Advertisment

ପାଞ୍ଚ ଟ୍ରିଲିଅନ ଅର୍ଥନୀତି ପରିବର୍ତ୍ତେ ୫ ଟ୍ରିଲିଅନ ବ୍ୟାଙ୍କ ଠକେଇ

ସରଳ କୁମାର ଦାସ ଅନେକଙ୍କର ଧାରଣା ବିଜୟ ମାଲ୍ୟା, ନୀରବ ମୋଦୀ, ମେହୁଲ ଚୋକସିଙ୍କ ଭଳି କୁଖ୍ୟାତ ବ୍ୟବସାୟୀ ଓ ଅପରାଧୀମାନେ ୟୁପିଏ ଅମଳରେ ଅନୈତିକ ଭାବେ ଋଣ ନେଇ ଭାରତୀୟ ବ୍ୟାଙ୍କଗୁଡିକୁ ହଜାର ହଜାର କୋଟି ଟଙ୍କା ଠକେଇ ବିଦେଶକୁ ପଳାଇ ଯିବା ପରେ ବ୍ୟାଙ୍କସମୂହ ଓ ସରକାରଙ୍କ ସତର୍କତା ଯୋଗୁ ବୋଧହୁଏ ଭାରତରେ ବ୍ୟାଙ୍କ ଠକେଇ ଯଥେଷ୍ଟ ହ୍ରାସ ପାଇଛି। ହେଲେ ସ୍ଥିତି ସମ୍ପୂର୍ଣ୍ଣ ବିପରୀତ। ରିଜର୍ଭ ବ୍ୟାଙ୍କ ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁଯାୟୀ […]

ବ୍ୟାଙ୍କ ଲୁଟ୍‌ ଏବେ ବୈଧ!

Bank

Advertisment

ସରଳ କୁମାର ଦାସ

ଅନେକଙ୍କର ଧାରଣା ବିଜୟ ମାଲ୍ୟା, ନୀରବ ମୋଦୀ, ମେହୁଲ ଚୋକସିଙ୍କ ଭଳି କୁଖ୍ୟାତ ବ୍ୟବସାୟୀ ଓ ଅପରାଧୀମାନେ ୟୁପିଏ ଅମଳରେ ଅନୈତିକ ଭାବେ ଋଣ ନେଇ ଭାରତୀୟ ବ୍ୟାଙ୍କଗୁଡିକୁ ହଜାର ହଜାର କୋଟି ଟଙ୍କା ଠକେଇ ବିଦେଶକୁ ପଳାଇ ଯିବା ପରେ ବ୍ୟାଙ୍କସମୂହ ଓ ସରକାରଙ୍କ ସତର୍କତା ଯୋଗୁ ବୋଧହୁଏ ଭାରତରେ ବ୍ୟାଙ୍କ ଠକେଇ ଯଥେଷ୍ଟ ହ୍ରାସ ପାଇଛି। ହେଲେ ସ୍ଥିତି ସମ୍ପୂର୍ଣ୍ଣ ବିପରୀତ। ରିଜର୍ଭ ବ୍ୟାଙ୍କ ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁଯାୟୀ ୨୦୨୦-୨୧ ବର୍ଷରେ ବ୍ୟାଙ୍କ ଠକେଇର ପରିମାଣ ମୋଟ ପ୍ରାୟ ୫ ଲକ୍ଷ କୋଟି (ଟ୍ରିଲିଅନ) ଛୁଇଁବାକୁ ଯାଉଛି। ବ୍ୟାଙ୍କ ଠକେଇର ପରିମାଣ ୨୦୧୯-୨୦ ବର୍ଷରେ ୧,୮୫,୪୬୮ କୋଟି ଟଙ୍କା ଥିଲା, ଯାହା ୨୦୨୦-୨୧ରେ ହ୍ରାସ ପାଇ ୧,୩୮,୪୨୨ କୋଟି ଟଙ୍କା ହୋଇଛି, ଯଦ୍ଦ୍ୱାରା ସର୍ବମୋଟ ବ୍ୟାଙ୍କ ଠକେଇର ପରିମାଣ ୪.୯୨ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ଅବଶ୍ୟ ରିଜର୍ଭ ବ୍ୟାଙ୍କ ତା’ର ହିସାବ ବର୍ଷକୁ ଜୁଲାଇ-ଜୁନ ବଦଳରେ ଅପ୍ରେଲ-ମାର୍ଚ୍ଚ ଯାଏଁ କରିଥିବାରୁ ରିଜର୍ଭ ବ୍ୟାଙ୍କ ଦ୍ୱାରା ୨୦୨୦-୨୧ ବର୍ଷ ପାଇଁ ପ୍ରଦତ୍ତ ତଥ୍ୟ ପୂରା ୧୨ ମାସର ନ ହୋଇ ଜୁନରୁ ମାର୍ଚ୍ଚ ଯାଏଁ ୯ ମାସ ପାଇଁ ଅଟେ। ସରକାର କୃଷି ଓ କୃଷକମାନଙ୍କ ପାଇଁ ଅନେକ ସବସିଡି ଓ ସୁବିଧା ସୁଯୋଗ ଦେଉଥିବା କଥା କୁହାଯାଇଥାଏ। ଉଲ୍ଲେଖଯୋଗ୍ୟ, କେନ୍ଦ୍ର ସରକାରଙ୍କ ଦ୍ୱାରା ୨୦୨୦-୨୧ ବଜେଟରେ କୃଷି, ସମବାୟ, କୃଷକ ମଙ୍ଗଳ ବିଭାଗ ପାଇଁ ଆବଣ୍ଟିତ ରାଶି ପ୍ରାୟ ୧.୨୩ ଲକ୍ଷ କୋଟି ଟଙ୍କା ହୋଇଥିଲା ବେଳେ ସେହି ବର୍ଷ ବ୍ୟାଙ୍କ ଠକେଇର ପରିମାଣ ତା’ଠାରୁ ଯଥେଷ୍ଟ ଅଧିକ।

Advertisment

୨୦୨୦-୨୧ରେ ହୋଇଥିବା ସମୁଦାୟ ୧.୩୮ ଲକ୍ଷ କୋଟି ଟଙ୍କାର ଠକେଇ ମଧ୍ୟରୁ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକରେ କ୍ଷତିର ପରିମାଣ ୮୧,୯୦୧ କୋଟି ଟଙ୍କା ବା ୫୯ ପ୍ରତିଶତ ହୋଇଥିଲା ବେଳେ ଘରୋଇ ବ୍ୟାଙ୍କଗୁଡିକର କ୍ଷତିର ପରିମାଣ ୪୬,୩୩୫ କୋଟି ଟଙ୍କା ବା ୩୩ ପ୍ରତିଶତ। ବିଦେଶୀ ବ୍ୟାଙ୍କଗୁଡିକରେ ଠକେଇର ପରିମାଣ ୩୩୧୫ କୋଟି ଓ ଅନ୍ୟାନ୍ୟ ଆର୍ଥିକ ଅନୁଷ୍ଠାନଗୁଡିକରେ ୬୮୩୯ କୋଟି ଟଙ୍କା ହୋଇଥିଲା। ସଂଖ୍ୟା ଦୃଷ୍ଟିରୁ ୨୦୧୯-୨୦ରେ ୮୭୦୩ଟି ଠକେଇ ହୋଇଥିଲା ଯାହା ୨୦୨୦-୨୧ରେ ୧୫ ପ୍ରତିଶତ ହ୍ରାସ ପାଇ ୭୩୬୩ରେ ପହଞ୍ଚିଛି। ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକରେ ଠକେଇର ସଂଖ୍ୟା ପୂର୍ବ ବର୍ଷର ୪୪୧୦ ତୁଳନାରେ ହ୍ରାସ ପାଇ ୨୯୦୩ ହୋଇଛି। ଅନ୍ୟ ପକ୍ଷରେ ଘରୋଇ ବ୍ୟାଙ୍କରେ ସେହି ସଂଖ୍ୟା ୩୦୬୫ରୁ ବଢ଼ି ୩୭୧୦ ହେବା ଉଦବେଗଜନକ। ସାମଗ୍ରିକ ଭାବେ ବ୍ୟାଙ୍କିଙ୍ଗ ବ୍ୟବସ୍ଥାରେ ଯେଉଁ ୪.୯୨ ଲକ୍ଷ କୋଟି ଟଙ୍କାର ଠକେଇ ହୋଇଛି ତାହା ବ୍ୟାଙ୍କ ବ୍ୟବସ୍ଥାରେ ଥିବା ସମଗ୍ର ଋଣ ରାଶିର ପ୍ରାୟ ୪.୫ ପ୍ରତିଶତ। ସେଥିରୁ ୭୮,୦୭୨ କୋଟି ଟଙ୍କା ବା ୧୬ ପ୍ରତିଶତ କେବଳ ଭାରତୀୟ ଷ୍ଟେଟ ବ୍ୟାଙ୍କରେ ହୋଇଥିବା ବେଳେ ତା ପଛକୁ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (୩୯,୭୩୩ କୋଟି), ବ୍ୟାଙ୍କ ଅଫ ଇଣ୍ଡିଆ (୩୨,୨୨୪ କୋଟି) ଓ ୟୁନିଅନ ବ୍ୟାଙ୍କ (୨୯,୫୭୨ କୋଟି) ରହିଛି। ଅନ୍ୟ ପକ୍ଷରେ ଘରୋଇ ବ୍ୟାଙ୍କଗୁଡିକ ମଧ୍ୟରେ ଆଇସିଆଇସିଆଇ ବ୍ୟାଙ୍କରେ ଠକେଇର ପରିମାଣ ଟଙ୍କା ସର୍ବାଧିକ (୫.୩ ପ୍ରତିଶତ) ହୋଇଥିଲା ବେଳେ ତା ପଛକୁ ରହିଛି ୟେସ ବ୍ୟାଙ୍କ (୪.୦୨ ପ୍ରତିଶତ) ଓ ଆକ୍ସିସ ବ୍ୟାଙ୍କ (୨.୫୪ ପ୍ରତିଶତ)। ବ୍ୟାଙ୍କ ଠକେଇର ପ୍ରାୟ ୯୯ ପ୍ରତିଶତ ଋଣଗ୍ରହୀତାଙ୍କ ଦ୍ୱାରା ସଂଘଟିତ ହୋଇଛି। ଅର୍ଥାତ୍, ଜମା, ଇଣ୍ଟରନେଟ, ଏଟିଏମ କାର୍ଡ, ନକଲି ଟଙ୍କା ଓ ବାଲାନ୍ସ ସିଟ ବହିର୍ଭୁତ ଠକେଇ ଆଦି ହେଉଥିଲେ ବି ତାହା ପରିମାଣ ଦୃଷ୍ଟିରୁ ପୂର୍ବ ବର୍ଷଗୁଡ଼ିକ ତୁଳନାରେ ନଗଣ୍ୟ।

ବ୍ୟାଙ୍କ ଠକେଇରେ କେବଳ ୧ ଲକ୍ଷ ଟଙ୍କା ବା ତା’ଠାରୁ ଅଧିକ ପରିମାଣର ଠକେଇକୁ ହିସାବକୁ ନିଆ ଯାଇଥିବାରୁ ଠକେଇର ପରିମାଣ ଓ ସଂଖ୍ୟା ସାମାନ୍ୟ ଅଧିକ ହୋଇପାରେ। ରିଜର୍ଭ ବ୍ୟାଙ୍କ ତଥ୍ୟ ଅନୁଯାୟୀ ଠକେଇ ସଂଘଟିତ ହେବା ତାରିଖ ଓ ତାହା ଜଣା ପଡିବା ତାରିଖ ମଧ୍ୟରେ ସମୟ ବ୍ୟବଧାନ ୧ ଲକ୍ଷ ଟଙ୍କାରୁ ଅଧିକ ଠକେଇଗୁଡିକ କ୍ଷେତ୍ରରେ ହାରାହାରି ୨୩ ମାସ ଲାଗୁଛି, ଯାହା ଗତ ବର୍ଷ ୨୪ ମାସ ଥିଲା। ସେହିପରି ୧୦୦ କୋଟି ଟଙ୍କା ବା ତଦୁର୍ଦ୍ଧ୍ୱ ପରିମାଣର ଠକେଇ ଜଣା ପଡ଼ିବା ପାଇଁ ହାରାହାରି ଠକେଇ ସଂଘଟିତ ହେବା ପରେ ୪ ବର୍ଷ ୯ ମାସ ସମୟ ଲାଗୁଛି, ଯାହା ଗତ ବର୍ଷ ୫ ବର୍ଷ ୩ ମାସ ଲାଗୁଥିଲା। ୨୦୦୮-୦୯ରୁ ୨୦୧୮-୧୯ ଏଗାର ବର୍ଷ ମଧ୍ୟରେ ସମୁଦାୟ ବ୍ୟାଙ୍କ ଠକେଇର ପରିମାଣ ପ୍ରାୟ ୨ ଲକ୍ଷ କୋଟି ଟଙ୍କା ହୋଇଥିବା ବେଳେ କେବଳ ଗତ ଦୁଇ ବର୍ଷରେ ଠକେଇର ପରିମାଣ ୩ ଲକ୍ଷ କୋଟି ଟଙ୍କାରୁ ବି ଅଧିକ ହୋଇଛି। ଠକେଇ ସଂଘଟିତ ହେବାର ହାରାହାରି ୪ ବର୍ଷ ୯ ମାସ ମଧ୍ୟରେ ତାହା ଜଣା ପଡ଼ିଥିବାରୁ, ଅଧିକାଂଶ ଠକେଇ ଏନଡିଏ ସରକାର ଅମଳରେ ହୋଇଛି ବୋଲି ଜଣାପଡୁଛି। ତେବେ ଠକେଇଗୁଡିକ ଚିହ୍ନଟ ହେବାରେ ବିଳମ୍ୱ ହେବାର ପ୍ରମୁଖ କାରଣଗୁଡିକ ରିଜର୍ଭ ବ୍ୟାଙ୍କ ଦ୍ୱାରା ନିର୍ଦ୍ଧାରିତ ପୂର୍ବ ଚେତାବନୀ ସଂକେତ (ଇଡବଲ୍ୟୁଏସ) ଗୁଡ଼ିକର ଦୁର୍ବଳ ଅନୁପାଳନ, ଆଭ୍ୟନ୍ତରୀଣ ଅଡିଟ ସମୟରେ ପୂର୍ବ ଚେତାବନୀ ସଂକେତଗୁଡିକ ପ୍ରତି ଗୁରୁତ୍ୱ ନ ଦେବା ବା ଅଣଦେଖା କରିବା, ଅସମ୍ପୂର୍ଣ୍ଣ ଅଡିଟ ରିପୋର୍ଟ, ଋଣଗ୍ରହୀତାଙ୍କ ଦ୍ୱାରା ଅସହଯୋଗିତା ଆଦି ବୋଲି ଦର୍ଶାଯାଇଥାଏ। କୁଆଡ଼େ ୟୁପିଏ ସରକାରଙ୍କ ଅମଳରେ ଲୋନଗୁଡ଼ିକ ଫୋନ ବ୍ୟାଙ୍କିଙ୍ଗ ଜରିଆରେ ଦିଆ ଯାଉଥିଲା ବୋଲି ପୂର୍ବରୁ କଟାକ୍ଷ କରା ଯାଉଥିଲା, ଯାହା ସତ ବି ହୋଇପାରେ। ତେବେ ଏବର ଠକେଇ ପରିମାଣ ୟୁପିଏ ଅମଳ ଅପେକ୍ଷା ଯଥେଷ୍ଟ ଅଧିକ ହୋଇ ସାରିଥିବାରୁ ଏବେ ବି କ’ଣ ଲୋନଗୁଡିକ ଫୋନ ବ୍ୟାଙ୍କିଙ୍ଗ ଜରିଆରେ ଦିଆଯିବା ବଳବତ୍ତର ରହିଛି ବୋଲି କହି ହେବ?

Advertisment

ବ୍ୟାଙ୍କ ଠକେଇର ପରିମାଣ ବଢି ବଢି ଚାଲିବା ଉଦବେଗଜନକ ହେଲେ ବି ନିକଟ ଅତୀତରେ ଠକେଇକୁ ତୁରନ୍ତ ଚିହ୍ନଟ କରିବା ପାଇଁ ନିଆ ଯାଇଥିବା କେତେକ ପଦକ୍ଷେପ ଯୋଗୁ ବ୍ୟାଙ୍କଗୁଡ଼ିକ ଠକେଇ ସମ୍ପର୍କରେ ଆଗ ଅପେକ୍ଷା ଅଧିକ ଓ ଶୀଘ୍ର ସୂଚନା ଦେଉଛନ୍ତି। ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ୨୦୧୮ରେ ଜାରି ନିର୍ଦ୍ଦେଶିକା ଅନୁସାରେ ୫୦ କୋଟି ଟଙ୍କାରୁ ଅଧିକ ପରିମାଣର ଏନପିଏ ହେଲେ ତାକୁ ସମ୍ଭାବିତ ଠକେଇ ଶ୍ରେଣୀରେ ରଖି ତଦାରଖ କରିବା ଏବେ ବ୍ୟାଙ୍କଗୁଡ଼ିକ ଲାଗି ବାଧ୍ୟତାମୂଳକ ହୋଇଛି। ଏପରିକି ସେଥିପାଇଁ ଏକ ସେଣ୍ଟ୍ରାଲ ଫ୍ରଡ ରେଜିଷ୍ଟ୍ରୀ ସ୍ଥାପିତ ହୋଇ ସେହି ଖାତାଗୁଡ଼ିକ ଉପରେ କଡ଼ା ନଜର ରଖାଯାଉଛି। ଏଥି ସହ ସିଭିସିଙ୍କ ପରାମର୍ଶ କ୍ରମେ ରିଜର୍ଭ ବ୍ୟାଙ୍କ ଏକ ଆଡଭାଇଜରି ବୋର୍ଡ ଫର ବ୍ୟାଙ୍କିଙ୍ଗ ଫ୍ରଡସ (ଏବିବିଏଫ)ର ଗଠନ କରିଛନ୍ତି। କେନ୍ଦ୍ର ସରକାରଙ୍କ ଦ୍ୱାରା ୩.୩୮ ଲକ୍ଷ ନିଷ୍କ୍ରିୟ କମ୍ପାନୀଙ୍କ ବ୍ୟାଙ୍କ ଖାତାକୁ ଅଚଳ କରାଯାଇଛି। ତେବେ ଏତେ ସବୁ ପଦକ୍ଷେପ ସତ୍ତ୍ୱେ ବ୍ୟାଙ୍କ ଠକେଇ ଉଲ୍ଲେଖନୀୟ ହ୍ରାସ ନ ପାଇବାର ଅର୍ଥ ସରକାର, ରିଜର୍ଭ ବ୍ୟାଙ୍କ ଓ ବ୍ୟାଙ୍କଗୁଡିକ ଡାଳରେ ଡାଳରେ ଗଲା ବେଳେ ଧୂର୍ତ୍ତ ଠକମାନେ ବୋଧେ ପତ୍ରରେ ପତ୍ରରେ ଯାଇ ଠକିବାକୁ ସକ୍ଷମ ହେଉଛନ୍ତି।

ଭାରତରେ ଏତେ ପରିମାଣର ବ୍ୟାଙ୍କ ଠକେଇ ହେବା ନିଶ୍ଚିତ ଭାବେ ଚିନ୍ତାଜନକ, କାରଣ ଏହି ଧରଣର ଅର୍ଥନୈତିକ ଅପରାଧ ବିଭିନ୍ନ ଦୃଷ୍ଟିରୁ ଦେଶ ପାଇଁ ଅତ୍ୟନ୍ତ ବିପଜ୍ଜନକ। ଠକେଇରେ କେବଳ କିଛି ଟଙ୍କାର କ୍ଷତି ହୋଇଥାଏ ବୋଲି କହିବା ଭୁଲ ହେବ। ଏଥିରେ ହେଉଥିବା କ୍ଷତି କେବଳ କ୍ଷତିର ପରିମାଣ ବା କ୍ଷତିରେ ଶିକାର ବ୍ୟକ୍ତି ବା ଅନୁଷ୍ଠାନ ପର୍ଯ୍ୟନ୍ତ ସୀମିତ ରହି ନ ଥାଏ। ଏହା ଦେଶର ଆର୍ଥିକ ସ୍ଥିରତାକୁ ବିପର୍ଯ୍ୟସ୍ତ କରିବା ସହ ଅର୍ଥନୈତିକ ବିକାଶର ଗତିରେ ବାଧା ଉତ୍ପନ୍ନ କରିଥାଏ। ଏପରିକି ସ୍ଥଳ ବିଶେଷରେ ଠକେଇ ଟଙ୍କା ଆତଙ୍କବାଦୀ ଓ ବିଚ୍ଛିନ୍ନତାବାଦୀଙ୍କ ନିକଟରେ ପହଞ୍ଚି ଜାତୀୟ ସୁରକ୍ଷା ମଧ୍ୟ ବିପଦଗ୍ରସ୍ତ ହେବାର ଆଶଙ୍କା ଦେଖା ଦେଇଥାଏ। ଅନେକ କ୍ଷେତ୍ରରେ ଠକେଇରେ ଶିକାର ବ୍ୟକ୍ତି ବିଶେଷଙ୍କର ଠକେଇ ଯୋଗୁ ପ୍ରାଣହାନି ହୋଇଥିବାର ଖବର ମିଳୁଥିବା ବେଳେ ହଜାର ହଜାର ସଂଖ୍ୟାରେ ନାଗରିକଙ୍କ ସମ୍ପତ୍ତି ହାନି ହୋଇଥାଏ। ଏହି ପ୍ରଭାବ କେବଳ ମୁଷ୍ଟିମେୟ ବଡ଼ ବ୍ୟାଙ୍କ ଠକେଇ ପର୍ଯ୍ୟନ୍ତ ସୀମିତ ନ ରହି ସମାଜର ବିଭିନ୍ନ ବର୍ଗକୁ ବ୍ୟାପୁଥିବାର ପରିଲକ୍ଷିତ ହେଉଛି। ଉଦାହରଣ ସ୍ୱରୂପ, ଏନସିଆରବି ତଥ୍ୟ ଅନୁଯାୟୀ ଦେଶରେ ୨୦୧୪ ମସିହାରେ ପ୍ରତି ୧୦ ଲକ୍ଷ ଲୋକଙ୍କ ମଧ୍ୟରେ ୧୧୦ ଜଣ ଅର୍ଥନୈତିକ ଅପରାଧ ସହ ସମ୍ପୃକ୍ତ ଥିବା ବେଳେ ୨୦୧୭ରେ ସେହି ସଂଖ୍ୟା ୧୧୧.୩କୁ ବୃଦ୍ଧି ପାଇଛି।

ଆଗ ଅପେକ୍ଷା ଏଣିକି ବ୍ୟାଙ୍କ ଠକେଇ ଶୀଘ୍ର ଚିହ୍ନଟ ହେଉଛି ବୋଲି କହି ଆଉ କେତେ ଦିନ ପିଠି ଥାପୁଡ଼ାଇ ହେବା। ଠକେଇ ଶୀଘ୍ର ଚିହ୍ନଟ ହେବା ଯେତିକି ଗୁରୁତ୍ୱପୂର୍ଣ୍ଣ ତାଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଠକେଇକୁ ପ୍ରତିହତ କରିବା ବା ଠକେଇ ହେବାକୁ ନ ଦେବା। ରିଜର୍ଭ ବ୍ୟାଙ୍କଠାରୁ ଆରମ୍ଭ କରି ସରକାରଙ୍କ ପର୍ଯ୍ୟନ୍ତ ଠକେଇକୁ ନିୟନ୍ତ୍ରଣ କରିବା ପାଇଁ ଏତେଗୁଡ଼ିଏ ପଦକ୍ଷେପ ଗ୍ରହଣ କରିଥିଲେ ବି ତାହା ଠକେଇ ନିୟନ୍ତ୍ରଣ କରିବାରେ ସେ ଭଳି ପ୍ରଭାବୀ ହେଉ ନାହିଁ କାହିଁକି, ତାହା ତର୍ଜମା ହେବା ଆବଶ୍ୟକ। ଦେଶକୁ ୨୦୨୪-୨୫ ସୁଦ୍ଧା ପାଞ୍ଚ ଟ୍ରିଲିଅନ ଡଲାର ବା ୫ ଲକ୍ଷ କୋଟି ଡଲାର ଅର୍ଥନୀତିରେ ପରିଣତ କରିବା ଲାଗି ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ତ ନିର୍ଦ୍ଧାରିତ ସମୟରେ ପୂରଣ ହେବାର ସମ୍ଭାବନା ଦେଖା ଯାଉନାହିଁ, ହେଲେ ବ୍ୟାଙ୍କ ଠକେଇରେ ଦେଶ ନିଶ୍ଚିତ ଭାବେ ପାଞ୍ଚ ଲକ୍ଷ କୋଟି ଟଙ୍କାର ଚିହ୍ନକୁ ଛୁଇଁଛି, ଯାହା ଲଜ୍ଜାଜନକ। ୨୦୧୯-୨୦ର ତଥ୍ୟ ଅନୁଯାୟୀ ପରିମାଣ ଦୃଷ୍ଟିରୁ ଦେଶରେ ହୋଇଥିବା ବ୍ୟାଙ୍କ ଠକେଇଗୁଡିକ ମଧ୍ୟରୁ ପ୍ରାୟ ୭୬ ପ୍ରତିଶତ ୫୦ଟି ବଡ଼ ବଡ଼ ଋଣଗ୍ରହୀତାଙ୍କ ଦ୍ୱାରା ହୋଇଛି। ଦେଶର ଅର୍ଥନୀତିକୁ ବିପର୍ଯ୍ୟସ୍ତ କରୁଥିବା ଏପରି ବ୍ୟକ୍ତିବିଶେଷ ଦେଶଦ୍ରୋହୀଙ୍କଠାରୁ କୌଣସି ଗୁଣରେ ଊଣା ନୁହନ୍ତି। ତେଣୁ ପ୍ରତି ବର୍ଷ ଦେଶରେ ବ୍ୟାଙ୍କ ବ୍ୟବସ୍ଥାକୁ ଠକାଇଥିବା ୫୦ ଜଣ ସର୍ବବୃହଦ୍ ଠକଙ୍କ ନାମ ରିଜର୍ଭ ବ୍ୟାଙ୍କ ତରଫରୁ ସର୍ବସାଧାରଣରେ ପ୍ରକାଶ କରି ସେମାନଙ୍କୁ ନିନ୍ଦିତ କରିବାର ଆବଶ୍ୟକତା ରହିଛି। ଏଥି ସହ କେଉଁ ବଡ଼ ଠକଠାରୁ ଠକିଥିବା କେତେ ପରିମାଣର ରାଶି ଆଦାୟ ହେଲା ତାହାର ସୂଚନା ରିଜର୍ଭ ବ୍ୟାଙ୍କ ପ୍ରତି ବର୍ଷ ପ୍ରଦାନ କରିବା ଆବଶ୍ୟକ। ସମଗ୍ର ବ୍ୟାଙ୍କ ବ୍ୟବସ୍ଥା ବିଶ୍ୱାସ ଓ ଭରସା ଉପରେ ପ୍ରତିଷ୍ଠିତ ହୋଇଥିବାରୁ ଘନ ଘନ ବ୍ୟାଙ୍କ ଠକେଇର ଖବର ସାଧାରଣ ଜନତାଙ୍କ ମଧ୍ୟରେ ବ୍ୟାଙ୍କ ବ୍ୟବସ୍ଥା ପ୍ରତି ସନ୍ଦେହ ଉତ୍ପନ୍ନ କରିଥାଏ, ଯାହା ବ୍ୟାଙ୍କଗୁଡ଼ିକର ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠାଇବା ସହ ସେଗୁଡ଼ିକୁ ବିଶ୍ୱାସ ସଙ୍କଟର ଦ୍ୱାର ଦେଶକୁ ଠୋଲି ଦେଇଥାଏ। ଯେ କୌଣସି ଦେଶର ଅର୍ଥନୀତିର ବିକାଶ ଅନେକାଂଶରେ ସେହି ଦେଶର ଏକ ବଳିଷ୍ଠ ବ୍ୟାଙ୍କିଙ୍ଗ ବ୍ୟବସ୍ଥା ଉପରେ ନିର୍ଭର କରିଥାଏ। ତେଣୁ ବ୍ୟାଙ୍କ ଠକେଇକୁ ଉଚିତ ଢଙ୍ଗରେ ପ୍ରତିହତ କରିବା ପାଇଁ ସରକାର, ରିଜର୍ଭ ବ୍ୟାଙ୍କ ଓ ବ୍ୟାଙ୍କଗୁଡିକୁ ଅବିଳମ୍ୱେ ପ୍ରଭାବୀ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ଅନୁଭୂତ ହେଉଛି।

ଭୁବନେଶ୍ଵର, ମୋ. ୯୪୩୭୦୩୮୦୧୫

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe