Advertisment

ଆଜି ମହାବିଷୁବ ସଂକ୍ରାନ୍ତି; ଓଡ଼ିଆ ଘରେ ଜମିବ ପଣାର ଆସର

ପଣା ସଂକ୍ରାନ୍ତିରେ ଘରେ ଜମିବ ବିଭିନ୍ନ ପ୍ରକାର ପଣାର ଆସର।

ଅଦ୍ୟତନ ହୋଇଛି
Pana Sankranti

Pana Sankranti

Advertisment

ପବିତ୍ର ପଣା ସଂକ୍ରାନ୍ତି, ଏହା ସାଧାରଣତଃ ଏପ୍ରିଲ ମାସ ୧୪ ତାରିଖରେ ପଡ଼ିଥାଏ। ଓଡ଼ିଆ ପରମ୍ପରା ଅନୁଯାୟୀ ଏହି ଦିନଠାରୁ ନୂତନ ବର୍ଷ ଆରମ୍ଭ ହୋଇଥାଏ। ଏହାଛଡ଼ା ଏହି ଦିନକୁ ହନୁମାନ ଜୟନ୍ତୀ, ମହାବିଷୁବ ସଂକ୍ରାନ୍ତି ଭାବେ ମଧ୍ୟ ପାଳନ କରାଯାଇଥାଏ।

Advertisment

ବର୍ଷାରମ୍ଭ ହେଉଥିବାରୁ ଓଡ଼ିଆ ପରିବାରରେ ଦେବଦେବୀଙ୍କଠାରେ ସ୍ୱତନ୍ତ୍ର ପୂଜା, ଭୋଗ, ହୋମ ଆଦି କରାଯାଇଥାଏ। ହିନ୍ଦୁ ପରିବାରରେ ଚଉଁରାରେ ପୂଜା ପାଉଥିବା ତୁଳସୀ ବୃକ୍ଷ ଉପରେ ଛାମୁଡ଼ିଆ କରି ଘଡ଼ିରେ ଜଳ ରଖି ତାର ନିମ୍ନ ଅଂଶରେ ସରୁ କଣାକରି ସୂକ୍ଷ୍ମ ଧାରରେ ଜଳଦାନ କରାଯାଇଥାଏ।

ପୁରାଣ ଅନୁଯାୟୀ, ପଣା ସଂକ୍ରାନ୍ତିଠାରୁ ଜଳବାୟୁରେ ପରିବର୍ତ୍ତନ ହୋଇଥାଏ। ସୂର୍ଯ୍ୟ ମଧ୍ୟ ଭାଗକୁ ଚାଲି ଆସିଥାନ୍ତି। ଏହି ଦିନ ସୂର୍ଯ୍ୟ ବିଷୁବରେଖାରେ ଅବସ୍ଥାନ କରିଥାନ୍ତି। ଏହି ସମୟରେ ସୂର୍ଯ୍ୟ କିରଣ ବୃଦ୍ଧି ପାଇବା ସହ ହଜମ ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ। ଦେହର ଅତ୍ୟଧିକ ତାପ ଶକ୍ତି ସମ ଅବସ୍ଥାକୁ ଆଣିବା ପାଇଁ ପଣାପାନର ବ୍ୟବସ୍ଥା ମଧ୍ୟ ଅଛି । ଏହାସହ ମହାବିଷୁବ ସଂକ୍ରାନ୍ତି ଦିନରେ ବିଭିନ୍ନ ଦେବଦେବୀ ମନ୍ଦିରମାନଙ୍କରେ ପଣା ଭୋଗ ଲାଗି କରାଯାଇଥାଏ। ବେଲ ପଣାଠାରୁ ଆରମ୍ଭ କରି ବିଭିନ୍ନ ପଣା ଠାକୁରଙ୍କ ପାଖରେ ଲାଗି ହେବା ସହ ଘରେ ପଣା ମଧ୍ୟ ହୋଇଥାଏ। ଆସନ୍ତୁ ଜାଣିବା ବିଭିନ୍ନ ପଣା ବିଷୟରେ ।

Advertisment

ଓଡ଼ିଶାରେ ପ୍ରଚଳିତ ପଣା -
ଲେମ୍ବୁ ମିଶ୍ରି ପଣା: ପାଣିରେ ମିଶ୍ରି ମିଶାଇ, ସେଥିରେ ଲେମ୍ବୁରସ ମିଶାଇ ଏହାକୁ ପ୍ରସ୍ତୁତ କରିପାରିବେ।

ବେଲପଣା: ଏହାକୁ ପ୍ରସ୍ତୁତ କରିବା ଲାଗି ପାଚିଲା ବେଲର ଶସ ବାହାର କରି ଭଲଭାବେ ଚକଟାଯାଏ। ପରେ ତାକୁ ଛାଣି କଦଳୀ, ଅଙ୍ଗୁର, ନଡ଼ିଆ କୋରା, ଛତୁଆ ଗୁଣ୍ଡ, ଛେନା, ରସଗୋଲା, ଦହି , ଗୁଡ଼ କିମ୍ବା ଚିନା ପକାଇ ପଣା କରାଯାଇଥାଏ ।

 ଦହି ପଣା: ଦହି ପଣାରେ ଗୁଡ଼, ନଡ଼ିଆ କୋରା, କଦଳୀ ଚକଟି, ସେଥିରେ ଗୋଲମରିଚ ଗୁଣ୍ଡ ପକାଇ ଏହି ପଣା ପ୍ରସ୍ତୁତ କରାଯାଇଥାଏ।
ଗୁଡ଼ପଣା: ପାଣିରେ ଗୁଡ଼ ସହ ଆମ୍ବଖଣ୍ଡ, ଛେଚାଅଦା ଓ ଗୋଲମରିଚ ଗୁଣ୍ଡ ପକାଇ ଗୁଡ଼ପଣା ପ୍ରସ୍ତୁତ କରାଯାଏ। ଏହାକୁ ପିଇଲେ ଶରୀରରେ ଶୀତଳତା ଆସେ, ଶୁଷ୍କତା ଓ ଦୁର୍ବଳତା ଦୂର ହୁଏ।

ଛେନା ପଣା: ଏହି ପଣା ମହାପ୍ରଭୁ ଜଗନ୍ନାଥଙ୍କର ବେଶ୍‌ ପ୍ରିୟ। ଖାସ୍‌କରି ପଣାସଂକ୍ରାନ୍ତିରେ ଛେନାପଣା ପ୍ରସ୍ତୁତ ହୁଏ ଓ ମହାପ୍ରଭୁଙ୍କୁ ଲାଗି କରାଯାଏ। ଛେନାକୁ କଦଳୀ, କ୍ଷୀର ଓ ନଡ଼ିଆ କୋରା ସହ ଭଲରେ ଚକଟା ଯାଏ। ସେଥିରେ ସ୍ୱାଦ ଅନୁସାରେ ଅଳେଇଚ ଗୁଣ୍ଡ, ଗୋଲମରିଚ ଗୁଣ୍ଡ ଓ ଛେଚାଅଦା ଆଦି ପକାଯା‌ଇ ପ୍ରସ୍ତୁତ କରାଯାଇଥାଏ।

ଝର ପଣା: ପଶ୍ଚିମ ଓଡ଼ିଶାରେ ଏହି ପଣା ଲୋକପ୍ରିୟ। ‘ଝରପଣା’ ଔଷଧୀୟ ତତ୍ତ୍ୱରେ ଭରପୂର। ସାଧାରଣତଃ ପାଳୁଅରେ ମିଶ୍ରି ଓ ପାନମହୁରି ପକାଇ ଏହା ପ୍ରସ୍ତୁତ ହୁଏ। ଏକ ପାତ୍ରରେ ପାଣି ରଖି ପାଳୁଅକୁ ୨୦ ମିନିଟ୍ ପକାଇ ରଖିବାକୁ ହୁଏ। ଏହାପରେ ପାଣି ନିଗାଡ଼ି ଅଧଗ୍ଲାସ୍‌ ପାଣିରେ ସେହି ପାଳୁଅକୁ ଧିମା ଆଞ୍ଚରେ ସିଝାଯାଏ। ଏହା ସିଝିବା ପରେ ବହଳିଆ ମଣ୍ଡରେ ପରିଣତ ହୋଇଯାଏ। ସେହି ମଣ୍ଡ ସହ ଦହି, ଚିନି, ଲୁଣ, ଗୋଲମରିଚ ଗୁଜୁରାତି ଆଦି ଗୁଣ୍ଡ ପକାଇ ପଣା ପ୍ରସ୍ତୁତ କରାଯାଏ। ଏହାକୁ ଥଣ୍ଡା କରି ପିଆଯାଇଥାଏ।

ଆମ୍ବପଣା: ଆମ୍ବରୁ ରସ ବାହାର କରି ପାଣିରେ ମିଶାଯାଏ। ସେଥିରେ ଚିନି ଅବା ମିଶ୍ରି ମିଶାଇ ଏହା ପ୍ରସ୍ତୁତ କରାଯାଏ।

Pana Sankranti
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe