ସାମନ୍ତଙ୍କ ‘ଦର୍ପଣ’କୁ ଭୁଲିଗଲେ ଓଡ଼ିଶା ସରକାର!

ଦେବ ରଞ୍ଜନ ସିଭିଲ ଇଂଜିନିଅରିଂ ବିଭାଗର ଅନେକ ଛାତ୍ରଛାତ୍ରୀଙ୍କୁ ମୁଁ ପଚାରିଛି ଯେ ସେ ଉଚ୍ଚ ଆପାର୍ଟମେଣ୍ଟ ବା ଅଟ୍ଟାଳିକାର ଉଚ୍ଚତା ମାପିବାର କିଛି ସହଜ ସୂତ୍ର ଜାଣିଛନ୍ତି କି? ସେମାନଙ୍କ ମଧ୍ୟରୁ ଅଳ୍ପ କେତେକ ଛାଇ ମାପକ ସୂତ୍ର କଥା କହିଛନ୍ତି, ଅବଶ୍ୟ ଯଦି ସେ ସମୟରେ ସୂର୍ଯ୍ୟ ଦେଖାଯାଉଥା’ନ୍ତି। କାହିଁକି ଆମର ସ୍କୁଲ ସମୟରେ ଦୁଇ ଖଣ୍ଡ କାଠି ସାହାଯ୍ୟରେ କୋଠାର ଉଚ୍ଚତା ଓ ଦୂରତା ମାପିବାର ସୂତ୍ର ପଢାଯାଇପାରିଲା ନାହିଁ ତାହାର କାରଣ […]

Statue

Debendra Prusty
  • Published: Friday, 26 August 2022
  • , Updated: 26 August 2022, 04:46 PM IST
  • ଦେବ ରଞ୍ଜନ

ସିଭିଲ ଇଂଜିନିଅରିଂ ବିଭାଗର ଅନେକ ଛାତ୍ରଛାତ୍ରୀଙ୍କୁ ମୁଁ ପଚାରିଛି ଯେ ସେ ଉଚ୍ଚ ଆପାର୍ଟମେଣ୍ଟ ବା ଅଟ୍ଟାଳିକାର ଉଚ୍ଚତା ମାପିବାର କିଛି ସହଜ ସୂତ୍ର ଜାଣିଛନ୍ତି କି? ସେମାନଙ୍କ ମଧ୍ୟରୁ ଅଳ୍ପ କେତେକ ଛାଇ ମାପକ ସୂତ୍ର କଥା କହିଛନ୍ତି, ଅବଶ୍ୟ ଯଦି ସେ ସମୟରେ ସୂର୍ଯ୍ୟ ଦେଖାଯାଉଥା’ନ୍ତି। କାହିଁକି ଆମର ସ୍କୁଲ ସମୟରେ ଦୁଇ ଖଣ୍ଡ କାଠି ସାହାଯ୍ୟରେ କୋଠାର ଉଚ୍ଚତା ଓ ଦୂରତା ମାପିବାର ସୂତ୍ର ପଢାଯାଇପାରିଲା ନାହିଁ ତାହାର କାରଣ ଏବେ ବି ମୁଁ ଜାଣିପାରିନାହିଁ। ଯଦି ଆମେ ସାମନ୍ତ ଚନ୍ଦ୍ରଶେଖରଙ୍କୁ ଜାଣିଲେ ତେବେ ତାଙ୍କ ‘ସିଦ୍ଧାନ୍ତ ଦର୍ପଣ’ର କାମ ପ୍ରତି ଆମେ କେମିତି ବିମୁଖ ରହିପାରିଲେ?

ଆପଣ ସମାନ ଦୁଇ ଖଣ୍ଡ କାଠି ନିଅନ୍ତୁ, ସେହି ଦୁଇଟିକୁ ମାପି ଦିଅନ୍ତୁ ଓ ସେହି ଦୁଇ କାଠିକୁ ଇଂରାଜୀ ଅକ୍ଷର T ସଦୃଶ ବାନ୍ଧିଦିଅନ୍ତୁ। ଏଥର ଉପର କାଠିକୁ ସମାନ ଭାବରେ ଇଞ୍ଚ ବା ସେଣ୍ଟିମିଟରର ଭାଗ ଭାଗ କରି ଚିହ୍ନ ଦିଅନ୍ତୁ। ଆପଣ ଯଦି କୌଣସି କୋଠାର କୌଣସି ବି ମହଲାର ଉଚ୍ଚତାକୁ ମାପିବା ଲାଗି ଚାହୁଁଛନ୍ତି ତେବେ ସେହି T ମାଧ୍ୟମରେ ଉକ୍ତ ସ୍ଥାନକୁ ଚାହାଁନ୍ତୁ। ଏଥିରେ ଦୁଇଟି ସମାନ୍ତରାଳ ତ୍ରିଭୁଜ ତିଆରି ହେଉଛି (ଚିତ୍ରରେ ABC ଓ A’B’C ତ୍ରିଭୁଜ)। ପୁଣି କିଛି ବାଟ ପଛକୁ ଫେରିଆସନ୍ତୁ ଓ ମାପିଦିଅନ୍ତୁ ଯେ କେତେ ବାଟ ଫେରିଲେ (B’C’)। ପୁଣି ଥରେ ସେହି T ମାଧ୍ୟମରେ ପୁଣି ସେହି ସ୍ଥାନକୁ ଚାହାନ୍ତୁ ଓ ପୁଣି ଦୁଇଟି ସମାନ୍ତରାଳ ତ୍ରିଭୁଜର କଳ୍ପନା କରନ୍ତୁ (ଚିତ୍ରରେ ABC’ ଓ A’’B’’C’)। ସେହି ଦୁଇ ସମାନ୍ତରାଳ ତ୍ରିଭୁଜର ପଞ୍ଚୋଟି ବାହୁ ଆପଣ ଜାଣିଥିବା କାରଣରୁ ଆପଣ କୋଠା ଘର ଉଚ୍ଚତା ସହିତ ଆପଣଙ୍କଠାରୁ ତାହାର ଦୂରତା ମଧ୍ୟ ଜାଣିପାରିବେ।

ମୁଁ ଜାଣିଛି ଏହା ଏତେ ସହଜ ନୁହେଁ। ସାମନ୍ତ ଚନ୍ଦ୍ରଶେଖର ମଧ୍ୟ ଏ ସମସ୍ତ ବିଷୟକୁ ସଂସ୍କୃତ ଭାଷାରେ ଓ ପଦ୍ୟ ଆକାରରେ ଲେଖିଥିଲେ। କିନ୍ତୁ ସାମନ୍ତ ଚନ୍ଦ୍ରଶେଖରଙ୍କ ଉପରେ ବୃତ୍ତଚିତ୍ର ନିର୍ମାଣ ସମୟରେ ରେଭେନ୍ସା କଲେଜର ଗଣିତ ବିଭାଗର ଛାତ୍ର ଓ ଛାତ୍ରୀମାନେ ଏହାକୁ ବୁଝାଇବା ପରେ ଅତି ସହଜରେ କରି ଦେଖାଇଥିଲେ। ସେମାନେ ଏହାର ସୂତ୍ର ବୁଝିଗଲେ ଓ ତାହାକୁ ତୁରନ୍ତ କାର୍ଯ୍ୟକାରୀ ମଧ୍ୟ କରିଦେଲେ। ସାମନ୍ତ ଚନ୍ଦ୍ରଶେଖର ସମାନ୍ତରାଳ ତ୍ରିଭୂଜ ପରିକଳ୍ପନା କରି ଦୂର ପାହାଡ଼ର ଉଚ୍ଚତା ଓ ଦୂରତା ମାପିପାରୁଥିଲେ । ତାଙ୍କର ସେହି ‘T’ ରୂପୀ ଜନ୍ତ୍ରର ନାମ ଦେଇଥିଲେ ମାନଯନ୍ତ୍ର। କିନ୍ତୁ ଏହି ମାନଯନ୍ତ୍ରର ସୂତ୍ର (ଯାହାକୁ ହୁଏତ ସାମନ୍ତ ଚନ୍ଦ୍ରଶେଖର ସୂତ୍ର କୁହାଯାଇପାରିଥାନ୍ତା) ଓଡ଼ିଶା ସରକାରଙ୍କ ଦ୍ଵାରା ସ୍କୁଲ ପାଠ୍ୟକ୍ରମରେ ଆସିପାରିଥିଲେ ପିଲାଙ୍କ ଲାଗି ଅଧିକ ସହଜ ହୋଇଥାନ୍ତା ତାହା ନୁହେଁ, ସାମନ୍ତ ଚନ୍ଦ୍ରଶେଖର ମଧ୍ୟ ଅଧିକ ପରିଚିତ ହୋଇପାରିଥାନ୍ତେ ଠିକ କେପଲରଙ୍କ ଭଳି।

ଅବଶ୍ୟ ସାମନ୍ତ ଚନ୍ଦ୍ରଶେଖରଙ୍କ ଦ୍ଵାରା ରଚିତ “ସିଦ୍ଧାନ୍ତ ଦର୍ପଣ” ସଂସ୍କୃତ ଭାଷାରେ ଓ ଓଡ଼ିଆ ଲିପିରେ ଲିଖିତ କାବ୍ୟଗ୍ରନ୍ଥ ଯାହାକୁ ବୁଝିବା ଲାଗି ଅନେକ ପରିଶ୍ରମ କରିବାକୁ ପଡ଼ିଛି। ତେଣୁ ସଂସ୍କୃତ ଭାଷାକୁ କାବ୍ୟ ଆକାରରେ ପଢ଼ି ସେମଧ୍ୟରୁ ଗାଣିତିକ ସୂତ୍ରକୁ ପାଠ୍ୟ ପୁସ୍ତକକୁ ଆଣିବା ସହଜ ପାଠ ନୁହେଁ। କିନ୍ତୁ ଅନେକ ଚନ୍ଦ୍ରଶେଖରପ୍ରେମୀ ଯଥା ଡକ୍ଟର ପ୍ରହ୍ଲାଦ ନାୟକ, ଡକ୍ଟର ସୁଧୀରା ପଣ୍ଡା, ଡକ୍ଟର ପ୍ରସନ୍ନ ପଟ୍ଟନାୟକ ପ୍ରମୁଖଙ୍କ ଅନେକ ଉଦ୍ୟମ ହେତୁ “ସିଦ୍ଧାନ୍ତ ଦର୍ପଣ” କେବଳ ଏକ କାବ୍ୟ ଗ୍ରନ୍ଥ ନହୋଇ ସରଳ ଓଡ଼ିଆ ଭାଷାରେ ଛୋଟ ଛୋଟ ପୁସ୍ତିକା ଆକାରରେ ପ୍ରକାଶିତ ହେଲା।

[caption id="attachment_761149" align="aligncenter" width="650"] “ସିଦ୍ଧାନ୍ତ ଦର୍ପଣ”ର ବିଂଶ ଅଧ୍ୟାୟରେ ଚନ୍ଦ୍ରଶେଖର ୧୯ଟି ଯନ୍ତ୍ର ସମ୍ବନ୍ଧରେ ବର୍ଣ୍ଣନା କରିଛନ୍ତି।[/caption]

“ସିଦ୍ଧାନ୍ତ ଦର୍ପଣ”ର ବିଂଶ ଅଧ୍ୟାୟରେ ଚନ୍ଦ୍ରଶେଖର ୧୯ଟି ଯନ୍ତ୍ର ସମ୍ବନ୍ଧରେ ବର୍ଣ୍ଣନା କରିଛନ୍ତି। ସେଥିମଧ୍ୟରୁ ମାତ୍ର ୧୦ଟି ଯନ୍ତ୍ର ଡକ୍ଟର ପ୍ରହ୍ଲାଦ ନାୟକଙ୍କ (ପଠାଣି ସାମନ୍ତ ପ୍ଲାନେଟରୀୟମର ପୂର୍ବତନ ଯୁଗ୍ମ ନିର୍ଦ୍ଦେଶକ) ତତ୍ତ୍ୱାବଧାନରେ ନିର୍ମାଣ ସମ୍ଭବ ହୋଇଥିଲା। ସେଗୁଡିକ ହେଲା ମାନଯନ୍ତ୍ର, ଧନୁର୍ଯନ୍ତ୍ର, ଗୋଳଯନ୍ତ୍ର, ଶଙ୍କୁ, ସୂର୍ଯ୍ୟଘଡ଼ି, ଚାପଯନ୍ତ୍ର, ଚକ୍ରଯନ୍ତ୍ର, ଗୋଲାର୍ଦ୍ଧଯନ୍ତ୍ର ଓ ସ୍ଵୟଂବହଯନ୍ତ୍ର ଇତ୍ୟାଦି। ଏଥିରୁ ମାନଯନ୍ତ୍ର ପାର୍ଥିବ ବସ୍ତୁର ଉଚ୍ଚତା ଓ ଦୂରତା ମାପିବାରେ ବ୍ୟବହୃତ ହେଉଥିବା ସ୍ଥଳେ ଧନୁର୍ଯନ୍ତ୍ର କେବଳ ମହାଜାଗତିକ ବସ୍ତୁ ମଧ୍ୟରେ କୌଣିକ ଦୂରତା ନିର୍ଣ୍ଣୟରେ ସାହାଯ୍ୟ କରୁଥିଲା। ଗୋଲଯନ୍ତ୍ର ଆକାଶ ଗୋଲକ ମଧ୍ୟରେ ସ୍ଥାପିତ ପୃଥିବୀ ଗୋଲକର ଏକ ନମୁନା, ଯାହାଦ୍ୱାରା ଗ୍ରହ ଓ ନକ୍ଷତ୍ରମାନଙ୍କର ଗତିବିଧି ନିର୍ଣ୍ଣୟ କରିବା ସମ୍ଭବ।

ଚନ୍ଦ୍ରଶେଖରଙ୍କ ଜୀବନୀ ଓ ଜ୍ୟୋତିର୍ବିଜ୍ଞାନ ସମ୍ବନ୍ଧିତ କାର୍ଯ୍ୟକୁ ନେଇ ତାଙ୍କ ଦ୍ଵାରା ରଚିତ “ସିଦ୍ଧାନ୍ତ ଦର୍ପଣ” ଉପରେ ଏକ ବୃତ୍ତଚିତ୍ର ମଧ୍ୟ ଡକ୍ଟର ସୁଧୀରା ପଣ୍ଡାଙ୍କ ପ୍ରଯୋଜନା ଓ ଗବେଷଣା ଆଧାରରେ ତିଆରି ହୋଇପାରିଲା ଯାହାର ନାମ ରହିଛି “ଶେଷ ସିଦ୍ଧାନ୍ତୀ”। ଏହା ୟୁଟ୍ୟୁବରେ ଉପଲବ୍ଧ ମଧ୍ୟ (https://youtu.be/aWlXWMbv_nE) । ଏହାର ନିର୍ଦ୍ଦେଶନା ଏହି ଲେଖକ ଦେଇଛି। ଏଥିରେ ରେଭେନ୍ସା ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସାମନ୍ତଙ୍କ ସମସ୍ତ ଯନ୍ତ୍ର ପଛରେ ନିହିତ ସୂତ୍ରକୁ ନିଜେ ପରୀକ୍ଷା କରି ବୁଝାଇ ଦେଉଛନ୍ତି। ସାମନ୍ତ ଚନ୍ଦ୍ରଶେଖରଙ୍କ କାର୍ଯ୍ୟ ଉପରେ ଏହି ଭଳି ଅନେକ କାର୍ଯ୍ୟ ବିଭିନ୍ନ ଗବେଷକମାନେ କରିବା ସତ୍ତ୍ୱେ ଓଡ଼ିଶା ସରକାର ଏହାକୁ ସ୍କୁଲର ଗଣିତ ପାଠ୍ୟକ୍ରମରେ ସ୍ଥାନିତ କରିବାରେ ଆଗ୍ରହୀ ହେଉନାହାନ୍ତି। ଏହାର କାରଣ ଅନୁସନ୍ଧାନଯୋଗ୍ୟ।

ଆଧୁନିକ ଓଡ଼ିଶାର ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ତହସିଲ ଅଞ୍ଚଳ, ପ୍ରାକୃତିକ ସୌନ୍ଦର୍ଜ୍ୟରେ ଭରା ଭୂଖଣ୍ଡ। ଏହାର ଏକ ପାଖରେ ଅଛି ଗୋସିଙ୍ଗା ଓ ରାଜଗିରି ପର୍ବତ। ପର୍ବତର ପାଦଦେଶରେ ସୁନାମୁଖୀ ପ୍ରାକୃତିକ ବୃହତ ଜଳାଶୟ। ଏହି ଭୂଖଣ୍ଡର ଅନ୍ୟ ପାଖରେ ଚିତ୍ରୋତ୍ପଳା ନଦୀ। ପରାଧୀନ ଭାରତରେ ଖଣ୍ଡପଡ଼ା ଅଞ୍ଚଳ ବ୍ରିଟିଶ ଶାସନାଧୀନ ୨୬ଟି କରଦ ରାଜ୍ୟ ମଧ୍ୟରୁ ଥିଲା ଅନ୍ୟତମ। ଅଜିଠୁ ପ୍ରାୟେ ୨୦୦ ବର୍ଷ ତଳେ ୧୮୩୫ ଖ୍ରୀଷ୍ଟାବ୍ଦରେ ଖଣ୍ଡପଡ଼ା ରାଜ ପରିବାରରେ ଜନ୍ମଗ୍ରହଣ କରିଥିଲେ ଚନ୍ଦ୍ରଶେଖର ସିଂହ ସାମନ୍ତ। କିନ୍ତୁ ତାଙ୍କ ପିତା ରାଜା ନହୋଇପାରିବା କାରଣରୁ ସେ ବେଶ ଗରିବ ଥିଲେ ବୋଲି ଇତିହାସ କୁହେ। ତାଙ୍କ ଘରେ ତାଙ୍କ ଅଣନାତି ବିଶ୍ଵନାଥ ସିଂହ ସାମନ୍ତ ଗଲା କିଛି ବର୍ଷ ପର୍ଯ୍ୟନ୍ତ ଚନ୍ଦ୍ରଶେଖରଙ୍କ ସମୟର ସେହି ପୁରୁଣା ମାଟି ଘରକୁ ଏକ ନମୁନା ଭାବରେ ରଖିଥିଲେ। ଏବେ ହୁଏତ ଭାଙ୍ଗିଦେଇପାରିଥାନ୍ତି।

ଚନ୍ଦ୍ରଶେଖର ମଧ୍ୟ ଅକ୍ଷାଂଶ ଓ ଗ୍ରହ ନକ୍ଷତ୍ରଙ୍କ ଅବସ୍ଥିତିକୁ ମାପିବା ପାଇଁ ଶଙ୍କୁର ବ୍ୟବହାର କରିଛନ୍ତି ଓ ପୁରୁଣା ସିଦ୍ଧାନ୍ତ ଅନୁସାରେ ତାହା ପ୍ରତ୍ୟକ୍ଷ ନହେବା ହେତୁ ସେସବୁର ସଂଶୋଧନ ସେ ସିଦ୍ଧାନ୍ତ ଦର୍ପଣରେ କରିଛନ୍ତି। ଛାୟା  ସାହାଯ୍ୟରେ କୌଣସି ସ୍ଥାନର ଦିଗନିର୍ଣ୍ଣୟ, ଅକ୍ଷାଂଶ ନିର୍ଣ୍ଣୟ, ସୂର୍ଯ୍ୟର କ୍ରାନ୍ତି ନିର୍ଣ୍ଣୟ ଆଦି କିପରି ସହଜରେ କରାଯାଇ ପାରିବ ସେସମ୍ପର୍କରେ ସେ ସେଥିରେ ଦର୍ଶାଇଛନ୍ତି। ଏହା ବ୍ୟତୀତ ସୂର୍ଯ୍ୟ ଘଡ଼ି, ଚାପ ଯନ୍ତ୍ର, ଗୋଲାର୍ଦ୍ଧ ଯନ୍ତ୍ର ଓ ସ୍ଵୟଂବହ ଯନ୍ତ୍ର ସମୟ ସୂଚକ ଯନ୍ତ୍ର ଅଟେ ଯାହାରା ନିର୍ମାଣ ପ୍ରଣାଳୀ ସମାନ ଗାଣିତିକ ସୂତ୍ର ଆଧାରିତ ଅଟେ।

“ସିଦ୍ଧାନ୍ତ ଦର୍ପଣ”ର ନାମକାରଣ ଏପରି କାହିଁକି ହେଲା? ମୋର ଏହି ପ୍ରଶ୍ନର ଏକ ସରଳ ଅଥଚ ବେଶ ପ୍ରାସଙ୍ଗିକ ଉତ୍ତର ଦେଇଛନ୍ତି ଓଡ଼ିଆ ଅଧ୍ୟାପକ ତଥା କବି ଡକ୍ଟର ପ୍ରସନ୍ନ କୁମାର ପଟ୍ଟନାୟକ। ସେ କୁହନ୍ତି, “ପ୍ରତିଫଳନ ଯୋଗୁଁ ଆମେ ଦେଖୁ। ଦର୍ପଣ ମଧ୍ୟ ଏକ ପ୍ରତିଫଳନ ଯନ୍ତ୍ର, ସେ ପ୍ରତିଫଳିତ କରାଏ। ସମଗ୍ର ବିଶ୍ଵ ଆମ ଆଗରେ କେଉଁଭଳି ପ୍ରତିଫଳିତ ହେଉଛି ସେ ସମ୍ବନ୍ଧରେ ଚନ୍ଦ୍ରଶେଖର କହିଥିବା ହେତୁ ଗ୍ରନ୍ଥଟିର ନାମକରଣ ସେ ‘ସିଦ୍ଧାନ୍ତ ଦର୍ପଣ’ କରିଛନ୍ତି।“ ଡକ୍ଟର ପଟ୍ଟନାୟକ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅଧୀନରେ “ସିଦ୍ଧାନ୍ତ ଦର୍ପଣ” ଉପରେ ଡିଲିଟ କରିଛନ୍ତି।

୧୮୬୬ ମସିହାରେ ନ’ ଅଙ୍କ ଦୁର୍ଭିକ୍ଷ ସାମନ୍ତ ଚନ୍ଦ୍ରଶେଖରଙ୍କୁ ମଧ୍ୟ ବ୍ୟସ୍ତ ବିବ୍ରତ କରିଥିଲା। ଖାଦ୍ୟ ଅଭାବରୁ ପ୍ରାୟେ ଏକ ଲକ୍ଷ ଲୋକ ପ୍ରାଣ ହରାଇଥିଲେ। ଘଟଣାର ପୂର୍ବାନୁମାନ ନହୋଇ ପାରିବା ଚନ୍ଦ୍ରଶେଖରଙ୍କୁ ମର୍ମାହତ କରିଥିଲା ବୋଲି କୁହାଯାଏ। ସେହିଭଳି ଜଗନ୍ନାଥ ମନ୍ଦିରର ପାଞ୍ଜି ଗଣନା କ୍ରମଶଃ ଭୁଲ ହେବା କାରଣରୁ ସେ ପାଞ୍ଜି ପ୍ରସ୍ତୁତିରେ ଲାଗିପଡ଼ିଥିଲେ। ଦୁଃଖର କଥା ଯେ ଜନମାନସରେ ଚନ୍ଦ୍ରଶେଖର କେବଳ ଜଣେ ଜ୍ୟୋତିର୍ବିଦ (astrologer) ହୋଇରହିଲେ। ସେ ଯେ ଜଣେ ଜ୍ୟୋତିର୍ବିଜ୍ଞାନୀ ଭାବରେ ଖାଲି ଆଖିରେ ଦେଖି ମହାଜଗତିକ ବସ୍ତୁଙ୍କ ଦିଗ ନିର୍ଣ୍ଣୟ କରିବା ପ୍ରାଥମିକ କାମରେ ଲାଗିଥିଲେ (Naked-eye Astronomer) ସେକଥା ପରବର୍ତ୍ତୀ ପିଢ଼ି ଭୁଲିଗଲେ। ସେ ଯେ ପାଞ୍ଜି ଦେଖୁଥିଲେ ଓ ନୂତନ ପାଞ୍ଜି ତିଆରି କରିଥିଲେ କେବଳ ସେତିକି ତଥ୍ୟକୁ ନେଇ ସାମନ୍ତ ଚନ୍ଦ୍ରଶେଖରଙ୍କ କାର୍ଯ୍ୟକୁ ଦେଖାଯାଉଛି। ସେ ଯେ ଜଣେ ଶ୍ରେଷ୍ଠ ଗଣିତଜ୍ଞ ତାହାକୁ ଆମ ସମାଜ ଜାଣିବା ଓ ଜଣାଇବା ଦିଗରେ ଆଦୌ ଧ୍ୟାନ ଦେଉନାହିଁ।

ମୋବାଇଲ- ୯୪୩୭୭୬୨୨୭୨

Related story