ନୟାଗଡ଼: ନୟାଗଡ଼ ଜିଲ୍ଲା ବଳରାମପୁରରେ କଙ୍ଗାରୁ କୋର୍ଟରେ ଶିକ୍ଷକଙ୍କୁ ନିର୍ଯାତନା ଦେବା ଘଟଣାରେ ଇଟାମାଟି ପୋଲିସ୍ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୨ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ମାୟାଧର ପ୍ରଧାନ ଓ ତାଙ୍କ ପୁଅ ସଞ୍ଜୟ ପ୍ରଧାନ। ଅନ୍ୟ ଅଭିଯୁକ୍ତଙ୍କୁ ପୋଲିସ୍ ଖୋଜୁଛି।
ନିର୍ଯାତନାର ଶିକାର ହୋଇଥିବା ବାଉଁଶିଆପଡ଼ାର ଏହି ଶିକ୍ଷକଙ୍କର ଅନ୍ୟ ଜଣେ ବ୍ୟକ୍ତିଙ୍କ ସହିତ ବିବାଦ ରହିଥିଲା। ଏ ନେଇ ସେ ଇଟାମାଟି ଥାନାରେ ଏତଲା ଦେଇଥିଲେ। ତେବେ ବିବାଦର ଆପୋଷ ବୁଝାମଣା ନାଁରେ ଗତ ୧୬ ତାରିଖରେ ତାଙ୍କୁ ବଳରାମପୁର ଗାଁର କଙ୍ଗାରୁ କୋର୍ଟକୁ ଡକା ଯାଇଥିଲା। ସେଠାରେ ତାଙ୍କୁ ଅମାନୁଷିକ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି। ସେ ସର୍ବସାଧାରଣରେ କ୍ଷମା ମାଗିଥିଲେ ମଧ୍ୟ ତାଙ୍କୁ ଜଣେ ବ୍ୟକ୍ତିଙ୍କ ଦୁଇ ଗୋଡ଼ ମଝିରେ ଗଳି ଯିବା ପାଇଁ ବାଧ୍ୟ କରାଯାଇଥିଲା। ଏପରି କରିବାର ଉଦ୍ଦେଶ୍ୟ ଥିଲା ତାଙ୍କୁ ଅପମାନିତ କରିବା। ପୁଣି ଏହି ଦୃଶ୍ୟକୁ ସୁଟିଂ କରି ସୋସିଆଲ୍ ମିଡିଆରେ ମଧ୍ୟ ଛାଡ଼ି ଦିଆଯାଇଥିଲା। ଭିଜୁଆଲ ଭାଇରାଲ୍ ହେବା ପରେ ଶିକ୍ଷକ ଜଣଙ୍କ ୨୦ ତାରିଖରେ ଥାନାରେ ଅଭିଯୋଗ କରିଥିଲେ। ନିର୍ଯାତନାର ଶିକାର ହୋଇଥିବା ଶିକ୍ଷକ ଅଭିଯୋଗ କରିଛନ୍ତି ଯେ ମାନସିକ ଯନ୍ତ୍ରଣା ଦେଇ ତାଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିବା ସେମାନଙ୍କର ଉଦ୍ଦେଶ୍ୟ ଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।