କେମିତି ଅଛନ୍ତି କମେଡ଼ି କିଙ୍ଗ୍ ରସରାଜ ମଣିଭଦ୍ର?

ଜନ୍ମ କଲା ପୁଅ ଦେଲା ଯନ୍ତ୍ରଣା ଆଉ ଲୁହରେ ଭିଜୁଛନ୍ତି ହାସ୍ୟ ସମ୍ରାଟ୍‌। ହସାଇ ହସାଇ ଦର୍ଶକଙ୍କୁ ବେଦମ୍ କରିବା ପରେ ଏବେ ଥକି ପଡ଼ିଛନ୍ତି ମଞ୍ଚ ମାଷ୍ଟର୍‌। ନିଜ ଠାଣୀ, ବାଣୀ ଓ ଭଙ୍ଗୀରେ ତାଳି ଓ ହ୍ୱିସିଲ୍ ମାଡ଼ ଗୋଟାଉଥିବା ରସରାଜ କାଟୁଛନ୍ତି ନିଃସଙ୍ଗ ଜୀବନ। ଚାର୍ଲି ଚାପଲିନ୍ ମାର୍କା ନିଶ ସାଙ୍ଗକୁ ବେପରୱା ଅଙ୍ଗଭଙ୍ଗୀରେ ଶାଣିତ ବ୍ୟଙ୍ଗର ଛିଟା। ସେ ପାଟି ଖୋଲିଲେ ଅଜାଡ଼ି ହୋଇ ପଡ଼େ କରତାଳି, ଉଛୁଳି ପଡ଼େ ମୁକ୍ତାକାଶ ରଙ୍ଗମଞ୍ଚ। କିଏ […]

rasaraja

Manoranjan Sial
  • Published: Thursday, 31 December 2020
  • , Updated: 31 December 2020, 06:17 PM IST

ଜନ୍ମ କଲା ପୁଅ ଦେଲା ଯନ୍ତ୍ରଣା ଆଉ ଲୁହରେ ଭିଜୁଛନ୍ତି ହାସ୍ୟ ସମ୍ରାଟ୍‌। ହସାଇ ହସାଇ ଦର୍ଶକଙ୍କୁ ବେଦମ୍ କରିବା ପରେ ଏବେ ଥକି ପଡ଼ିଛନ୍ତି ମଞ୍ଚ ମାଷ୍ଟର୍‌। ନିଜ ଠାଣୀ, ବାଣୀ ଓ ଭଙ୍ଗୀରେ ତାଳି ଓ ହ୍ୱିସିଲ୍ ମାଡ଼ ଗୋଟାଉଥିବା ରସରାଜ କାଟୁଛନ୍ତି ନିଃସଙ୍ଗ ଜୀବନ।

ଚାର୍ଲି ଚାପଲିନ୍ ମାର୍କା ନିଶ ସାଙ୍ଗକୁ ବେପରୱା ଅଙ୍ଗଭଙ୍ଗୀରେ ଶାଣିତ ବ୍ୟଙ୍ଗର ଛିଟା। ସେ ପାଟି ଖୋଲିଲେ ଅଜାଡ଼ି ହୋଇ ପଡ଼େ କରତାଳି, ଉଛୁଳି ପଡ଼େ ମୁକ୍ତାକାଶ ରଙ୍ଗମଞ୍ଚ। କିଏ କହେଲ ରସିକିଆ କମେଡ଼ି ମାଷ୍ଟର୍ ତ ଆଉ କାହା ପାଇଁ ସେ ହାସ୍ୟ ସମ୍ରାଟ୍। ତାଙ୍କ ଡାଏଲଗ୍ ଡେଲିଭରିରେ ହିଁ ଭରି ରହିଥାଏ ହସି ହସି ଗଡ଼ିଯିବାର ଉପାଦାନ। ନିଜ ଯାଦୁକରୀ କଳା ପ୍ରତିଭାରେ ସଂଖ୍ୟାଧିକ ବହି ହିଟ୍ କରିଥିବା ଏହି ଯାତ୍ରା ସୁପରଷ୍ଟାର୍ ହେଉଛନ୍ତି କ୍ରାଉଡ୍ ପୁଲର୍ ମଣିଭଦ୍ର ବିଶ୍ୱାଳ।

ତେଲ ଲୁଣ ସଂସାରର ଯାବତୀୟ ଝଡ଼ ଓ ଯନ୍ତ୍ରଣାକୁ ଛାତି ତଳେ ଚାପି ଦେଇ ଅନ୍ୟକୁ ଖିଲ୍ ଖିଲ୍ ହସାଉଥିବା ମଣିଭଦ୍ର ପିଲାବେଳେ ଥିଲେ ମେଧାବୀ ଛାତ୍ର। ପାଠପଢ଼ା ସହ ଅଭିନୟ ପ୍ରତି ଛୋଟ ବେଳୁ ଥିଲା ଅସମ୍ଭବ ଦୁର୍ବଳତା। ମ୍ୟାଟ୍ରିକ ପାଶ୍ କରିବା ପରେ ଶିକ୍ଷକତା ଜୀବନ ଆରମ୍ଭ କରିଥିଲେ। କିନ୍ତୁ ଅଭିନୟ ଯେମିତି ତାଙ୍କ ପିଛା ଛାଡ଼ିବାକୁ ପ୍ରସ୍ତୁତ ନଥିଲା। ବେଶୀ ଦିନ ମଞ୍ଚଠାରୁ ଦୂରେଇ ରହିପାରିଲେ ନାହିଁ ମଣିଭଦ୍ର। ପରିବାର ଲୋକଙ୍କ ସହମତିରେ ଶିକ୍ଷକତା ଛାଡ଼ି ମଞ୍ଚକୁ ଫେରିଲେ ମୁହଁରେ ରଙ୍ଗ ବୋଳି ଖାସ୍ ଅନ୍ୟକୁ ମଉଜ ବାଣ୍ଟିବା ଲକ୍ଷ୍ୟରେ।

ଜଗନ୍ନାଥ ଅପେରାର ନାଟକ ଅଶ୍ରକଣିକାରୁ ଯାତ୍ରା ଜଗତରେ ବିଧିବଦ୍ଧ ପ୍ରବେଶ କରିଥିଲେ ହାସ୍ୟ ଅଭିନେତା ମଣିଭଦ୍ର ବିଶ୍ୱାଳ। ପରେ ସଂଖ୍ୟାତୀତ ପୌରାଣିକ ଓ ଐତିହାସିକ ନାଟକରେ ତାଙ୍କ କଳା ଚାତୁରୀ ଦେଖାଇ ପାଲଟି ଯାଇଥିଲେ ଦର୍ଶକୀୟ ମନୋରଞ୍ଜନର ମଉଡ଼ମଣି। ମଣିଭଦ୍ରଙ୍କ ପ୍ରତିଭା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗୀୟ ଡକ୍ଟର ହରେକୃଷ୍ଣ ମହତାବଙ୍କୁ ଖୁବ୍ ପ୍ରଭାବିତ କରିଥିଲା। ମହତାବ ହି ତାଙ୍କୁ ଦେଇଥିଲେ ‘ରସରାଜ’ ଉପାଧି। ପାଞ୍ଚଶହରୁ ଅଧିକ ନାଟକରେ ଅଭିନୟ କରିଥିବା ମଣିଭଦ୍ରଙ୍କ ପାଇଁ ମାଇଲ୍ ଷ୍ଟୋନ୍ ସାଜିଥିଲା ଶିବାନୀ ଗଣନାଟ୍ୟର ମୋ ପେଁ କାଳି ବଜାଇ ଦେ। ଏହି ନାଟକଟି ସେତେବେଳେ ଦୂରଦର୍ଶନରେ ପ୍ରସାରିତ ହେବା ପରେ ସେ ଓଡ଼ିଶାର ଘରେ ଘରେ ପରିଚିତ ହୋଇଗଲେ।

ଅଭିନୟ କ୍ୟାରିଅର ତମାମ୍ କେବଳ ପ୍ରଶଂସା ଆଉ ପ୍ରଶଂସା ପାଇଥିବା ମଣିଭଦ୍ର ଜୟଦୁର୍ଗା କଳାକୁଞ୍ଜ, ଶ୍ରୀ ମା ଅପେରା, ସାତଶଙ୍ଖ, ସାରୁଅ ଅପେରା, ଓଡ଼ିଶା ଅପେରା, ବିଶ୍ୱଜନନୀ, ଶ୍ରୀକୃଷ୍ଣ, ଗୌରୀ, ଶିବାନୀ, ତୁଳସୀ, ମହିମା ଅପେରା, ଯାତ୍ରା ସଚ୍ଚିଦାନନ୍ଦମ୍, ଇଷ୍ଟର୍ଣ୍ଣ ରେଡ୍‌, ବାଘାଯତୀନ ଗଣନାଟ୍ୟରେ ନିଜ ଷ୍ଟାର୍ ଡମ୍ ଦେଖାଇ ସାରିବା ପରେ ବିଶ୍ୱଦରବାରରୁ ଅବସର ନେଇଛନ୍ତି। ନିଜ କାନ୍ଧରେ ବୋହି ବହିକୁ ହିଟ୍ କରିଥିବା ମଣିଭଦ୍ରଙ୍କ ବହୁଚର୍ଚ୍ଚିତ ନାଟକ ମଧ୍ୟରେ ରହିଛି ମୋ ପେଁକାଳି ବଜାଇ ଦେ, ଦେଇଦେବି ତୋତେ ବୁଢ଼ା ବରକୁ, ବଉଳଲୋ ମୋ ବର ଆସୁଛି ଓ ରାମଦାସ ହାଜିର ହୋ ଭଳି ଅନେକ ଲୋକପ୍ରିୟ ଯାତ୍ରା।

ନିଜର ଯାଦୁକାରୀ ଡାଏଲଗ ଓ ଅଙ୍ଗଭଙ୍ଗୀରେ ଦର୍ଶକଙ୍କୁ ହସାଇ ହସାଇ ଗଡ଼ୁଥିବା ଏହି ନିର୍ବିବାଦୀୟ ହାସ୍ୟ ଅଭିନେତାଙ୍କ ଅବସର ପରର ଜୀବନ କିନ୍ତୁ ଖୁବ୍ ଯନ୍ତ୍ରଣାସିକ୍ତ। ପାବାରିକ ମନୋମାଳିନ୍ୟ, ହତାଦର ଓ ଉପେକ୍ଷାର ଖାଣ୍ଡବ ବନରେ ଏବେ ଦିନ କାଟୁଛନ୍ତି ଏହି ମଞ୍ଚ ମଉଡ଼ମଣି। ବଡ଼ ପୁଅ ସବ ମନାନ୍ତର ଓ ମତାନ୍ତର ଥାନାକୁ ଯିବା ପରେ ଖୁବ୍ ଭାଙ୍ଗି ପଡ଼ିଥିବା ମଣିଭଦ୍ର ଏବେ ସାନ ପୁଅ ପାଖରେ ରହୁଛନ୍ତି। ଆଶା କରିବା ଦିନେ ସଭିଙ୍କ ଓଠରେ ହସ ଭରୁଥିବା ଏହି ଯାତ୍ରା ସୁପରଷ୍ଟାରଙ୍କ ଆଖିରୁ ଲୁହ ଗଡ଼ିବାରେ ଲଗାମ ଲାଗିବ।

Related story