ଜିଲ୍ଲାପାଳଙ୍କ ଦପ୍ତରରେ ଅସାଧୁତା

ରବି ଦାସ କୌଣସି ଜିଲ୍ଳାପାଳଙ୍କ ବିରୋଧରେ ହତ୍ୟା ମାମଲାରେ ତଦନ୍ତ ହେବା ଘଟଣା ଓଡ଼ିଶାରେ ଏକ ନୂଆ ପରିଚୟ ସୃଷ୍ଟି କରିଛି। ମାଲକାନଗିରି ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ ଥିବା ଦେବନାରାୟଣ ପଣ୍ଡାଙ୍କ ମୃତ୍ୟୁ ଘଟଣାର ୧୧ ମାସ ପରେ ଏସଡିଜିଏମ୍ ଅଦାଲତଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାପାଳ ଓ ସେହି ଦପ୍ତରର ଅନ୍ୟ ୩ ଜଣ କର୍ମଚାରୀଙ୍କ ବିରୋଧରେ ଆଇପିସି ଧାରା ୩୦୨, ୫୦୬, ୨୦୧, ୨୦୪, ୧୨୦(ବି) ଓ ୩୪ ଧାରାରେ ମାମଲା ରୁଜୁ କରାଯାଇଛି। ଏଥିରେ […]

7nm9-11

Debendra Prusty
  • Published: Monday, 16 November 2020
  • , Updated: 16 November 2020, 04:24 PM IST

ରବି ଦାସ

କୌଣସି ଜିଲ୍ଳାପାଳଙ୍କ ବିରୋଧରେ ହତ୍ୟା ମାମଲାରେ ତଦନ୍ତ ହେବା ଘଟଣା ଓଡ଼ିଶାରେ ଏକ ନୂଆ ପରିଚୟ ସୃଷ୍ଟି କରିଛି। ମାଲକାନଗିରି ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ ଥିବା ଦେବନାରାୟଣ ପଣ୍ଡାଙ୍କ ମୃତ୍ୟୁ ଘଟଣାର ୧୧ ମାସ ପରେ ଏସଡିଜିଏମ୍ ଅଦାଲତଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାପାଳ ଓ ସେହି ଦପ୍ତରର ଅନ୍ୟ ୩ ଜଣ କର୍ମଚାରୀଙ୍କ ବିରୋଧରେ ଆଇପିସି ଧାରା ୩୦୨, ୫୦୬, ୨୦୧, ୨୦୪, ୧୨୦(ବି) ଓ ୩୪ ଧାରାରେ ମାମଲା ରୁଜୁ କରାଯାଇଛି। ଏଥିରେ ହତ୍ୟା ଓ ହତ୍ୟା ପାଇଁ ଷଡ଼ଯନ୍ତ୍ର ସହିତ ସାକ୍ଷ୍ୟପ୍ରମାଣ ନଷ୍ଟ କରିଦେବାର ଅଭିଯୋଗ ରହିଛି। ଏହି ମାମଲାରେ ଗତବର୍ଷ ଡିସେମ୍ବର ୨୮ ତାରିଖ ଦିନ ଦେବନାରାୟଣଙ୍କ ଶବ ମାଲକାନାଗିରି ସତୀଗୁଡ଼ା ଡ୍ୟାମରୁ ଉଦ୍ଧାର କରାଯାଇଥିଲା। ପୂର୍ବରୁ ଦେବନାରାୟଣ ନିଖୋଜ ହୋଇଯାଇଥିବାର ଯେଉଁ ମାମଲା ଥିଲା ତାହାକୁ ପୋଲିସ ସେହିଦିନ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲା। ପୋଲିସ ବରାବର କହିଆସୁଥିଲା ଯେ, ଦେବନାରାୟଣ ଆତ୍ମହତ୍ୟା କରିଛନ୍ତି। କିନ୍ତୁ ଦେବନାରାୟଣଙ୍କ ପରିବାର ଲୋକ ବରାବର ଅଭିଯୋଗ କରୁଥିଲେ ଯେ ତାଙ୍କୁ ହତ୍ୟା କରାଯାଇ ଆତ୍ମହତ୍ୟାର ରୂପ ଦିଆଯାଉଛି। ତାଙ୍କ ପତ୍ନୀ ସିଧାସଳଖ ଭାବରେ ଜିଲ୍ଲାପାଳ ମନୀଷ ଅଗ୍ରୱାଲ ଓ ତାଙ୍କ କାର୍ଯ୍ୟାଳୟର କିଛି କର୍ମଚାରୀଙ୍କୁ ହତ୍ୟାକାରୀ ବୋଲି ଚିତ୍ରଣ କରିଥିଲେ। ଦେବନାରାୟଣଙ୍କ ଶବ ପୋଲିସ ନିକଟରେ ଥିବା ବେଳେ ତାଙ୍କର କିଛି ଜିନିଷ ଓ ଭିସେରା ରିପୋର୍ଟ ଦେବନାରାୟଣଙ୍କ ପତ୍ନୀ ବାରମ୍ବାର ମାଗିଥିଲେ ମଧ୍ୟ ପୋଲିସ ଓ ପ୍ରଶାସନ ସେଥିରେ ତାଙ୍କୁ ଆଦୌ ସହଯୋଗ କରିନଥିଲେ। ଏଣୁ ଦେବନାରାୟଣଙ୍କ ପତ୍ନୀ ସିଧାସଳଖ ଏସଡିଜେଏମ୍‌ଙ୍କ କୋର୍ଟରେ ଜିଲ୍ଲାପାଳ ମନୀଷ ଅଗ୍ରୱାଲ, ଡିଇଓ ଭି. ରେଣୁ, ଷ୍ଟେନୋ ପ୍ରକାଶ ସ୍ୱାଇଁ ଓ ଅବସରପ୍ରାପ୍ତ ଓଆରଏସ ଅଫିସର ଭଗବାନ ପାଣିଗ୍ରାହୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିବା ପାଇଁ କୋର୍ଟରେ ଆବେଦନ କରିଥିଲେ। ତାଙ୍କ ଅଭିଯୋଗର ସତ୍ୟତା ଥିବା ସନ୍ଦେହ କରି ଏସଡିଜେଏମ୍ ହତ୍ୟା ମାମଲା ଓ ପ୍ରମାଣ ନଷ୍ଟ କରିବା ନେଇ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହି ନିର୍ଦ୍ଦେଶ ବଳରେ ଏବେ ଯେଉଁ ମାମଲା ହୋଇଛି ସେଥିରେ ଅନ୍ୟ ତିନିଜଣଙ୍କ ସହିତ ଜିଲ୍ଲାପାଳ ହତ୍ୟାକାରୀ ହୋଇଯାଇଛନ୍ତି। ଅବଶ୍ୟ ପୋଲିସ ଏହାର ତଦନ୍ତ କରି ରିପୋର୍ଟ ଦେଲାପରେ ଏହି ମାମଲାରେ ଚାର୍ଜସିଟ୍ ଦାଖଲ କରାଯାଇପାରିବ କି ନାହିଁ ତାହା ତଦନ୍ତକାରୀ ଅଫିସର ବିଚାର କରିବେ। ଯଦି ମାମଲାର ତଦନ୍ତ ସମୟରେ କୌଣସି ନିର୍ଦ୍ଦିଷ୍ଟ ତଥ୍ୟ ବା ସାକ୍ଷ୍ୟ ତଦନ୍ତକାରୀ ପୋଲିସ ଅଫିସରଙ୍କ ହାତକୁ ଆସେ ତେବେ ଜିଲ୍ଲାପାଳ ଓ ଅନ୍ୟମାନଙ୍କୁ ଗିରଫ ମଧ୍ୟ କରାଯାଇପାରିବ। ଓଡ଼ିଶାରେ ଜଣେ ଆଇଏଏସ୍ ଜିଲ୍ଲାପାଳଙ୍କ ବିରୋଧରେ ଏଭଳି ଧରଣର ସଂଗୀନ ଅଭିଯୋଗ ଆସି ତାହା ମାମଲାଭୁକ୍ତ ହେବା ବୋଧହୁଏ ଏହା ପ୍ରଥମ ଘଟଣା ହେବ। ଦୁର୍ନୀତି ମାମଲା ବା ପାତରଅନ୍ତର ମାମଲାରେ ଜିଲ୍ଲାପାଳ ବା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ବା ମାମଲାର କେତେଗୁଡ଼ିଏ ଘଟଣା ଥିଲେ ମଧ୍ୟ ହତ୍ୟା ମାମଲାରେ କୌଣସି ଜିଲ୍ଲାପାଳ ସଂପୃକ୍ତ ହେବା ପରି ମାମଲା ସମ୍ଭବତଃ ଏହା ପ୍ରଥମ ଘଟଣା। ରାଜ୍ୟ ସରକାର ଜିଲ୍ଲାପାଳଙ୍କୁ ବଦଳି କରିଦେବା ପରେ ମଧ୍ୟ ପୋଲିସ ନିରପେକ୍ଷତା ସହିତ କିପରି ତଦନ୍ତ କରୁଛି ତାହା ଉପରେ ଅଦାଲତ ଦୃଷ୍ଟିଦେବେ। ତାହାଛଡ଼ା ମାନବାଧିକାର କମିଶନଙ୍କ ପକ୍ଷରୁ ମଧ୍ୟ ଏହି ମାମଲା ଉପରେ ତଦନ୍ତ ଚାଲିଛି।

ଯଦି ଏହି ମାମଲାର ତଦନ୍ତ ସମୟରେ ପୋଲିସର ପୂର୍ବ ନିଷ୍ପତି ଅନୁସାରେ ଏହା ଏକ ଆତ୍ମହତ୍ୟା ମାମଲା ହୋଇଥାଏ ଓ ଏହି ଆତ୍ମହତ୍ୟା ପାଇଁ ଜିଲ୍ଲାପାଳ ଓ ତାଙ୍କର ସହଯୋଗୀମାନେ ପରିବେଶ ସୃଷ୍ଟି କରିଥାନ୍ତି ତେବେ ବି ମାମଲାଟି ସଂଗୀନ ହେବ। ସେତେବେଳେ ପୋଲିସକୁ ୩୦୬ ଧାରା ଅନୁସାରେ ହୁଏତ ମାମଲା କରିବାକୁ ପଡ଼ିପାରେ। ଅସଲକଥା ହେଉଛି କେଉଁ ପରିସ୍ଥିତିରେ ଓ କାହିଁକି ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ ମଧ୍ୟାହ୍ନ ସମୟରେ ଅଫିସରୁ ଚାଲିଯାଇ ଆତ୍ମହତ୍ୟା କଲେ? ଦେବନାରାୟଣଙ୍କ ପରିବାର ଯେଉଁସବୁ ତଥ୍ୟ ନେଇ ତାଙ୍କୁ ହତ୍ୟା କରାଯାଇଥିବାର ଅଭିଯୋଗ କରୁଛନ୍ତି ସେଗୁଡ଼ିକ ତଦନ୍ତକାରୀ ଅଫିସର ଭଲଭାବରେ ନିଶ୍ଚିତ ଅନୁଧ୍ୟାନ କରିବେ। କାରଣ ଏସଡିଜେଏମ୍ ଏହି ଅଭିଯୋଗର ସତ୍ୟାସତ୍ୟକୁ ବିଶ୍ୱାସ କରି ହତ୍ୟା ମାମଲା ଦାୟର ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଅବଶ୍ୟ ନିକଟରେ କେତେଗୁଡ଼ିଏ ମୃତ୍ୟୁ ଓ ଆତ୍ମହତ୍ୟା ମାମଲାଗୁଡ଼ିକ ସାରା ଦେଶରେ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି। ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣା ମୋଟାମୋଟି ଭାବରେ ଆତ୍ମହତ୍ୟା ବୋଲି ପ୍ରମାଣିତ ହେଉଥିବା ସମୟରେ ପ୍ରତିଷ୍ଠିତ ସାମ୍ବାଦିକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ପୋଲିସ ଫାଇନାଲ ରିପୋର୍ଟ ଦେଇଥିବା ଏକ ମାମଲାରେ ପୁନଃ ତଦନ୍ତ କରାଯାଇ ତାଙ୍କୁ ଗିରଫ କରିବା ଘଟଣା ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଥିଲା। ସୁପ୍ରିମକୋର୍ଟ ଏହି ମାମଲାରେ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ତୁରନ୍ତ ଜାମିନ ପ୍ରଦାନ କରି  ଯେଉଁ ରାୟ ଦେଇଛନ୍ତି ମାଲକାନାଗିରି ଘଟଣାରେ ପୋଲିସ ଏହି ହତ୍ୟା ମାମଲା ତଦନ୍ତ ସମୟରେ ସେଗୁଡ଼ିକ ପ୍ରତି ନିଶ୍ଚିତ ଦୃଷ୍ଟିଦେବେ। ପ୍ରଶ୍ନ ଉଠୁଛି ଯେ ଜିଲ୍ଲାପାଳଙ୍କର ବ୍ୟକ୍ତିଗତ ସହାୟକ ଥିବା ଜଣେ ବ୍ୟକ୍ତିର ପରିବାର ବର୍ଗ ଜିଲ୍ଲାପାଳ ଓ ତ।ଙ୍କର ସହକର୍ମୀଙ୍କ ବିରୋଧରେ ସିଧାସଳଖ କେଉଁ ପରିସ୍ଥିତିରେ ଅଭିଯୋଗ କରିବାକୁ ସାହସ କଲେ ତାହାକୁ ଅତନ୍ତ ଗୁରୁତର ସହିତ ବିଚାର କରାଯିବା ଉଚିତ। ସାଧାରଣତଃ ଏହିସବୁ ମାମଲାରେ ବ୍ୟକ୍ତିଗତ ସହାୟକଙ୍କ ପରିବାର ବର୍ଗ ଜିଲ୍ଳାପାଳଙ୍କୁ ସମର୍ଥନ କରି ଅନ୍ୟ କର୍ମଚାରୀଙ୍କ ବିରୋଧରେ ଅଭିଯୋଗ ଆଣନ୍ତି। କିନ୍ତୁ ଏହି ଘଟଣାରେ ପରିବାରବର୍ଗ ଅନ୍ୟ କର୍ମଚାରୀଙ୍କ ସହିତ ଜିଲ୍ଲାପାଳଙ୍କୁ ସିଧାସଳଖ ଭାବରେ ଯେପରି ଯୋଡ଼ିଛନ୍ତି ତାହା ପ୍ରମାଣ କରୁଛି ଯେ, ଜିଲ୍ଲାପାଳଙ୍କର ସମ୍ବେଦନଶୀଳତା ନହିଁ। ଜଣେ ପ୍ରଶାସନିକ ଅଧିକାରୀଙ୍କ ପାଇଁ ସମ୍ବେଦନଶୀଳତା ଅତି ଜରୁରୀ।

ହତ୍ୟା ମାମଲାର ପୋଲିସ ତଦନ୍ତ କରୁଥିଲେ ମଧ୍ୟ ରାଜ୍ୟର ପ୍ରଶାସନିକ ମୁଖ୍ୟ ଭାବରେ ମୁଖ୍ୟ ଶାସନ ସଚିବ ଏହି ଘଟଣା ଉପରେ ସମସ୍ତ ଦିଗକୁ ବିଚାର କରି ଏକ ସିଦ୍ଧାନ୍ତରେ ପହଁଚିବା ଉଚିତ। କାରଣ ଜିଲ୍ଲାପାଳ ମନୀଷ ଅଗ୍ରୱାଲ ଜଣେ ପ୍ରଶାସନିକ ଅଧିକାରୀ ଓ ତାଙ୍କର ପ୍ରଶାସନିକ ସେବାରେ ବହୁବର୍ଷ ରହିବାର ସମ୍ଭାବନା ଅଛି। ଏଣୁ ମାଲକାନାଗିରି ମାମଲାରେ ପୋଲିସର ତଦନ୍ତ ସହିତ ଏକ ପ୍ରଶାସନିକ ତଦନ୍ତ ମଧ୍ୟ କରାଯିବା ଉଚିତ ହେବ। କାରଣ ଦେବନାରାୟଣଙ୍କ ପତ୍ନୀ ସିଧାସଳଖ ଅଭିଯୋଗ କରିଛନ୍ତି ଯେ, ଜିଲ୍ଲାପାଳଙ୍କ ପାଇଁ ଲାଂଚ ସଂଗ୍ରହ କରିବା ନିମନ୍ତେ ତାଙ୍କୁ ଜିଲ୍ଲାପାଳ ଯେଉଁ ପ୍ରସ୍ତାବ ଦେଇଥିଲେ ତାହାକୁ ସେ ସିଧାସଳଖ ମନା କରିଦେଇଥିଲେ। ସେହି ଦୃଷ୍ଟିରୁ ଦେବନାରାୟଣଙ୍କୁ ତାଙ୍କ ପଦବୀରୁ ବାହାର କରିଦେବା ପାଇଁ ଚକ୍ରାନ୍ତ ଚାଲିଥିଲା ଓ ସେହି ଅନୁସାରେ ତାଙ୍କୁ ଏକ କାରଣ ଦର୍ଶାଅ ନୋଟିସ ମଧ୍ୟ ଦିଆଯାଇଥିଲା। ତାଙ୍କ ସ୍ଥାନରେ ଭି. ବେଣୁ ଯିଏକି ଡାଟାଏଂଟ୍ରି ଅପରେଟର ଓ ପ୍ରକାଶ ସ୍ୱାଇଁ ଷ୍ଟେନୋଗ୍ରାଫରଙ୍କୁ ଦାୟିତ୍ୱ ଦେବାକୁ ବ୍ୟବସ୍ଥା କରାଯାଉଥିଲା। ଏଭଳି ଅଭିଯୋଗ ଅତ୍ୟନ୍ତ ସଙ୍ଗୀନ।

ଏଠି ପ୍ରଶ୍ନ ଉଠୁଛି ଯେ କେବଳ ମାଲକାନାଗିରି ଜିଲ୍ଲାପାଳ ନୁହଁନ୍ତି ଅନ୍ୟ ସ୍ଥାନମାନଙ୍କରେ ମଧ୍ୟ ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକମାନେ ଜିଲ୍ଲାପାଳମାନଙ୍କ ପାଇଁ ଲାଂଚ ଅର୍ଥ ସଂଗ୍ରହ କରୁଛନ୍ତି କି? ସାଧାରଣରେ ଲୋକମାନଙ୍କର ଧାରଣା ଅଛି ଯେ, କେତେକ ଜିଲ୍ଲାପାଳ ନିଜର ଷ୍ଟାଫମାନଙ୍କ ଜରିଆରେ ଲାଂଚ ଅର୍ଥ ସଂଗ୍ରହ କରନ୍ତି। ତେଣୁ ଦେବନାରାୟଣଙ୍କ ପତ୍ନୀ ଏ ସଂକ୍ରାନ୍ତରେ କରିଥିବା ଅଭିଯୋଗର ଏକ ଉଚ୍ଚ ପ୍ରଶାସନିକ ତଦନ୍ତର ଆବଶ୍ୟକତା ରହିଛି। କାରଣ ଯଦି ଜିଲ୍ଲାପାଳମାନଙ୍କ ବିଷୟରେ ଏପରି ଧାରଣା ରୁହେ ତେବେ ରାଜ୍ୟ ସରକାର କଦାପି କୌଣସି କାର୍ଯ୍ୟକ୍ରମକୁ ସଫଳ ଭାବେ ରୂପାୟନ କରିପାରିବେ ନାହିଁ। ଜିଲ୍ଲାପାଳମାନେ କେବଳ ପ୍ରଶାସନର ନୁହେଁ, ବିକାଶର ଅସଲ ଚାବି। ସବୁ ବିକାଶମୂଳକ କାର୍ଯ୍ୟକ୍ରମରେ ଜିଲ୍ଲାପାଳମାନଙ୍କୁ ମୁଖ୍ୟ ଭାବରେ ବିଚାର କରାଯାଇ ଯୋଜନା ଓ ନୀତି ପ୍ରଣୟନ କରାଯାଉଛି। ଜିଲ୍ଲାପାଳ ଦପ୍ତରଗୁଡ଼ିକ ଓ ବିଶେଷ ଭାବରେ ଜିଲ୍ଲାପାଳମାନେ ଅସାଧୁ ହେଲେ କୌଣସି ବିକାଶମୂଳକ କାର୍ଯ୍ୟକ୍ରମ ସଫଳ ହେବନାହିଁ। ଆମ ରାଜ୍ୟରେ ବିଧାୟକମାନଙ୍କ ଅପେକ୍ଷା ଏବଂ ଅନେକ ସ୍ଥାନରେ ମନ୍ତ୍ରୀମାନଙ୍କ ଅପେକ୍ଷା ଜିଲ୍ଲାପାଳମାନେ ଅଧିକ ଗୁରୁତ୍ୱପୂର୍ଣ୍ଣ। କାରଣ ଶାସନ ସଂପୂର୍ଣ୍ଣ ଭାବରେ ସେମାନଙ୍କ ଉପରେ ନିର୍ଭର କରୁଛି ଓ ମୁଖ୍ୟମନ୍ତ୍ରୀଙ୍କର ବିଶ୍ୱାସ ସେମାନଙ୍କ ଉପରେ ଅଧିକ। ଏହା ଭୁଲ ଚିନ୍ତାଧାରା ବୋଲି ସିଧାସଳଖ କହିହେବ ନାହିଁ। କିନ୍ତୁ ଜିଲ୍ଲାପାଳମାନେ ଯଦି ଅସାଧୁ ହେବେ ଏବଂ ଜିଲ୍ଲାପାଳଙ୍କ ଦପ୍ତରରେ ଯଦି ସାଧୁତା ନରହିବ ତେବେ ପରିସ୍ଥିତି ଭୟଙ୍କର ହେବ। ସାଧାରଣ ନାଗରିକ ନ୍ୟାୟ ପାଇଁ ସବୁଠାରୁ ଅଧିକ ଜିଲ୍ଲାପାଳଙ୍କ ଉପରେ ନିର୍ଭର କରନ୍ତି। ସେହି ଦୃଷ୍ଟିରୁ ଜିଲ୍ଲାପାଳ ଅଫିସଗୁଡ଼ିକୁ ସଂପୂର୍ଣ୍ଣ ଦୁର୍ନୀତିମୁକ୍ତ ଓ ସାଧୁତାସମ୍ପନ୍ନ କରିବା ପାଇଁ ମାଲକାନାଗିରିରେ ଘଟିଥିବା ଘଟଣା ଉପରେ ପ୍ରଶାସନିକସ୍ତରରେ ଉପଯୁକ୍ତ ତଦନ୍ତର ଆବଶ୍ୟକତା ରହିଛି। ଜିଲ୍ଲାପାଳମାନଙ୍କୁ ଦିଆଯାଇଥିବା ଅଖଣ୍ଡ କ୍ଷମତାକୁ ଠିକ୍ ଭାବରେ ବିନିଯୋଗ କରିବା ପାଇଁ ଜିଲ୍ଲାପାଳ ଦପ୍ତରଗୁଡ଼ିକ ଦାୟିତ୍ୱ ଓ ସାଧୁତାସମ୍ପନ୍ନ ହେବା ଅତି ଜରୁରୀ। ମାଲକାନାଗିରି ଦେବନାରାୟଣ ହତ୍ୟା ମାମଲା ଯେଉଁ ସତ୍ୟକୁ ପଦାକୁ ଆଣିଛି ତାହାକୁ ଏଡ଼ାଇଯିବା ଆଦୌ ଠିକହେବ ନାହିଁ।

ବରିଷ୍ଠ ସାମ୍ବାଦିକ

ମୋ- ୯୪୩୭୪୦୪୪୫୫

Related story