Advertisment

ମହାବାତ୍ୟାର ଯନ୍ତ୍ରଣା ଭୁଲିପାରି ନାହାନ୍ତି ରାଜାରାମ ଓ ମାଳତୀ

ସକାଳ ପ୍ରାୟ ୬ରୁ ସାଢ଼େ ୬ଟା ହେବ। ହଠାତ୍‌ ତାଳଗଛ ଉଚ୍ଚରେ ମାଡ଼ି ଆସିଥିଲା ସମୁଦ୍ର ପାଣି। ଚାହୁଁଚାହୁଁ ଷଣ୍ଢକୁଦ ବସ୍ତିକୁ ଭସାଇ ନେଲା।

Rajaram Pal

Rajaram Pal

Advertisment

୧୯୯୯ ମହାବାତ୍ୟାର ତାଣ୍ଡବ ରୂପ କେବେ ଭୁଲି ହେବନି। ତାକୁ କେବେ ବର୍ଣ୍ଣନା କରିହେବ ନାହିଁ। ଏବେ ମଧ୍ୟ ମାନସପଟରେ ଲୁଚକାଳି ଖେଳୁଛି ସେହି କରୁଣ ଚିତ୍ର। ଏକାକୀ ବସିଲେ ସେମାନଙ୍କର ମନେ ପଡ଼ିଯାଉଛି ଗୋଟି ଗୋଟି କଥା। କାରଣ ନିଜ ଆଖି ଆଗରେ ପୂରା ପରିବାରକୁ ହରାଇଥିଲେ ରାଜାରାମ ଓ ମାଳତୀ। ୭ ପ୍ରାଣୀ କୁଟୁମ୍ୱକୁ ମାଳତୀ ହରାଇଥିବା ବେଳେ ପରିବାରର ୮ ଜଣଙ୍କୁ ହରାଇଥିଲେ ରାଜାରାମ ପାଲ୍‌।

Advertisment

ପାରାଦୀପ ସି’ ବିଚ୍‌ଠାରୁ ୪୦୦ ମିଟର ଦୂରରେ ରହିଛି ଷଣ୍ଢକୁଦ ବସ୍ତି। ୧୯୯୯ ମସିହାରେ ଏହି ବସ୍ତିର ଲୋକ ସଂଖ୍ୟା ପ୍ରାୟ ୧୦ରୁ ୧୫ ହଜାର ଥିଲା। ଜୀବିକା ପାଇଁ ସମସ୍ତେ ପ୍ରାୟତଃ ସମୁଦ୍ର ଉପରେ ନିର୍ଭର କରୁଥିଲେ। ମାଛ ମାରି ପରିବାର ଭରଣ ପୋଷଣ କରୁଥିଲେ। ଏହି ବସ୍ତିର ବାସିନ୍ଦା ଥିଲେ ରାଜାରାମ ପାଲ୍‌ ଓ ମାଳତୀ। ଉଭୟ ନିଜ ନିଜ ପରିବାରକୁ ନେଇ ବେଶ୍‌ ହସଖୁସିରେ ରହୁଥିଲେ।

୧୯୯୯ ମସିହା ଅକ୍ଟୋବର ୨୮ ତାରିଖ ରାତି ସାରା ପ୍ରବଳ ବର୍ଷା ହୋଇଥିଲା। ୨୯ ତାରିଖ ସକାଳେ ପୂରା ବସ୍ତି ପ୍ରାୟତଃ ଶୋଇଥିଲା। କେହି କେହି ସକାଳୁ ଉଠି ଦୂରରୁ ସମୁଦ୍ରର ଉଗ୍ରରୂପ ଦେଖୁଥିଲେ। ବର୍ଷା ବଢ଼ିବାରୁ ଜୀବନ ପ୍ରତି ବିପଦ ବଢ଼ିଥିଲା। ତେଣୁ ତଳିଆ ଅଞ୍ଚଳରେ ରହୁଥିବା ଲୋକମାନେ ଘର ଛାଡ଼ି ଉଚ୍ଚ ସ୍ଥାନରକୁ ଯିବା ପାଇଁ ବାହାରୁଥିଲେ। ରାଜାରାମ ପାଲ୍‌ ମଧ୍ୟ ପୂରା ପରିବାର ଧରି ଘର ଛାଡ଼ୁଥିଲେ।

Advertisment

ସକାଳ ପ୍ରାୟ ୬ରୁ ସାଢ଼େ ୬ଟା ହେବ। ହଠାତ୍‌ ତାଳଗଛ ଉଚ୍ଚରେ ମାଡ଼ି ଆସିଥିଲା ସମୁଦ୍ର ପାଣି। ଚାହୁଁଚାହୁଁ ଷଣ୍ଢକୁଦ ବସ୍ତିକୁ ଭସାଇ ନେଲା। ରାଜାରାମ ପାଲଙ୍କ ଆଖି ଆଗରେ ଭାସିଗଲେ ତାଙ୍କ ବାପା, ମାଆ, ସ୍ତ୍ରୀ, ସାନ ପୁଅ, ଝିଅ, ସାନ ଭାଇ ଓ ଭାଇ ବୋହୂ। ୯ ବର୍ଷର ବଡ଼ ପୁଅ ତାଙ୍କ କାନ୍ଧରେ ଥିବାରୁ ତା’ ଜୀବନ ବଞ୍ଚିଗଲା। ପୁଅକୁ ଉଚ୍ଚ ସ୍ଥାନରେ ଛାଡ଼ି ପରିବାରକୁ ଖୋଜିବାକୁ ଆସିଥିଲେ ରାଜାରାମ। ହେଲେ କାହାରି ଚିହ୍ନବର୍ଣ୍ଣ ପାଇଲେନି। ସେତେବେଳକୁ ସମୁଦ୍ରର ଆଁ ଭିତରେ ପଶି ଯାଇଥିଲା ପୂରା ପରିବାର।

ମାଳତୀଙ୍କର ମଧ୍ୟ ଥିଲା ସମାନ ଅବସ୍ଥା। ବାତ୍ୟା ଆସୁଛି ଜାଣି ପୂରା ପରିବାର ଘର ଛାଡ଼ି ପଳାଇ ଯାଉଥିଲେ। ସେହି ସମୟରେ ମାଡ଼ିସିଥିଲା ସମୁଦ୍ର ପାଣି। ଆଉ ସେହିଥିରେ ହାତ ଧରାଧରି ହୋଇ ଭାସି ଯାଇଥିଲେ ମାଳତୀଙ୍କ ସ୍ୱାମୀ, ଦୁଇ ପୁଅ, ଦୁଇ ଝିଅ, ଶାଶୁ ଓ ଶ୍ୱଶୁର। ମାଳତୀ ମଧ୍ୟ ସମୁଦ୍ର ପାଣି ଭାସି ଯାଉଥିଲେ। ଭାଗ୍ୟକୁ ବଞ୍ଚି ଯାଇଥିଲେ। ଉଦ୍ଧାରକାରୀ ଦଳ ତାଙ୍କୁ ଉଦ୍ଧାର କରିଥିଲେ। ପୂରା ପରିବାର ଭାସିଯିବା ପରେ ସ୍ମୃତିକୁ ଧରି ବାତ୍ୟା ଆଶ୍ରୟ ସ୍ଥଳରେ ଜୀବନ ଅତିବାହିତ କରୁଥିଲେ। ଆଗକୁ ଜୀବନ କେମିତି ଜିଇଁବେ? କିଏ ହେବେ ସାହା ଭରସା? ସେହି ଚିନ୍ତାରେ ଥିଲେ ମାଳତୀ।

ସେପଟେ ରାଜାରାମ ପାଲ ପରିବାରର ୮ ଜଣଙ୍କୁ ହରାଇବା ପରେ ୯ ବର୍ଷର ପୁଅକୁ ନେଇ ଚିନ୍ତାରେ ପଡ଼ି ଯାଇଥିଲେ। ପୁଅକୁ କେମିତି ବଡ଼ କରିବେ? ଆଗକୁ କେମିତି ଚଳିବେ? ସେହି ଚିନ୍ତାରେ ଘୂରି ବୁଲୁଥିବା ବେଳେ ମାଳତୀଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ। ମାଳତୀ ତାଙ୍କ ପ୍ରସ୍ତାବରେ ରାଜି ହୋଇଥିଲେ। ଏହା ପରେ ଉଭୟ ବିବାହ କରିଥିଲେ। ପୁନର୍ବାର ଭାଙ୍ଗି ଯାଇଥିବା ଘରକୁ ସଜାଡ଼ିବାକୁ ଆରମ୍ଭ କରିଥିଲେ।

ବାତ୍ୟା ଛାଡ଼ିବା ପରେ ବାଲି ଉପରେ ଠିଆ କରିଥିଲେ ସ୍ୱପ୍ନର ମହଲ। ଏବେ ସେହି ନୂଆଁଣିଆ ଘରେ ଦିନ ବିତାଉଛନ୍ତି ପୂରା ପରିବାର। ପୂର୍ବପରି ରାଜାରାମ ପାଲ ଓ ତାଙ୍କ ପୁଅ ମାଛ ଧରିବାକୁ ଯାଉଛନ୍ତି। ବେଳେ ବେଳେ ମୂଲ ମଜୁରୀ ଲାଗୁଛନ୍ତି।

୧୯୯୯ ମସିହା ବାତ୍ୟାକୁ ଇତି ମଧ୍ୟରେ ୨୪ ବର୍ଷ ବିତିଲାଣି। ହେଲେ ଶୁଖିନି ସେଦିନର କ୍ଷତ। ଏବେବି ଗୋଟିଗୋଟି କଥା ଆଖି ଆଗରେ ଘୂରି ବୁଲୁଛି। ସେ କଥା ମନେ ପଡ଼ିଲେ କାନ୍ଦ ମାଡ଼େ ବୋଲି ରାଜାରାମ ପାଲ କହିଛନ୍ତି। ସେ କହିଛନ୍ତି, ଦୁଃଖର ବିଷୟ ପରିବାରର ୮ ଜଣଙ୍କୁ ହରାଇଥିଲେ ସୁଦ୍ଧା ପାଇଲି ୩ ଜଣଙ୍କ ମୃତ୍ୟୁର କ୍ଷତିପୂରଣ। ତାହା ପୁଣି କେତେ କାକୁତି ମିନତି ହେବା ପରେ। ଏବେ ବାତ୍ୟା କଥା ମନେ ପଡ଼ିଲେ ଦେହ ଥରି ଉଠୁଛି।

ରିପୋର୍ଟ- ପାରାଦୀପରୁ ରମାକାନ୍ତ ନାୟକ

Mahabatya 1999 Mahabatya Super Cyclone
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe