ଆଗାମୀ ଦିନର ଟିଭି ଆଲୋଚନାରେ ଏଣିକି ଆମେ ଶାସକ ବିଜୁ ଜନତା ଦଳର ପ୍ରତିନିଧିଙ୍କୁ ମୁଣ୍ଡରେ ଚନ୍ଦନ ଓ ସିନ୍ଦୁର ଲଗାଇ, କାନରେ ଫୁଲ ଖୋସି, ଖୋଲା ଦେହରେ କାନ୍ଧ ଉପର ପଇତାକୁ ଦେଖାଇ ଉପସ୍ଥାପକଙ୍କ ପ୍ରଶ୍ନର ଉତ୍ତର ଦେଉଥିବା ଦେଖିବା। ସେମାନେ ହୁଏତ ହାତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ଧରିଥିବେ ଓ କୌଣସି ବି ପ୍ରଶ୍ନର ଉତ୍ତର ଦେବା ପୂର୍ବରୁ ଫଟୋକୁ ବାରମ୍ବାର ପ୍ରଣାମ କରୁଥିବେ।
ବିଜେଡି ସଦସ୍ୟ ଯେତେବେଳେ ଜାଣିଯିବେ ଯେ ତାଙ୍କର ସୁପ୍ରିମୋ ହିନ୍ଦୁ ଧର୍ମର ପୂଜା ଓ ରୀତିନୀତିକୁ ଅତ୍ୟଧିକ ଭଲ ପାଉଛନ୍ତି ସେତେବେଳେ ଦଳର ସମସ୍ତ ସଦସ୍ୟଙ୍କ ହୁଲିଆ ବଦଳିଯିବ। ସେମାନେ ନିଜ ନିର୍ବାଚନ ମଣ୍ଡଳୀରେ ଏମଏଲଏ ପାଣ୍ଠିରେ ଅନେକ ମନ୍ଦିର ତିଆରି କରିନେବେ। ରାଜ୍ୟରେ ସମୁଦାୟ ଘର ସଂଖ୍ୟାଠାରୁ ମନ୍ଦିରଙ୍କ ସଂଖ୍ୟା ଅଧିକ ହୋଇଯିବ।
ଗଲା କିଛି ବର୍ଷ ହେଲା ରାଜ୍ୟ ସରକାର ମନ୍ଦିରମାନଙ୍କୁ ‘ଉଦ୍ଧାର’ କରିବା କାର୍ଯ୍ୟରେ ସରକାରୀ ଅର୍ଥ ପାଣି ଭଳି ଖର୍ଚ୍ଚ କରୁଛନ୍ତି। ବଜେଟରେ ଏଥିଲାଗି କୌଣସି ଅର୍ଥ ଅନୁଦାନ ହୋଇନାହିଁ। ତେଣୁ, ମନ୍ଦିରକୁ କୋଟି କୋଟ ଟଙ୍କାର ସହଯୋଗ ଦେଇ ଏହାକୁ ବିଶାଳ କରିବା ଦ୍ଵାରା ଏଥିରେ ବ୍ରାହ୍ମଣ ପୂଜକଙ୍କ ନିଯୁକ୍ତି ସ୍ଵାଭାବିକ ଭାବରେ ବଢିବ।
ରାଜ୍ୟ ସରକାର ଏହା ଦ୍ୱାରା ରାଜ୍ୟରେ ଅଧିକ ଚାକିରି ସୃଷ୍ଟି କରିଥିବାର ଯୁକ୍ତି ନିଜର ଶ୍ରମ ବିଭାଗର ରିପୋର୍ଟରେ ପ୍ରକାଶ କରିବେ ଓ ହୁଏତ ବିଧାନସଭାରେ ଯୁକ୍ତି ମଧ୍ୟ କରିବେ। ବ୍ରାହ୍ମଣ ପୂଜକମାନଙ୍କ ନିଯୁକ୍ତି ଦ୍ଵାରା ରାଜ୍ୟର ବେକାରୀ ଯେ ସଂପୂର୍ଣ୍ଣ ଦୂରୀଭୂତ ହୋଇଯାଇଛି ସେ କଥା ଟିଭିରେ ସରକାରୀ ଦଳ ସଦସ୍ୟ ନିଶ୍ଚିତ ଯୁକ୍ତି ରଖିବେ।
ଆଜି ସରକାରୀ ଅର୍ଥରେ ସୁନ୍ଦର ଦେଖାଯାଉଥିବା ମନ୍ଦିରର ପ୍ରବେଶ ଦ୍ଵାର ନିକଟରେ ମୁଖ୍ୟମନ୍ତ୍ରୀଙ୍କ ବିରାଟ ହୋର୍ଡିଙ୍ଗ ଲାଗିଛି। ହୁଏତ କେବେ କୌଣସି ଦାତା ଦେବତା ସାମ୍ନାରେ ନିଜକୁ ଅତି ଛୋଟ ମନେକରି ନିଜର ନାମକୁ ପ୍ରକାଶ କରୁନଥିଲେ। ଏବେ କିନ୍ତୁ ଭକ୍ତମାନେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଥମେ କୃତଜ୍ଞତା ଜ୍ଞାପନ କରି ମନ୍ଦିର ମଧ୍ୟରେ ରହିଥିବା ତାଙ୍କ ଭଗବାନଙ୍କୁ ଦେଖିବା ଲାଗି ଯାଉଛନ୍ତି।
ସରକାରୀ ଅର୍ଥ କହିଲେ କେବଳ ହିନ୍ଦୁ ଉଚ୍ଚ ଜାତିର ଟିକସରେ ସେହି ଅର୍ଥ ତିଆରି ହୋଇନାହିଁ। ଏଥିରେ ମୁସଲମାନ, ଖ୍ରୀଷ୍ଟିୟାନ, ଆଦିବାସୀ ଇତ୍ୟାଦି ସମସ୍ତେ ଟିକସ ଦେଇ ସେହି ଅର୍ଥକୁ ବଢାଇଛନ୍ତି। ସରକାରୀ ଅର୍ଥରେ ମୁଖ୍ୟମନ୍ତ୍ରୀଙ୍କ ଭଲ ପ୍ରଚାର ଏହା ଦ୍ୱାରା ହୋଇପାରୁଛି। ଏହାକୁ ନେଇ ମନ୍ଦିର କମିଟି ମଧ୍ୟ କେବେ ପ୍ରଶ୍ନ କରିନାହିଁ।
ଏହା କୌଣସି ଅନୁମାନ ନୁହେଁ। ଅତୀତରେ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତା ଠିକ ଏହା ହିଁ କରୁଥିଲେ। ଜୟଲଳିତାଙ୍କ କାର୍ଯ୍ୟଶୈଳୀ ଓଡ଼ିଶାର ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଶୈଳୀ ମଧ୍ୟରେ ଅନେକ ସାମଞ୍ଜସ୍ୟ ରହିଛି। ଉଭୟେ ଉଚ୍ଚ ଜାତିରୁ ଆସିଛନ୍ତି, ଉଭୟ କେବେ ଲୋକଙ୍କ ସହିତ କୌଣସି ସମାନ ବା ସିଧା ସମ୍ପର୍କ ରଖିନାହାନ୍ତି। କିନ୍ତୁ ଉଭୟ ଅନେକ କଲ୍ୟାଣକାରୀ ଯୋଜନା ଗରିବଙ୍କ ନାମରେ ଆରମ୍ଭ କରିଛନ୍ତି। ଉଭୟ ଗଣତନ୍ତ୍ରକୁ ନିଜ ଲାଗି ବ୍ୟବହାର କରିଛନ୍ତି, କେବେ ଲୋକଙ୍କ ନିକଟରେ ଉତ୍ତରଦାୟୀ ହେବା ଲାଗି ମନେକରିନାହାନ୍ତି। ଉଭୟଙ୍କ ସମ୍ପତ୍ତି ସାଧାରଣ ରାଜ୍ୟବାସୀଙ୍କ ହାରାହାରି ସମ୍ପତ୍ତିଠାରୁ ଲକ୍ଷେ ଗୁଣାରେ ଅଧିକ।
ଉଭୟେ ମନ୍ଦିର ତୋଳିବା ଓ ମନ୍ଦିରକୁ ସରକାରୀ ଅନୁଦାନ ଦେବାରେ ବଜେଟରୁ ଅଧିକ ଅର୍ଥ ଖର୍ଚ୍ଚ କରିଛନ୍ତି। ଜୟଲଳିତା ତାମିଲନାଡୁର ୫୦୦ ମନ୍ଦିରର ଉନ୍ନତି ଲାଗି ‘ଅନ୍ନଧନମ’ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଓଡ଼ିଶାରେ ‘ଅଭଡା କାର୍ଯ୍ୟକ୍ରମ’ରୁ ଆରମ୍ଭ ହୋଇଥିବା ମନ୍ଦିର ସୌନ୍ଦର୍ଯ୍ୟକରଣ କାର୍ଯ୍ୟକ୍ରମ ଏବେ ହୁଏତ ୫୦୦ରୁ ଅଧିକ ମନ୍ଦିର ନିକଟରେ ପହଞ୍ଚିଯାଇଥିବ। ଏକ ଅନୁମାନ ଯେ, ଓଡ଼ିଶା ସରକାର ଏଥିରେ ଏଯାଏଁ ୭୦୦୦ କୋଟି ଟଙ୍କା ଖର୍ଚ୍ଚ କରିସାରିଲେଣି।
ଦୁଃଖଦ ସ୍ଥିତିରେ ଜୟଲଳିତାଙ୍କର ମୃତ୍ୟୁ ହୋଇଗଲା। ଅବଶ୍ୟ ଏଆଇଏଡିଏମକେର ସଦସ୍ୟମାନେ ଏବେ ଆଉ ମୁଣ୍ଡରେ ପାଉଁଶ ଓ ସିନ୍ଦୁର ଲଗାଇ ଯେଉଁଭଳି ଜୟଲଳିତାଙ୍କ ଜୀବିତ ଅବସ୍ଥାରେ ହେଉଥିଲେ ସେଭଳି ହେଉନାହାନ୍ତି। କିନ୍ତୁ ଏଆଇଏଡିଏମକେ ଯେଉଁ ମନ୍ଦିର ରାଜନୀତି ଆରମ୍ଭ କରିଥିଲା ଆଜି ନୁତନ ଡିଏମକେ ସରକାର ସେଥିରୁ ମୁକ୍ତ ହେଉନାହିଁ। ଡିଏମକେର ମୁଖ୍ୟ ନିଜକୁ ହେତୁବାଦୀ ଓ ପେରିୟାରଙ୍କ ଶିଷ୍ୟ କହୁଥିଲେ ମଧ୍ୟ ବାସ୍ତବରେ ସେ ବି ମନ୍ଦିର ପ୍ରତିଷ୍ଠାରେ ଲାଗିଛନ୍ତି। ଓଡ଼ିଶାରେ ବିରୋଧୀ ଦଳଗୁଡ଼ିକର ଭାଷା ସରକାରୀ ଦଳ ଅନୁରୂପ। ଏଠାରେ ପ୍ରକୃତ ବିରୋଧୀ ଦଳ କହିଲେ ଏଠାର ଜନସଙ୍ଗଠନ ଯେଉଁମାନେ ନିର୍ବାଚନ ରାଜନୀତିରେ ନାହାନ୍ତି, କିନ୍ତୁ, ପ୍ରତିଦିନ, ସରକାରୀ ଦମନର ଶିକାର ହେଉଛନ୍ତି।
ଏହା ସ୍ପଷ୍ଟ ଯେ ବିଜେଡ଼ି ଆଜି ଭାରତୀୟ ଜନତା ପାର୍ଟି ବା ବିଜେପି ସହିତ ପ୍ରତିଯୋଗୀତା କରି ମନ୍ଦିର ତୋଳିବାରେ ଲାଗିଛି। ବିଜେପି ଆକ୍ରମଣାତ୍ମକ ରାଜନୀତିରେ ବିଶ୍ଵାସ କରିଥାଏ ଓ କ୍ଵଚିତ ଏହା ନିଜର ପ୍ରତିଯୋଗୀଙ୍କ ଭିନ୍ନମତକୁ ସହ୍ୟ କରିଥାଏ। ବିଜେପିର କେନ୍ଦ୍ରୀୟ ନେତୃତ୍ଵ ବିପଦ ସମୟରେ ବିଜେଡି ଉପରେ ନିର୍ଭର କରୁଥିବା ହେତୁ ସେମାନେ ଏଭଳି ପ୍ରତିଯୋଗୀତାକୁ ନେଇ ଚିନ୍ତିତ ନୁହନ୍ତି। ସେମାନେ କେନ୍ଦ୍ରରେ ସ୍ଥାୟୀ ସରକାର ଚାହୁଁଛନ୍ତି, ରାଜ୍ୟରେ ନୁହେଁ, କାରଣ, ବିଜେଡ଼ି ପରେ ରାଜ୍ୟରେ ସେମାନେ ଏମିତି ବି ଦ୍ୱିତୀୟ ସଂଖ୍ୟାଗରିଷ୍ଠ ଦଳ। ବିଜେପି ଠିକ ଏହି ଭଳି ସମ୍ପର୍କ ଏଆଇଏଡିଏମକେ ସହିତ ରଖିଥିଲା। ଏହି ଦଳ ଦୁର୍ବଳ ହେବା ସହିତ ତାମିଲନାଡୁରେ ବିଜେପି ଶକ୍ତିଶାଳୀ ହେଉଛି। ଅବଶ୍ୟ ଭଲ ହୋଇଛି, ବିଜେପି କେନ୍ଦ୍ର ନେତୃତ୍ଵ ଓଡ଼ିଶାକୁ ଗୁରୁତ୍ଵ ଦେଉନଥିବା କାରଣରୁ ଓଡ଼ିଶାରେ ରାଜନୈତିକ ହିଂସା କମ ଦେଖାଯାଉଛି। ନହେଲେ, ଗୃହମନ୍ତ୍ରୀ ପ୍ରତି ହିଂସାତ୍ମକ ଘଟଣାରେ ଆସି ପହଞ୍ଚିଯାଇଥାନ୍ତେ।
ଦେଶର ସାଂପ୍ରଦାୟିକ ଶକ୍ତି ବିଜେଡ଼ିର ମନ୍ଦିର ରାଜନୀତିରେ ଅଧିକ ଖୁସି ଜଣାପଡୁଛି। ସେମାନେ ଜାଣିଛନ୍ତି ଯେ ସେମାନେ ଚାହୁଁଥିବା ଜାତିଗତ ବୈଷମ୍ୟ ଓ ଧାର୍ମିକ ଅସହିଷ୍ଣତା ଏମିତି ବି ରାଜ୍ୟରେ ବଢ଼ିବାରେ ଲାଗିଛି। ଆସନ୍ତା ଦିନରେ ବିଜେଡ଼ି ସମାପ୍ତ ହୋଇଗଲେ ସବୁଠାରୁ ଅଧିକ ଫାଇଦା ସେମାନେ ନେବେ।
ଓଡ଼ିଆ ସହରୀ ମଧ୍ୟବିତ୍ତ ସମାଜ ଆମ ସମାଜର ନିମ୍ନ ବର୍ଗର ଲୋକଙ୍କୁ ଓ ଖ୍ରୀଷ୍ଟିୟାନ ତଥା ମୁସଲମାନ ବର୍ଗର ଲୋକଙ୍କୁ ଏମିତି ବି ଘୃଣା କରିବା ଆରମ୍ଭ କରିଦେଇଛନ୍ତି। ଆଗାମୀ ଦିନରେ ଏଥିଲାଗି ସାଂପ୍ରଦାୟିକ ଶକ୍ତିକୁ ବିଶେଷ କିଛି କରିବାକୁ ହେବ ନାହିଁ। ଧର୍ମ ଓ ଦେଶପ୍ରେମ କହିଲେ ମନ୍ଦିରର ଅନୁଶାସନକୁ ମାନିବା, ଏହାର ଅଧିକ ଉଦାହରଣ ଦେଖିବାକୁ ମିଳିବ।
ଜାତିପ୍ରଥାର ବିଲୋପ ପାଇଁ ପ୍ରଗତିଶୀଳ ଗୋଷ୍ଠୀ ସବୁଠାରେ ଉଦ୍ୟମ କରିଥା’ନ୍ତି। କିନ୍ତୁ ମନ୍ଦିର ସର୍ବଦା ଜାତିପ୍ରଥାକୁ କାଏମ ରଖିଥାଏ। ନିମ୍ନ ବର୍ଗକୁ ଅସମ୍ମାନ କରିବା ମନ୍ଦିର ସଂସ୍କୃତିର ଚରିତ୍ର। ଦଳିତ ବର୍ଗର ମନ୍ଦିରରେ ପ୍ରବେଶାଧିକାର ଆଜି ବି ଅନେକ ମନ୍ଦିରରେ ନାହିଁ। ଦଳିତ ବର୍ଗର ଲୋକେ ସାମାଜିକ ବୈଷମ୍ୟ ବିରୁଦ୍ଧରେ ପ୍ରତିବାଦ କରିବାକୁ ଯାଇ ଉଚ୍ଚ ଜାତି ଦ୍ଵାରା ହିଂସାର ଶିକାର ହେଲେ ପୁଲିସ ଓ ପ୍ରଶାସନର ସକ୍ରିୟ ସହଯୋଗ ଏଣିକି ପାଇବେ ନାହିଁ। କାରଣ ଦୋଷୀ ଯିଏ ସେ ମନ୍ଦିର କମିଟିର ସଦସ୍ୟ ରହିଥିବେ। ଏପରି ଘଟଣାକୁ ଚାପିଦେବା ଲାଗି ସମସ୍ତେ ଉଦ୍ୟମ କରିବେ, ନହେଲେ, ମୁଖ୍ୟମନ୍ତ୍ରୀଙ୍କ ଅସମ୍ମାନ ହେବ ବୋଲି କହିବେ।
ବିଜେଡ଼ି ଲାଗି ଆଦିବାସୀ ଓ ଦଳିତ ବର୍ଗ କେବେ ବି ମୁଖ୍ୟ ପ୍ରସଙ୍ଗ ନଥିଲେ। ୨୦୦୦ ମସିହାରୁ ବିଜେଡ଼ି କେବଳ ଖଣି ଓ ମଦ ଅର୍ଥନୀତି ଉପରେ ନିର୍ଭର କରିଆସିଛି। ଏହି ସମାନ କଥା ଜୟଲଳିତା କରୁଥିଲେ। କୁଦଲକୁଲମରେ ଆଣବିକ ପ୍ରକଳ୍ପ ଓ ତୁଟିକୁରିନର ଷ୍ଟେରଲାଇଟ ଇତ୍ୟାଦି କମ୍ପାନୀ ତାଙ୍କ ଲାଗି ପ୍ରାଥମିକ ଥିଲେ। ଏହାକୁ ବିରୋଧା କରୁଥିବା ପଞ୍ଚାୟତ ଓ ସହରର ୱାର୍ଡବାସୀଙ୍କୁ ସେ ଶହ ଶହ ସଂଖ୍ୟାରେ ରାଜଦ୍ରୋହ ଅପରାଧରେ ଗିରଫ କରିଥିଲେ। ଷ୍ଟେରଲାଇଟର ପ୍ରଦୂଷଣ ବିରୁଦ୍ଧରେ ରାଲି କରି ଯାଉଥିବା ତୁଟିକୁରିନବାସୀଙ୍କ ଉପରକୁ ପୁଲିସ ଗାଡ଼ି ଉପରୁ ପ୍ରାଇଭେଟ ବ୍ୟକ୍ତି ଗୁଳି କରୁଥିବା ଦୃଶ୍ୟ ଏବେ ବି ମନେପଡ଼େ। ସତରେ ଧର୍ମକୁ ସମ୍ମାନ ଦେଉଥିବା ବ୍ୟକ୍ତି ଏଭଳି କାର୍ଯ୍ୟକୁ କେବେ ପ୍ରଶ୍ରୟ ଦେଇପାରେ ନାହିଁ।
ଓଡ଼ିଶାରେ ରାୟଗଡ଼ା ଜିଲ୍ଲା ମାଇକଞ୍ଚ ପୁଲିସ ଗୁଳିକାଣ୍ଡ, କଳିଙ୍ଗ ନଗର ଗୁଳିକାଣ୍ଡ ଓ ଢିଙ୍କିଆରେ ପୁଲିସର ଗଲା ଜାନୁଆରୀ ୧୪ (୨୦୨୨)ର ଅତି ବର୍ବର କାର୍ଯ୍ୟ ପଛରେ ରାଜ୍ୟ ସରକାରଙ୍କ ଭୂମିକା ବେଶ ସ୍ପଷ୍ଟ। ସରକାରଙ୍କ ମନ୍ତ୍ରୀମଣ୍ଡଳ, ଏମଏଲଏ ଓ ସରକାରୀ ସଚିବ ସମାନ ଶବ୍ଦରେ ପ୍ରକଳ୍ପକୁ ବିରୋଧ କରୁଥିବା ଚାଷୀ ଓ ଆଦିବାସୀଙ୍କୁ ତିରସ୍କାର କରିଥା’ନ୍ତି।
ଓଡ଼ିଶାରେ ନ୍ୟାୟାଳୟ ସର୍ବଦା ମନେକରିଛନ୍ତି ଯେ ଚାଷୀ ଓ ଆଦିବାସୀମାନେ ନିଜର ଅଧିକାର ଲାଗି ଲଢ଼େଇ କରିବା ସମାଜ ବିରୋଧୀ ଓ ରାଷ୍ଟ୍ର ବିରୋଧୀ କାର୍ଯ୍ୟ। ତେଣୁ ପୁଲିସ ମିଥ୍ୟା କେସରେ ଥାର୍ଡ ଡିଗ୍ରୀ ପ୍ରୟୋଗ କରି ଗିରଫ କରିଥିଲେ ମଧ୍ୟ ଜାମିନ ଆବେଦନକୁ କୋର୍ଟ ବାରମ୍ବାର ପ୍ରତ୍ୟାଖ୍ୟାନ କରିଦିଅନ୍ତି। କମ୍ପାନୀଙ୍କ ବିକାଶ ଯୋଜନା ତାଙ୍କୁ ଅନ୍ଧ କରିଦେଇଛି।
ଗଣମାଧ୍ୟମ କେବେଠାରୁ ପ୍ରାଇଭେଟ କମ୍ପାନୀଙ୍କ ସପକ୍ଷରେ ଯୁକ୍ତି କରିବା ଆରମ୍ଭ କରିଦେଇଛି। ଚାକିରି କରିଥିବା ସାମ୍ବାଦିକ ବନ୍ଧୁମାନେ ସ୍ଵୀକାର କରନ୍ତି ଯେ, ଯଦି ବି କୌଣସି ବୃହତ କମ୍ପାନୀ କୌଣସି ଓଡ଼ିଆ ଶ୍ରମିକ ବା ପାର୍ଶ୍ଵବର୍ତ୍ତୀ ଚାଷୀଙ୍କର ହତ୍ୟା କରିଦିଏ ତେବେ କମ୍ପାନୀର ନାମ ନନେଇ ଉକ୍ତ ସମ୍ବାଦ ବା ଖବର କେଉଁଭଳି ଦିଆଯିବ ତାହା ସେମାନେ ଶିଖିଗଲେଣି।
ଓଡ଼ିଆ ସାହିତ୍ୟର କବି ଓ ଗାଳ୍ପିକ ମଧ୍ୟ କମ୍ପାନୀ ପ୍ରୋତ୍ସାହିତ ସାହିତ୍ୟ ଉତ୍ସବରେ ପ୍ରଗତିଶୀଳ କବିତା ପାଠ କରି ପ୍ରଶଂସା ନିଅନ୍ତି। ସେମାନଙ୍କ ବିବେକ ଏଥିଲାଗି କେବେ ବାଧା ଦେଇନାହିଁ।
ଦିନେ ଶାହା କମିଶନଙ୍କ ଲାଗି ବିଜେଡିର ଖଣି ଦୁର୍ନୀତି ସମ୍ବାଦ ଦାଣ୍ଡରେ ଗଡୁଥିଲା। ଆଜି କିନ୍ତୁ ରାଜ୍ୟର ବିକାଶ କେବଳ ପ୍ରାଇଭେଟ କମ୍ପାନୀଙ୍କ ଜମି ଅଧିଗ୍ରହଣ ଦ୍ଵାରା ସମ୍ଭବ ହେବ ବୋଲି ନ୍ୟାୟାଳୟ, ପ୍ରଶାସନ, ପୁଲିସ, କବି ଓ ଗାଳ୍ପିକ କେବଳ ବିଶ୍ଵାସ କରୁନାହାନ୍ତି ନୁହେଁ ମୁଖ୍ୟମନ୍ତ୍ରୀଙ୍କ ଏଜେଣ୍ଡାକୁ ନିଜର ହୃଦୟ ଦେଇ ପାଳନ ମଧ୍ୟ କରୁଛନ୍ତି। କେହି କେହି ତ ଯୁକ୍ତି କରୁଛନ୍ତି ଯେ କମ୍ପାନୀମାନେ ନଥିଲେ ଆମର ସାହିତ୍ୟ, ଆମର ଗର୍ବ, ଆମର ଐତିହ୍ୟ ମଧ୍ୟ ରୁହନ୍ତା ନାହିଁ!
ଆଜି ବହୁରାଷ୍ଟ୍ରୀୟ କମ୍ପାନୀଙ୍କ ବିନା ଉପସ୍ଥିତିରେ ରାଜ୍ୟର ବିକାଶ ଯେ ଅସମ୍ଭବ ଏହି ବିଚାର ରାଜ୍ୟର ପ୍ରମୁଖ ଲୋକଙ୍କ ମନରେ ବସାବାନ୍ଧି ଦେଲାଣି। ସେମାନେ ଭାବୁଛନ୍ତି ଯେ ଏହା ଦ୍ଵାରା ଅନ୍ତତଃ ଚିକ୍କଣ ରାସ୍ତା, ଅଧିକ ଏୟାରପୋର୍ଟ, ବଡ଼ ବଡ଼ ମଲ୍ (ବିଶାଳ ଦୋକାନ) ହୋଇପାରୁଛି। ଏହି ବିକାଶ ନୀତିରେ ମନ୍ଦିର ମଧ୍ୟ ସାମିଲ ହେଉଛି। ରାଜ୍ୟରେ ମନ୍ଦିରମାନେ ମୁଖ୍ୟ ଅନୁଷ୍ଠାନ ଓ ପୂଜକ ବ୍ରାହ୍ମଣ ତଥା ମନ୍ଦିର କମିଟି ସଦସ୍ୟ ହିଁ ଧର୍ମ, କଳା ଓ ସଂସ୍କୃତିର ଏକମାତ୍ର ବାହକ ବୋଲି ଧରାଯିବେ। ବିଜେଡ଼ି ଏହି ଯେଉଁ ବୃହତ କମ୍ପାନୀ – ମନ୍ଦିର – ମ୍ୟାନେଜର – ବ୍ରାହ୍ମଣ ରାଜନୀତିର ମୂଳଦୁଆ ପୋତିଛି ତାହାର ପରିଣାମ ଅନେକ ବର୍ଷ ପର୍ଯ୍ୟନ୍ତ ଓଡ଼ିଶାବାସୀଙ୍କୁ ଭୋଗିବାକୁ ପଡ଼ିବ। ନବେ ପ୍ରତିଶତ ଲୋକେ ନିଜ ରାଜ୍ୟରେ ଅସୁରକ୍ଷିତ ହୋଇଯିବେ। ଆମକୁ ଏହା ଅଣନିଃଶ୍ଵାସୀ କରିଦେବ।
ଦେବରଞ୍ଜନ
ମୋବାଇଲ - ୮୪୫୬୯୩୧୪୨୩