ବକ୍ସ ଅଫିସରେ ‘ରଇସ’ ଓ ‘କାବୀଲ’ର ଜୋରଦାର୍‌ ଟକ୍କର

ମୁମ୍ବାଇ: ବକ୍ସ ଅଫିସ୍‌ରେ ଆଜି ଜବରଦସ୍ତ ଟକ୍କର ଦେଖିବାକୁ ମିଳିଛି। ଶାହାରୁଖଙ୍କ“ରଇସ୍‌’ ସହ ହ୍ରିତିକ୍‌ଙ୍କ ‘କାବୀଲ’ର ହେଉଛି ମୁକାବିଲା। ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ରିଲିଜ ହୋଇଛି ଏହି ଦୁଇଟି ବହୁ ଚର୍ଚ୍ଚିତ ଫିଲ୍ମ। ଅନ୍ୟ ସବୁ ଫିଲ୍ମ ପରି ‘ରଇସ୍’ ଜବରଦସ୍ତ ଓପନିଂ ଦେବ ବୋଲି କିଙ୍ଗ୍‌ ଖାନ୍‌ଙ୍କ ଫ୍ୟାନ୍‌ମାନେ ଆଶା ରଖିଛନ୍ତି। ଫିଲ୍ମକୁ ନେଇ କିଙ୍ଗ୍‌ ଖାନ୍‌ ଫ୍ୟାନ୍‌ଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଲାଗି ରହିଥିବା ବେଳେ ଏହା ବକ୍ସ ଅଫିସ୍‌ରେ ଧମାକା କରିବ ବୋଲି ଆଶା କରାଯାଉଛି।

ଶାହାରୁଖ ଟ୍ରେନ୍‌ରେ ମୁମ୍ବାଇରୁ ଦିଲ୍ଳୀ ଯାତ୍ରା କରି ଅଭିନବ ଉପାୟରେ ଫିଲ୍ମର ପ୍ରମୋସନ୍‌ କରିଛନ୍ତି। ତେବେ ଷ୍ଟୋରୀ ଲାଇନ୍‌ ଦର୍ଶକଙ୍କୁ କେତେ ପସନ୍ଦ ଆସୁଛି ତାହା ଦେଖିବା କଥା।

ଅନ୍ୟପକ୍ଷେ ଏବର୍ଷର ଅନ୍ୟତମ ଚର୍ଚ୍ଚିତ ଫିଲ୍ମ ହେଉଛି ହ୍ରିତିକ୍‌ ରୋଶନ ଅଭିନୀତ ‘କାବୀଲ’। ଏହାର ଟାଇଟଲ ସଙ୍ଗ ବେଶ ଲୋକପ୍ରିୟ ହୋଇସାରିଛି। ବାପା ରାକେଶ ରୋଶନ୍‌ ପ୍ରଯୋଜିତ ସବୁ ଫିଲ୍ମ ପୂର୍ବରୁ ବେଶ ସଫଳତା ପାଇଛି। ତେଣୁ ‘କାବୀଲ’ ବି ବକ୍ସ ଅଫିସ୍‌ରେ ଭଲ କ୍ଲିକ୍‌ କରିବ ବୋଲି ଆଶା କରାଯାଉଛି। ହ୍ରିତିକ୍‌ ଓ ୟାମି ଗୌତମଙ୍କ ଯୋଡ଼ି ଦର୍ଶକଙ୍କ ଆଶା ପୂରଣ କରିବାରେ କେତେ  ସଫଳ ହେଉଛି ତା ଉପରେ ନଜର ରହିଛି।

ରିଲିଜର ପ୍ରଥମଦିନରେ ଭୁବନେଶ୍ୱର ମହାରାଜା ହଲ୍‌ରେ ଟିମ୍‌ ଶାହାରୁଖ ଖାନ୍‌ଙ୍କ ପକ୍ଷରୁ ହଲ୍‌ ସାମ୍ନାରେ କେକ୍‌ କାଟି ସେଲିବ୍ରେସନ୍‌ କରିବା ସହ ‘ରଇସ୍‌’ର ସଫଳତା କାମନା କରିଛନ୍ତି। ସେହିପରି ହ୍ରିତିକ୍‌ ରୋଶନଙ୍କ ଫ୍ୟାନ୍‌ଙ୍କ ମଧ୍ୟରେ ଉତ୍କଣ୍ଠା ଦେଖାଦେଇଛି।