ସେତେବେଳେ କୋଉଠି ଥିଲ ?

ରାଜସ୍ଥାନର ଜଣେ ବନ୍ଧୁଙ୍କ ସହିତ ହ୍ୱାଟ୍ସଆପରେ କଥାହେବା ବେଳେ ସେ କହିଲେ ଯେ ବର୍ତ୍ତମାନର କଂଗ୍ରେସ ସରକାର ବିରୋଧରେ ଲେଖିବା ମୁସ୍କିଲ ହେଲାଣି। ଯାହା ବି ଗଠନମୂଳକ ସମାଲୋଚନା ଲେଖିଲେ ସଂଗେ ସଂଗେ କଂଗ୍ରେସ ଆଇଟି ସେଲ ସଦସ୍ୟ ଟ୍ରୋଲ କରିବା ଆରମ୍ଭ କରୁଛନ୍ତି ଏବଂ କହୁଛନ୍ତି ଯେ ବିଜେପି ସରକାର ବେଳେ କୋଉଠି ଥିଲ? ସେ ଆହୁରି ମଧ୍ୟ ଯୋଡି କହିଲେ ଯେ ବିଜେପି ସରକାରକୁ ସମାଲୋଚନା କଲାବେଳେ ମଧ୍ୟ ସେମାନେ ସେହି କଥା କହୁଥିଲେ […]

Apurba (1)

Tapas Behera
  • Published: Tuesday, 26 May 2020
  • , Updated: 26 May 2020, 06:28 PM IST

ରାଜସ୍ଥାନର ଜଣେ ବନ୍ଧୁଙ୍କ ସହିତ ହ୍ୱାଟ୍ସଆପରେ କଥାହେବା ବେଳେ ସେ କହିଲେ ଯେ ବର୍ତ୍ତମାନର କଂଗ୍ରେସ ସରକାର ବିରୋଧରେ ଲେଖିବା ମୁସ୍କିଲ ହେଲାଣି। ଯାହା ବି ଗଠନମୂଳକ ସମାଲୋଚନା ଲେଖିଲେ ସଂଗେ ସଂଗେ କଂଗ୍ରେସ ଆଇଟି ସେଲ ସଦସ୍ୟ ଟ୍ରୋଲ କରିବା ଆରମ୍ଭ କରୁଛନ୍ତି ଏବଂ କହୁଛନ୍ତି ଯେ ବିଜେପି ସରକାର ବେଳେ କୋଉଠି ଥିଲ? ସେ ଆହୁରି ମଧ୍ୟ ଯୋଡି କହିଲେ ଯେ ବିଜେପି ସରକାରକୁ ସମାଲୋଚନା କଲାବେଳେ ମଧ୍ୟ ସେମାନେ ସେହି କଥା କହୁଥିଲେ ଯେ କଂଗ୍ରେସ ସରକାର ବେଳେ କେଉଁଠି ଥିଲ? ତା’ପରେ ଯାହା ଇଚ୍ଛା ତାହା ଗାଳି। କେତେ କାହା ବିରୁଦ୍ଧରେ କେସ୍‌ ଦେବ ବା ଅଭିଯୋଗ କରିବ! ବରଂ ଭଲ ହେବ ସରକାରୀ ମୁଖପାତ୍ର ବନିଯିବା।
ମତେ ପଚାରିଲେ, "ତୁମ ଆଡେ ଏମିତି ହୁଏ କି?

ସତକଥା ହେଲା ବର୍ତ୍ତମାନ ସମୟରେ ରାଜନୀତିରେ ନିଜ ପତିଆରା ବଜାୟ ରଖିବା ପାଇଁ ବିଭିନ୍ନ ଦଳ ପାଇଁ ଟ୍ରୋଲ ବାହିନୀର ବ୍ୟବହାର ଅପରିହାର୍ଯ୍ୟ ହୋଇପଡ଼ିଲାଣି। ମୁଁ ଶୁଣିଛି ଯେ କିଛି ବ୍ୟକ୍ତି ପାରିଶ୍ରମିକ ନେଇ ଏଭଳି କାର୍ଯ୍ୟ କରୁଛନ୍ତି। ଏମାନେ ଏତେ ପେସାଦାର ଯେ, ପ୍ରସଙ୍ଗକୁ ଅପ୍ରସଙ୍ଗ ସହିତ ତୁଳନା କରି ଏବଂ ମିଥ୍ୟାକୁ ସତ ଢଙ୍ଗରେ ଦର୍ଶାଇ ଲୋକଙ୍କୁ ବାଟବଣା କରିଦେବାରେ ଓସ୍ତାଦ।
ଆପଣଙ୍କ ମନରେ ପ୍ରଶ୍ନ ଉଠିପାରେ କି ଲୋକ କ’ଣ ଏତେ ମୂର୍ଖ ଯେ ଏମାନଙ୍କୁ ସହଜରେ ଭୁଆଁ ବୁଲାଇ ହେଉଛି? ଆଜ୍ଞା ଆପଣ କୁହନ୍ତୁ ଯେ କେତେଜଣ ଲୋକ ଭୁଲଠିକ ପରଖନ୍ତି? ବରଂ ଆଖିରେ ଯାହା ପଡ଼ ତାକୁ ନେଇ କେବଳ ଆକଳନ ହିଁ କରନ୍ତି। ତେଣୁ ଏହି ଟ୍ରୋଲ ଦଳ ତାଙ୍କର ବିଶ୍ୱାସନୀୟତା ହାସଲ କରିନିଅନ୍ତି।

କିନ୍ତୁ ଯେତେବେଳେ ସାମ୍ବାଦିକ କିମ୍ବା ଅନ୍ୟ କୌଣସି ବ୍ୟକ୍ତି ଵିଶେଷ ଯାହାର ସମ୍ପୃକ୍ତ ଘଟଣା ଉପରେ କିଛି ଜ୍ଞାନ ଥାଏ ଏବଂ ସେ ମିଥ୍ୟା ଉପରୁ ପରଦା ହଟାଇବାକୁ ବଳିଷ୍ଠ ଯୁକ୍ତି ରଖିବା ଆରମ୍ଭ କରନ୍ତି ଠିକ ସେତିକିବେଳେ ମିଥ୍ୟା ଉପରୁ ପରଦା ହଟିଗଲେ ନିଜ ରାଜନୈତିକ ସ୍ୱାର୍ଥ ପାଇଁ ଲୋକଙ୍କୁ ଆଉ ଭୁଆଁ ବୁଲାଇବା ସମ୍ଭବ ନୁହେଁ ଜାଣି ରାଜନୈତିକ ଦଳର ଟ୍ରୋଲ ବାହିନୀ ଶଣ୍ଢୁଆଷି ଆକ୍ରମଣ କରିବା ଆରମ୍ଭ କରିଦିଅନ୍ତି। ସେତେବେଳେ ସେମାନେ ବର୍ତ୍ତମାନର ପରିସ୍ଥିତିକୁ ୨୦/୩୦ ବର୍ଷ ତଳର ପରିସ୍ଥିତି ସହିତ ତୁଳନା କରି ବର୍ତ୍ତମାନର ସମସ୍ୟାକୁ ଗୌଣ କରିବା ପାଇଁ ଚେଷ୍ଟା କରନ୍ତି।

ପ୍ରଶ୍ନ ଉଠାଯାଏ ଯେ ସେତେବେଳେ କୋଉଠି ଥିଲ? ଏହି ପ୍ରଶ୍ନଟି ପ୍ରସଙ୍ଗ ଉପରୁ ଧ୍ୟାନ ଉଠାଇଦିଏ। ସମସ୍ୟାର ସମାଧାନ ଦିଗରେ ନଧାଇଁ ପଂଝେ ଏପଟେ ଯୁକ୍ତି କରନ୍ତି ତ ପଂଝେ ସେପଟେ। ଆଉ ଏହାରି ଭିତରେ ପ୍ରସଙ୍ଗଟି ବାଟବଣା ହେଇଯାଏ।
ତେଣୁ ‘ସେତେବେଳେ କେଉଁଠି ଥିଲ?’ ପ୍ରଶ୍ନଟିକୁ ଆଜିକାଲି ରାଜନୈତିକ ଦଳର ଟ୍ରୋଲ ବାହିନୀ ନିଜ ମୁନିବମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ଏକ ବ୍ରହ୍ମାସ୍ତ୍ର ଭଳି ପ୍ରୟୋଗ କରୁଛନ୍ତି। ଏଭଳି ପ୍ରଶ୍ନ ପ୍ରତି ସତର୍କ ରୁହନ୍ତୁ ଏବଂ ଯଦି ଆପଣ ସଠିକ ଏବଂ ବଳିଷ୍ଠ ଯୁକ୍ତି ଉପସ୍ଥାପନ କରୁଛନ୍ତି ତାହେଲେ ଏସବୁକୁ ନଜର ଅନ୍ଦାଜକରନ୍ତୁ।

ଆଉ ରହିଲା ଆମ ରାଜ୍ୟ କଥା। ବିଜେପି, ବିଜେଡି ଏବଂ କଂଗ୍ରେସ କ୍ରମାନ୍ଵୟରେ ନିଜ ନିଜ ସ୍ଥାନ ଅକ୍ତିଆର କରିଛନ୍ତି ଏହି କ୍ଷେତ୍ରରେ। କେନ୍ଦ୍ର ସରକାରଙ୍କ କୌଣସି ନୀତିକୁ ସମାଲୋଚନା କଲେ ବିଜେପି ଆଇଟି ସେଲର ସଦସ୍ୟମାନେ ପ୍ରବଳ ଗାଳି କରନ୍ତି, ରାଜ୍ୟ ସରକାରଙ୍କ ନୀତିକୁ ସମାଲୋଚନା କଲେ ବିଜେଡି ଆଇଟି ସେଲର ସଦସ୍ୟ ଟ୍ରୋଲ କରନ୍ତି। କଂଗ୍ରେସର ପ୍ରାଦୁର୍ଭାବ ଆମ ରାଜ୍ୟରେ ଟିକେ କମ। କାରଣ ଯେତେବେଳେ ଦଳରେ ସାଧାରଣ କର୍ମୀଙ୍କ ସଂଖ୍ୟା ଅତିକମ ସେତେବେଳେ ଆଇଟି ସେଲ ପାଇଁ କର୍ମୀ ଯୋଗାଡ଼ କରିବା ବୋଧହୁଏ କାଠିକର ପାଠ ହେଉଛି। କିନ୍ତୁ ଊଣା ଅଧିକେ ସବୁଦଳର ଏହି ସର୍ବନାଶ ବାହିନୀ ଏବେ ନିଜ ନିଜ କର୍ଯ୍ୟରେ ଲାଗି ପଡିଛନ୍ତି।

Related story