Advertisment

ଆଜି ସରିଲା ନୀଳ ପର୍ବ, ରାତି ପାହିଲେ ବାବା ଚନ୍ଦନେଶ୍ୱରଙ୍କ ପାଟପର୍ବ

ବ୍ରତଚାରୀମାନେ ଆସନ୍ତାକାଲି ଅପରାହ୍ନରେ ପରସ୍ପରକୁ ଖୁସିରେ ମାଳ ସହ ଚନ୍ଦନ ବୋଳି ଆଲିଙ୍ଗନ କରିବେ। ତା’ପରେ ହାକାଣ୍ଡ ପୋଖରୀରେ ସ୍ନାନ କରିବେ। ସେଠାରୁ ଦଶଲକ୍ଷୀ ଓ ପାଟଭକ୍ତଙ୍କ ଗହଣରେ ଭକ୍ତମାନେ ଜିଭରେ କଣ୍ଟା ଫୋଡି କଠିନ ସାଧନା କରିବେ।

ଅଦ୍ୟତନ ହୋଇଛି
Chandaneswar Temple

Chandaneswar Temple

Advertisment

ଉତ୍ତର ଓଡ଼ିଶାର ଆରାଧ୍ୟ ହେଉଛନ୍ତି ବାବା ଚନ୍ଦନେଶ୍ୱର। ବାବାଙ୍କ ଏହି ପୀଠରେ ଅନୁଷ୍ଠିତ ହେଉଛି ଚୈତ୍ର ପର୍ବ ଚଡ଼କ ମେଳା। ଆଜି ରୀତିନୀତି ଅନୁସାରେ ପାଳିତ ହୋଇଛି ନୀଳପର୍ବ। ରାତି ପାହିଲେ ପାଟ ପର୍ବ ହେବ। ସେଥିପାଇଁ ବାବାଙ୍କ ପୀଠରେ ପ୍ରବଳ ଜନ ସମାଗମ ହୋଇଛି। ଓଡ଼ିଶା ଓ ପଶ୍ଚିମବଙ୍ଗର ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଏହି ମହାନ ପର୍ବରେ ସାମିଲ୍‌ ହୋଇ ବାବାଙ୍କ ଆଶୀର୍ବାଦ ନେଉଛନ୍ତି। ମେଳାକୁ ଶୃଙ୍ଖଳିତ କରିବା ପାଇଁ ବାଲେଶ୍ୱର ଜିଲ୍ଲା ପ୍ରଶାସନ ପକ୍ଷରୁ ପୁଲିସ୍‌ ଫୋର୍ସ ମୁତୟନ କରାଯାଇଛି।

Advertisment

ମାନସିକଧାରୀମାନେ ବାବାଙ୍କ ପୀଠରେ ପହଞ୍ଚି ଅର୍ଯ୍ୟ ପଇତା ପକାଇ ବ୍ରତାଚାରୀ ହୋଇଥାନ୍ତି। ବାବାଙ୍କ ଅର୍ଯ୍ୟ ପାଇଲା ପରେ ସେମାନେ ଥରେ ମାତ୍ର ହବିଷାନ୍ନ ଖାଇଥାନ୍ତି। ବ୍ରତଚାରୀମାନେ ଆସନ୍ତାକାଲି ଅପରାହ୍ନରେ ପରସ୍ପରକୁ ଖୁସିରେ ମାଳ ସହ ଚନ୍ଦନ ବୋଳି ଆଲିଙ୍ଗନ କରିବେ। ତା’ପରେ ହାକାଣ୍ଡ ପୋଖରୀରେ ସ୍ନାନ କରିବେ। ସେଠାରୁ ଦଶଲକ୍ଷୀ ଓ ପାଟଭକ୍ତଙ୍କ ଗହଣରେ ଭକ୍ତମାନେ ଜିଭରେ କଣ୍ଟା ଫୋଡି କଠିନ ସାଧନା କରିବେ। ଲମ୍ବା ଲୁହା କଣ୍ଟା ଦ୍ୱାରା ନିଜ ଦେହ ଓ ଜିଭକୁ ବିଦ୍ଧ କରି ଭକ୍ତମାନେ ଏଥିରେ ସାମିଲ ହୋଇଥାନ୍ତି। ସନ୍ଧ୍ୟାରେ ଚନ୍ଦନେଶ୍ୱରଙ୍କ ଶେଷ ଅର୍ଘ୍ୟ ପାଇବା ପରେ ମାନସିକ ପୂରା କରନ୍ତି।

ଆଜି ମହା ଆଡମ୍ୱର ସହକାରେ ପାଳିତ ହୋଇଛି ନୀଳପର୍ବ। ବ୍ରତଧାରୀମାନେ ପୂଜାର୍ଚ୍ଚନା ପରେ ନୀଳ ପୋଖରୀରେ ସ୍ନାନ କରିଥିଲେ। ପରେ ହଜାର ହଜାର ଶ୍ରଦ୍ଧାଳୁ ପୋଖରୀରେ ଥିବା ଦୁଇଟି ଶାଳ କାଠ(ସ୍ତମ୍ବି କାଠ)କୁ ଖୋଜି ଥିଲେ। ତା’ପରେ ପୋଖରୀରୁ ସ୍ତମ୍ୱି କାଠ ଉଦ୍ଧାର କରି ବାବାଙ୍କ ମନ୍ଦିର ଚାରି ପାର୍ଶ୍ୱରେ ପରିକ୍ରମା କରିଥିଲେ। ଏହି ସମୟରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା। ହରିବଲ ହୋଳହୋଳିରେ ପ୍ରକମ୍ପିତ ହୋଇଥିଲା ମନ୍ଦିର ବେଡ଼ା। ପୋଖରୀରୁ ଉଦ୍ଧାର ହୋଇଥିବା କାଠକୁ ମନ୍ଦିର ପାର୍ଶ୍ୱରେ ରଖାଯାଇ ପୂଜା କରିଥିଲେ। ବିଶ୍ୱାସ ଅଛି, ସ୍ତମ୍ବିକାଠକୁ ଛୁଇଁଲେ ଆସାଧ୍ୟ ରୋଗରୁ ମୁକ୍ତି ମିଳିଥାଏ। ସେଥିପାଇଁ ପ୍ରତିବର୍ଷ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ବାବାଙ୍କ ଏହି ମହାନ ପର୍ବରେ ସାମିଲ୍‌ ହୋଇଥାଆନ୍ତି।

Advertisment

ବାବାଙ୍କ ନୀଳପର୍ବ ପଛରେ ରହିଛି ପୌରାଣୀକ କାହାଣୀ। ନୀଳ ଶବ୍ଦର ଅର୍ଥ ବିଷ। କିମ୍ବଦନ୍ତୀ ରହିଛି, ସମୁଦ୍ର ମନ୍ଥନ ବେଳେ ବାହାରିଥିବା ହଳାହଳ ବିଷକୁ ଭଗବାନ ଆଶୁତୋଷ ଶଙ୍ଖରେ ପାନ କରି ଦେଇଥିଲେ। ସେଥିପାଇଁ ତାଙ୍କୁ ନୀଳକଣ୍ଠ ବୋଲି କୁହାଯାଏ। ଶିବ ସବୁ ବିଷକୁ ନିଜେ ପାନକରି ସଂସାରକୁ ବିଷ ଜ୍ୱଳାରୁ ରକ୍ଷା କରିଥିଲେ। ସେଥିପାଇଁ ବାବା ଚନ୍ଦନେଶ୍ୱରଙ୍କର କାମିନା ବିବାହ ପରେ ଦ୍ୱିତୀୟ ଅର୍ଘ୍ୟଦିନ ଅନୁଷ୍ଠିତ ହୋଇଥାଏ ନୀଳପର୍ବ।

ରିପୋର୍ଟ-ଜଳେଶ୍ୱରରୁ ଅଜିତ କୁମାର ଦାସ

Balasore
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe