ବାଟ ଚାଲୁ ଚାଲୁ ଝୁଣ୍ଟି ପଡ଼ିବା ଅର୍ଥ ନୁହେଁ, ଚାଲିବା ଛାଡ଼ିଦେବା। ସେହିପରି ଜୀବନରେ ଆସୁଥିବା ଝଡ଼ଝଞ୍ଜାର ଅର୍ଥ ନୁହେଁ, ତାହାକୁ ଡରି ଆମେ ଜୀବନ ବଞ୍ଚିବା ଛାଡ଼ିଦେବା। ଯାହାକି ଆଜିର ଯୁବବର୍ଗଙ୍କ ମଧ୍ୟରେ ଖୁବ୍ ଅଧିକ ଦେଖାଦେଉଛି। ଜୀବନରେ ଆସୁଥିବା ଛୋଟ ଛୋଟ ସମସ୍ୟାର ମୁକାବିଲା କରିବା ପରିବର୍ତ୍ତେ ସେମାନେ ଜୀବନ ଶେଷ କରିବା ପରି ଚରମ ନିଷ୍ପତ୍ତି ନେବାକୁ ପଛାଉ ନାହାନ୍ତି। ମାନସିକ ସ୍ତରରେ ଏକୁଟିଆ ହୋଇଗଲେ, ପ୍ରେମରେ ଧୋକା ଖାଇଲେ, କିମ୍ବା ପାରବାରିକ ସମସ୍ୟା ଅତିଷ୍ଠ କଲେ ଲୋକେ ଏପରି ସାଂଘାତିକ ପଦକ୍ଷେପ ଉଠାଉଛନ୍ତି। ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ଆତ୍ମହତ୍ୟା ହାର ଏବେ ଚିନ୍ତାର କାରଣ ପାଲଟିଛି।
ଭଗବାନଙ୍କ ସୃଷ୍ଟିରେ ମଣିଷ ଜୀବନ ସବୁଠୁ ସୁନ୍ଦର। ନିଜ ମନରେ ଥିବା ଅସୁମାରୀ ଆଶା ପୂରଣ କରିବାକୁ ମଣିଷ ସ୍ୱପ୍ନ ପଛରେ ଧାଉଁଥିବା ବେଳେ ଘାତ, ପ୍ରତିଘାତ ଆସିବା ସ୍ୱାଭାବିକ କଥା। କାରଣ ଯେଉଁଠି ସୁବିଧା ଅଛି, ସେଠି ଅସୁବିଧା ଅଛି, ଭଲ ଥିଲେ ମନ୍ଦ ବି ଅଛି। ହେଲେ ଆଜିର ମଣିଷ ପ୍ରତିକୂଳ ପରିସ୍ଥିତିରେ ପଡ଼ିଗଲେ ସେଥିରୁ ମୁକୁଳିବାକୁ ବାଟ ପାଇ ପାରୁନି। ନିଜ ସମସ୍ୟା କାହା ସହ ବାଣ୍ଟି ପାରୁ ନ ଥିବା ବେଳେ ମାନସିକ ସ୍ତରରେ ଭାଙ୍ଗି ପଡ଼ୁଛି। ଆଉ ଶେଷରେ ଆତ୍ମହତ୍ୟା ପରି ଚରମ ନିଷ୍ପତ୍ତି ନେବାକୁ ପଛାଉ ନାହିଁ।
ବିଶ୍ୱ ଆତ୍ମହତ୍ୟା ନିରୋଧ ଦିବସ ପାଳନର ତାତ୍ପର୍ଯ୍ୟ
ଆତ୍ମହତ୍ୟା ସମଗ୍ର ବିଶ୍ୱରେ ମହାମାରୀ ପରି ବ୍ୟାପିବାକୁ ଲାଗିଥିବା ବେଳେ ଏହାକୁ ରୋକିବାକୁ ଅଣ୍ଟା ଭିଡିଛନ୍ତି ବିଶ୍ୱର ବହୁ ଦେଶ । ଏଥିନିମନ୍ତେ ପ୍ରତିବର୍ଷ ସେପ୍ଟେମ୍ବର ୧୦ ତାରିଖକୁ ବିଶ୍ୱ ଆତ୍ମହତ୍ୟା ନିରୋଧ ଦିବସ ଭାବେ ପାଳନ କରାଯାଉଛି। ସାରା ବିଶ୍ୱରେ ଆତ୍ମହତ୍ୟା ଭଳି ଦୁର୍ବଳ ମାନସିକତା ବିରୋଧରେ ଜନ ସତେତନତା ସୃଷ୍ଟି କରିବା ହେଉଛି ଏହି ଦିବସର ମୂଳ ଲକ୍ଷ୍ୟ।
ଆଜିର ଦିନରେ ସମସ୍ତଙ୍କୁ ଗୋଟିଏ ନିଷ୍ପତ୍ତି ନେବାର ଆବଶ୍ୟକତା ରହିଛି। ଯେତେ କଷ୍ଟ ହେଲେ ମଧ୍ୟ ନିଜର ସୁନ୍ଦର ଜୀବନକୁ କୌଣସି କାରଣରୁ ହାରିବାକୁ ଚେଷ୍ଟା ନ କରି ଟିକେ ଅପେକ୍ଷା କରିବା ଏବଂ ଜୀବନ ବଞ୍ଚିବାର କଳା ଶିଖିବାକୁ ପ୍ରୋତ୍ସାହିତ କରିବା ହେଉଛି ଏହି ଦିବସର ମୂଳ ଲକ୍ଷ୍ୟ। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଓ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ସଂଘ ସହ ମିଳିତ ଭାବେ ଯୋଗ ଦେଇ ଆନ୍ତର୍ଜାତିକ ଆତ୍ମହତ୍ୟା ନିରୋଧ ସଂଘ ଏହି ଦିବସ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲା।
କେବେଠୁ ପାଳନ ହେଉଛି?
ସାରା ବିଶ୍ୱରେ ଆତ୍ମହତ୍ୟା ଭଳି ଅପରାଧ ବିରୋଧରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ‘ଦ ଇଣ୍ଟରନାସନାଲ ଆସୋସିଏସନ ଫର ସୁଇସାଇଡ ପ୍ରିଭେନସନ’ (ଆଇଏଏସପି) ନାମକ ସଂଗଠନ ଏବଂ ବିଶ୍ୱ ସ୍ଵାସ୍ଥ୍ୟ ସଂଗଠନ ତଥା ଡବ୍ଲ୍ୟୁଏମଏଚ ମିଳିତ ଆନୁକୂଲ୍ୟରେ ୨୦୦୩ ମସିହାରୁ ବିଶ୍ୱ ଆତ୍ମହତ୍ୟା ନିରୋଧୀ ଦିବସର ଆରମ୍ଭ କରାଯାଇଛି। ୨୦୧୧ ମସିହାରେ ପ୍ରାୟ ୪୦ଟି ଦେଶ ଏହି କାର୍ଯ୍ୟକ୍ରମ ଉପଲକ୍ଷେ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ।
ଅନୁଧ୍ୟାନରୁ ଜଣାପଡ଼ିଛି, ପୁରୁଷଙ୍କ ତୁଳନାରେ ମହିଳାମାନେ ଅଧିକ ସଂଖ୍ୟାରେ ଆତ୍ମହତ୍ୟା କରୁଛନ୍ତି। ଆମେରିକା, ୟୁରୋପରେ ଆତ୍ମହତ୍ୟା ନିରୋଧ ଦିବସ ଅବସରରେ ପଥପ୍ରାନ୍ତ ନାଟକମାନ ପ୍ରଦର୍ଶନ କରି ଜନସାଧାରଣଙ୍କୁ ବାର୍ତ୍ତା ଦିଆଯିବା ପରି କାର୍ଯ୍ୟକ୍ରମ କରାଯାଉଛି।
ଓଡ଼ିଶା ସ୍ଥିତି ଗମ୍ଭୀର
ଓଡ଼ିଶାରେ ଆତ୍ମହତ୍ୟା ସ୍ଥିତି ଏବେ ଜାତୀୟ ହାରଠାରୁ ମଧ୍ୟ ଅଧିକା ରହିଛି। ଦେଶରେ ଆତ୍ମହତ୍ୟା ହାର ପ୍ରାୟ ୧୨ % ଥିବାବେଳେ ଓଡ଼ିଶାରେ ୧୨.୩ % ରହିଛି। ଡବ୍ଲ୍ୟୁଏଚ୍ଓର ରିପୋର୍ଟ ଅନୁସାରେ ସାରା ବିଶ୍ୱରେ ବର୍ତ୍ତମାନ ପ୍ରତି ବର୍ଷ ୧୦ ଲକ୍ଷ ଲୋକ ଆତ୍ମହତ୍ୟା କରୁଛନ୍ତି। ଅର୍ଥାତ୍ ପ୍ରତି ଦିନ ୩ ହଜାର ଲୋକ ଆତ୍ମହତ୍ୟା କରୁଛନ୍ତି। ଚାକିରି ହେଉକି ପାରବାରିକ ସମସ୍ୟା, ପ୍ରେମଜନିତ ହେଉ କିମ୍ବା ନିର୍ଯାତନା, ହିଂସା, ନିଶା ଓ ଆର୍ଥିକ ସଙ୍କଟ ଆତ୍ମହତ୍ୟାର ପ୍ରମୁଖ କାରଣ ପାଲଟିଛି।
କରୋନା ଯୋଗୁ ବଢ଼ିଛି ଆତ୍ମହତ୍ୟା
କରୋନା କାଳରେ ଲୋକଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବଣତା ଅଧିକ ବଢି ଯାଇଛି । ଏହାର ଶିକାର ହେଉଛନ୍ତି ଯୁବବର୍ଗ।। କରୋନାଜନିତ ସ୍ଥିତି ରାଜ୍ୟ, ଦେଶ ଏମିତିକି ସାରା ବିଶ୍ୱରେ ଆତ୍ମହତ୍ୟା ହାର ବୃଦ୍ଧି କରିଛି। ଏହି ସମୟରେ ଡିପ୍ରେସନ୍, ମାନସିକ ରୋଗ ବି ବଢିଛି। ବିଶେଷକରି ୧୫ରୁ ୩୦ ବର୍ଷର ଯୁବକଯୁବତୀଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବଣତା ମାନସିକତା ବଢ଼ି ଚାଲିଛି ।
କରୋନା ମହାମାରୀ ସମୟରେ ଲକ୍ଡାଉନ୍, ସଟ୍ଡାଉନ୍ ଯୋଗୁ ବହୁ ଲୋକ ନିଜ ଜୀବୀକା ହରାଇଲେ। ଏଥିସହ ଏହି ମହାମାରୀରେ ବହୁ ଲୋକ ନିଜ ଆତ୍ମୀୟ ସ୍ୱଜନଙ୍କୁ ବି ହରାଇଲେ। ଫଳରେ ମାନସିକ ସ୍ତରରେ ଭାଙ୍ଗିପଡ଼ି ସେମାନେ ଏପରି ଚରମ ପଦକ୍ଷେପ ନେବାକୁ ପଛାଇଲେ ନାହିଁ ।
ଆତ୍ମହତ୍ୟା ପୂର୍ବର ଲକ୍ଷଣ
ବ୍ୟକ୍ତିର ଖାଇବା, ଶୋଇବା ଓ ବ୍ୟବହାରରେ ପରିବର୍ତ୍ତନ, ଅଧିକ ସମୟ ମାନସିକ ବିସାଦରେ ରହିବା, ଅଧିକ ଦିନ ଧରି କୌଣସି ଭୟାବହ ରୋଗର ଶିକାର, ଅତ୍ୟଧିକ ନିଶାଦ୍ରବ୍ୟ ସେବନ, ହଠାତ୍ ଅଧିକ ରାଗି ଯିବା ଅଥବା ଅଧିକ ଭାବପ୍ରବଣ ହେବା ଭଳି ଲକ୍ଷଣ ମାନସିକ ରୋଗର ସୂଚନା ଦିଏ। ଏଭଳି ସବୁ ଲକ୍ଷଣ ସେହି ଲୋକର ମନ ଭିତରେ ଆତ୍ମହତ୍ୟା ପ୍ରବଣତା ଲୁଚି ରହି ଥାଇପାରେ ବୋଲି ସନ୍ଦେହ କରାଯାଏ। ସେଭଳି ଲୋକଙ୍କୁ ସେ ପରିସ୍ଥିତିରୁ ବାହାର କରିବାରେ ତାଙ୍କ ପରିବାର ଲୋକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ୧୫ରୁ ୩୦ବର୍ଷ ଓ ୬୦ରୁ ୭୦ ବର୍ଷର ଲୋକଙ୍କ ପାଖରେ ଆତ୍ମହତ୍ୟା ପ୍ରବଣତା ଅଧିକ ରହିଥାଏ।
ଆତ୍ମହତ୍ୟା ପ୍ରବଣତା ସଂପର୍କରେ ମତ ରଖି ଏସ୍ସିବି ମାନସିକ ସ୍ୱାସ୍ଥ୍ୟ ପ୍ରତିଷ୍ଠାନର ଜଣେ ସହକାରୀ ପ୍ରଫେସର କହିଛନ୍ତି ଯେ, ‘ ମାନସିକ ଅବସାଦରେ ରହୁଥିବା ବ୍ୟକ୍ତିଙ୍କ ପ୍ରତି ସହଯୋଗ ରହିବା ସହିତ ତାଙ୍କ ମନର ଭାବନାକୁ ଜାଣିବା ପାଇଁ ଚେଷ୍ଟା କଲେ ହୁଏତ ସେହି ବ୍ୟକ୍ତି ଆତ୍ମହତ୍ୟା ପ୍ରବଣତା ଭଳି ଏକ ସୁପ୍ତ ରୋଗରୁ ମୁକୁଳି ପାରିବେ। ଏଥିରେ ଅଭିଭାବକ ତଥା ପରିବାରର ମୁଖ୍ୟଙ୍କ ଭୂମିକା ଅତି ଗୁରୁତ୍ବପୂର୍ଣ୍ଣ।’
ମାନସିକ ରୋଗ ବିଶେଷଜ୍ଞଙ୍କ ମତ
ମାନସିକ ରୋଗ ବିଶେଷଜ୍ଞଙ୍କ ମତରେ ଯେଉଁମାନେ ଆତ୍ମହତ୍ୟା କରନ୍ତି ବା କରିବାକୁ ଚେଷ୍ଟା କରନ୍ତି ସେମାନଙ୍କ ମଧ୍ୟରୁ ପ୍ରାୟ ୯୦ ପ୍ରତିଶତଙ୍କର କିଛି ନା କିଛି ମାନସିକ ସମସ୍ୟା ରହିଥାଏ। ସବୁଠୁ ବଡ଼ କାରଣ ହେଲା ମାନସିକ ଚାପ ବା ଅଶାନ୍ତି। ଯାହାକୁ ଆମେ ସବୁଠୁ ଆପଣାର ଭାବୁ, ଯାହାକୁ ପାଇବାକୁ ଖୁବ୍ ତ୍ୟାଗ କରିଥାଉ, ତାକୁ ନ ପାଇଲେ ଆମ ମାନସିକ ସ୍ଥିତି ଦୋଦୂଲ୍ୟମାନ ସ୍ଥିତିକୁ ଚାଲି ଯାଏ । ଆଜିକାଲି ଯୁବବର୍ଗଙ୍କ କ୍ଷେତ୍ରରେ ପରୀକ୍ଷାରେ କୃତକାର୍ଯ୍ୟ ନ ହେବା, ପ୍ରେମରେ ବିଫଳ ହେବା, ବେକାରୀ ସମସ୍ୟା ଓ ନିଶା ସେବନ ଯୋଗୁ ମାନସିକ ଚାପ ବୃଦ୍ଧି ପାଉଛି।
ଆମ ଦେଶରେ ସାମଗ୍ରିକ ଭାବେ ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟାଜନିତ ମୃତ୍ୟୁ ସଂଖ୍ୟାର ଚିତ୍ର ଖୁବ୍ ସଙ୍ଗିନ । ୨୦୨୧ ମସିହାରେ ଏନସିଆରବି (ନ୍ୟାସନାଲ କ୍ରାଇମ ରିପୋର୍ଟ ବ୍ୟୁରୋ ) ରିପୋର୍ଟ ଅନୁସାରେ୧୩ ହଜାର ଛାତ୍ରଛାତ୍ରୀ ଆତ୍ମହତ୍ୟା କିମ୍ବା ସମାନ ଧରଣର କାରଣରୁ ପ୍ରାଣ ହରାଇଛନ୍ତି। ଚଳିତ ବର୍ଷ ରାଜସ୍ଥାନର କୋଟାରେ ମହାମାରୀର ରୂପ ନେଇଛି ଆତ୍ମହତ୍ୟା । ଏଯାବତ କୋଟାରେ NEET ପାଇଁ ପ୍ରସ୍ତୁତ ହେଉଥିବା ପ୍ରାୟ ୩୦ ପାଖାପାଖି ଛାତ୍ର ଚରମ ନିଷ୍ପତ୍ତି ନେଇ ନିଜ ଜୀବନ ହାରି ସାରିଛନ୍ତି।