ସାଲେପୁର: କଟକ ଜିଲ୍ଲା ମାହାଙ୍ଗା ବ୍ଲକ୍ ପନ୍ଦରବାଟିଆ ଗାଁରେ ଦୁଇ ଦିନ ଧରି ନିଖୋଜ୍ ଥିବା ଯୁବକଙ୍କ ମୃତ ଦେହ ଆଜି ସକାଳେ ଉଦ୍ଧାର କରାଯାଇଛି। ମୃତ ଯୁବକଙ୍କ ନାମ ଅଭୟ ଦାସ। ଗତ ଦୁଇ ଦିନ ହେବ ଅଭୟ ନିଖୋଜ ଥିବା ନେଇ ମାହାଙ୍ଗା ଥାନାରେ ଏତଲା ହୋଇଥିଲା। ତେବେ ଅଭୟର ମୃତଦେହ ସେହି ଗାଁର ଏକ ନାଳ ଭିତରେ ଭାସୁଥିବା ଅବସ୍ଥାରେ ଗ୍ରାମବାସୀ ଉଦ୍ଧାର କରି ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତ ଅଭୟର ମୁଣ୍ଡରୁ ରକ୍ତସ୍ରାବ ହେଉଥିବା ଦେଖି ଏହା ଏକ ହତ୍ୟାକାଣ୍ଡ ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ତେବେ ଶବବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ଏହାର ସତ୍ୟାସତ୍ୟ ସାମ୍ନାକୁ ଆସିବ ବୋଲି ଥାନା ଅଧିକାରୀ କହିଛନ୍ତି।