର ଓ ରାଜ୍ୟ ସରକାର ଆଗେଇ ଆସିବା ଦରକାର: ନବୀନ ଜିନ୍ଦଲ

naveen-jindalଭୁବନେଶ୍ୱର: ବର୍ତ୍ତମାନ ଦେଶର ଷ୍ଟିଲ୍ ଇଣ୍ଡଷ୍ଟ୍ରିରେ ମାନ୍ଦାବସ୍ଥା ଚାଲିଛି । ଏଥିଯୋଗୁଁ ଷ୍ଟିଲ୍ କମ୍ପାନୀଗୁଡିକ ପ୍ରଚୁର କ୍ଷତି ସହୁଛନ୍ତି । ଓଡ଼ିଶାରେ ଥିବା ଇସ୍ପାତ ଶିଳ୍ପରେ ମଧ୍ୟ ଏହାର ପ୍ରଭାବ ପଡ଼ିଛି । ଓଡ଼ିଶାରେ ପ୍ରାୟ ୯୦ ପ୍ରତିଶତ ସ୍ପଞ୍ଜ ଆଇରନ୍ ପ୍ଲାଣ୍ଟ୍ ବନ୍ଦ ହୋଇଗଲାଣି। ଅଧିକାଂଶ ଷ୍ଟିଲ୍ ପ୍ଲାଣ୍ଟ ବନ୍ଦ ହେବା ଉପରେ । ସ୍ପଞ୍ଜ ଆଇରନ୍ ଓ ଷ୍ଟିଲ୍ ପ୍ଲାଣ୍ଟ୍ ବନ୍ଦ ହେଲେ ଲକ୍ଷାଧିକ ଲୋକ ଜୀବିକା ହରାଇବେ । ତେଣୁ ଷ୍ଟିଲ୍ ଇଣ୍ଡଷ୍ଟ୍ରିକୁ ଉଦ୍ଧାର କରିବା ଲାଗି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଆଗେଇ ଆସିବା ଦରକାର ବୋଲି କହିଛନ୍ତି ଶିଳ୍ପପତି ନବୀନ ଜିନ୍ଦଲ । ଆଜି ସଚିବାଳୟରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କୁ ଭେଟିବାକୁ ଆସିଥିବା ଅବସରରେ ସେ ଏହା କହିଥିଲେ।

ନବୀନ ଜିନ୍ଦଲ କହିଥିଲେ, ଓଡ଼ିଶାରେ ଆଇରନ୍ ଓର୍ ଉପରେ ଯେଉଁ କର ବସାଉଛନ୍ତି ତାହା ଖୁବ୍ ଅଧିକ। ନିମ୍ନମାନର ଆଇରନ୍ ଓର ଉପରେ ମଧ୍ୟ ଉଚ୍ଚମାନ ଓରର ମୂଲ୍ୟ ଆଦାୟ କରାଯାଉଛି। ଏହା ଆଦୌ ଠିକ୍ ନୁହେଁ। ଏହି ନୀତି ବଦଳିବା ଉଚିତ୍। ସରକାର ଏ ଦିଗରେ ପଦକ୍ଷେପ ନେବା ଦରକାର। ଆଇରନ ଓରର ଦର କମ୍ କରାଯିବା ଉଚିତ୍। ତା’ସହିତ ସରକାର ଆବଶ୍ୟକତା ଅନୁଯାୟୀ ଆଇରନ୍ ଓର ଓ କୋଇଲା ଯୋଗାଇ ଦେବାର ଆବଶ୍ୟକତା ରହିଛି।

ସେ ଆହୁରି ମଧ୍ୟ କହିଥିଲା, ଜଳକର ଏବଂ ଅନ୍ୟାନ୍ୟ ଟିକସ ହ୍ରାସ ନେଇ ପଦକ୍ଷେପ ନେବା ଜରୁରୀ ହୋଇ ପଡ଼ିଛି। କାରଣ ଏହି ସବୁ ଟିକସଗୁଡ଼ିକୁ ଦେବାକୁ ଇଣ୍ଡଷ୍ଟ୍ରିଗୁଡ଼ିକ ସକ୍ଷମ ନୁହନ୍ତି। ପୁଣି ଏବେ ଯେଉଁ ସ୍ଥିତି ଉପୁଜିଛି, ତାହା ସମସ୍ୟାକୁ ଦ୍ୱିଗୁଣିତ କରି ଦେଉଛି।

ନିକଟରେ ରାଜ୍ୟ ସରକାର ସୁନ୍ଦରଗଡ଼ର ଏକ ଲୁହା ପଥର ଖଣି ନିଲାମ ନେଇ ବିଜ୍ଞପ୍ତି ଜାରି କରିଥିବା ବେଳେ ନବୀନ ଜିନ୍ଦଲ ଏହାକୁ ସ୍ୱାଗତ କରିଛନ୍ତି। ସେ କହିଛନ୍ତି ଯେ ଏହା ନିଶ୍ଚିତ ଭାବେ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ। ସରକାର ମାତ୍ର ଗୋଟିଏ ବ୍ଲକର ନିଲାମୀ ପାଇଁ ବିଜ୍ଞପ୍ତି ଜାରି କରିଛନ୍ତି। ଆଗାମୀ ଦିନରେ ରାଜ୍ୟ ସରକାର ଅଧିକରୁ ଅଧିକ ବ୍ଲକ ନିଲାମୀ ପାଇଁ ପ୍ରକ୍ରିୟା ଆରମ୍ଭ କରିବା ଉଚିତ୍। ତା’ସହିତ ଏହି ନିଲାମୀ ପ୍ରକ୍ରିୟାରେ ଓଡ଼ିଶାରେ ଶିଳ୍ପପ୍ରତିଷ୍ଠା କରିଥିବା କଂପାନୀମାନଙ୍କୁ ଗୁରୁତ୍ୱ ଦିଆଯିବାର ଆବଶ୍ୟକତା ରହିଛି।  ବାହାରର କୌଣସି କଂପାନୀକୁ ଖଣି ଲିଜ୍ ଦିଆଗଲେ ଓଡ଼ିଶାର କିଛି ହିତ ସାଧନ ହୋଇପାରିବ ନାହିଁ।

ନବୀନ ଜିନ୍ଦଲ କହିଛନ୍ତି, ରାଜ୍ୟ ସରକାରଙ୍କ ପକ୍ଷରୁ ହେଉଥିବା ଲୁହାପଥର ଖଣି ନିଲାମରେ ତାଙ୍କ କମ୍ପାନୀ ଜିନ୍ଦଲ ଷ୍ଟିଲ ଆବଶ୍ୟକ ପଡ଼ିଲେ ଭାଗ ନେବ।

ଅନୁଗୋଳରେ ଥିବା ଜିନ୍ଦଲ୍ ଷ୍ଟିଲ୍ ପ୍ଲାଣ୍ଟ୍ ସଂପର୍କରେ ସୂଚନା ଦେଇ ସେ କହିଥିଲେ ଯେ ଏହି ପ୍ଲାଣ୍ଟର ପ୍ରଥମ ପର୍ଯ୍ୟାୟ କାମ ୨ ବର୍ଷ ତଳୁ ଶେଷ ହୋଇସାରିଛି। ଏବେ  ସେଠାରୁ ଷ୍ଟିଲ୍ ଉତ୍ପାଦନ କରାଯାଉଛି। ଆଗାମୀ ଦିନରେ ଏହାକୁ ସଂପ୍ରସାରଣ କରାଯିବ। ୨୦୧୬ ବର୍ଷ ଶେଷ ସୁଦ୍ଧା ଏହି ସଂପ୍ରସାରଣ କରାଯିବ। ଫଳରେ ପ୍ଲାଣ୍ଟରୁ ସାଢ଼େ ୩ ମିଲିୟନ ଟନ୍ ଷ୍ଟିଲ୍ ଉତ୍ପାଦନ କରାଯାଇପାରିବ। ସେହିଭଳି ୨୦୧୮ ମାର୍ଚ୍ଚ ସୁଦ୍ଧା ଏହି ପ୍ଲାଣ୍ଟରୁ ସାଢ଼େ ୬ ମିଲିୟନ୍ ଟନ୍ ଷ୍ଟିଲ୍ ଉତ୍ପାଦନ କରିବା ନେଇ ସଂପ୍ରସାରଣ କାର୍ଯ୍ୟ କରାଯିବ।