ଦେବ ରଂଜନ
ଓଡ଼ିଶା ଭୂଖଣ୍ଡର ଇତିହାସ କହିଲେ ଆମ୍ଭେମାନେ ଆକ୍ରମଣକାରୀ ରାଜା ଓ ମହାରାଜାଂକ ବଂଶର ଇତିହାସ, ସେମାନଂକ କୀର୍ତ୍ତି ଓ ସେମାନଙ୍କ ରାଜ୍ୟଜୟର ଇତିହାସକୁ ବୁଝିଥାଉ। ଏହା ଆମେ ସ୍କୁଲ ପୁସ୍ତକରେ ପଢୁଥିଲେ ଓ ଏବେ ବି ସ୍କୁଲର ପାଠ୍ୟ ପୁସ୍ତକରେ ସେହି ସମାନ କଥା ରହିଛି। ଏହି ଭୂଖଣ୍ଡରେ ଯେ ରାଜା ଶାସନ ସମୟରେ ସାଧାରଣ ଲୋକ ରହିଥିଲେ, ସେମାନଙ୍କ ଜୀବିକା, ଚାଷବାସ, ଧର୍ମବିଶ୍ଵାସ, ସଂସ୍କୃତି ଓ ପରମ୍ପରା ସାଙ୍ଗକୁ ସେମାନଙ୍କ ମଧ୍ୟରେ କେଉଁଭଳି ଜାତିପ୍ରଥା ଆସିଲା ତାହା କେବେ ଇତିହାସର ବିଷୟ ହୋଇନାହିଁ।
ଆମେ ଜାଣୁ ଭଗବତ ଗୀତା ଅନୁସାରେ ହିନ୍ଦୁ ସମାଜରେ ଚାରି ଜାତି ଅଛନ୍ତି – ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ ଓ ଶୂଦ୍ର। କିନ୍ତୁ ଆମେ ତ ଆମ ଚାରିପାଖରେ ଅନେକ ପ୍ରକାର ଜାତି ଦେଖୁଛୁ। ଏଭଳି କେତେ ଜାତି ଅଛନ୍ତି ଯଦିଓ ସେମାନେ ନିଜକୁ ସରକାରୀ ଭାଷାରେ ଓବିସି କହୁଛନ୍ତି କିନ୍ତୁ ସେମାନଙ୍କ ମଧ୍ୟରେ ଉଚ୍ଚ ନୀଚ ଭାବନା ରହିଛି। ଏଠାରେ ବୈଶ୍ୟ କିଏ ଓ ଉତ୍ତର ଭାରତର ରାଜପୁତଙ୍କ ଭଳି ଏଠାରେ କ୍ଷତ୍ରିୟ କିଏ? ଏଠାରେ ଆଦିବାସୀମାନେ ପୁଣି କେଉଁ ଜାତିରେ ଆସୁଛନ୍ତି? ସ୍କୁଲ ପାଠ୍ୟ ପୁସ୍ତକରେ ଏ ସମ୍ପର୍କରେ କୌଣସି ଆଲୋଚନା ହେଉନାହିଁ।
ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗର ପ୍ରାଧ୍ୟାପକ ଥିଲେ ପ୍ରଫେସର ବିଶ୍ୱମୟ ପତି। ସେ କଟକନିବାସୀ, ଓଡ଼ିଆ ଲୋକ। ଓଡ଼ିଶାର ଜନସାଧାରଣଙ୍କ ଇତିହାସ ଉପରେ ଉଲ୍ଲେଖନୀୟ କାମ କରିଥିଲେ। ତାଙ୍କର ଦେହାନ୍ତ ଜୁନ ୨୦୧୭ରେ ହୋଇଯାଇଛି। ତାଙ୍କର ଏକ ପୁସ୍ତକରେ ସେ ପ୍ରଶ୍ନ ଉଠାଉଛନ୍ତି, ‘ଆମେ ସମସ୍ତେ ଜାଣୁ ପୁରୀର ଜଗନ୍ନାଥ ଦେବତା ଶବର ଆଦିବାସୀ କୂଳରୁ ଆସିଛନ୍ତି। ଏହା କେବଳ ଲୋକକଥା ନୁହେଁ ଏହା ଇତିହାସ ମଧ୍ୟ। ତେବେ ଏହାର ଅର୍ଥ ଓଡ଼ିଶାର ଉପକୂଳରେ ଆଦିବାସୀ ଥିଲେ। ତେବେ ଆଜି ସେମାନେ କାହିଁକି ଦେଖା ଯାଉନାହାନ୍ତି?’ (ପୁସ୍ତକ : Identity Hegemony and Resistance Towards a social history of conversion in Orissa 1800 – 2000.)
ବିଶ୍ୱମୟ ପତିଙ୍କର ଯୁକ୍ତି ହେଲା ଯେ ଓଡ଼ିଶାର ଉପକୂଳ ଅନ୍ତତଃ ଚତୁର୍ଥ ଶତାଦ୍ଦୀ ପର୍ଯ୍ୟନ୍ତ ଆଦିବାସୀ ବହୁଳ ଥିଲା। ପରେ ସେମାନେ ଗଲେ କୁଆଡ଼େ? ଇତିହାସ କୁହେ ଚତୁର୍ଥ ଶତାବ୍ଦୀରେ ଉତ୍ତର ଭାରତର ଯଯାତି କେଶରୀ ଓଡ଼ିଶା ଅକ୍ତିଆର କରିବାଠାରୁ ଏକାଦଶ ଶତାବ୍ଦୀରେ ଦକ୍ଷିଣର ଗଙ୍ଗ ବଂଶ ଓଡ଼ିଶାକୁ ଅକ୍ତିଆର କରିବା ପର୍ଯ୍ୟନ୍ତ ସମସ୍ତେ କାଣ୍ୟକୁବ୍ଜ ଅଞ୍ଚଳରୁ ବ୍ରାହ୍ମଣମାନଙ୍କୁ ଆଣି ଓଡ଼ିଶାର ଉପକୂଳ ଅଞ୍ଚଳରେ ଗ୍ରାମଦାନକରି ଅବସ୍ଥାପିତ କରାଇଛନ୍ତି। ଓଡ଼ିଶାର ଇତିହାସବିତ୍ମାନେ ରାଜାଙ୍କର ଏହା ଏକ ମହତ୍ କାର୍ଯ୍ୟଥିଲା ବୋଲି ବର୍ଣ୍ଣନା କରିଛନ୍ତି। ମାତ୍ର ରାଜା ମହାରାଜାଙ୍କର ଏହି ବ୍ରାହ୍ମଣପୋଷଣ ନୀତି ଓଡ଼ିଶାରେ ଜାତିସୃଷ୍ଟି କରିଥିବା କଥା ବିଶ୍ୱମୟ ପତି ଯୁକ୍ତି କରୁଥିଲେ। ପ୍ୟାରୀମୋହନ ଆଚାର୍ଯ୍ୟ ନିଜର ‘ଓଡ଼ିଶା ଇତିହାସ’ ପୁସ୍ତକରେ ଅବଶ୍ୟ ଉଲ୍ଲେଖ କରିଛନ୍ତି ଯେ ବର୍ତ୍ତମାନ ଯେଉଁ ବ୍ରାହ୍ମଣମାନେ ମଡ଼ିଆ, ପୁଝାରୀ, ପନିଆରୀ ବ୍ରାହ୍ମଣ ରୁପେ ଖ୍ୟାତ ସେମାନେ ଏହି (ନବାଗତ) ବ୍ରାହ୍ମଣଙ୍କ ଆଗମନ ପୁର୍ବରୁ ଓଡ଼ିଶାରେ ବାସ କରୁଥିଲେ। ମାତ୍ର ସେମାନେ ପ୍ରକୃତରେ କିଏ ସେ ସମ୍ପର୍କରେ କିନ୍ତୁ ପ୍ୟାରୀମୋହନ ଆଚାର୍ଯ୍ୟ ନୀରବ ରହିଛନ୍ତି।
ବିଶ୍ୱମୟ ପତିଙ୍କ ଯୁକ୍ତି ଥିଲା ଯେ ଏହି ବ୍ରାହ୍ମଣମାନଙ୍କ ଆଗମନ ଫଳରେ ଉପକୂଳର ଜଙ୍ଗଲ ମଧ୍ୟରେ ଆଦିବାସୀ ଓ ଅଣ-ଆଦିବାସୀ ବ୍ରାହ୍ମଣମାନଙ୍କ ମଧ୍ୟରେ ସଂଘର୍ଷ ଅବଶ୍ୟ ସୃଷ୍ଟି ହୋଇଛି। ମାତ୍ର କେତେକ ଆଦିବାସୀ ମୁଖ୍ୟ ବ୍ରାହ୍ମଣର ସଂସ୍ପର୍ଶରେ ଆସି ନିଜ ନିଜ ଅଞ୍ଚଳରେ ଚାଷ କରି ରହି ଯାଇଛନ୍ତି ଯାହାଙ୍କୁ ‘ହଳୁଆ ବ୍ରାହ୍ମଣ’ ଭାବରେ ସାଧାରଣରେ କୁହାଯାଇଥାଏ। ଏପରିକି ରଜାଙ୍କ ପାଇଁ ଖଣ୍ଡା ଧରିଥିବା ଆଜିର ଖଣ୍ଡାୟତ ଗୋଷ୍ଠୀ ହେଉଛନ୍ତି ପ୍ରକୃତରେ ଓଡ଼ିଶାର କ୍ଷତ୍ରିୟ, ଯେଉଁମାନେ କି ଆଦିବାସୀ ଥିଲେ ଅଥଚ ପରେ ଚାଷକୁ ନିଜର ଜୀବିକା କରି ଉପକୂଳରେ ରହିଯାଇଛନ୍ତି ବୋଲି ସେ ଯୁକ୍ତି କରନ୍ତି।
ବହୁ ଆଦିବାସୀ ଚାଷକୁ ନିଜର ଜୀବିକା ଭାବରେ ଆପଣେଇବା ସହିତ ସାମାଜିକ କାମରେ ସାମିଲ ହୋଇଛନ୍ତି ଯେଉଁମାନଙ୍କୁ ‘ଶୂଦ୍ର’ କୁହାଯାଉଛି। ଗବେଷଣା ଚକ୍ର ଦ୍ୱାରା ପ୍ରକାଶିତ ‘ସାମ୍ପ୍ରଦାୟିକତା ଓ ଜାତିବାଦ’ ପୁସ୍ତକରେ ପ୍ରଫେସର ପତି ଉଲ୍ଲେଖ କରିଛନ୍ତି, ‘ବ୍ରାହ୍ମଣମାନଙ୍କୁ ଦିଆଯାଇଥିବା ଜମି ଅଧିକାର ଓ ଚାଷର ଅଧିକ ପ୍ରଚଳନ କ୍ରମଶଃ ଆଦିବାସୀମାନଙ୍କୁ ଶୂଦ୍ରରେ ପରିଣତ କରିଛି ଯାହାଦ୍ୱାରାକି ସେମାନେ ଚାଷୀ ହୋଇଯାଇଛନ୍ତି।’ ଏତଦ୍ବ୍ୟତିତ ବହୁ ଆଦିବାସୀ ଜନଗୋଷ୍ଠୀ ବ୍ରାହ୍ମଣର ଅତ୍ୟଚାର ଓ ରାଜାଙ୍କ ଆକ୍ରମଣରେ ବ୍ୟତିବ୍ୟସ୍ତ ହୋଇ କ୍ରମଶଃ ଉପକୂଳ ଛାଡ଼ି ପଶ୍ଚିମ ଆଡ଼କୁ ଚାଲିଯାଇଛନ୍ତି। ସେମାନେ ଚାଷ ଅପେକ୍ଷା ଜଂଗଲର ଫଳମୂଳ ସଂଗ୍ରହକୁ ନିଜର ଜୀବିକା କରିଥିଲେ।
ବିଶ୍ୱମୟ ପତିଂକ ଯୁକ୍ତି ହେଲା ଉପକୂଳ ଓଡ଼ିଶାରେ ଆଦୌ ଆଦିବାସୀ ନରହିବା ଅଥଚ ପଶ୍ଚିମ ଓଡ଼ିଶାରେ ବହୁଳ ସଂଖ୍ୟାରେ ଆଦିବାସୀ ରହିବା ଏହାର କାରଣ। ତାଙ୍କର ଯୁକ୍ତି ହେଲା, ‘ବ୍ରିଟିଶ ସମୟରେ ଜନଗଣନା ଆରମ୍ଭ ହେଲା। ସେହି ସମୟ ମଧ୍ୟରେ ୧୮୯୧ରୁ ୧୯୪୧ ମଧ୍ୟରେ ଉପକୂଳ ଓଡ଼ିଶାରେ କ୍ରମଶଃ ଆଦିବାସୀଙ୍କ ସଂଖ୍ୟାରେ ହ୍ରାସ ହୋଇଛି। ହେଲେ ଏହାର କୌଣସି ନିର୍ଦ୍ଦିଷ୍ଟ କାରଣ ଦର୍ଶାଯାଇନାହିଁ। ସେହିପରି ୧୯୦୧ରୁ ୧୯୩୧ ମଧ୍ୟରେ ସେହି ସମାନ ଅଞ୍ଚଳରେ ଖଣ୍ଡାୟତ ଜନସଂଖ୍ୟା ଅନ୍ୟ ଜନସଂଖ୍ୟାଠାରୁ ଯଥେଷ୍ଟ ବଢ଼ିଯାଇଛି। ସେମାନଂକ ସଂଖ୍ୟା ପ୍ରାୟତଃ ୪୫.୪ % ଯାହାକି ଅନ୍ୟ ଜାତି ତୂଳନାରେ ସର୍ବାଧିକ।
ଉପରୋକ୍ତ ଭାବରେ ଯଦି ଉପକୂଳ ଓଡ଼ିଶାରେ ଜାତିପ୍ରଥା ତିଆରି ହୋଇଛି ତେବେ ଭିତର ଓଡ଼ିଶାରେ ଏହା କେଉଁପରି ସୃଷ୍ଟି ହୋଇଛି? ପ୍ରଫେସର ଭୈରବୀ ପ୍ରସାଦ ସାହୁ ‘Profiling Dakhina Koshala: An Early Historical Subregion’ ଶୀର୍ଷକ ଲେଖାରେ ଏ ସମ୍ପର୍କରେ ଆଲୋଚନା କରୁଛନ୍ତି। (ହରମାନ କୁଲକେ ଓ ଜର୍ଜ ବର୍କେମରଙ୍କ ଦ୍ଵାରା ସମ୍ପାଦିତ ପୁସ୍ତକ ‘CENTERS OUT THERE? Facets of Sub regional Identities in Orissa’ରେ ଲେଖା।) ପ୍ରଫେସର ସାହୁ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗରେ ପ୍ରାଧ୍ୟାପକ ଥିଲେ। ସେ ଓଡ଼ିଶାର ଲୋକ। ତାଙ୍କର ମଧ୍ୟ ଏ ମଧ୍ୟରେ ଦେହାନ୍ତ ହୋଇଯାଇଛି।
ପ୍ରଫେସର ସାହୁ ସେହି ପୁସ୍ତକରେ ଲେଖୁଛନ୍ତି ଯେ ଆଜିର ସୋନପୁର ଓ ବୌଦ୍ଧ ଅଞ୍ଚଳର ବିଭିନ୍ନ ଶିଳା ଚିତ୍ରରୁ (rock art) ଜଣାପଡ଼େ ଯେ ପଶ୍ଚିମ ଓଡ଼ିଶା ଓ ଛତିଶଗଡ଼ ଅଞ୍ଚଳ (ଦକ୍ଷିଣ କୋଶଳ)ରେ ମୁଖ୍ୟତଃ ଆଦିବାସୀମାନେ ରହୁଥିଲେ। ଏହି ଅଂଚଳ ଘଞ୍ଚ ଜଙ୍ଗଲ ଥିଲା। ଉତ୍ତର ଭାରତ (କୋଷାମ୍ବୀ) ଓ ଦକ୍ଷିଣ ପୂର୍ବ ଭାରତକୁ ଯୋଗ ଦେଉଥିବା ଏକ ବ୍ୟବସାୟିକ ରାସ୍ତା ଏହି ଘଞ୍ଚ ଜଙ୍ଗଲ ଦେଇ ଯାଉଥିଲା। ପ୍ରାୟ ଚତୁର୍ଥ ଶତାବ୍ଦୀରେ ଗୁପ୍ତ ଶାସନ ସମୟରେ କୋଶଳ ଭୂଖଣ୍ଡର ମହାନଦୀ, ତେଲ ନଦୀ ଓ ଅନ୍ୟ ନଦୀ ଅବବାହିକାରେ ପ୍ରଥମ ରାଜା ଶାସନ ପ୍ରତିଷ୍ଠା ହେବା କଥା ଜଣାପଡୁଛି।
ଦକ୍ଷିଣ କୋଶଳ ଅଞ୍ଚଳରେ ହିନ୍ଦୁ ମନ୍ଦିର ନିର୍ମାଣ ପ୍ରକ୍ରିୟା ସୋମବଂଶୀ ରାଜାଙ୍କ ସମୟରେ ଦୃତ ବେଗରେ ପ୍ରସାର ଘଟିଛି। ସେମାନେ ଆଜିର ସୋନପୁର, ବଲାଙ୍ଗୀର ଓ ବିଳାସପୁର (ଆଜିର ଛତିଶଗଡ଼ରେ ଅବସ୍ଥିତ) ଅଂଚଳରେ ଅନେକ ମନ୍ଦିର ସ୍ଥାପନ କରିଛନ୍ତି। ସେମାନେ ମନ୍ଦିର ଲାଗି ବ୍ରାହ୍ମଣଙ୍କୁ ଆଣିବା ସହିତ ବିଭିନ୍ନ ଆଦିବାସୀ ଦେବାଦେବୀଙ୍କ ପୂଜା ସ୍ଥଳୀକୁ ମଧ୍ୟ ମନ୍ଦିରର ରୂପ ଦେଇଛନ୍ତି।
ପ୍ରଫେସର ସାହୁଙ୍କ ମତରେ, ଶାସନର ସୁବିଧା ଲାଗି ଭୋଗ, ଭୁକ୍ତି, ରାଷ୍ଟ୍ର ଓ ଆହାର ନାମରେ ବିଭିନ୍ନ ଅଞ୍ଚଳକୁ ବାଣ୍ଟିଦିଆଯାଇ ରାଜାଙ୍କ ଦ୍ଵାରା ଟିକସ ବ୍ୟବସ୍ଥା ଲାଗୁ ହୋଇଛି। ସମାଜରେ ଅସମାନତା ଏଥିରେ ବଢୁଥିବାରୁ ରାଜା ଧର୍ମର ଆଶ୍ରୟ ନେଇଛି ଓ ନିଜକୁ ଈଶ୍ୱରଙ୍କ ସନ୍ତାନ ଭାବରେ ପରିଚିତ କରିଛି। ଏଥିଲାଗି ରାଜାମାନେ ଅନେକ ମନ୍ଦିର ତିଆରି କରିଛନ୍ତି। ସେମାନେ ନିଜେ ଏହି ମନ୍ଦିର ନିର୍ମିତ ସହରରୁ ଶାସନ କରିଛନ୍ତି। ମନ୍ଦିର ସହର କ୍ରମଶଃ ଶାସନ ମୁଖ୍ୟ ଅଞ୍ଚଳ ଭାବରେ ସ୍ୱୀକୃତି ପାଇଛି। ଏକ ବିରାଟ ଆଦିବାସୀ ଭୂଖଣ୍ଡରେ ବ୍ରାହ୍ମଣଙ୍କୁ ଜମି ଦାନ, ମନ୍ଦିର ନିର୍ମାଣ, ଟିକସ ବ୍ୟବସ୍ଥା ପ୍ରଚଳନ, ନିଜସ୍ୱ ସେନାବାହିନୀ ଗଠନ ପ୍ରକ୍ରିୟାରେ ରାଷ୍ଟ୍ର ବ୍ୟବସ୍ଥା ସୁରକ୍ଷିତ ହୋଇଛି ଓ ଜାତିପ୍ରଥା କ୍ରମଶଃ ଅଙ୍କୁରିତ ହୋଇଛି। ଏହା ଆଞ୍ଚଳିକ ଅସ୍ମିତା ଗଠନରେ ସହାୟକ ହୋଇଥିବା କଥା ଭୈରବୀ ପ୍ରସାଦ ସାହୁ ଯୁକ୍ତି କରିଛନ୍ତି।
ଓଡ଼ିଶା ଏକ ଆଦିବାସୀ ବହୁଳ ରାଜ୍ୟ। ଏଠାରେ ପୂର୍ବେ ଯେଉଁ ଉପକୂଳ ଅଞ୍ଚଳରେ ଆଦିବାସୀ ରହୁଥିଲେ ଆଜି ସେମାନେ ସେଠାରେ ନାହାନ୍ତି। ପୂର୍ବେ ଯେଉଁ ପାହାଡ଼ୀ ଅଞ୍ଚଳରେ ସେମାନେ ରହିଲେ ଏବେ ସେଠାରେ ବ୍ୟବସାୟ ଓ ମନ୍ଦିର ନାମରେ ଆଧୁନିକ ସହର ତିଆରି ହୋଇଯାଇଛି। ଏବେ ପୁଣି ସରକାର ନିଜର ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ଦ୍ଵାରା ଗ୍ରାମାଞ୍ଚଳରେ ରହିଥିବା ଆଦିବାସୀଙ୍କୁ ପୁଣି ଥରେ ବିସ୍ଥାପିତ ଓ ବିତାଡ଼ିତ କରୁଛନ୍ତି। ଶିଳ୍ପବାଦୀ - ପୁଞ୍ଜିବାଦୀ ଭାରତ ନିଜର ଉପନିବେଶ ଏହି ଆଦିବାସୀ ଅଞ୍ଚଳରେ ପ୍ରତିଷ୍ଠା କରୁଛି। ଯଦିଓ ସମ୍ବିଧାନର ପଞ୍ଚମ ଅନୁଚ୍ଛେଦରେ ଏହା ଆସୁଛି କିନ୍ତୁ ଗାଁରେ ରହିଥିବା ଗ୍ରାମସଭାର ଅନୁମୋଦନ ହୁଏତ ନିଆଯାଉ ନାହିଁ ଅଥବା ଭୟ ଦେଖାଇ ଏହି ଅନୁମୋଦନ ହାସଲ କରାଯାଉଛି। ଫଳରେ, ଆଦିବାସୀ ବହୁଳ ଅଞ୍ଚଳରେ ଏବେ ସାମାଜିକ ଓ ଅର୍ଥନୈତିକ ଅସମାନତା, ହିଂସା, ଆର୍ଥିକ ଶୋଷଣ ବଢ଼ିବାରେ ଲାଗିଛି ଓ ଆଦିବାସୀ ଭାଷା ସଂସ୍କୃତି ଲୋପ ପାଉଛି। ଏଭଳି ସ୍ଥିତିରେ ଆଦିବାସୀଙ୍କ ନ୍ୟାୟ ଲାଗି ଚାଲିଥିବା ଲଢ଼େଇକୁ ସମର୍ଥନ ଓ ସହଯୋଗର ଆବଶ୍ୟକତା ରହିଛି।
ମୋବାଇଲ- ୯୪୩୭୭୬୨୨୭୨