ଜନ ଆନ୍ଦୋଳନ ପାଇଁ ଭିତ୍ତିଭୂମି

ରବି ଦାସ ଜାତୀୟ ସ୍ତରରେ ବା ଦିଲ୍ଲୀରେ ଏକ ବଡ଼ଧରଣର କୃଷକ ଆନ୍ଦୋଳନ ତୀବ୍ର ରୂପ ଧାରଣ କରିଥିବା ସମୟରେ ଓଡ଼ିଶାରେ ଅଧିକାଂଶ ଚାଷୀ କେନ୍ଦ୍ର ସରକାରଙ୍କର କୃଷି ଆଇନ୍‌କୁ ବିରୋଧ କରୁଥିଲେ ମଧ୍ୟ ରାଜ୍ୟରେ ବର୍ତ୍ତମାନ ଅବସ୍ଥାରେ ଏକ ବଡ଼ ଧରଣର କୃଷକ ଆନ୍ଦୋଳନ ପାଇଁ ପ୍ରସ୍ତୁତି ହୋଇପାରିନାହିଁ। ଏହି ଆଇନ୍ ବିରୋଧରେ ପଞ୍ଜାବ ଓ ହରିଆଣା ପରି ଓଡ଼ିଶାରେ କୃଷକମାନଙ୍କୁ ପ୍ରଥମରୁ ସଂଗଠିତ କରାଯାଇପାରିନାହିଁ। ଯଦିଓ ଓଡ଼ିଶାରେ କୃଷକମାନଙ୍କ ଭିତରେ ସଂଗଠନ ଥିବା ପଶ୍ଚିମ […]

FARMER STRIKE

Debendra Prusty
  • Published: Saturday, 05 December 2020
  • , Updated: 05 December 2020, 04:22 PM IST

ରବି ଦାସ

ଜାତୀୟ ସ୍ତରରେ ବା ଦିଲ୍ଲୀରେ ଏକ ବଡ଼ଧରଣର କୃଷକ ଆନ୍ଦୋଳନ ତୀବ୍ର ରୂପ ଧାରଣ କରିଥିବା ସମୟରେ ଓଡ଼ିଶାରେ ଅଧିକାଂଶ ଚାଷୀ କେନ୍ଦ୍ର ସରକାରଙ୍କର କୃଷି ଆଇନ୍‌କୁ ବିରୋଧ କରୁଥିଲେ ମଧ୍ୟ ରାଜ୍ୟରେ ବର୍ତ୍ତମାନ ଅବସ୍ଥାରେ ଏକ ବଡ଼ ଧରଣର କୃଷକ ଆନ୍ଦୋଳନ ପାଇଁ ପ୍ରସ୍ତୁତି ହୋଇପାରିନାହିଁ। ଏହି ଆଇନ୍ ବିରୋଧରେ ପଞ୍ଜାବ ଓ ହରିଆଣା ପରି ଓଡ଼ିଶାରେ କୃଷକମାନଙ୍କୁ ପ୍ରଥମରୁ ସଂଗଠିତ କରାଯାଇପାରିନାହିଁ। ଯଦିଓ ଓଡ଼ିଶାରେ କୃଷକମାନଙ୍କ ଭିତରେ ସଂଗଠନ ଥିବା ପଶ୍ଚିମ ଓଡ଼ିଶା କୃଷକ ସଂଘ ଓ ନବନିର୍ମାଣ କୃଷକ ସଂଗଠନ କୃଷି ଆଇନ୍‌କୁ ବିରୋଧ କରୁଛନ୍ତି। ଓଡ଼ିଶାରେ ବାମପନ୍ଥୀ ଦଳମାନଙ୍କର କୃଷକ ସଂଗଠନମାନେ ମଧ୍ୟ କୃଷି ଆଇନ୍ ବିରୋଧରେ ଦୃଢ଼ଭାବେ ରହିଛନ୍ତି। କୁହାଯାଉଛି ଯେ, ପଞ୍ଜାବ ଓ ହରିଆଣାରେ ଖରିଫ ଫସଲ ଅମଳ ହୋଇଯାଇଥିବାରୁ ଚାଷୀମାନେ ଆନ୍ଦୋଳନ ପାଇଁ ପୂରାମାତ୍ରାରେ ପ୍ରସ୍ତୁତ ହୋଇ ସଂଗଠିତ ଭାବେ ଦିଲ୍ଲୀରେ ପହଁଚିଛନ୍ତି। କିନ୍ତୁ ଓଡ଼ିଶାରେ ଖରିଫ ଫସଲ ଅମଳ କାର୍ଯ୍ୟ ଏବେ ଚାଲିଛି। ବାସ୍ତବରେ ଦେଖିଲେ କୃଷକ ସଂଗଠନମାନଙ୍କର ଦୂରଦୃଷ୍ଟି ଓ ସମନ୍ୱୟ ଏହି ପ୍ରସଙ୍ଗରେ ଆଦୌ ପ୍ରତିଫଳିତ ହୋଇନାହିଁ। ଓଡ଼ିଶା ହେଉଛି ଏକମାତ୍ର ଅଣବିଜେପି ଶାସିତ ରାଜ୍ୟ, ଯେଉଁ ରାଜ୍ୟରେ ସରକାର ମଧ୍ୟ କୃଷି ଆଇନକୁ ବାସ୍ତବରେ ସମର୍ଥନ କରୁଛନ୍ତି। ଜାତୀୟ ସ୍ତରରେ ଯଦି ଶହ ଶହ କୃଷକ ସଂଗଠନମାନଙ୍କର ମିଳିତ ମଂଚ ଓ ଆନ୍ଦୋଳନ କାର୍ଯ୍ୟକ୍ରମ ଏକାଠି ହୋଇପାରୁଛି ତେବେ ରାଜ୍ୟରେ କୃଷକ ସଂଗଠନମାନଙ୍କର ମିଳିତ ମଂଚ କାହିଁକି ଗଢ଼ାଯାଇ ପାରୁନାହିଁ। ବ୍ୟକ୍ତିଗତ ଓ ନେତୃତ୍ୱଗତ ବିବାଦକୁ ଛାଡ଼ି କୃଷକମାନଙ୍କର ସ୍ୱାର୍ଥ ପାଇଁ ଯଦି କୃଷକ ସଂଗଠନମାନେ ଅଙ୍ଗୀକାର ବଦ୍ଧ ହୁଅନ୍ତି ତେବେ ଓଡ଼ିଶାରେ ବଡ଼ ଧରଣର କୃଷକ ଆନ୍ଦୋଳନ ପାଇଁ ଅତି ସହଜରେ ଭିତ୍ତିଭୂମି ଛିଡ଼ା ହୋଇଯାଇପାରିବ।

କୃଷକ ଆନ୍ଦୋଳନ ଚାଲିଥିବା ସମୟରେ ଓଡ଼ିଶାରେ ଗଣମାଧ୍ୟମ ଓ ରାଜନୈତିକ ଦଳଗୁଡ଼ିକ ତଥା ସରକାର ତିନୋଟି ପ୍ରସଙ୍ଗ ଉପରେ ମାତିଛନ୍ତି। ନୟାଗଡ଼ରେ ୫ ବର୍ଷର ଶିଶୁ ପରୀର ଅପହରଣ ଓ ମୃତ୍ୟୁ ଘଟଣା ଏବେ ସମସ୍ତଙ୍କୁ ଆକ୍ରାନ୍ତ କରି ରଖିଛି। ଗତ ବିଧାନସଭା ଅଧିବେଶନରେ ଏହା ହିଁ ମୁଖ୍ୟ ପ୍ରସଙ୍ଗ ହେଲା। କାରଣ ଗତ ସାଢ଼େ ୪ ମାସ ଭିତରେ ପରୀ ମାମଲାଟି ନୟାଗଡ଼ ପୋଲିସ କୌଣସି ଅଗ୍ରଗତି ନକରିପାରି ପରୀର ପିତାମାତାଙ୍କୁ ବାରମ୍ବାର ତନାଘନା ଓ ପଚରାଉଚରା ଏପରି କଲେ ଯେ, ସେମାନେ ବ୍ୟସ୍ତହୋଇ ବିଧାନସଭା ଚାଲିଥିବା ବେଳେ ରାସ୍ତାରେ ଆତ୍ମାହୁତି ଉଦ୍ୟମ କରିବାରୁ ଘଟଣାଟି ପୂରାପୂରି ଭାବରେ ରାଜ୍ୟରେ ପ୍ରଥମ ଚର୍ଚ୍ଚିତ ବିଷୟ ହୋଇଗଲା। ଯଦିଓ ବିରୋଧୀ ରାଜନୈତିକ ଦଳମାନେ ଏପରିକି ଗଣମାଧ୍ୟମମାନେ ଏହି ଘଟଣାରେ ଚାରିମାସ ଭିତରେ ସେପରି କୌଣସି ଆନ୍ତରିକତା ପ୍ରକାଶ କରିନଥିଲେ ପରୀର ଗଳିତ ଶବ ଯେଉଁ ସମୟରେ ଉଦ୍ଧାର କରାଗଲା ସେଥିରେ ବ୍ୟବଚ୍ଛେଦ ରିପୋର୍ଟରେ ତାହା ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହୋଇପାରିଲାନାହିଁ। କୁହାଗଲା ଯେ, ଶରୀରରୁ କେତେଖଣ୍ଡ ହାଡ଼ ବ୍ୟତୀତ ଅନ୍ୟ କିଛି ଅଙ୍ଗପ୍ରତ୍ୟଙ୍ଗ ପୋଷ୍ଟମର୍ଟମରେ ଜଣାପଡ଼ିଲା ନାହିଁ। ଏଥିରେ ପରୀର ପିତାମାତାଙ୍କର ମୁଖ୍ୟ ଅଭିଯୋଗ ହେଲା ଯେ, ସେମାନେ ସନ୍ଦେହ କରୁଥିବା ବ୍ୟକ୍ତିଜଣକ ନୟାଗଡ଼ରର ପ୍ରଭାବଶାଳୀ ନେତା ତଥା ରାଜ୍ୟମନ୍ତ୍ରୀ ଅରୁଣ ସାହୁ ହୋଇଥିବାରୁ ପୋଲିସ ଠିକଣା ଭାବରେ ମାମଲାର ତଦନ୍ତ କରିନାହିଁ। ପ୍ରବଳ ପାଟିତୁଣ୍ଡ ଭିତରେ ବିଜେପି ସ୍ୱ।ଭାବିକ ଭାବରେ ଘଟଣାର ସିବିଆଇ ତଦନ୍ତ ପାଇଁ ଦାବି କରିବା ସହିତ ଅରୁଣ ସାହୁ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେବା ପାଇଁ ଦାବି କଲେ। ସରକାର ପ୍ରଥମେ ମାମଲାର ତଦନ୍ତ କ୍ରାଇମବ୍ରାଂଚକୁ ହସ୍ତାନ୍ତର କରିବାକୁ ରାଜିହେବା ପରେ କଂଗ୍ରେସ ଦଳର ଦାବି ଅନୁସାରେ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସଆଇଟି) ହାଇକୋର୍ଟର ଜଣେ ଜଜ୍‌ଙ୍କ ମନଟରିଂ ମାଧ୍ୟମରେ ତଦନ୍ତ କରାଯିବ ବୋଲି ଘୋଷଣା କଲେ। ହାଇକୋର୍ଟ ଏ ବିଷୟରେ କିଛି କହିବା ପୂର୍ବରୁ କଂଗ୍ରେସ ଦଳ ଏହାକୁ ଏକ ଐତିହାସିକ ସଫଳତା ବୋଲି ଦାବି କରି ସେମାନଙ୍କ ଦାବିରୁ ଓହରିଗଲେ। ଆଶ୍ଚର୍ଯ୍ୟର କଥା ସେଠାରେ ଏକ ନିରପେକ୍ଷ ତଦନ୍ତ ପାଇଁ ଅରୁଣ ସାହୁଙ୍କ ଇସ୍ତଫା ସହିତ ସ୍ଥାନୀୟ ଏସ୍‌ପିଙ୍କ ବଦଳି ବିଷୟରେ କଂଗ୍ରେସ ମୁହଁ ଖୋଲିଲା ନାହିଁ। କିନ୍ତୁ ବିଜେପି ବିଧାନସଭା ଅଧିବେଶନ ଅନିର୍ଦ୍ଦିଷ୍ଟକାଳ ପାଇଁ ବନ୍ଦ ହେବା ପରେ ଏହି ପ୍ରସଙ୍ଗକୁ ନେଇ ରାଜ୍ୟବ୍ୟାପି ଆନ୍ଦୋଳନ ନିଷ୍ପତି ନେବା ପରେ କଂଗ୍ରେସ ପକ୍ଷରୁ ଏବେ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରାଯାଉଛି। ଏହି ଘଟଣାରେ ରାଜ୍ୟ ଶିଶୁ ସୁରକ୍ଷା ଅଧିକାର କମିଶନର ମୁଖ୍ୟଙ୍କ ବୟାନ ଏବଂ ଅନ୍ୟପକ୍ଷରେ କେନ୍ଦ୍ରୀୟ ଶିଶୁ ଅଧିକାର କମିଶନ୍ ଅଧ୍ୟକ୍ଷଙ୍କ ନୟାଗଡ଼ ଜିଲ୍ଲାପାଳ ଓ ଏସପିଙ୍କୁ ସମନ ପରିବେଶକୁ ଆହୁରି ଗଣ୍ଡଗୋଳିଆ କରିଦେଇଛି। ଏହି ଘଟଣାରେ ହାଇକୋର୍ଟରେ ମଧ୍ୟ ଏକ ଜନସ୍ୱାର୍ଥ ମାମଲା ଦାୟର ହୋଇଛି। କେହି ଅସ୍ୱୀକାର କରିପାରିବେ ନାହିଁ ଯେ, ପରୀ ମାମଲାଟି ରାଜ୍ୟରେ ଆଇନଶୃଙ୍ଖଳା ଅବସ୍ଥା ନେଇ ସରକାରଙ୍କ ବିରୋଧରେ ଜନଆନ୍ଦୋଳନ ପାଇଁ ଏକ ଭିତ୍ତି ସ୍ଥାପନ କରିଛି।

ଏହି କ୍ରମରେ ବିଧାନସଭା ଅଧିବେଶନ ଚାଳିଥିବା ସମୟରେ ପୁରୀର ଏକ ଥାନାରେ ଜଣେ ବ୍ୟକ୍ତିର ଓ ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନାରେ ଆଉ ଜଣେ ବ୍ୟକ୍ତିର ହାଜତମୃତ୍ୟୁ ଘଟଣା ଓଡ଼ିଶାକୁ ଚହଲାଇ ଦେଇଥିଲା। ପୁରୀ ହାଜତମୃତ୍ୟୁ ଘଟଣା ଜାତୀୟ ମାନବାଧିକାର କମିଶନଙ୍କୁ ଯିବା ସହିତ ହାଇକୋର୍ଟରେ ମଧ୍ୟ ଜନସ୍ୱାର୍ଥ ମାମଲା ହୋଇଛି। ଏ ସଂକ୍ରାନ୍ତରେ ପ୍ରାୟ ୪୦ ଘଂଟା ପରେ ରାଜ୍ୟ ସରକାର ପୁରୀ ଏସ୍‌ପିଙ୍କୁ ବଦଳି କଲେ ଏବଂ ପୁରୀ ଓ ବୀରମିତ୍ରପୁର ଥାନାରେ କିଛି ଅଧିକାରୀଙ୍କୁ ସସ୍‌ପେଣ୍ଡ କଲେ। ଏହି ମାମଲାରେ ହାଇକୋର୍ଟରେ ସତ୍ୟପାଠ ଦାଖଲ କରି ପୁରୀ ଏସପି ଜଣାଇଛନ୍ତି ଯେ, ଅପରାଧୀ କେ. ରମେଶଙ୍କୁ ପୋଲିସ ଧରି ଆଣୁଥିବା ସମୟରେ ସେ ପୋଲିସ ସହିତ ରାସ୍ତାରେ ଧସ୍ତାଧସ୍ତି କରିବାରୁ ଏକ ପଥୁରିଆ ରାସ୍ତାରେ ସେ ପଡ଼ିଯିବାରୁ ଆହତ ହୋଇଥିଲା। ତାଙ୍କୁ ହସପିଟାଲକୁ ନିଆଯିବା ପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅର୍ଥାତ୍ ପୋଲିସ ହାଜତରେ ମାଡ଼ ମାରି ତାଙ୍କୁ ଆହତ କରିନାହାନ୍ତି ବା ପୋଲିସ ମାଡ଼ରେ ସେ ମରିଯାଇନାହିଁ। କିନ୍ତୁ ଏବେ ଏହି ମାମଲାରେ ଶବ ବ୍ୟବଚ୍ଛେଦ ପରେ ଯେଉଁ ରିପୋର୍ଟ ପ୍ରକାଶ ପାଇଛି ତାହା ଅତ୍ୟଧିକ ସାଂଘାତିକ। ସେଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ, ମୃତ ବ୍ୟକ୍ତିଙ୍କୁ ନୃଶଂସ ଭାବରେ ମାଡ଼ ମରାଯାଇଛି। ତା’ ଦେହରେ ୨୦ରୁ ଅଧିକ ସ୍ଥାନରେ ଆଘାତ ଅଛି। ମାଡ଼ ଯୋଗୁ ମୁଣ୍ଡରେ ବି ରକ୍ତ ଜମାଟ ବାନ୍ଧିଛି। କେ. ରମେଶଙ୍କ ମୃତ୍ୟୁ ସଂପୂର୍ଣ୍ଣ ଅସ୍ୱାଭାବିକ ବୋଲି ରିପୋର୍ଟରେ ଉଲ୍ଲେଖ ଅଛି। ତା’ର ଆଣ୍ଠୁରେ ୪ ଇଂଚ ଲମ୍ବ ଓ ୧ ଇଂଚ ଓସାରର ୩ଟି କ୍ଷତଚିହ୍ନ ରହିଛି। ଅଂଟାରେ ମଧ୍ୟ ୩ ଇଂଚ ଲମ୍ବ ଓ ୧ ଇଂଚ ଓସାରର ୩ଟି କ୍ଷତଚିହ୍ନ ରହିଛି। ବାମହାତରେ ମଧ୍ୟ ୪ ଇଂଚ ଲମ୍ବ ଓ ୧ ଇଂଚ ଓସାରର କ୍ଷତ ଚିହ୍ନ ଅଛି। ଆଂଠୁ, ଆଖିପତା, ବାମହାତ ଓ ବାହୁରେ କ୍ଷତଚିହ୍ନ ସହିତ ବାମ ଗୋଇଠି ମଧ୍ୟ ଆଘାତ ପ୍ରାପ୍ତ ହୋଇଛି। ହାତର ପାପୁଲି ଫୁଲିଛି ଓ ମୁଣ୍ଡ ଉପରେ କୌଣସି ଶକ୍ତ ଜିନିଷ ପ୍ରହାର କରାଯାଇଥିବାର ସଂକେତ ମିଳିଛି। ବାସ୍ତବିକ ଏହି ପୋଷ୍ଟମର୍ଟମ ରିପୋର୍ଟକୁ ଦେଖିଲେ ଏସ୍‌ପି କିପରି ମିଥ୍ୟା ବୟାନ କରିଛନ୍ତି ତାହା ସ୍ପଷ୍ଟ ହୋଇଛି। ଅଥଚ ସଂପୃକ୍ତ ଏସ୍‌ପିଙ୍କୁ ସସ୍‌ପେଣ୍ଡ କରାଯାଇନାହିଁ କିମ୍ବା ତାଙ୍କ ନାମରେ ଫୌଜଦାରୀ ମାମଲା ଦାୟର କରାଯାଇନାହିଁ। ଆଶ୍ଚର୍ଯ୍ୟର କଥା ପରୀ ଘଟଣାରେ ରାଜନୈତିକ ଦଳମାନେ ଯେତିକି ଆଗ୍ରହ ପ୍ରକାଶ କରିଛନ୍ତି ପୁରୀରେ ଏପରି ସାଂଘାତିକ ହାଜତ ମୃତ୍ୟୁ ଘଟଣାରେ ସେହି ଅନୁସାରେ ସକ୍ରିୟତା ଦେଖାଇନାହାନ୍ତି। ଏହା ବାଦ୍ ପୁରୀ ଜିଲ୍ଲାର ପିପିଲି ଥାନାରେ କିଛି ଅପରାଧୀଙ୍କ ଉପରେ ହୋଇଥିବା ମାଡ଼ ଘଟଣା ଯୋଗୁ ସେମାନେ ଆହତ ହେବା ଘଟଣା ଅତ୍ୟନ୍ତ ମର୍ମସ୍ପର୍ଶୀ। ବାସ୍ତବରେ ଏହିସବୁ ଘଟଣାକୁ ନେଇ ଏକ ବଡ଼ ଧରଣର ଆନ୍ଦୋଳନ ପାଇଁ ଭିତ୍ତିଭୂମି ରହିଛି।

ଏହି ଘଟଣା ଚାଲିଥିବା ସମୟରେ ବନବିଭାଗର ଜଣେ ସର୍ବୋଚ୍ଚ ଅଧିକାରୀ ଅଭୟ ପାଠକ ଓ ତାଙ୍କ ପୁଅ ଆକାଶ ପାଠକ ଉପରେ ଏକକାଳୀନ ରାଜ୍ୟ ଭିତରେ ଓ ରାଜ୍ୟ ବାହାରେ ଭିଜିଲାନ୍ସ ଚଢ଼ଉ କରି ଆୟ ବର୍ହିଭୂତ ସଂପତି ମାମଲା ଦାୟର ହେବା ସଂଗେ ସଂଗେ ପରଦିନ ବିଜେଡିର ଜଣେ ଜଣାଶୁଣା ବିଧାୟକ ଓ ପୂର୍ବତନ ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ଦଳରୁ ବହିଷ୍କାର କରିଛନ୍ତି। ସେ ଜନବିରୋଧୀ କାର୍ଯ୍ୟ କରିଥିବା ଅଭିଯୋଗ ହୋଇଛି। ପ୍ରଦୀପ ପାଣିଗ୍ରାହୀଙ୍କ କନ୍ୟା ଓ ଆକାଶ ପାଠକଙ୍କ ଭିତରେ ବିବାହ ପାଇଁ ସବୁ ବ୍ୟବସ୍ଥା ହୋଇଥିବା ସମୟରେ ଅଭୟ ପାଠକ ଓ ଆକାଶ ପାଠକଙ୍କ ସହିତ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଭ୍ରଷ୍ଟାଚାର ବିରୋଧରେ ବା ଜନବିରୋଧୀ କାର୍ଯ୍ୟ ବିରୋଧରେ ରାଜ୍ୟ ସରକାରଙ୍କ କାର୍ଯ୍ୟାନୁଷ୍ଠାନ ଭାବରେ ଉପସ୍ଥାପିତ କରାଯାଇଥିଲେ ମଧ୍ୟ ଘଟଣା ପଛରେ ଏକ ରାଜନୈତିକ ଉଦ୍ଦେଶ୍ୟ ଥିବା ବେଶ୍ ସ୍ପଷ୍ଟ।

ଇତି ମଧ୍ୟରେ ପ୍ରଦୀପ ପାଣିଗ୍ରାହୀ ମଧ୍ୟ ଗିରଫ ହୋଇଛନ୍ତି। ସେ ନିଜର ଭାବି ଜ୍ୱାଇଁ ଓ ସମୁଦିଙ୍କ ସହିତ ବାରମ୍ବାର ଲକଡାଉନ ପିରିୟଡ଼ରେ ଚାଟାର୍ଡ ଫ୍ଲାଇଟ୍‌ରେ ବିଭିନ୍ନ ସ୍ଥାନ ବୁଲିଥିବା ଅଭିଯୋଗ ହୋଇଛି। ଆଶ୍ଚର୍ଯ୍ୟର କଥା ସେହି ବିମାନରେ ଭୁବନେଶ୍ୱରରୁ ଗତ ନିର୍ବାଚନରେ ବିଜେଡିର ଲୋକସଭା ପ୍ରାର୍ଥୀ ହୋଇଥିବା ଓ ମୁମ୍ବାଇର ପୂର୍ବତନ ପୁଲିସ କମିଶନର ଅରୂପ ପଟ୍ଟନାୟକ ମଧ୍ୟ ଯାଇଥିବା ତଥ୍ୟ ପ୍ରଦୀପ ପାଣିଗ୍ରାହୀଙ୍କ ପତ୍ନୀ ପ୍ରଦାନ କରିଛନ୍ତି। ଆକାଶ ପାଠକ ନିଜକୁ ଟାଟା ମୋଟର୍ସର ଏମଡି ବୋଲି ଦର୍ଶାଇ ସେ ଲୋକମାନଙ୍କୁ ନିଯୁକ୍ତି ଦେବାର ପ୍ରତିଶ୍ରୁତି ଦେଇ ଗୋପାଳପୁର ଅଂଚଳରୁ ପ୍ରାୟ ୬୮ ଲୋକଙ୍କଠାରୁ ଅର୍ଥ ନେଇଥିବାର ଅଭିଯୋଗ ହୋଇଛି। ଠକେଇର ସମ୍ମୁଖୀନ ହୋଇଥିବା ୬୮ ଜଣ ନିଜ ଆଡ଼ୁ କୌଣସି ଏତଲା ଦେଇନଥିଲେ ମଧ୍ୟ ଏବେ କ୍ରାଇମ ବ୍ରାଂଚର ତଦନ୍ତ ଫଳରେ ବିଭିନ୍ନ ଆଡ଼ୁ ଏ ସଂକ୍ରାନ୍ତୀୟ ଏତଲା ସବୁ ସଂଗ୍ରହ କରାଯାଉଛି। ପ୍ରଦୀପ ପାଣିଗ୍ରାହୀ ଗିରଫ ହେବା ପୂର୍ବରୁ ବିଭିନ୍ନ ସାକ୍ଷାତକାରରେ ଓ ଗୋଟିଏ ଟେଲିଭିଜନ ସଂସ୍ଥାକୁ ଖୋଲାକଥାରେ ସେ କିପରି ଭାବରେ ରାଜ୍ୟର ଅଫିସର କ୍ଷମତା କେନ୍ଦ୍ରର ଶତ୍ରୁ ହୋଇଯାଇଥିଲେ ତାହା ବର୍ଣ୍ଣନା କରିଛନ୍ତି। ଯଦିଓ ଅଭୟ ପାଠକଙ୍କ ଦୁର୍ନୀତି, ଅମାପ ସମ୍ପତି ସହିତ ଆକାଶ ପାଠକ ଠକେଇର ଯେଉଁ ଖବରମାନ ପ୍ରକାଶିତ ହୋଇଛି ସେଥିରେ କେହି ବି ସେମାନଙ୍କ ପାଇଁ ସମର୍ଥନ କରିବେ ନାହିଁ। କିନ୍ତୁ ତାଙ୍କର ଦୁର୍ନୀତି ଏପରିକି ଆକାଶ ପାଠକଙ୍କ ଠକେଇ ଉପରେ ଭିଜିଲାନ୍ସ ଓ କ୍ରାଇମବ୍ରାଂଚର କାର୍ଯ୍ୟାନୁଷ୍ଠାନ ପଛରେ ପ୍ରଦୀପ ପାଣିଗ୍ରାହୀ ରାଜ୍ୟ ନେତୃତ୍ୱ ବା ଅଫିସର କ୍ଷମତା କେନ୍ଦ୍ରର ବିଶ୍ୱାସ ହରାଇଥିବା ଯୋଗୁ ସମ୍ଭବ ହୋଇଛି ବୋଲି ସହଜରେ ଅନୁମାନ କରାଯାଇପାରେ। କାରଣ ଅଭୟ ପାଠକ ୩୦ ବର୍ଷରୁ ଊର୍ଦ୍ଧ୍ୱ ସରକାରୀ ଚାକିରିରେ ରହିଛନ୍ତି ଓ ତାଙ୍କ ଭଳି ଅନେକ ଦୁର୍ନୀତିଗ୍ରସ୍ତ ଅଫିସର ଏବେ ବି ସରକାରରେ ବିଭିନ୍ନ ସ୍ଥାନରେ ଆରାମରେ କାର୍ଯ୍ୟ କରୁଛନ୍ତି। ତଥାପି ଏହି ଘଟଣାଟି ରାଜ୍ୟ ଶାସନ ଓ ଶାସକ ବିଜେଡିର କାର୍ଯ୍ୟଧାରାକୁ ଅନେକ ପରିମାଣରେ ପଦାକୁ ଆଣିଛି। ଗଞ୍ଜାମ ଜିଲ୍ଲା ଯାହାକି ବିଜେଡିର ଏକ ଗଡ଼ ଭାବରେ ରହିଛି ସେଠାରେ ଏହି ଘଟଣାର ପ୍ରଭାବ ସବୁକ୍ଷେତ୍ରରେ ଶାସନ ବ୍ୟବସ୍ଥା ବିରୋଧରେ ଜନଅସନ୍ତୋଷ ପାଇଁ ଭିତ୍ତିଭୂମି ପ୍ରସ୍ତୁତ କରିଛି। ବିରୋଧୀ ରାଜନୈତିକ ଦଳମାନେ ଏହି ଘଟଣାକୁ କିପରି ଭାବରେ ପରିଚାଳିତ କରୁଛନ୍ତି ତାହାକୁ ନିଶ୍ଚିତ ଲକ୍ଷ୍ୟ କରାଯିବ। ଦଳୀୟ ସ୍ୱାର୍ଥ ବାହାରେ ସାଧାରଣ ସ୍ୱାର୍ଥ ପାଇଁ ବିରୋଧୀ ରାଜନୈତିକ ଦଳମାନେ କେତେ ପରିମାଣରେ ଆଗ୍ରହୀ ତାହା ସେମାନଙ୍କ କାର୍ଯ୍ୟକଳାପ ପ୍ରମାଣିତ କରିବ।

ବରିଷ୍ଠ ସାମ୍ବାଦିକ

ମୋ- ୮୦୧୮୦୯୪୪୫୫

Related story