ବେଶ୍ୟା, ରକ୍ଷିତା, ବିଟପୀ (Prostitute, hooker, whore, keep, mistress, slut) ଆଦି ଶବ୍ଦ ଆଉ ସୁପ୍ରିମକୋର୍ଟରେ ଶୁଣାଣି ବେଳେ ଉଚ୍ଚାରଣ ହେବନି। ଏହିପରି ୪୦ଟି ଶବ୍ଦ ଉପରେ ବାଜିଛି ନାଲି ଗାର। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଗତକାଲି ଉନ୍ମୋଚନ କରିଥିବା ନୂଆ ହ୍ୟାଣ୍ଡବୁକ୍ରେ ଏ ସମ୍ପର୍କରେ ସବିଶେଷ ଭାବେ ଉଲ୍ଲେଖ କରାଯାଇଛି। ଲିଙ୍ଗଗତ ନ୍ୟାୟିକ ମାମଲାର ଶୁଣାଣି ବେଳେ ଅଜାଣତରେ ଏପରି ବହୁ ରୁଢ଼ିବାଦୀ ଶବ୍ଦ ପ୍ରୟୋଗ କରାଯାଉଥିବା ବେଳେ ଭବିଷ୍ୟତରେ ଆଉ ଯେପରି ଏହାର ପ୍ରୟୋଗ ନ ହେବ ସେଥିନିମନ୍ତେ ଏହି ପଦକ୍ଷେପ ଉଠାଯାଇଛି।
ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡି. ୱାଇ ଚନ୍ଦ୍ରଚୂଡ଼ ଗତକାଲି ସକାଳେ 'Handbook On Combating Gender Stereotypes' ନାମକ ବହି ଉନ୍ମୋଚନ କରିଥିଲେ। ଏହି ଅବସରରେ ରୁଢ଼ିବାଦୀ ଶବ୍ଦର ପ୍ରୟୋଗକୁ ଟାର୍ଗେଟ କରି ସେ କହିଛନ୍ତି, ନ୍ୟାୟିକ ପ୍ରକ୍ରିୟାରେ ଏପରି ଶବ୍ଦର ପ୍ରୟୋଗ ସମ୍ପୂର୍ଣ୍ଣ ଅନୁଚିତ। ଏହି ହ୍ୟାଣ୍ଡବୁକ୍ର ଉଦ୍ଦେଶ୍ୟ ଅଦାଲତ ରାୟର ଆଲୋଚନା କରିବା କିମ୍ବା ତାହା ଉପରେ ସନ୍ଦେହ ପ୍ରକଟ କରିବା ନୁହେଁ। ଏହାର ଉଦ୍ଦେଶ୍ୟ କେବଳ ଅଜଣାତରେ ବି ବ୍ୟବହାର ହେଉଥିବା ରୁଢ଼ିବାଦୀ ଶବ୍ଦର ପ୍ରୟୋଗକୁ ହ୍ରାସ କରିବା ବୋଲଇ ସେ ସ୍ପଷ୍ଟ କରିଛନ୍ତି।
ବିଭିନ୍ନ ମାମଲାର ବିଚାର ବେଳେ ରୁଢ଼ିବାଦୀ ଶଦ୍ଦ କିପରି ନ୍ୟାୟିକ ପ୍ରକ୍ରିୟାକୁ ପ୍ରଭାବିତ କରିଥାଏ, ତାହାର ଉଦାହରଣ ଦେବାକୁ ଯାଇ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି କହିଛନ୍ତି, ସାଧାରଣ ଲୋକଙ୍କ ପରି ଜଣେ ବିଚାରପତିଙ୍କ ମସ୍ତିଷ୍କରେ ବି ରୁଢ଼ିବାଦୀ ଶବ୍ଦ ବସା ବାନ୍ଧି ରହି ଯାଇଛି। ଯଦି ରାୟ ପ୍ରକାଶ ସମୟରେ ଜଣେ ବିଚାପତିଙ୍କ ମନରେ ଏକ ସମୁଦାୟ ପ୍ରତି ବା ଦଳଗତ ଲୋକଙ୍କ ପ୍ରତି କିଛି ଧାରଣା ପୂର୍ବରୁ ବସା ବାନ୍ଧି ରହିଛି, ତେବେ ଏହାର ରାୟ ପ୍ରଭାବିତ ହେବାର ଆଶଙ୍କା ରହିଛି।
ବେଳେବେଳେ ଏପରି ସ୍ଥିତି ଉପୁଜେ, ଯେତେବେଳେ ଜଣେ ବିଚାରପତି ଉଭୟ ପକ୍ଷର ଯୁକ୍ତି ଶୁଣି ନ୍ୟାୟିକ ପ୍ରକିୟା ମଧ୍ୟ ଦେଇ ଗତି କରି ଶେଷ ରାୟରେ ଉପନୀତ ହୁଅନ୍ତି। ସେତେବେଳେ ରୁଢ଼ିବାଦୀ ଚିନ୍ତାଧାରାକୁ ପ୍ରୋତ୍ସାହିତ କରୁଥିବା ତର୍କ ଓ ଭାଷାର ବ୍ୟବହାର ଏହାକୁ ପ୍ରଭାବିତ କରିଥାଏ। ରୁଢ଼ିବାଦୀକୁ ଶକ୍ତ କରିବା ସହ ଏହାକୁ ବିଚାର ବିଭାଗରେ ଯୋଡ଼ି କି ରଖିବାର ପ୍ରଭାବ ପରିଶେଷରେ ଅନ୍ୟାୟକୁ ପ୍ରୋତ୍ସାହିତ କରିଥାଏ।
ତେଣୁ ଏପରି କିଛି ଶବ୍ଦକୁ ବାଦ ଦେଇ ତା’ର ବିକଳ୍ପ ଭାବେ ଅନ୍ୟ କିଛି ଶବ୍ଦର ବ୍ୟବହାର କରିବାକୁ ଏକ ନୋଟବୁକ୍ରେ ଉଲ୍ଲେଖ କରାଯାଇଛି। ଏଥିରେ ପତିତ ମହିଳା, ଫଗୋଟ, ବେଶ୍ୟା ପରି ଶବ୍ଦକୁ ହଟାଇ ଦେବାକୁ କୁହାଯାଇଛି। ଏହା ବଦଳରେ ବିଚାରପତିମାନେ ସମଲିଙ୍ଗୀ, ଅସମଲିଙ୍ଗୀ ଆଦିର ବ୍ୟବହାର କରି ପାରିବେ ବୋଲି ସ୍ପଷ୍ଟ ଭାବେ ଉଲ୍ଲେଖ ଅଛି।