୫-ଟିଙ୍କ ନିକଟରେ ଗୁହାରୀ- ଆମ ଗର୍ବ ଆମ ବୁଣାକାର

ସେମାନଙ୍କୁ ଉଚିତ୍‌ ମୂଲ୍ୟରେ ସୂତା ଯୋଗାଇଦେବା ସହିତ ଶସ୍ତାରେ ବିଦ୍ୟୁତ୍‌ ଯୋଗାଇଦେବା ବା କର୍ଣ୍ଣାଟକ ରାଜ୍ୟ ପରି ୨୦୦ ୟୁନିଟ୍‌ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ୍‌ ଯୋଗାଇ ଦେବାର ବ୍ୟବସ୍ଥା କରିବା ଦରକାର। ଏହିସବୁ କପଡ଼ା ବା କାର୍ପାସ ସାମଗ୍ରୀ ରାଜ୍ୟର ଆବଶ୍ୟକତା ପୂରଣ ସହିତ ଛୋଟବଡ଼ ପିଲାଙ୍କ ୟୁନିଫର୍ମ ପ୍ରସ୍ତୁତ ପାଇଁ ପ୍ରତି ବିଦ୍ୟାଳୟକୁ କେନ୍ଦ୍ରକରି ‘ମହିଳା ସିଲାଇ କେନ୍ଦ୍ର’ ମାନ ପ୍ରତିଷ୍ଠା କଲେ, ପ୍ରଶିକ୍ଷଣ ପ୍ରାପ୍ତ ଅନେକ ସ୍ୱୟଂ ସହାୟକ ଗୋଷ୍ଠୀ ମଧ୍ୟ ଉପକୃତ ହୁଅନ୍ତେ। ରାଜ୍ୟର ଅର୍ଥ ଅନ୍ୟତ୍ର ଯିବାର ବାଟ ବନ୍ଦ ହୋଇଯିବ। କର୍ମ ନିଯୁକ୍ତି ବୃଦ୍ଧିପାଇବ। ବୁଣାକାର ପରିବାରର ଆର୍ଥିକ ସ୍ଥିତି ସ୍ୱଚ୍ଛଳ ହେବ।

Odisha Weaver

  • Published: Tuesday, 30 May 2023
  • , Updated: 30 May 2023, 06:02 PM IST

News highlights

  • ବୁଣାକାର ରୋଜଗାରହୀନ, କର୍ମନିଯୁକ୍ତିହୀନ, ଗରୀବ ରହିଲେ ଆମର ଗର୍ବ ହୋଇପାରିବେ କି?
  • ଓଡ଼ିଶାର ବୁଣାକାରମାନଙ୍କୁ ଆର୍ଥିକ ରୂପେ ସଶକ୍ତ କରିବାକୁ ହେଲେ ସରକାରଙ୍କୁ ବାହାର ରାଜ୍ୟରୁ ୟୁନିଫର୍ମ ଆଦି ଆମଦାନି ବନ୍ଦ କରିବାକୁ ପଡ଼ିବ।
  • ବୁଣାକାରଙ୍କ ପାଇଁ ଶସ୍ତା ବିଦ୍ୟୁତ ବା ମାଗଣା ବିଦ୍ୟୁତ ଯୋଜନା ସହିତ ଆନୁସଙ୍ଗିକ ସହାୟତା ଦେବାକୁ ହେବ।

ରାଜଧାନୀ ରାସ୍ତାରେ ଯାଉଯାଉ ଗୋଟେ ବିଜ୍ଞାପନ ଦୃଷ୍ଟି ଆକର୍ଷଣ କଲା। ଇଂରାଜୀରେ ରାଜ୍ୟ ସରକାରଙ୍କର ଏହି ବିଜ୍ଞାପନ ଥିଲା ଯାହାର ଅର୍ଥ ହେଉଛି, ‘ଆମ ବୁଣାକାର ଆମ ଗର୍ବ।’ ବାସ୍ତବରେ ଅତୀତ କାଳରେ ଏ ରାଜ୍ୟର ବୁଣାକାରମାନଙ୍କ ହାତ ତିଆରି ପାଟବସ୍ତ୍ର ବିଦେଶରେ ବଡ଼ ଖ୍ୟାତି ଅର୍ଜ୍ଜନ କରିଥିବା ଶୁଣିଥିଲେ। ସମଗ୍ର ରାଜ୍ୟରେ ବୁଣାକାରଙ୍କ ପ୍ରସ୍ତୁତ ବିଭିନ୍ନ ସାମଗ୍ରୀ ରାଜ୍ୟବାସୀଙ୍କର ଚାହିଦା ମେଣ୍ଟାଇ ରାଜ୍ୟ ବାହାରେ, ଏପରିକି ବିଦେଶରେ ବେପାର ପସରା ଖୋଲି ରଖିଥିଲା। ଖ୍ୟାତି ଅର୍ଜ୍ଜନ କରିଥିବା ସମ୍ବଲପୁରୀ, ସୋନପୁରୀ ବସ୍ତ୍ର - ଶାଢ଼ୀ, ବ୍ରହ୍ମପୁରର ସିଲ୍କ୍‌ ପାଟ, ମୟୂରଭଞ୍ଜର ଏଣ୍ଡି ଚଦର, ମାଣିଆବନ୍ଧ ନୂଆପାଟଣା ଶାଢ଼ୀ, ବଡ଼ବାଗ କସ୍ତା, ଖୋର୍ଦ୍ଧା ଲୁଙ୍ଗି, ଗାମୁଛା, ପୁରୀ ଗାମୁଛା ଚର୍ଚ୍ଚାରେ ରହିଆସିଛି। ଏତଦ୍‌ବ୍ୟତୀତ କୋରାପୁଟ କୋଟପାଡ଼ ଶାଢ଼ୀ, କପଡ଼ା, ବୌଦ୍ଧ ଶାଢ଼ୀ, ନୂଆପଡ଼ା ଧୋତି ପ୍ରଭୃତିରେ ମଧ୍ୟ ବେଶ୍‌ ଖ୍ୟାତି ରହି ଆସିଛି। ଏଣୁ ସମସ୍ତ ରାଜ୍ୟର ବୁଣାକାରମାନଙ୍କୁ ଯେତେ ପ୍ରଶଂସା କଲେ ମଧ୍ୟ କମ୍‌ ହେବ। ସେମାନେ ଆମର ଯେ ବଡ଼ ଗର୍ବ ଏକଥା କୁହାଯାଇ ପାରିବ।

ଇଂରେଜ ଶାସନ ସମୟରେ ମାଞ୍ଚେଷ୍ଟର ଧୋତି ବଜାରକୁ ଆସି ଆମ ବୁଣାକାରମାନଙ୍କର ସର୍ବନାଶ ଆରମ୍ଭ କରିଦେଲା। ଏହାଥିଲା ଔପନିବେଶୀୟ ଅର୍ଥନୀତିର ବଡ଼ ନିନ୍ଦିତ ପରିଚୟ। ଯାହାକୁ ନେଇ ସାହିତ୍ୟ, ଇତିହାସରେ ବେଶ୍‌ ବଡ଼ ଚର୍ଚ୍ଚା ରହିଛି। ରାଜ୍ୟର ସୃଷ୍ଟି ଓ ଦେଶର ସାର୍ବଭୌମତ୍ୱ ପରେ ରାଜ୍ୟରେ ଚୌଦ୍ୱାର ସମେତ ବିଭିନ୍ନ ସ୍ଥାନରେ ଏକାଧିକ ଲୁଗାକଳ ପ୍ରତିଷ୍ଠା ହେଲା। ଏତଦ୍‌ବ୍ୟତୀତ ହସ୍ତତନ୍ତ ଓ ବିଦ୍ୟୁୟତ୍‌ ଚାଳିତ ତନ୍ତ ସବୁକୁ ସାହାଯ୍ୟ ପାଇଁ ଆବଶ୍ୟକୀୟ ସୁତା ଯୋଗାଇଦେବା ନିମନ୍ତେ ଅଶି ଦଶକରେ ଅନେକ ସୁତାକଳ ପ୍ରତିଷ୍ଠା ହେଲା। ରାଜ୍ୟରେ କପାଚାଷ ବୃଦ୍ଧି ପାଇଲା ଓ କପାଭିଣା ଯନ୍ତ୍ରମାନ ପ୍ରତିଷ୍ଠା ହେଲା। ରାଜ୍ୟ ବସ୍ତ୍ର ଆବଶ୍ୟକତାରେ ସ୍ୱାବଲମ୍ବନଶୀଳ ହେବା ଉଦ୍ଦେଶ୍ୟରେ ଏହାସବୁ କରାଗଲା। ମାତ୍ର ସେସବୁ ଆସ୍ତେ ଆସ୍ତେ ରୁଗ୍‌ଣ ହେଲା ଓ ତା’ର ପରିସମାପ୍ତ ଘଟିଲା।

ଏବେ ସର୍ବଶକ୍ତିମାନ ସର୍ବକାଳୀନ, ସର୍ବବିଦ୍ୟମାନ ଶାସକ ୫-ଟିଙ୍କ ଶାସନର ପରିଚାଳନା କାଳରେ ରାଜ୍ୟର ସମସ୍ତ ବଙ୍ଗଳା, ଅତିଥିଶାଳା, ସରକାରୀ ଦପ୍ତରରେ ଯାହାସବୁ ସ୍କ୍ରିନ୍‌ (ପରଦା), ବେଡ୍‌ସିଟ୍‌ ବ୍ୟବହାର ହୋଇଥାଏ, ସେ ସବୁ ରାଜ୍ୟ ବାହାରର ପ୍ରସ୍ତୁତ ସାମଗ୍ରୀ। ସରକାରଙ୍କ ଘୋଷିତ ୟୁନିଫର୍ମ ପ୍ରଚଳନ ଯଥା - ବିଦ୍ୟାଳୟ ଶୀକ୍ଷୟିତ୍ରୀଙ୍କ ଶାଢ଼ୀ, ଆଶାକର୍ମୀଙ୍କ ଶାଢ଼ୀ, ଅଙ୍ଗନୱାଡ଼ି କର୍ମୀଙ୍କ ଶାଢ଼ୀ ସବୁ କିଛି ଅନ୍ୟ ରାଜ୍ୟରୁ ଆମଦାନୀ ହୋଇ ଆସିଥାଏ। ସ୍କୁଲ୍‌ କଲେଜର ପିଲାମାନେ ଯେଉଁ ୟୁନିଫର୍ମ ବ୍ୟବହାର କରୁଛନ୍ତି ଅବା ପୋଲିସ୍‌ ଓ ଅନ୍ୟାନ୍ୟ ସରକାରୀ ବ୍ୟବସ୍ଥାପାଇଁ ଯେଉଁ କପଡ଼ା ବ୍ୟବହାର ହେଉଛି ସେ ସବୁ ମଧ୍ୟ ବାହାରରୁ ଆସିଥାଏ। ତେବେ ଆମେ ଯେଉଁ ବୁଣାକାରଙ୍କ ପାଇଁ ଗର୍ବ କରୁଛୁ ସେମାନଙ୍କୁ ଅଣଦେଖା କରାଗଲା କାହିଁକି? ସେମାନଙ୍କ ପ୍ରସ୍ତୁତ ସାମଗ୍ରୀ ବଜାରର ପ୍ରତିଦ୍ୱନ୍ଦ୍ୱିତା ଭିତରେ ବଳ କମୁଛି। ଆଦର ଅନାଦର ଭିତରେ ଗ୍ରାହକର ମନ ଜିଣୁଛି। ଏ ସବୁର କାରଣ ଖୋଜିଲାବେଳେ ବିଶିଷ୍ଟ ଅର୍ଥଶାସ୍ତ୍ରୀ ଓ ଔପନିବେଶିକ ଶାସନ ହଟାଇବାର ମୁଖ୍ୟ ପୁରୋଧା କଂଗ୍ରେସ ନେତା ଦାଦାଭାଇ ନାରୋଜୀଙ୍କର ‘ମନି ଡ୍ରେନ୍‌’ ସ୍ମରଣକୁ ଆସିଯାଉଛି। ସେହି ଆଧାରରେ ହିସାବ କରି ଦେଖିଲାବେଳକୁ ରାଜ୍ୟର ବିଭିନ୍ନ ଆବଶ୍ୟକତା ଯଥା- ଆଶାକର୍ମୀ, ଅଙ୍ଗନୱାଡ଼ି କର୍ମୀ, ସ୍କୁଲ୍‌ ଶିକ୍ଷୟିତ୍ରୀ, ପୋଲିସ ଓ ସ୍କୁଲ୍‌ କଲେଜ ପିଲାଙ୍କ ୟୁନିଫର୍ମ କିଣିବା ବାବଦରେ ପ୍ରଚୁର ଅର୍ଥ ରାଜ୍ୟ ବାହାରକୁ ପ୍ରତି ମାସରେ ·ଲି ଯାଉଥିବା ଦେଖାଯାଉଛି। ଯାହାସବୁର ପରିମାଣ ପ୍ରତିବର୍ଷ ବଢ଼ିଚାଲିଛି ଓ ଏହାର କ୍ରୟମୂଲ୍ୟ ବହୁ ହଜାର କୋଟି ଟଙ୍କା ହୋଇଥାଏ।

ଏକଥା ସତ୍ୟ ଯେ ପ୍ରତିଦ୍ୱନ୍ଦ୍ୱିତାମୂଳକ ବଜାରରେ ଏହିସବୁ ଜିନିଷ ବାହାର ରାଜ୍ୟରୁ କିଣିବା ନିମନ୍ତେ ହୁଏତ କମ୍‌ ମୂଲ୍ୟ ଦେବାକୁ ପଡ଼ିଥାଇପାରେ। ତଥାପି ଯାହା ମୂଲ୍ୟ ହେଲେ ବି ଆମ ବୁଣାକାରଙ୍କ ଜିନିଷ କ୍ରୟବେଳେ ସମସ୍ତ ଅର୍ଥ ରାଜ୍ୟ ଭିତରେ ହିଁ ରହିବ। ବାହାରୁ କିଣିଲେ ମୂଲ୍ୟ କମ୍‌ ହେଲେ ଏହାର ଏକ ବିରାଟ ଅଂଶ ରାଜ୍ୟ ବାହାରକୁ ଚାଲିଯିବ। ଅଧିକନ୍ତୁ ଆମ ଜିନିଷ ଆମେ କିଣିଲେ ଆମ ବୁଣାକାରଙ୍କ ପାଇଁ କରୁଥିବା ଗର୍ବ ନିଶ୍ଚୟ ସାର୍ଥକ ହେବ। ବହୁ ଲୋକଙ୍କ ହାତ ତିଆରି, ଏପରିକି ପୂରା ପରିବାରର ଯୌଥ ସହଯୋଗରେ ପ୍ରସ୍ତୁତ ପଦାର୍ଥ ରାଜ୍ୟର ଆବଶ୍ୟକତା ପୂରଣ ଦିଗରେ ସହାୟକ ହେବ।

କେବଳ ଯାହା ରାଜ୍ୟ ସରକାର ଯାହାଙ୍କ ଉଦ୍ଦେଶ୍ୟରେ ବଡ଼ ବଡ଼ ବିଜ୍ଞାପନ ଦେଇ ଗର୍ବ କରୁଛନ୍ତି ସେମାନଙ୍କୁ ଉଚିତ୍‌ ମୂଲ୍ୟରେ ସୂତା ଯୋଗାଇଦେବା ସହିତ ଶସ୍ତାରେ ବିଦ୍ୟୁତ୍‌ ଯୋଗାଇଦେବା ବା କର୍ଣ୍ଣାଟକ ରାଜ୍ୟ ପରି ୨୦୦ ୟୁନିଟ୍‌ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ୍‌ ଯୋଗାଇ ଦେବାର ବ୍ୟବସ୍ଥା କରିବା ଦରକାର। ଏହିସବୁ କପଡ଼ା ବା କାର୍ପାସ ସାମଗ୍ରୀ ରାଜ୍ୟର ଆବଶ୍ୟକତା ପୂରଣ ସହିତ ଛୋଟବଡ଼ ପିଲାଙ୍କ ୟୁନିଫର୍ମ ପ୍ରସ୍ତୁତ ପାଇଁ ପ୍ରତି ବିଦ୍ୟାଳୟକୁ କେନ୍ଦ୍ରକରି ‘ମହିଳା ସିଲାଇ କେନ୍ଦ୍ର’ ମାନ ପ୍ରତିଷ୍ଠା କଲେ, ପ୍ରଶିକ୍ଷଣ ପ୍ରାପ୍ତ ଅନେକ ସ୍ୱୟଂ ସହାୟକ ଗୋଷ୍ଠୀ ମଧ୍ୟ ଉପକୃତ ହୁଅନ୍ତେ। ରାଜ୍ୟର ଅର୍ଥ ଅନ୍ୟତ୍ର ଯିବାର ବାଟ ବନ୍ଦ ହୋଇଯିବ। କର୍ମ ନିଯୁକ୍ତି ବୃଦ୍ଧିପାଇବ। ବୁଣାକାର ପରିବାରର ଆର୍ଥିକ ସ୍ଥିତି ସ୍ୱଚ୍ଛଳ ହେବ।

ମାହାମାନ୍ୟ ୫-ଟି ରାଜ୍ୟ ତମାମ୍‌ ବୁଲି ଅଭୟ ପ୍ରଦାନ କରିବା ସହିତ ରାଜ୍ୟବାସୀଙ୍କ ହାନିଲାଭ ବୁଝିଥାନ୍ତି। ଅଧିକନ୍ତୁ ଯିଏ ଯାହା ମାଗିଲେ ତତ୍‌କ୍ଷଣାତ୍‌ ତଥାସ୍ତୁ କହିଥାନ୍ତି। ଏହିପରି ଏକ ମୂଲ୍ୟବାନ ପ୍ରସ୍ତାବକୁ ଗ୍ରହଣ କରି ‘ଆମ ବୁଣାକର ଆମ ଗରବ’ ସ୍ଲୋଗାନର ଯଥାର୍ଥତା ପ୍ରତିପାଳନ କରିବେ ବୋଲି ଆଶା କରିବା କ’ଣ ବୃଥା? ଏଥିରେ ଆମ ରାଜ୍ୟର ଲକ୍ଷାଧିକ ବୁଣାକାର ପରିବାରର ଆର୍ଥିକ ସ୍ୱଚ୍ଛଳତା ବଢ଼ିବ, ଆମ ରାଜ୍ୟର ଅର୍ଥ ଅନ୍ୟ ରାଜ୍ୟ ବେପାରୀଙ୍କ ହାତକୁ ଚାଲିଯିବ ନାହିଁ, ସର୍ବୋପରି ଆମ ରାଜ୍ୟରେ ଲକ୍ଷାଧିକ କର୍ମନିଯୁକ୍ତିର ସୁଯୋଗ ସୃଷ୍ଟିହେବ। ରାଜଧାନୀ ରାଜରାସ୍ତାରେ ଥିବା ବିଜ୍ଞାପନ ‘ଆମ ଗରବ ଆମ ବୁଣାକାର’ ଖୁବ୍‌ ଯଥାର୍ଥ ମନେହେବ। ସମାଜରେ ସୁଶିକ୍ଷିତ ଦକ୍ଷ ବୁଣାକର ପରିବାର ସମସ୍ତଙ୍କ ପାଇଁ ଗର୍ବର କାରଣ ହେବେ। କରଦାତାଙ୍କ ଧନରେ ବିଜ୍ଞାପନ ଦେଇ ନିଜର ବାହାଦୁରୀ ସାଉଁଟିବା ଅପେକ୍ଷା ଯଥାର୍ଥ କାର୍ଯ୍ୟ ସମ୍ପାଦନ କରି ରାଜ୍ୟବାସୀଙ୍କର ଓ ରାଜ୍ୟର ଆର୍ଥିକ ବିକାଶରେ ସହାୟକ ହେବା ଦରକାର। ହସ୍ତତନ୍ତ୍ର ହେଉ ଅବା ବିଦ୍ୟୁତ୍‌ ଚାଳିତ ତନ୍ତ ହେଉ, ଅବା ଗତ ୨୦ରୁ ୨୫ବର୍ଷ ମଧ୍ୟରେ ଉଜୁଡ଼ି ଯାଇଥିବା ଲୁଗାକଳ, ସୁତାକଳଗୁଡ଼ିକୁ ପୁନର୍ଜୀବନ ଦାନ କରିବାକୁ ଇତିହାସର ସ୍ମୃତି ପୁନଃଜାଗରଣ କରିବା ନିମନ୍ତେ ‘ତଥାସ୍ତୁ’ଟିଏ ଗୁହାରୀ।

ପଞ୍ଚାନନ କାନୁନ୍‌ଗୋ

ଫୋ- ୯୪୩୮୩୬୦୮୪୯

Related story