ସୁନ୍ଦରଗଡ଼: ହରିୟାଣାରେ ବଳାତ୍କାରର ଶିକାର ହୋଇଥିବା ସୁନ୍ଦରଗଡ଼ ଜିଲ୍ଲା କିଞ୍ଜିରକେଲା ଥାନା କୁଲବା ଗାଁର ଜଣେ ନାବାଳିକାକୁ ଆଣିବା ପାଇଁ ସୁନ୍ଦରଗଡ଼ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ସେଠାକୁ ଯାତ୍ରା କରିଛି। ଏହି ଟିମରେ କିଞ୍ଜିରକେଲା ଥାନାର ଜଣେ ଏଏସଆଇ ଓ ଜିଲ୍ଲା ଆଣ୍ଟି ହ୍ୟୁମାନ ଟ୍ରାଫିକିଙ୍ଗ୍ ୟୁନିଟର୨ କର୍ମଚାରୀ ରହିଛନ୍ତି। ନାବାଳିକାର ବାପାଙ୍କୁ ମଧ୍ୟ ଏହି ଟିମ୍ ସାଙ୍ଗରେ ନେଇ ଯାଇଛି। ଏହି ଟିମ୍ ହରିୟାଣାର ପଲୱାଲ ଜିଲ୍ଲା ମହିଳା ଥାନାକୁ ପହଞ୍ଚି ସ୍ଥାନୀୟ ପୋଲିସର ସହାୟତାରେ କର୍ଣ୍ଣାଲ ସ୍ଥିତ ନାରୀ ନିକେତନରୁ ନାବାଳିକାକୁ ଆଣିବ। ଏହା ସହିତ ସ୍ଥାନୀୟ ପୋଲିସ ସହିତ ମିଳିତ ଅନୁସନ୍ଧାନ ମଧ୍ୟ କରିବ। ସେଠାରୁ ସୁନ୍ଦରଗଡ଼ ଆଣିଲା ପରେ ଜିଲ୍ଲା ପ୍ରଶାସନକୁ ରିପୋର୍ଟ କରାଯିବ ଏବଂ ତା’ର ଥଇଥାନ ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଆଣ୍ଟି ହ୍ୟୁମାନ ଟ୍ରାଫିକିଙ୍ଗ୍ ୟୁନିଟର ଅଧିକାରୀ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ୪ ମାସ ତଳେ ଏହି ନାବାଳିକା ଓ ତାର ସାନଭାଇକୁ ସ୍ଥାନୀୟ ଅଞ୍ଚଳର ବିକାଶ ନାମକ ଜଣେ ଯୁବକ ଅନ୍ୟ ଦୁଇ ସାଙ୍ଗଙ୍କ ସହ ମିଶି ମଥୁରା ନେଇଯାଇଥିଲା। ତେବେ ନାବାଳିକାଟିର ସାନଭାଇ କୌଶଳକ୍ରମେ ଖସି ଘରକୁ ପଳାଇ ଆସିଥିଲା। ହେଲେ ନାବାଳିକା ଜଣଙ୍କ ଆସି ନ ପାରି ସେଠାରେ ବଳାତ୍କାର ଓ ନିର୍ଯାତନାର ଶିକାର ହୋଇଥିଲେ। ତାଙ୍କୁ ବାରମ୍ବାର ବିକ୍ରି କରାଯାଇଥିଲା।