ଯାଜପୁର: ଯାଜପୁର ଜିଲ୍ଲା କୁଆଖିଆ ଥାନା ତୁଳସୀପୁର ନିକଟ ଖରସ୍ରୋତା ନଦୀବନ୍ଧରୁ ଜଣେ ଯୁବକଙ୍କ କ୍ଷତାକ୍ତ ମୃତଦେହକୁ ଗୁରୁବାର ଉଦ୍ଧାର କରାଯାଇଛି। ତାଙ୍କୁ ଗଳାକାଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ଯୁବକ ଜଣକ ହେଲେ ସ୍ଥାନୀୟ ଅଞ୍ଚଳର ବିପିନ ସାହୁ। ଗତକାଲି ବିଳମ୍ୱିତ ରାତିରେ ବିପିନଙ୍କୁ ହତ୍ୟା କରାଯାଇଥିବା କୁହାଯାଉଛି। ତେବେ ତାଙ୍କୁ କାହିଁକି ହତ୍ୟା କରାଯାଇଛି ତାହା ସ୍ପଷ୍ଟ ହୋଇନାହିଁ। ପୋଲିସ୍ ଘଟଣାର ତଦନ୍ତ କରୁଛି।
ବିପିନଙ୍କ ପରିବାର ଲୋକେ କହିଛନ୍ତି, ଗତକାଲି ରାତି ପ୍ରାୟ ସାଢ଼ ୯ଟା ବେଳେ ତାଙ୍କ ପାଖକୁ ଏକ ଫୋନ୍ କଲ୍ ଆସିଥିଲା। ତା’ପରେ ସେ ଘରୁ ବାହାରି ଯାଇଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ସେ ଘରକୁ ଫେରି ନ ଥିଲେ। ତେଣୁ ଘର ଲୋକେ ତାଙ୍କୁ ଫୋନ୍ କରିଥିଲେ। କିନ୍ତୁ ସେ ଫୋନ୍ ଉଠାଇ ନ ଥିଲେ। ଫୋନ୍ ରିଙ୍ଗ୍ ହୋଇ ହୋଇ କଟି ଯାଇଥିଲା। ଆଜି ସକାଳେ କେତେ ଜଣ ବ୍ୟକ୍ତି ଖରସ୍ରୋତା ନଦୀବନ୍ଧରେ ତାଙ୍କର ମୃତଦେହକୁ ଠାବ କରି ପୋଲିସକୁ ଖବର ଦେଇଥିଲେ।