କେମିତି ସମ୍ଭବ ହେବ ମାଗଣାରେ କୁଡୁଆଏ ଅବଢ଼ା ଯୋଜନା?

କେହି ପ୍ରଶ୍ନ କରୁନାହାନ୍ତି ଯେ ମାଟି କୁଡୁଆ ପରିବର୍ତ୍ତେ ଲୁହା କଡ଼େଇରେ କେଉଁ କାରଣରୁ ରନ୍ଧା ହେଉଥିଲା ମହାପ୍ରସାଦ? ନିଅଣ୍ଟ ପଡୁଛି କି ମାଟି କୁଡୁଆ? ଯଦି ନିଅଣ୍ଟ ପଡୁଛି, ତାହାର କାରଣ କ’ଣ ଓ ଏହାର ସମାଧାନ କିପରି ସମ୍ଭବ ହୋଇ ପାରିବ ଏବଂ ମାଗଣା ମହାପ୍ରସାଦ ବଣ୍ଟନ ପାଇଁ ଅତିରିକ୍ତ ମାଟି କୁଡୁଆ କିପରି ମିଳିପାରିବ?

Abadha Kudua

  • Published: Tuesday, 29 October 2024
  • , Updated: 29 October 2024, 05:16 PM IST

ଜାନକୀଶ ବଡ଼ପଣ୍ଡା

ଭାରତବର୍ଷର ବିଭିନ୍ନ ଧର୍ମ ଓ ଦେବସ୍ଥଳୀରେ ଭକ୍ତଙ୍କୁ ମାଗଣା ପ୍ରସାଦ ଯୋଗାଯାଉଥିବାରୁ ଶ୍ରୀମନ୍ଦିରରେ ଦର୍ଶନ ପାଇଁ ଆସୁଥିବା ଭକ୍ତଙ୍କୁ ମାଗଣାରେ ମାଟି-କୁଡୁଆରେ ମହାପ୍ରସାଦ ଯୋଗାଇବାକୁ ଓଡ଼ିଶା ସରକାର ଯୋଜନା କରୁଥିବାର ଜଣାଯାଇଛି। ଏ ବାବଦରେ ବର୍ଷକୁ ୧୪ରୁ ୧୫ କୋଟି ଟଙ୍କା ଖର୍ଚ୍ଚ ହେବ। ଏଥିପାଇଁ ସରକାରଙ୍କ ଉପରେ ଆର୍ଥିକ ଚାପ ପଡ଼ିବ ନାହିଁ; ବରଂ ବଦାନ୍ୟ ବ୍ୟକ୍ତିଙ୍କ ଦାନରୁ ଭରଣା କରାଯିବ। ଏଥିପାଇଁ ଶ୍ରୀକ୍ଷେତ୍ରର ବୁଦ୍ଧିଜୀବୀଙ୍କୁ ନେଇ ଏକ କମିଟି ଗଠନ କରାଯାଉଛି। ଏଥିରେ, ଦୈନିକ ଅତ୍ୟାବଶ୍ୟକ ହେଉଥିବା ପ୍ରାୟ ୧୦ ହଜାର ମାଟିକୁଡୁଆ ସହିତ ଅତିରିକ୍ତ ୩୦ ହଜାର ଓଳି ବା ଛୋଟ କୁଡୁଆ ଆବଶ୍ୟକ ପଡ଼ିବ। ବଦାନ୍ୟ ବ୍ୟକ୍ତିଙ୍କ ଦାନ ଅର୍ଥକୁ ବ୍ୟବହାର କରି ଭକ୍ତ ଓ ଦର୍ଶନାର୍ଥୀମାନଙ୍କୁ ସ୍ୱଳ୍ପ ମୂଲ୍ୟରେ ଉଚ୍ଚମାନର ଶ୍ରୀମହାପ୍ରସାଦ ସୁବିଧାରେ ମିଳିବା ସ୍ୱାଗତଯୋଗ୍ୟ ତଥା ଗୁରୁତ୍ୱପୂର୍ଣ୍ଣ ପରିକଳ୍ପନା ହୋଇଥିଲାବେଳେ ଭକ୍ତଜନଙ୍କୁ ମାଗଣାରେ ମାଟି-କୁଡୁଆରେ ମହାପ୍ରସାଦ ଦେବାର ପରିକଳ୍ପନାକୁ ଅଦୂରଦର୍ଶୀ କୁହାଯାଇ ପାରିବ। ମାଗଣାରେ ମହାପ୍ରସାଦ ବଣ୍ଟନ ପରିକଳ୍ପନା କାରଣରୁ କେବଳ ଓଡ଼ିଆ କାହିଁକି, ହିନ୍ଦୁ ଅସ୍ମିତା ଯେ ଆହତ ଏବଂ ଅପମାନିତ ହେବ, ସରକାର ଏତିକି ବୁଝି ନପାରିବା ହିଁ ମର୍ମନ୍ତୁଦ ଓ ଦୁଃଖଦ।

କୁଡୁଆ ହେଉଛି ମାଟିରେ ତିଆରି ଏଭଳି ଏକ ହାତ ତିଆରି ରନ୍ଧନପାତ୍ର, ଯାହା ଅବଢ଼ା ପ୍ରସ୍ତୁତି ଏବଂ ପରିବେଷଣ କାର୍ଯ୍ୟରେ ବ୍ୟବହାର ହୋଇଥାଏ। କୁଡୁଆକୁ ଓଳି, ସରା, ବଢ଼ା, ତାଡ଼ ଇତ୍ୟାଦି ମଧ୍ୟ କୁହାଯାଏ। ପୁରୀ ଶ୍ରୀମନ୍ଦିର, ଭୁବନେଶ୍ୱର ଲିଙ୍ଗରାଜ ଓ ଅନନ୍ତ ବାସୁଦେବ ମନ୍ଦିର ଏବଂ ପୁରୀ ନିକଟସ୍ଥ ବ୍ରହ୍ମଗିରିରେ ଥିବା ଅଲାରନାଥ ମନ୍ଦିରରେ ମାଟି କୁଡୁଆରେ ପ୍ରସାଦ ରନ୍ଧନ କରାଯାଏ। ଆଉ କିଛି ମନ୍ଦିରରେ ପିତ୍ତଳ ତିଆରି ହଣ୍ଡାହାଣ୍ଡିରେ ରୋଷେଇ କରାଯାଇ ଭୋଗ ଅର୍ପଣ ପରେ ପ୍ରସାଦକୁ ମାଟି କୁଡୁଆରେ ଭର୍ତ୍ତି କରି ଭକ୍ତଙ୍କୁ ବିକ୍ରି କରାଯାଉଥିବାର ଦେଖାଯାଉଛି।

ଶ୍ରୀମନ୍ଦିରରେ ପାଞ୍ଚ ପ୍ରକାରର ତାଡ଼ (ପାହାନ୍ତି, ସାତପୁରୀ, ନରସିଂହନାଥିଆ, ଅଧାତାଡ଼ିଆ ବା ଚାଟି, ଚଉଠା ବା ସାତପୁରୀ ଚାଟି) ଏବଂ ଛଅ ପ୍ରକାର ହାଣ୍ଡି (ବାଇହାଣ୍ଡି, ଟିପେଇ ହାଣ୍ଡି, ଅଧର ହାଣ୍ଡି, ସମାଧି, ଦାସିଆ, ଏମାର) ବ୍ୟବହାର ବିଧି ରହିଛି। ତାହା ଛଡ଼ା ଛଅ ପ୍ରକାର କୁଡୁଆ (ବଡ଼ମଠ, ସାନମଠ, ନମ୍ବରି, ଧଳା ବା ଢଳା, ଥାଳି, କଳା ବା ଭାତ), ଛଅ ପ୍ରକାର ଓଳି (ପଖାଳ ବା ବଡ଼, ଅଙ୍ଗବାସ ବା ଅଙ୍ଗାଂଶ, ଚକ, ପାଇକିଆ, ସୁମୋ ଓ ମୁଗ), ଚାରି ପ୍ରକାର ସରା (ବଡ଼, ପୁଳି, ପାଳି, ମଝାଲ) ଭଳି ମାଟି ପାତ୍ର ବ୍ୟବହୃତ ହେଇଥାଏ। ଏହା ବ୍ୟତୀତ ଆଉ କେତେ ପ୍ରକାର ଆଟିକା, ପଲମ ଓ ଦୀପ-ଦୀପାଳି ଇତ୍ୟାଦି ମଧ୍ୟ ବ୍ୟବହୃତ ହୋଇଥାଏ। ଦିଅଁଙ୍କ ଚଢ଼େଇ ନେଦା ଭୋଗ ଲାଗୁଥିବା ତାଡ଼କୁ ମଧ୍ୟ ‘ଚଢ଼େଇନେଦା ତାଡ଼' ବୋଲି କୁହାଯାଏ।

ଶ୍ରୀ ଜଗନ୍ନାଥଙ୍କର 'ରତ୍ନହାଣ୍ଡି ଜାଗିରି' ଭୋଗ ଦଖଲ କରୁଥବା କୁମ୍ଭକାର ବିଶୋଇମାନେ ସେହି ଜାଗିରିରୁ ସଂଗ୍ରହ କରୁଥିବା ରତ୍ନମାଟିକୁ ବ୍ୟବହାର କରି ରତ୍ନହାଣ୍ଡି ତିଆରି କରନ୍ତି। ରତ୍ନହାଣ୍ଡି ହେଉଛି ନାଲି ରଙ୍ଗର ମାଟିପାତ୍ର। ନୀଳାଦ୍ରି ମହୋଦୟରେ କୁହାଯାଇଛି ଯେ, ‘କୃଷ୍ଣବର୍ଣ୍ଣନି ପାତ୍ରାଣି ନ ନୟେତ ପାକ ମନ୍ଦିରମ୍’। ଅର୍ଥାତ କୃଷ୍ଣ ରଙ୍ଗ ବା କଳାରଙ୍ଗର ହାଣ୍ଡିକୁ ଶ୍ରୀମନ୍ଦିର ପାକଶାଳାକୁ ନେବ ନାହିଁ। ଏଣୁ, ଶ୍ରୀମନ୍ଦିର ରୋଷଘରକୁ କେବଳ ନାଲିରଙ୍ଗର ମାଟି ହାଣ୍ଡି ପ୍ରବେଶ କରିଥାଏ। ଶଙ୍ଖ, ଚକ୍ର, ଗଦା ଓ ପଦ୍ମ - ଏହି ଚାରିଟି ସାଂକେତିକ ଆଧାରରେ କୁଡୁଆର ସୃଷ୍ଟି। ମାଟି ତାଡ଼ି ସଂଗ୍ରହ କରିବା ବେଳେ ତାହା ଶଙ୍ଖାକୃତି ହୋଇ ବାହାରିଥାଏ। କୁଡୁଆକୁ କୁମ୍ଭାର ଚକ୍ର ଉପରେ ବୁଲାଇ ତିଆରି କରାଯାଏ। ପରେ ଗଦା ଭଳି କାଠରେ ଶେଷ ସ୍ପର୍ଶ ଦିଆଯାଏ। କୁଡୁଆ ତଳେ ପଦ୍ମର ଚିହ୍ନ ରହିଯାଏ।

ବଡ଼ ଦେଉଳରେ ପ୍ରଚଳିତ କେତେକ କୁଡୁଆ ମଧ୍ୟରେ ଥାଳି କୁଡ଼ୁଆ (ଖେଚୁଡ଼ି ପାଇଁ), ଅଙ୍ଗବାସ ଓଳି (ମରିଚି ପଣା, ମିଠା ଦହି, ଅଦାପଖାଳ ଆଦି ପାଇଁ), ଟିପେଇ ହାଣ୍ଡି (କାନିକା, କ୍ଷୀରି, କଡମ୍ବା ପାଇଁ), ପାହାନ୍ତି (ଅମାଲୁ, କାକରା ପାଇଁ) ଅଧା (ଅମାଲୁ ଛଣା ମାଟି ତଇ) ସାନଓଳି ( ବାଳରେ ଭାଗ ପାଇଁ), ପୁଳି ସରା (ପିଠା, ଚଢ଼େଇନେତା ପାଇଁ), ପାଳିସରା (ଛୋଟ ପିଠା, କାକରା, ଅମାଲୁ ଆଦି ପାଇଁ), ବଢ଼ (ଧୁଆ ମୁଗ ପାଇଁ), କଟାସରା (କଦଳୀ ଭଜା, ପାଚିଲା କଦଳୀ ଚେକା ପାଇଁ), ବାଇହାଣ୍ଡି, ସମାଦି କୁଡୁଆ, ଦାସିଆ କୁଡୁଆ, ଏମାର କୁଡୁଆ, ବଡ଼ମଠ କୁଡୁଆ, ସାନମଠ କୁଡୁଆ, ମକର ପାଇଁ ମକର ତାଡ଼, ସାତପୁରି ପାଇଁ ସାତପୁରି ତାଡ଼ (ସବୁଠାରୁ ବଡ଼ ତାଡ଼), ଅଧରପଣା ପାଇଁ ହାଣ୍ଡି ଆଦି କୁମ୍ଭକାର ସେବକମାନେ ଯୋଗାଇଥାନ୍ତି।

ପାଠକମାନଙ୍କର ସ୍ମରଣ ଥିବ ଯେ, ଗତ ମାସରେ ଶ୍ରୀମନ୍ଦିରରେ ଲୁହା କଡ଼େଇରେ ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦ ପ୍ରସ୍ତୁତି ହେଉଥିବା ନେଇ ଖବର ବାହାରକୁ ଆସିଥିଲା। ଏକଥା ପ୍ରଘଟ ହେବା ପରେ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ଓ ସେବାୟତ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଶ୍ରୀମନ୍ଦିରର ଶହ ଶହ ବର୍ଷର ପରମ୍ପରାକୁ ଭଙ୍ଗ କରାଯାଇ ଲୁହା କଡ଼େଇରେ ପ୍ରସାଦ ରନ୍ଧନକୁ ସମସ୍ତେ ସମାଲୋଚନା କରିଥିଲେ। ରୋଷଘରେ ବ୍ୟବହୃତ ହେଉଥିବା ଲୁହା କଡ଼େଇକୁ ଜବତ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ନିର୍ଦ୍ଦେଶ ଦେଇଥିଲେ। ତଦନ୍ତ ପରେ ଏହା ସତ୍ୟ ବୋଲି ପ୍ରମାଣିତ ହେବାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅଭିଯୁକ୍ତ ମହାସୁଆରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। କିନ୍ତୁ, କେହି ପ୍ରଶ୍ନ କରୁନାହାନ୍ତି ଯେ ମାଟି କୁଡୁଆ ପରିବର୍ତ୍ତେ ଲୁହା କଡ଼େଇରେ କେଉଁ କାରଣରୁ ରନ୍ଧା ହେଉଥିଲା ମହାପ୍ରସାଦ? ନିଅଣ୍ଟ ପଡୁଛି କି ମାଟି କୁଡୁଆ? ଯଦି ନିଅଣ୍ଟ ପଡୁଛି, ତାହାର କାରଣ କ’ଣ ଓ ଏହାର ସମାଧାନ କିପରି ସମ୍ଭବ ହୋଇ ପାରିବ ଏବଂ ମାଗଣା ମହାପ୍ରସାଦ ବଣ୍ଟନ ପାଇଁ ଅତିରିକ୍ତ ମାଟି କୁଡୁଆ କିପରି ମିଳିପାରିବ?

ଜଣାଯାଇଛି ଯେ, ମାଟି କୁଡୁଆ ଅଭାବ ହେତୁ କିଛି ସୂପକାର ସେବକ ଲୁହା କଡ଼େଇରେ ମହାପ୍ରସାଦ ପ୍ରସ୍ତୁତ କରୁଥିଲେ। ମାଟି କୁଡୁଆ ଅଭାବ ଆଗାମୀ ଦିନରେ ମହାପ୍ରସାଦ ପ୍ରସ୍ତୁତିରେ ବ୍ୟାପକ ବିଭ୍ରାଟ ସୃଷ୍ଟି କରିବାର ଆଶଙ୍କା ରହିଛି। ଏଣୁ ପ୍ରଶାସନ ଏହାର ଶୀଘ୍ର ସମାଧାନ କରନ୍ତୁ ବୋଲି ସୁଆର ମହାସୁଆର ନିଯୋଗ ଦାବି କରିଥିଲାବେଳେ ସେମାନେ କାହିଁକି ମାଟି କୁଡୁଆ ପରିବର୍ତ୍ତେ ଲୁହା କଡ଼େଇରେ ମହାପ୍ରସାଦ ରାନ୍ଧୁଥିଲେ ବୋଲି ପ୍ରଶ୍ନ କରି ସମାଲୋଚନା କରିଛି କୁମ୍ଭକାର ନିଯୋଗ। ମାଟି କୁଡୁଆ ନମିଳିବା ଆଳରେ ଶ୍ରୀମନ୍ଦିରରେ ଶହ ଶହ ବର୍ଷର ପରମ୍ପରା ଭଙ୍ଗାଯିବା ଠିକ୍ ନୁହେଁ ବୋଲି କୁମ୍ଭକାର ନିଯୋଗ କହିଛି। ତେବେ ଶ୍ରୀମନ୍ଦିରରେ ମାଟି କୁଡୁଆ ଅଭାବ ପାଇଁ ପ୍ରଶାସନକୁ ଦାୟୀ କରିଛି ଶ୍ରୀମନ୍ଦିର କୁମ୍ଭକାର ନିଯୋଗ। କୁମ୍ଭକାରମାନଙ୍କୁ ପ୍ରଶାସନ ଓ ସରକାର କୌଣସି ସହଯୋଗ, ଆର୍ଥିକ ସହାୟତା ପ୍ରଦାନ କରୁନଥିବାରୁ ଯୁବ କୁମ୍ଭକାରମାନେ ଆଉ କୁଡୁଆ ତିଆରି କରିବାରେ ଆଗ୍ରହ ପ୍ରକାଶ କରୁନାହାନ୍ତି। କୁମ୍ଭକାରଙ୍କ ଅନେକ ମୌଳିକ ସମସ୍ୟା ଓ ଭିତ୍ତିଭୂମି ଅଭାବ ରହିଛି। ଏହା ଦୂର ହୋଇ ପାରିଲେ ଶ୍ରୀମନ୍ଦିରକୁ କୁଡୁଆ ଯୋଗାଣରେ ଅଭାବ ରହିବ ନାହିଁ ବୋଲି କୁମ୍ଭକାର ନିଯୋଗ କହିଛି।

ପୁରୀର ଟିକରପଡ଼ା, ଗୋପାଳପୁର, କୁମ୍ଭାରପଡ଼ା ଓ ପୁରୀ ନିକଟବର୍ତ୍ତୀ ନିର୍ଦ୍ଦିଷ୍ଟ ଗ୍ରାମାଞ୍ଚଳରୁ ମାଟିକୁଡୁଆ ଶ୍ରୀମନ୍ଦିରକୁ ଆସିଥାଏ। ତେବେ ଏହି ପାରମ୍ପରିକ ମାଟିକୁଡୁଆ ପ୍ରସ୍ତୁତ କରିବାକୁ କୁମ୍ଭକାର ଯୁବପିଢ଼ି ଇଚ୍ଛା ପ୍ରକାଶ କରୁନାହାନ୍ତି। ଏହା ପଛରେ ଏକାଧିକ କାରଣ ରହିଛି। ପ୍ରଥମେ, କୁଡୁଆ ପ୍ରସ୍ତୁତି ପାଇଁ ପର୍ଯ୍ୟାପ୍ତ ପରିମାଣର ମାଟି ଆଉ ମିଳୁନାହିଁ। ଉପଯୁକ୍ତ ମାଟି ବିଭିନ୍ନ ସ୍ଥାନରୁ ସଂଗ୍ରହ ଓ ପରିବହନ କରି ଆଣିବା ବ୍ୟୟସାପେକ୍ଷ। ଦ୍ୱିତୀୟରେ ଗଢ଼ା ହୋଇଥିବା କୁଡୁଆଗୁଡ଼ିକୁ ଭାଟିରେ ପୋଡ଼ିବା ପାଇଁ ଆବଶ୍ୟକ ଜାଳେଣୀ ଦର ବଢ଼ି ଚାଲିଛି। ତୃତୀୟରେ କୁଡୁଆ ପ୍ରସ୍ତୁତି ଏକ କଷ୍ଟସାଧ୍ୟ କାର୍ଯ୍ୟ ଓ ଏହାର ବଜାର ମୂଲ୍ୟ ପରିଶ୍ରମ ଅନୁଯାୟୀ ସେମାନଙ୍କୁ ମିଳୁନାହିଁ। ତେଣୁ ଯୁବ କୁମ୍ଭକାରମାନେ କୁଡୁଆ ତିଆରି ପାଇଁ ଅନିଚ୍ଛୁକ। ଏହିସବୁ କାରଣରୁ ଶ୍ରୀମନ୍ଦିରକୁ ଆବଶ୍ୟକତା ଅନୁଯାୟୀ ମାଟି କୁଡୁଆ ଆସିପାରୁ ନଥିବାରୁ ରୋଷଶାଳାରେ କୁଡୁଆ ସମସ୍ୟା ବଢ଼ିବାରେ ଲାଗିଛି। ଆଗକୁ ଏହି ସମସ୍ୟା ବଢ଼ିବ ସିନା, ଉପଯୁକ୍ତ ପଦକ୍ଷେପ ନନେଲା ଯାଏଁ କେବେ ହେଁ କମିବା ସମ୍ଭବ ନୁହେଁ। ଏନେଇ କୁମ୍ଭକାର ନିଯୋଗ ପକ୍ଷରୁ ସମସ୍ୟା ସମାଧାନ ପାଇଁ ରାଜ୍ୟ ସରକାରଙ୍କୁ ବାରମ୍ବାର ପ୍ରସ୍ତାବ ଦିଆଯାଉଛି। ସେମାନେ ସତର୍କ କରି ଆସୁଛନ୍ତି ଯେ, ଭବିଷ୍ୟତରେ ମହାପ୍ରସାଦ ପ୍ରସ୍ତୁତିରେ ଆବଶ୍ୟକ କୁଡୁଆ ଯୋଗାଣ ଅସମ୍ଭବ ମନେ ହେଉଛି ଏବଂ ଯାହା ଫଳରେ ବ୍ୟାପକ ବିଭ୍ରାଟ ଘଟିବାର ଆଶଙ୍କା ରହିଛି। ଏଣୁ ରାଜ୍ୟ ସରକାର କୁଡୁଆ ତିଆରି ପାଇଁ ଏକ କ୍ଷୁଦ୍ର ଶିଳ୍ପ କାରଖାନା କରନ୍ତୁ; ଯେଉଁଠାରେ ଆବଶ୍ୟକ ପରିମାଣର ମାଟି କୁଡୁଆ ତିଆରି ହୋଇପାରିବ। ଶ୍ରୀମନ୍ଦିରରେ ମାଟି କୁଡୁଆକୁ ନେଇ ସମସ୍ୟା ରହିବ ନାହିଁ।

ପୁରୀ ସହର ଆଖପାଖରେ ଥିବା କୁମ୍ଭକାରମାନଙ୍କ ଶାଳ ଗତ ୨୦୧୯ ମସିହାରେ ପ୍ରଳୟଙ୍କରୀ ଫନି ବାତ୍ୟାରେ ଭାଙ୍ଗି ଯାଇଥିଲା। ସେତେବେଳେ, ସରକାର କିମ୍ବା ଶ୍ରୀମନ୍ଦିର ପ୍ରଶାସନ କୌଣସି ଆର୍ଥିକ ସାହାଯ୍ୟ ଦେଲେ ନାହିଁ। ମାଟି କୁଡୁଆ ନମିଳିବା ଯୋଗୁ ଧାତବ ପାତ୍ରରେ ପ୍ରସାଦ ପ୍ରସ୍ତୁତି ହେବା ଶ୍ରୀ ଜଗନ୍ନାଥ ମନ୍ଦିର ନୀତି ଓ ପରମ୍ପରା ବିରୋଧୀ ହୋଇଥିବାରୁ କୁମ୍ଭକାରମାନେ ଏହାକୁ ବିରୋଧ କରୁଛନ୍ତି। ଏବେ କୁଡୁଆ ତିଆରି ପାଇଁ ମାତ୍ର ୧୨ଟି ବଡ଼ ଭାଟି ରହିଥିଲା ବେଳେ ଆଗକୁ ୨୦୦ ଭାଟିର ଆବଶ୍ୟକତା ରହିଛି। ଏବେ ଆବଶ୍ୟକତା ଅନୁଯାୟୀ କୁଡୁଆ ଉତ୍ପାଦନ ହୋଇ ପାରୁନାହିଁ। କିଛି ବର୍ଷ ତଳୁ କୁଡୁଆ ସଙ୍କଟ ଦେଖାଦେଲାଣି। ଯଦି ସରକାର ଓ ପ୍ରଶାସନ କୁମ୍ଭକାରଙ୍କ ମୌଳିକ ସମସ୍ୟା ସମାଧାନ କରିବା ସହ ବିଭିନ୍ନ ପ୍ରୋତ୍ସାହନ ଯୋଗାଇ ଦେବେ କୁଡୁଆ ଉତ୍ପାଦନରେ ଅଭାବ ରହନ୍ତା ନାହିଁ। ଉପଯୁକ୍ତ ମାଟି ସଂଗ୍ରହ ଓ ପରିବହନ, ଜାଳେଣୀ କାଠ ଯୋଗାଣ ଏବଂ ଶାଳ, ଭାଟି ତଥା ଗୋଦାମ ନିର୍ମାଣ ଭଳି ଭିତ୍ତିଭୂମି ସୃଷ୍ଟି ବ୍ୟବସ୍ଥା ନକରିବା ଯାଏଁ ଯେ କୁଡୁଆ ପ୍ରସ୍ତୁତି କ୍ରମଶଃ କମି ଆସିବ, ଏହା ସମସ୍ତେ ଜାଣନ୍ତି। ସେମାନଙ୍କ ମୌଳିକ ସମସ୍ୟା ଯେପର୍ଯ୍ୟନ୍ତ ସମାଧାନ ହୋଇନାହିଁ ସେପର୍ଯ୍ୟନ୍ତ ଅଧିକ ମାଟି କୁଡୁଆ ତିଆରି କରିବା ଅସମ୍ଭବ ହୋଇଥିଲେ ବି ସରକାର କିପରି ମାଟି କୁଡୁଆରେ ମହାପ୍ରସାଦ ବଣ୍ଟନ ନିଷ୍ପତି ନେଲେ, ତାହା ସମସ୍ତଙ୍କୁ ଚକିତ କରିଛି।

ସୌରଶକ୍ତିରୁ ଉତ୍ପାଦିତ ବିଦ୍ୟୁତ୍ ବ୍ୟବହାର କରି ମୋଟର ଚାଳିତ କୁମ୍ଭାର ଚକକୁ ଘୂରାଇବା ଆଉ ନୂଆ କଥା ହୋଇ ରହିନାହିଁ। ଗୋଟିଏ ଘଣ୍ଟାରେ ୨୫ରୁ ଊର୍ଦ୍ଧ୍ୱ ଛୋଟ, ବଡ଼ ମାଟିପାତ୍ର ଗଢ଼ିବା ଏବେ ସହଜ ହୋଇଛି। ଏଭଳି ଗୋଟିଏ ପ୍ରକଳ୍ପ ପାଇଁ ପ୍ରାୟ ୬୦ ହଜାର ଟଙ୍କା ଖର୍ଚ୍ଚ ହୁଏ। ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ବିଜୁଳି ଯୋଜନାରେ ଆଜିକାଲି ସୌରଶକ୍ତିରୁ ବିଦ୍ୟୁତ୍ ଉତ୍ପାଦନ କରିବା କ୍ରମଶଃ ଲୋକପ୍ରିୟ ହେଉଥିବାରୁ ରାଜ୍ୟ ସରକାର ଚାହିଁଲେ ସମସ୍ତ ଯୁବ କୁମ୍ଭକାରଙ୍କୁ ଏହି ଯୋଜନାରେ ସାମିଲ କରି ମୋଟର ଚାଳିତ କୁମ୍ଭାର ଚକ ଯୋଗାଇ ପାରନ୍ତେ।

ଖାଦ୍ୟ ବିଶେଷଜ୍ଞଙ୍କ ମତରେ କୌଣସି ଧାତୁପାତ୍ର ଅପେକ୍ଷା ମାଟିହାଣ୍ଡିରେ ପାକ ହୋଇଥିବା ଅଧିକ ସୁସ୍ୱାଦୁ ଓ ସ୍ୱାସ୍ଥ୍ୟକର। କାରଣ ମାଟିପାତ୍ରରେ ରୋଷେଇ ହୋଇଥିବା ଖାଦ୍ୟର ସୂକ୍ଷ୍ମ ପୋଷକ ତତ୍ତ୍ଵ ନଷ୍ଟ ହୋଇନଥାଏ। ମାଟିପାତ୍ର କ୍ଷାରୀୟ ଗୁଣ ବହନ କରୁଥିବାରୁ ଅମ୍ଳ ପ୍ରଭାବକୁ ହ୍ରାସ କରି ଖାଦ୍ୟକୁ ସମତୁଲ ସ୍ତରକୁ ଆଣେ, ଯାହା ସହଜରେ ହଜମ ହୋଇଥାଏ। ମାଟିପାତ୍ରରେ ରୋଷେଇ ଖାଦ୍ୟ ନିୟମିତ ଖାଉଥିବା ବ୍ୟକ୍ତି ମଧୁମେହ ଓ ଆଣ୍ଠୁଗଣ୍ଠି ଯନ୍ତ୍ରଣା ଭୋଗନ୍ତି ନାହିଁ। ତ୍ରୟୋଦଶ ଶତାବ୍ଦୀରେ ଶାସନ କରୁଥିବା ତୃତୀୟ ଅନଙ୍ଗଦେବଙ୍କ ସମୟରୁ ଶ୍ରୀଜୀଉଙ୍କ ପାଇଁ ମହାପ୍ରସାଦ ଅନ୍ନଭୋଗ ମଣୋହି ବ୍ୟବସ୍ଥା ପ୍ରଚଳନ ହେବା ପରଠାରୁ ହିଁ କୁଡୁଆରେ ରୋଷେଇ ଆରମ୍ଭ ହୋଇଥିଲା। ସେତେବେଳେ ଛତିଶା ନିଯୋଗରେ ସ୍ଥାନ ପାଇଥିଲା କୁମ୍ଭକାର ନିଯୋଗ। ସମୟକ୍ରମେ ଛପନ ପଉଟି ଭୋଗର ପରିମାଣ ବୃଦ୍ଧି ପାଇବା ସହିତ ବଢ଼ି ଚାଲିଲା କୁଡୁଆର ଚାହିଦା। ବିପୁଳ ପରିମାଣର ମାଟିପାତ୍ର ଯୋଗାଇବାକୁ ଶ୍ରୀମନ୍ଦିର ପକ୍ଷରୁ କୁମ୍ଭାରପଡ଼ା, ଟିକରପଡ଼ା ଓ ନୂଆସାହିସ୍ଥିତ କୁମ୍ଭାରମାନଙ୍କୁ ଚୁକ୍ତିବଦ୍ଧ କରାଯାଇଥିଲା।

ଶ୍ରୀମନ୍ଦିର ଭଣ୍ଡାର ଘରେ ମୂଲ୍ୟବାନ ରୂପା, କଂସା ଓ ପିତ୍ତଳ ନିର୍ମିତ ଧାତୁ ପାତ୍ରର ଅଭାବ ନଥିବା ସ୍ଥଳେ ମାଟି କୁଡୁଆର ବ୍ୟବହାର କାହିଁକି କରାଯିବାର ବୈଜ୍ଞାନିକ କାରଣ ସଭିଏଁ ଜାଣିବା ଆବଶ୍ୟକ। ମାଟି କୁଡୁଆ ଅନ୍ୟାନ୍ୟ ରନ୍ଧନପାତ୍ର ଅପେକ୍ଷା ସ୍ୱାସ୍ଥ୍ୟପ୍ରଦ ଏବଂ ପବିତ୍ର। କୁଡୁଆ ରନ୍ଧା ଖାଦ୍ୟରେ ଭରପୂର ହୋଇ ରହିଥାଏ ମାଇକ୍ରୋନ୍ୟୁଟ୍ରେଣ୍ଟ ବା ଅଣୁ-ପୁଷ୍ଟିସାର। ଭାଟିରେ କୁଡୁଆକୁ ଏଭଳି ପୋଡ଼ାଯାଏ ଯେପରିକି ଏହାର ରଙ୍ଗ ନାଲି ହୋଇଯିବ। ନାଲି ରଙ୍ଗର କୁଡୁଆରେ ପ୍ରସାଦ ରନ୍ଧନ କଲେ ଖୁବ୍ ଶୀଘ୍ର ସମାହିତ ହୁଏ, ସମସ୍ତ ଅଂଚଳ ସମାନ ଭାବେ ସିଦ୍ଧ ହୋଇଥାଏ ଏବଂ ଦୀର୍ଘ ସମୟ ଗରମ ରହେ। ସମୟକ୍ରମେ ଜଗନ୍ନାଥ ଧର୍ମ ଦର୍ଶନରେ ବିଭିନ୍ନ ଚିନ୍ତା ଚେତନା ଓ ଦର୍ଶନର ସମନ୍ଵୟ ଘଟିଛି, ହେଲେ ସକଳ ବୈଚିତ୍ର୍ୟ ଓ ବିବିଧତାକୁ ଆତ୍ମସ୍ଥ କରି ଯୁଗ ଯୁଗ ଧରି ଅକ୍ଷୁଣ୍ଣ ରହିଛି ଜଗନ୍ନାଥ ସଂସ୍କୃତିର ମୌଳିକତା, ଯାହା ମଧ୍ୟରେ ରହିଛି ମାଟି କୁଡୁଆରେ ରନ୍ଧନ ପରମ୍ପରା। ପାଶ୍ଚାତ୍ୟ ସଂସ୍କୃତି କବଳିତ କିଛି ପଣ୍ଡିତ ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରାର ମୂଳତତ୍ତ୍ଵକୁ ନ ବୁଝି, କୁଡୁଆରେ ପ୍ରସ୍ତୁତ ମହାପ୍ରଭୁଙ୍କ ମହାପ୍ରସାଦକୁ ଅବୈଜ୍ଞାନିକ, ଅହେତୁକ ଓ ଅନ୍ଧବିଶ୍ୱାସ କହିପାରନ୍ତି; ମାତ୍ର ସେମାନେ ଜାଣିବା ଦରକାର ଯେ ଏହା ସ୍ଵାସ୍ଥ୍ୟ ସୁରକ୍ଷା ଦୃଷ୍ଟିରୁ ଯେତିକି ଉପାଦେୟ, ପରିବେଶ ପାଇଁ ସେତିକି ଉପଯୋଗୀ। ପ୍ଲାଷ୍ଟିକ ପ୍ରଦୂଷଣ ଯୁଗରେ ମାଟି କୁଡୁଆରେ ମହାପ୍ରସାଦ ରନ୍ଧନର ପ୍ରାସଙ୍ଗିକତା ପ୍ରଶ୍ନାତୀତ। କୁଡୁଆ ଥରେ ବ୍ୟବହୃତ ହେବା ପରେ ପୁନର୍ବାର ହୁଏ ନାହିଁ। ଏହା ପରିବେଶ ଅନୁକୂଳ ଓ ଏହାକୁ ଭଲ ଭାବେ ଗୁଣ୍ଡକରି ମାଟିରେ ମିଶାଇ ଦେଲେ ତାହା କିଛି ଦିନ ମଧ୍ୟରେ ପୁନର୍ବାର ମାଟି ହୋଇଯାଇ ପାରିବ। ଧାତବ ପାତ୍ରରେ ରୋଷେଇ କଲେ ତାହାକୁ ପରିଷ୍କାର କରି ପୁନର୍ବାର ବ୍ୟବହାର କରାଗଲେ ଅଧିକ ଜଳ ନଷ୍ଟ ହେବା ସହିତ ପ୍ରସାଦ ସଂକ୍ରମିତ ହେବାର ଆଶଙ୍କା ରହିପାରେ; ଯାହା କୁଡୁଆ କ୍ଷେତ୍ରରେ ହେବନାହିଁ। ତେବେ, ମୃତ୍ତିକାକ୍ଷୟ ଭରଣା କରିବା ପାଇଁ କୁଡୁଆ ସମେତ ସମସ୍ତ ମାଟି ତିଆରି ପାତ୍ର ଗୁଡ଼ିକୁ ସଂଗ୍ରହ କରି ସେଗୁଡ଼ିକୁ ସମ୍ପୂର୍ଣ୍ଣ ଗୁଣ୍ଡକରି ମାଟିରେ ପରିଣତ କରିବାର ବ୍ୟବସ୍ଥା ସହିତ ଯୁବ-କୁମ୍ଭକାରମାନଙ୍କ ଉପଦେୟ ପ୍ରସ୍ତାବ ସରକାର ଗ୍ରହଣ କରିନେବା ଉଚିତ ହେବ। ସେତେଦିନ ଯାଏଁ ‘କୁଡୁଆଏ ଅବଢ଼ା’ ପରିକଳ୍ପନାକୁ ଏକ ସ୍ୱପ୍ନବିଳାସ କୁହାଯିବ।

ଫୋ- ୯୪୩୮୨୯୯୦୩୭

Related story