‘ଯାତ୍ରା ନାଟକର ମାନ କମିଛି’

ଯାତ୍ରାରେ ଫୁଲ୍‌ କମେଡ଼ି କଲେ ନାଟକ ସଫଳ ହେବ ନାହିଁ

ଯାତ୍ରା ନାଟକ ନିର୍ଦ୍ଦେଶନା ଜଗତର ‘ଭୀଷ୍ମ ପିତାମହ’ ହେଉଛନ୍ତି ସୀତାକାନ୍ତ ମହାନ୍ତି। ଜୀବନରେ ୨୦୦ରୁ ଅଧିକ ନାଟକର ନିର୍ଦ୍ଦେଶନା ଦେବା ସହିତ ସଂଳାପ ମଧ୍ୟ ସଂପାଦନା କରିଛନ୍ତି। ସମୟ ସହ ତାଳଦେଇ ବଦଳିଛି ତାଙ୍କ ସୃଜନଶୀଳତା। ଯଲିଉଡ୍‌ ନାଟକକୁ ନୂଆ ଦିଶା ଓ ରାହା ମଧ୍ୟ ଦେଇଛନ୍ତି ଏବଂ ନିଜ ପାଇଁ ସୃଷ୍ଟି କରିପାରିଛନ୍ତି ସ୍ୱତନ୍ତ୍ର ପରିଚୟ। ଏହି ବର୍ଷିଆନ୍‌ ଯଲିଉଡ୍‌ ବ୍ୟକ୍ତିତ୍ୱଙ୍କୁ ଭେଟି ତାଙ୍କ ଦୀର୍ଘ ଅଭିଜ୍ଞତାରୁ କିଛି ସାଉଁଟିବାକୁ  ଚେଷ୍ଟା କରିଥିଲେ ଓଡ଼ିଶା ରିପୋର୍ଟର୍‌ (ଓଆର୍‌) ପ୍ରତିନିଧି ମନୋରଞ୍ଜନ ଶିଅଳ

ପ୍ରଶ୍ନ: ସରକାରୀ ଚାକିରି କରୁଥିଲେ, ନାଟକ ପ୍ରତି କେମିତି ଆକୃଷ୍ଟ ହେଲେ?

ଉତ୍ତର: କଳା ପ୍ରତି ମୋର ଦୁର୍ବଳତା ପିଲାବେଳୁ ଥିଲା। ଗାଁରେ ହେଉଥିବା ଡ୍ରାମାର ବିଭିନ୍ନ ଚରିତ୍ରରେ ମୁଁ ଅଭିନୟ କରୁଥିଲି। ସ୍କୁଲ୍ ପଢ଼ା ସରିବା ପରେ ଓଡ଼ିଶା ସଂଗୀତ ନାଟକ ଏକାଡେମୀରେ ପଢ଼ିବାର ସୁଯୋଗ ପାଇଥିଲି। ମାତ୍ର ବାପା ମନା କଲେ। ତା’ପରେ ରାଜ୍ୟ ସଚିବାଳୟରେ ଚାକିରି ପାଇଲି। ଆଉ ପିଲାବେଳର ସ୍ୱପ୍ନ ଏହି ଭୁବନେଶ୍ୱରରେ ହିଁ ସାକାର କରିବାର ସୁଯୋଗ ମିଳିଲା। ସଚିବାଳୟର ବିଭିନ୍ନ ବିଭାଗ ପକ୍ଷରୁ ଆୟୋଜିତ ନାଟକରେ ଅଭିନୟ ସହ ନିର୍ଦ୍ଦେଶନା ମଧ୍ୟ ଦେଲି। ଏପରିକି ଅଲ୍‌ ଇଣ୍ଡିଆ ସିଭିଲ୍‌ ସର୍ଭିସେସ୍‌ ଡ୍ରାମା ଫେଷ୍ଟିଭାଲ୍‌ରେ ମୁଁ ୨ଥର ବେଷ୍ଟ ଆର୍ଟିଷ୍ଟ୍‌ ସହ ନିର୍ଦ୍ଦେଶନା ପାଇଁ ମଧ୍ୟ ପୁରସ୍କୃତ ହୋଇଛି। ଚାକିରି ସହ ବିଜେବି ନାଇଟ୍‌ କଲେଜରେ ପଢ଼ୁଥିବାବେଳେ ଡ୍ରାମା ନିର୍ଦ୍ଦେଶନା ଓ ଅଭିନୟ କରି ପୁରସ୍କୃତ ମଧ୍ୟ ହୋଇଛି। ଏହା ପରଠାରୁ ମୋର ରାସ୍ତା ବଦଳି ଗଲା।

ପ୍ରଶ୍ନ: ମଞ୍ଚରେ ନିର୍ଦ୍ଦେଶନା ଦେବାରେ ସୁଯୋଗ କେମିତି ପାଇଲେ?

ଉତ୍ତର: ଜୀବନ କାଳ ଭିତରେ ବହୁ ନାଟକର ନିର୍ଦ୍ଦେଶନା ଦେବା ସହିତ ଅଭିନୟ କରିଛି। ମୋର ବହୁ ନାଟକ ରବୀନ୍ଦ୍ର ମଣ୍ଡପରେ ପରିବେଷିତ ହୋଇଛି। ସେତେବେଳର ପ୍ରତିଷ୍ଠିତ କଳାକାର ରମେଶ ମହାନ୍ତି, ଅକ୍ଷୟ ମହାନ୍ତି, ସଚ୍ଚି ଦାସ ଓ ଶ୍ରୀନିବାସ ମହାନ୍ତି ପ୍ରମୁଖ ମୋ ନିର୍ଦ୍ଦେଶନାରେ ଅଭିନୟ କରିଛନ୍ତି। ମୋ ନିର୍ଦ୍ଦେଶିତ ନାଟକ ଦେଖି ସେତେବେଳର ଯାତ୍ରା ପାର୍ଟି ମାଲିକମାନେ ଯାତ୍ରା ନାଟକ ନିର୍ଦ୍ଦେଶନା ଦେବାକୁ ପ୍ରସ୍ତାବ ଦେଇଥିଲେ।

ପ୍ରଶ୍ନ:ଆପଣଙ୍କ ନିର୍ଦ୍ଦେଶିତ ପ୍ରଥମ ଯାତ୍ରା ନାଟକ କ’ଣ?

ଉତ୍ତର: ୧୯୮୩ ମସିହାରେ ମୁଁ ଯାତ୍ରା ଜଗତରେ ପ୍ରବେଶ କରିଥିଲି। ‘ତୁଳସୀ ଗଣନାଟ୍ୟ’ର ‘ଦେବୀ ସୁଲତାନା’ ନାଟକ ଓଡ଼ିଶା ଯାତ୍ରା ଦୁନିଆରେ ମୋ ନିର୍ଦ୍ଦେଶିତ ପ୍ରଥମ ନାଟକ। ଏହି ନାଟକ ସେହି ସମୟରେ ଚହଳ ସୃଷ୍ଟି କରିଥିଲା ଏବଂ ଯଲିଉଡ୍‌ରେ ମୋତେ ସ୍ୱତନ୍ତ୍ର ପରିଚୟ ମଧ୍ୟ ଦେଇଥିଲା। ସେହିଭଳି ‘ସୁର ସାରଙ୍କ ସାନ ଝିଅ’, ‘ବଡ଼ଦାଣ୍ଡ ପୁରୀ’, ‘ପୁରୀରୁ ପଟ୍ଟାମୁଣ୍ଡାଇ’, ‘ଦେଢ଼ ଦିନର ସ୍ୱାମୀ’, ‘ବାସନ୍ତୀ କଲୋନୀ ରାଉରକେଲା’ ପ୍ରମୁଖ ନାଟକ ମୋର ନିର୍ଦ୍ଦେଶିତ ଚର୍ଚ୍ଚିତ ନାଟକ ମଧ୍ୟରେ ପ୍ରମୁଖ। ଚଳିତ ବର୍ଷ ‘ତୁଳସୀ ଗଣନାଟ୍ୟ’ ପାଇଁ ‘ହସୁଛି କେବଳ କାନ୍ଦିବା ପାଇଁ’ ଓ କୋଣାର୍କ ଗଣନାଟ୍ୟର ‘ସୈତାନ’ ନାଟକର ନିର୍ଦ୍ଦେଶନା ଦେଇଛି। ସଫଳତା ନିଶ୍ଚିତ ମିଳିବ ବୋଲି ଭାବୁଛି। ବର୍ତ୍ତମାନ ସୁଦ୍ଧା ୨୦୦ରୁ ଅଧିକ ନାଟକ ନିର୍ଦ୍ଦେଶନା ଦେଇଛି।

ପତ୍ନୀଙ୍କ ସହ ସୀତାକାନ୍ତ ସାର୍‌

ପ୍ରଶ୍ନ: ନାଟକ ନିର୍ଦ୍ଦେଶନା ପାଇଁ ପ୍ରସ୍ତୁତି କେମିତି କରନ୍ତି ?

ଉତ୍ତର: ଡିସେମ୍ୱର ଶେଷ ଭାଗରେ ନାଟକ ପ୍ରସ୍ତୁତି ଆରମ୍ଭ ହୁଏ।ବିଳମ୍ୱିତ ରାତି ପର୍ଯ୍ୟନ୍ତ ନାଟ୍ୟକାରଙ୍କ ସହିତ ଫୋନ୍‌ରେ ବିଭିନ୍ନ ଷ୍ଟୋରୀ ଉପରେ ଦୀର୍ଘ ସମୟ ଆଲୋଚନା ହୁଏ। ବହୁ ଆଲୋଚନା ଓ ତର୍ଜମା ପରେ କିଛି ନିଷ୍କର୍ସ ବାହାରେ । ତା’ପରେ ନାଟ୍ୟକାରଙ୍କୁ ଭୁବନେଶ୍ୱର ଡକାଯାଏ। ଏଠାରେ ୫ରୁ ୬ ଦିନର ରହଣୀ ଭିତରେ ୨ ପୃଷ୍ଠାର ଷ୍ଟୋରୀ ତିଆରି ହୁଏ। ତା’ପରେ ସେହି ଷ୍ଟୋରୀର ଅନ୍ୟାନ୍ୟ ଦିଗ ଉପରେ ତର୍ଜମା କରାଯାଏ। ଦର୍ଶକଙ୍କ ମନ ଭିତରକୁ ପଶିବାକୁ ପଡ଼ିଥାଏ। ଦର୍ଶକ କ’ଣ ଚାହାନ୍ତି, ତାହା ମଧ୍ୟ ପରିଖିବାକୁ ପଡ଼େ।  ଶେଷରେ ସେହି ୨ ପୃଷ୍ଠାର ଷ୍ଟୋରୀକୁ ୨୦ ପୃଷ୍ଠା କରାଯାଇଥାଏ। ଏଥିରେ ପ୍ରଥମ ଦୃଶ୍ୟ କ’ଣ ରହିବ, କେମିତି ସଂଳାପ ଏକ୍ସପ୍ରେସ୍‌ କରାଯିବ, ସେସବୁ ଟିକିନିଖି ତର୍ଜମା କରିବାକୁ ପଡ଼ିଥାଏ। କେବଳ କ୍ଲାଇମାକ୍ସକୁ ଛାଡ଼ି ଦିଆଯାଏ। ଫାଇନାଲ୍‌ ରିହର୍ସଲ୍‌ ବେଳେ ହିଁ କ୍ଲାଇମାକ୍ସ ବାହାରିଥାଏ।

ପ୍ରଶ୍ନ: ନାଟକର ବିଭିନ୍ନ ଚରିତ୍ରଙ୍କ ନାଁ କେମିତି ଚୟନ କରନ୍ତି?

ଉତ୍ତର: ନିକଟ ଅତୀତରେ ସମାଜର ଚର୍ଚ୍ଚିତ ବ୍ୟକ୍ତି ଓ ତାଙ୍କ ନାଁକୁ ଆଖିରେ ରଖି ନାଟକର ଚରିତ୍ର ସ୍ଥିର କରାଯାଇଥାଏ। ବେଳେ ବେଳେ ନିଜ ଚରିତ୍ରକୁ ଖାପ୍‌ ଖୁଆଇଲା ଭଳି କିଛି ନାଁ ଚୟନ କରାଯାଇଥାଏ। ଯେମିତି ଅନ୍ଧ ଚରିତ୍ରରେ ଅଭିନୟ କରୁଥିବା ବ୍ୟକ୍ତିଙ୍କ ନାଁ ‘ପଦ୍ମଲୋଚନ’।

ପ୍ରଶ୍ନ: କ୍ୟାରିଅର୍‌ ଆରମ୍ଭ ବେଳେ ନାଟକ ଓ ବର୍ତ୍ତମାନର ନାଟକ ମଧ୍ୟରେ କ’ଣ ବ୍ୟତିକ୍ରମ ରହିଛି?

ଉତ୍ତର: ‘ହେଲ୍‌ ଆଣ୍ଡ୍‌ ହେଭେନ୍‌’ ଫରକ ରହିଛି। ଆଗରୁ ନାଟକରେ ଭାବପ୍ରବଣତା, ପାରିବାରିକ ସୁଖ, ଦୁଃଖ, ପ୍ରେମ, ସ୍ନେହ ଓ ଶ୍ରଦ୍ଧାର କାହାଣୀ ପ୍ରତିଫଳିତ ହେଉଥିଲା। ସ୍ୱାର୍ଥଲୋଭୀ ଭିଲିଆନ୍‌ଗିରି ଥିଲା। ଯାହାକୁ ଦର୍ଶକ ରାତିସାରା ଭରପୂର ଉପଭୋଗ କରୁଥିଲେ। କରତାଳିରେ ମଞ୍ଚ ଉଠୁଥିଲା ଓ ପଡ଼ୁଥିଲା। ମଞ୍ଚ ଛାଡ଼ି ଦର୍ଶକ ଯାଉ ନଥିଲେ। ସମୟ ବଦଳିଲା। ସମୟ ସହ ତାଳ ଦେଇ ନାଟକର ଧାରା ମଧ୍ୟ ବଦଳିଛି। ରେପ୍‌ ଓ ମର୍ଡର୍‌ ପରି ଭୟଙ୍କର କ୍ରାଇମ୍‌କୁ ନେଇ ଏବର ନାଟକ ଗତିଶୀଳ ହେଉଛି। ଯେଉଁଥିରେ ପାରିବାରିକ ଭାବପ୍ରବଣତା ନାହିଁ। ନାଟକ ମଝିରୁ ଦର୍ଶକ ମଧ୍ୟ ପଳାଇ ଯାଉଛନ୍ତି। କହିବାକୁ ଗଲେ, ଏବେ ଯାତ୍ରା ନାଟକର ମାନ ବା ନୈତିକ ମୂଲ୍ୟବୋଧ କମିଛି।

ପ୍ରଶ୍ନ: କେଉଁ ନାଟ୍ୟକାରଙ୍କ ସହିତ ଆପଣଙ୍କ ଯୋଡ଼ି ଖୁବ୍‌ ଜମେ?

ଉତ୍ତର: ନାଟ୍ୟକାର ଇଂ କିଶୋର ମହାପାତ୍ର, ପ୍ରଫେସର୍‌ ରମେଶ ପାଣିଗ୍ରାହୀ, ଅଧ୍ୟାପକ ଗୋଲକ ମହାରଣା ଓ ଅନନ୍ତ ଓଝାଙ୍କର ନାଟକ ମୁଁ ନିର୍ଦ୍ଦେଶନା ଦେଇଛି। ମୋର ଚିନ୍ତାଧାରାକୁ ସେମାନେ ଠିକ୍‌ ଭାବେ କଲମରେ ପ୍ରତିଫଳନ କରିଥା’ନ୍ତି। ତଥାପି ସେଥିରେ ସାମାନ୍ୟ କିଛି ପରିବର୍ତ୍ତନ କରି ମୁଁ ଏହାକୁ ନାଟ୍ୟ ରୂପ ଦେଇଥାଏ।

ପ୍ରଶ୍ନ: ଦର୍ଶକଙ୍କ ମନ ଜିଣିଲା ଭଲି ନାଟକ କେମିତି ଚୟନ କରନ୍ତି?

ଉତ୍ତର: ଦର୍ଶକଙ୍କ ମନ ଜିଣିଲା ଭଳି ନାଟକ ପାଇଁ ବହୁ ପରିଶ୍ରମ କରିବାକୁ ପଡ଼େ। ପ୍ରତ୍ୟେକ ଦିନ ଖବରକାଗଜ ଓ ବହି ପଢ଼ିବାକୁ ପଡ଼େ। ବେଳେ ବେଳେ ଲୋକଙ୍କ ଚରିତ୍ରକୁ ମଧ୍ୟ ଲକ୍ଷ୍ୟ କରିବାକୁ ପଡ଼େ। ଯେମିତି ‘ନୂଆ ବୋହୂ କଟକ ଯାଇଛି’ ନାଟକ ପାଇଁ ଆମକୁ ବହୁ କସରତ୍‌ କରିବାକୁ ପଡ଼ିଥିଲା। ଏହି ନାଟକର ନାଟ୍ୟକାର ହେଉଛନ୍ତି ଇଂ. କିଶୋର ମହାପାତ୍ର। ନାଟକଟି ‘ପାର୍ବତୀ ଗଣନାଟ୍ୟ’ ପାଇଁ ପ୍ରସ୍ତୁତି କରିବୁ ବୋଲି ସ୍ଥିର ହୋଇଥିଲା। ମାତ୍ର ଷ୍ଟୋରୀ ଲାଇନ୍‌ କିଛି ଠିକ୍‌ ହୋଇ ନଥିଲା। ଦିନେ ଆମେ ରାହାମାରେ ରାସ୍ତାକଡ଼ରେ ଠିଆ ହୋଇ ଚା’ ପିଉଥିଲୁ। ସେତିକିବେଳେ ସେହି ଚା’ ଦୋକାନୀଙ୍କ ଜଣେ ସମ୍ପର୍କୀୟ କଟକ ଯାଉଥିଲେ। ଚା’ ଦୋକାନୀ ଜଣଙ୍କ ତାଙ୍କ ସମ୍ପର୍କୀୟଙ୍କୁ ଡାକି କହିଥିଲେ, ‘ନୂଆ ବୋହୂ କଟକ ଯାଇଛି।’ ଆଉ ସେହି ଡାଏଲ୍‌ଗ ମୁଣ୍ଡରେ ଘୂରି ବୁଲିଥିଲା। ୭ରୁ ୮ ଦିନ ପରେ ପୁଣି ଥରେ ଆମେ ସେହି ଦୋକାନରେ ଚା’ ପିଉଥିଲୁ। ସେଠାରୁ ଆମେ ଶୁଣିବାକୁ ପାଇଲୁ, କଟକ ଯାଇଥିବା ନୂଆ ବୋହୂକୁ ତା’ ପାଳିତ ପୁଅ ଔଷଧ ନଦେଇ ମାରିଦେଇଛି। ଆଉ ସେହି ଷ୍ଟୋରୀ ଶୁଣିବା ପରେ ଆମେ ନାଟକ ଲେଖିଥିଲୁ ‘ନୂଆ ବୋହୂ କଟକ ଯାଇଛି’। ସମାଜ ଯେଉଁ ଢ଼ଙ୍ଗରେ ତା’ର ରୂପ ବଦଳାଉଛି, ସେହି ଅନୁସାରେ ନାଟକ ଲେଖାଯାଉଛି।

ପ୍ରଶ୍ନ: ଓଡ଼ିଶାରେ ଯାତ୍ରା ପାର୍ଟି ଏବେ ଦୁଃସ୍ଥିତି ମଧ୍ୟରେ ଗତି କରୁଛି ବୋଲି ଖୋଦ୍‌ ମାଲିକମାନେ ଅଭିଯୋଗ କରୁଛନ୍ତି, ଏଥିରେ  କେତେ ସତ୍ୟତା ଅଛି ?

ଉତ୍ତର: ଏଥିପାଇଁ ଦାୟୀ ଦର୍ଶକ। ସେମାନେ ସେମାନଙ୍କ ମାନସିକ ଚିନ୍ତାଧାରା ପରିବର୍ତ୍ତନ କରୁନାହାନ୍ତି। ଯାହାଫଳରେ ଭଲ କାହାଣୀର ନାଟକକୁ ସଫଳତା ମିଳୁନାହିଁ। ଦର୍ଶକଙ୍କ ରୁଚି ବଦଳିଲେ, ନାଟକର ମାନ ବଦଳିବ। ଆଜି ଯେଉଁ ଯାତ୍ରା ପାର୍ଟି ମାଲିକ କହୁଛନ୍ତି ସେମାନଙ୍କ ପାର୍ଟି କ୍ଷତିରେ ଚାଲୁଛି, ତାହା ସମ୍ପୂର୍ଣ୍ଣ ମିଛ। ସେମାନେ କେବେ ବି କ୍ଷତିରେ ଚାଲୁ ନାହାନ୍ତି। ହଁ ଏହା ସତ, ଆଗରୁ ଯେଉଁ ରେଟ୍‌ରେ ଅର୍ଥ ଉପାର୍ଜନ କରୁଥିଲେ, ବର୍ତ୍ତମାନ ତା’ର ଅଧା ପାଉଛନ୍ତି।

ପ୍ରଶ୍ନ: ଫିଲ୍ମ ପରି ଯାତ୍ରାରେ ଫୁଲ୍‌ କମେଡ଼ି କଲେ କେମିତି ହେବ?

ଉତ୍ତର: ଯାତ୍ରାରେ ଫୁଲ୍‌ କମେଡ଼ି କଲେ ନାଟକ ସଫଳ ହେବ ନାହିଁ। ଅବଶ୍ୟ ଏପରି ନାଟକ ମୁଁ ଏଯାଏ ନିର୍ଦ୍ଦେଶନା ଦେଇନାହିଁ। କିନ୍ତୁ ଅନ୍ୟମାନେ ନିର୍ଦ୍ଦେଶନା ଦେଇ ବିଫଳ ହୋଇଥିବା ଦେଖିଛି। ତେଣୁ ଫୁଲ୍‌ କମେଡ଼ି ନାଟକ କରି କେହି ରିସ୍କ ନେବାକୁ ଚାହୁଁ ନାହାନ୍ତି।

ପ୍ରଶ୍ନ: ଆପଣଙ୍କୁ ଯାତ୍ରା ଜଗତରେ ପିତାମହ ଭୀଷ୍ମ ବୋଲି କାହିଁକି କୁହାଯାଏ?

ଉତ୍ତର: ମହାଭାରତରେ ଭୀଷ୍ମ ଯେଉଁ ଚରିତ୍ରରେ ଥିଲେ, ମୁଁ ଏବେ ଯଲିଉଡ୍‌ରେ ସେହି ସ୍ଥିତିରେ ରହିଛି। ଯାତ୍ରା ଦୁନିଆର ନିର୍ଦ୍ଦେଶନା କ୍ଷେତ୍ରରେ ମୁଁ ସମସ୍ତଙ୍କଠାରୁ ବୟସ୍କ। ଭୀଷ୍ମ ଜଣେ ବଡ଼ ଯୋଦ୍ଧା ହୋଇଥିବାରୁ ସମସ୍ତେ ତାଙ୍କୁ ଭୟ କରୁଥିଲେ। ଠିକ୍‌ ସେମିତି ଯାତ୍ରା ଜଗତରେ ଦକ୍ଷତା ଓ ଅଭିଜ୍ଞତା କାରଣରୁ ମୋତେ ସମସ୍ତେ ଭୟ କରନ୍ତି। ସେଥିପାଇଁ ମୋତେ ଭୀଷ୍ମ ପିତାମହ ବୋଲି ସମ୍ୱୋଧନ କରନ୍ତି ବୋଲି ମୁଁ ଭାବେ।

ପ୍ରଶ୍ନ: ବୃତ୍ତିଗତ କେତେ ସନ୍ତୁଷ୍ଟି ମିଳୁଛି?

ଉତ୍ତର: ବର୍ତ୍ତମାନ ନାଟକ ନିର୍ଦ୍ଦେଶନାରୁ ଆଉ ଆତ୍ମସନ୍ତୋଷ ମିଳୁନାହିଁ। ଯାହା ଚାହୁଁଛୁ, କଳାକାରଙ୍କ ଠାରୁ ତାହା ପାଉନାହୁଁ। ଏପରିକି କଳାକାରମାନେ ମଧ୍ୟ ଏଥିପାଇଁ ଆବଶ୍ୟକ ପ୍ରୟାସ କରୁନାହାନ୍ତି। ଆମକୁ ପରିଶ୍ରମ ଅନୁସାରେ ପାରିଶ୍ରମିକ ମଧ୍ୟ ମିଳୁନାହିଁ। ଜଣେ କଳାକାରଙ୍କ ପାରିଶ୍ରମିକ ୨ ଲକ୍ଷରୁ ୧୧ ଲକ୍ଷ ହୋଇଯାଇଛି। କିନ୍ତୁ ଆଜି ଯାଏ ଆମ ଭଳି ନିର୍ଦ୍ଦେଶକଙ୍କ ପାରିଶ୍ରମିକ ଲକ୍ଷେ ଟଙ୍କା ଛୁଇଁ ପାରିଲା ନାହିଁ। ଅନ୍ୟପକ୍ଷରେ କଳାକାରଙ୍କ ଆଚରଣ ଓ ଉଚ୍ଚାରଣ ବି ବଦଳି ଗଲାଣି। ଗୁରୁ-ଶିଷ୍ୟ ପରମ୍ପରାକୁ ସେମାନେ ଭୁଲି ଯାଇଛନ୍ତି। ମୋ କ୍ଷେତ୍ରରେ ସେମିତି କିଛି ଘଟିନଥିଲେ ମଧ୍ୟ ସବୁ କିଛି ମୁଁ ଜାଣିପାରୁଛି।