ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀ ମାରାତ୍ମକ ହୋଇସାରିଛି। ପ୍ରତ୍ୟେକ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦେଶରେ ପଚାଶ ହଜାରରୁ ଅଧିକ ଚିହ୍ନଟ ହେଉଛନ୍ତି। ଏହାକୁ ନଜରରେ ରଖିି କେନ୍ଦ୍ର ସରକାର ନିୟମ କଡ଼ାକଡ଼ି କରିଛନ୍ତି। ରାପିଡ୍ ଆଣ୍ଟିଜେନ୍ ଟେଷ୍ଟରେ ନକାରାତ୍ମକ ଲକ୍ଷଣ ଥିବା ସମସ୍ତଙ୍କର RT-PCR ପରୀକ୍ଷା କରାଯିବା ଦରକାର ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟମାନଙ୍କୁ ସ୍ୱତନ୍ତ୍ର ନିର୍ଦ୍ଦେଶ ଦିଆଯାଇଛି। ଅନେକ ରାଜ୍ୟରେ ରାପିଡ ଆଣ୍ଟିଜେନ୍ ପରୀକ୍ଷା ପରେ କରୋନା ଲକ୍ଷଣ ଥିବା ରୋଗୀଙ୍କର RT- PCR ଟେଷ୍ଟ ହେଉ ନାହିଁ। ତେଣୁ କେନ୍ଦ୍ର ସରକାର ଏହି ନିୟମ କରିଛନ୍ତି।
ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍) ର ନିର୍ଦ୍ଦେଶାବଳୀ ଅନୁଯାୟୀ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟରେ ନକାରାତ୍ମକ ଲକ୍ଷଣ ପରେ RT- PCR ଟେଷ୍ଟ ହେବା ଆବଶ୍ୟକ।
ଏହାପରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏବଂ ଆଇସିଏମଆର ମିଳିତ ଭାବେ ରାପିଡ୍ ପରୀକ୍ଷାରେ ନକାରାତ୍ମକ ଆସୁଥିବା ଲୋକଙ୍କ RT-PRC କରିବାକୁ ରାଜ୍ୟମାନଙ୍କୁ ପରାମର୍ଶ ଦେଇଛନ୍ତି। ଜିଲ୍ଲା ସ୍ତରରେ ମନିଟରିଂ ବ୍ୟବସ୍ଥା ସ୍ଥାପନ କରିବାକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମଧ୍ୟ ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଛି। ଯାହା ଦ୍ୱାରା ଆକ୍ରାନ୍ତ ଶୀଘ୍ର ଚିହ୍ନଟ ହୋଇପାରିବେ।
ସୂଚନାଯୋଗ୍ୟ, ଦେଶରେ କରୋନା ମହାମାରୀ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଭାରତରେ କରୋନା ଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା 44,65,864 କୁ ବୃଦ୍ଧି ପାଇଛି ଏବଂ ଏପର୍ଯ୍ୟନ୍ତ 75,062 ମୃତ୍ୟୁ ଘଟିଛି। 9,19,018 ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଥିବା ବେଳେ 34,71,784 ଲୋକ ଆରୋଗ୍ୟ ହୋଇଛନ୍ତି। ଗତ 24 ଘଣ୍ଟା ମଧ୍ୟରେ 95,735 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବଂ 1,172 ଜଣଙ୍କର ମୃତ୍ୟୁ ଘଟିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।