‘ଗ୍ରେଟ୍‌ ଓଡ଼ିଶା ପଲିଟିକାଲ୍ ସର୍କସ’ର ବାଳକୃଷ୍ଣ ଏବେ ବଡ଼ ପରଦାରେ ‘ହିରୋ’

ଭୁବନେଶ୍ୱର: କାଷ୍ଟିଂ କାଉଚ୍ ଓ ଚିଟ୍‌ଫଣ୍ଡ୍ ଲିଙ୍କ୍ ପାଇଁ ଏବେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀ ଚର୍ଚ୍ଚାରେ ଥିବା ବେଳେ ଏଭଳି ଏକ ପୃଷ୍ଠଭୂମିକୁ ନେଇ ଫିଲ୍ମ ନିର୍ମାଣ କରୁଛନ୍ତି ନିର୍ଦ୍ଦେଶକ ସଞ୍ଜୟ ନାୟକ। ଫିଲ୍ମଟିର ନାଁ ଦେଇଛନ୍ତି ‘ଏକ୍ସକ୍ୟୁଜ୍ ମିଁ କ’ଣ କଲା ସେ’। ଏହି ଫିଲ୍ମ ମାଧ୍ୟମରେ ପ୍ରଥମ ଥର ପାଇଁ ବଡ଼ ପରଦାରେ ପାଦ ଥାପିଛନ୍ତି ବାଳକୃଷ୍ଣ ନାୟକ। ଡାକ ନାଁ ଲକି। ବାଳକୃଷ୍ଣ ‘ଓଟିଭି’ରେ ପ୍ରସାରିତ ହେଉଥିବା ‘ଦି ଗ୍ରେଟ୍ ଓଡ଼ିଶା ପଲିଟିକାଲ୍ […]

b1

Rakesh Mallick
  • Published: Saturday, 13 August 2016
  • , Updated: 13 August 2016, 10:40 PM IST

ଭୁବନେଶ୍ୱର: କାଷ୍ଟିଂ କାଉଚ୍ ଓ ଚିଟ୍‌ଫଣ୍ଡ୍ ଲିଙ୍କ୍ ପାଇଁ ଏବେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀ ଚର୍ଚ୍ଚାରେ ଥିବା ବେଳେ ଏଭଳି ଏକ ପୃଷ୍ଠଭୂମିକୁ ନେଇ ଫିଲ୍ମ ନିର୍ମାଣ କରୁଛନ୍ତି ନିର୍ଦ୍ଦେଶକ ସଞ୍ଜୟ ନାୟକ। ଫିଲ୍ମଟିର ନାଁ ଦେଇଛନ୍ତି ‘ଏକ୍ସକ୍ୟୁଜ୍ ମିଁ କ’ଣ କଲା ସେ’। ଏହି ଫିଲ୍ମ ମାଧ୍ୟମରେ ପ୍ରଥମ ଥର ପାଇଁ ବଡ଼ ପରଦାରେ ପାଦ ଥାପିଛନ୍ତି ବାଳକୃଷ୍ଣ ନାୟକ। ଡାକ ନାଁ ଲକି। ବାଳକୃଷ୍ଣ ‘ଓଟିଭି’ରେ ପ୍ରସାରିତ ହେଉଥିବା ‘ଦି ଗ୍ରେଟ୍ ଓଡ଼ିଶା ପଲିଟିକାଲ୍ ସର୍କସ’ରେ ବ୍ୟଙ୍ଗ ମାଧ୍ୟମରେ ଲୋକଙ୍କୁ ବହୁତ ହସାଇଛନ୍ତି। ତେବେ ‘ଏକ୍ସକ୍ୟୁଜ୍ ମିଁ କ’ଣ କଲା ସେ’ରେ ସେ ହୀରୋ ଭୂମିକାରେ ଅଭିନୟ କରୁଛନ୍ତି ବୋଲି କହିଛନ୍ତି।

ଏହି ଫିଲ୍ମରେ ତାଙ୍କର ଗେଟ୍‌ଅପ୍‌ରୁ ସେ ହାସ୍ୟ ଅଭିନେତା ପପୁ ପମ୍‌ପମ୍‌ଙ୍କ ଭଳି ଦେଖାଯାଉଛନ୍ତି। ତେବେ ଫିଲ୍ମଟି ପପୁ ପମ୍‌ପମ୍‌ଙ୍କ ଉପରେ ପର୍ଯ୍ୟବସିତ ନୁହେଁ କି ସେ ଏହି ଫିଲ୍ମରେ କମେଡିଆନ୍ ଭୂମିକାରେ ଅଭିନୟ କରୁ ନାହାନ୍ତି ବୋଲି କହିଛନ୍ତି ବାଳକୃଷ୍ଣ।

ସେ କହିଛନ୍ତି,“ଏ ଫିଲ୍ମଟି କାହାରି ଉପରେ ପର୍ଯ୍ୟବସିତ ନୁହେଁ। କାଷ୍ଟିଂ କାଉଚ୍‌କୁ ନେଇ ଏବେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀ ପ୍ରତି ଏକ ନକାରାତ୍ମକ ଭାବନା ସୃଷ୍ଟି ହୋଇଛି। ଆମେ ଲୋକଙ୍କର ସେହି ଧାରଣା ବଦଳାଇବାକୁ ଚେଷ୍ଟା କରିଛୁ। ମୁଁ ଏଥିରେ କମେଡିଆନ୍ ଭୂମିକାରେ ଅଭିନୟ କରୁ ନାହିଁ। ଆପଣମାନେ ଫିଲ୍ମ ଦେଖିବା ପରେ ଜାଣି ପାରିବେ।”

ଆଗକୁ ଫିଲ୍ମରେ ହାସ୍ୟ ଅଭିନେତା ଭୂମିକାରେ ଅଭିନୟ କରିବାକୁ ବାଳକୃଷ୍ଣଙ୍କର ଇଚ୍ଛା ଅଛି।

ସେ କହିଛନ୍ତି,“ସୁଯୋଗ ମିଳିଲେ ମୁଁ କମେଡିଆନ୍ ରୋଲ୍ କରିବାକୁ ପସନ୍ଦ କରିବି।”

ଆଗକୁ ବଡ଼ ପରଦାରେ ସୁଯୋଗ ମିଳିଲେ ବି ଛୋଟ ପରଦା (ଟିଭି) ଛାଡ଼ିବେ ନାହିଁ ବୋଲି ବାଳକୃଷ୍ଣ ସ୍ପଷ୍ଟ ଭାବେ କହିଛନ୍ତି। ଛୋଟ ପରଦା ଯୋଗେ ସେ ଘରେ ଘରେ ପହଞ୍ଚିବାକୁ ଚାହାନ୍ତି ବୋଲି କହିଛନ୍ତି।

ଫିଲ୍ମରେ କମେଡିଆନ୍‌ ରୋଲ୍ ପାଇଁ ଆଗ୍ରହୀ ଥିବା ବାଳକୃଷ୍ଣ ଓଲିଉଡ୍‌ର ସମସ୍ତ ହାସ୍ୟ ଅଭିନେତାଙ୍କ ଅଭିନୟକୁ ଭଲ ପାଆନ୍ତି। ତେବେ ପପୁ ପମ୍‌ପମ୍ ତାଙ୍କର ପ୍ରେରଣାର ଉତ୍ସ। ଟିଭିରୁ ସେ ସବୁ ବେଳେ ପପୁ ପମ୍‌ପମ୍‌ଙ୍କ ହସାଇବା ଶୈଳୀ ଓ କଥାକୁ ନିରୀକ୍ଷଣ କରନ୍ତି ଏବଂ ନିଜ ଭିତରେ ଥିବା ହସାଇବାର କଳାକୁ ଶାଣିତ କରିଛନ୍ତି ବୋଲି କହିଛନ୍ତି ବାଳକୃଷ୍ଣ। ସେହିପରି ସେ କପିଲ ଶର୍ମାଙ୍କ କମେଡି ଶୋ’ ବି ଦେଖନ୍ତି ଓ ତାଙ୍କ ଠାରୁ ଅନେକ କିଛି ଶିଖିଛନ୍ତି ବୋଲି କହିଛନ୍ତି।

‘ଓଟିଭି’ରେ ପ୍ରସାରିତ ହେଉଥିବା ‘ଦି ଗ୍ରେଟ୍ ଓଡ଼ିଶା ପଲିଟିକାଲ୍ ସର୍କସ’ ମଞ୍ଚ ତାଙ୍କ ପାଇଁ କେବଳ ଏକ ବଡ଼ ପ୍ଲାଟଫର୍ମ ନୁହେଁ ଏହା ତାଙ୍କ ମା’ ଭଳି ବୋଲି କହିଛନ୍ତି ବାଳକୃଷ୍ଣ।

‘ଏକ୍ସକ୍ୟୁଜ୍ ମିଁ କ’ଣ କଲା ସେ’ ଆସନ୍ତା ଗଣେଶ ପୂଜାରେ ରିଲିଜ୍‌ ହେବ ବୋଲି କୁହାଯାଉଛି।

Related story