Advertisment

ଓକିଲ ଯଦି ସୁପ୍ରିମକୋର୍ଟଙ୍କୁ ନମାନିବେ...

ରବି ଦାସ ଓଡ଼ିଶାରେ ହାଇକୋର୍ଟର ଏକ ସ୍ଥାୟୀ ବେଂଚ ପଶ୍ଚିମ ଓଡ଼ିଶାରେ କରିବା ପାଇଁ ବହୁ ବର୍ଷ ହେଲା ଆନ୍ଦୋଳନ ଚାଲିଛି। ଏହି ଆନ୍ଦୋଳନ ଦ୍ୱାରା ପ୍ରଭାବିତ ହୋଇ ଦକ୍ଷିଣ ଓଡ଼ିଶାର ଓକିଲମାନେ ମଧ୍ୟ ବ୍ରହ୍ମପୁରରେ ଏକ ସ୍ଥାୟୀ ବେଂଚ ପାଇଁ ଦାବି କରୁଛନ୍ତି। ରାଜନୈତିକ ଦୃଷ୍ଟିକୋଣରୁ ଏହାର ଗୁରୁତ୍ୱକୁ ଉପଲବ୍ଧି କରି ରାଜ୍ୟ ସରକାର ଦୁଇଟି ସ୍ଥାୟୀ ବେଂଚ ପାଇଁ ପ୍ରସ୍ତାବ ଦେଇଛନ୍ତି। କିନ୍ତୁ ରାଜ୍ୟ ସରକାରଙ୍କର ଏହିପରି ପ୍ରସ୍ତାବ ଉପରେ ସ୍ଥାୟୀ ବେଂଚ ପ୍ରତିଷ୍ଠା […]

ଅଦ୍ୟତନ ହୋଇଛି
ଓକିଲ ଯଦି ସୁପ୍ରିମକୋର୍ଟଙ୍କୁ ନମାନିବେ...

Sambalpur

Advertisment
  • ରବି ଦାସ

ଓଡ଼ିଶାରେ ହାଇକୋର୍ଟର ଏକ ସ୍ଥାୟୀ ବେଂଚ ପଶ୍ଚିମ ଓଡ଼ିଶାରେ କରିବା ପାଇଁ ବହୁ ବର୍ଷ ହେଲା ଆନ୍ଦୋଳନ ଚାଲିଛି। ଏହି ଆନ୍ଦୋଳନ ଦ୍ୱାରା ପ୍ରଭାବିତ ହୋଇ ଦକ୍ଷିଣ ଓଡ଼ିଶାର ଓକିଲମାନେ ମଧ୍ୟ ବ୍ରହ୍ମପୁରରେ ଏକ ସ୍ଥାୟୀ ବେଂଚ ପାଇଁ ଦାବି କରୁଛନ୍ତି। ରାଜନୈତିକ ଦୃଷ୍ଟିକୋଣରୁ ଏହାର ଗୁରୁତ୍ୱକୁ ଉପଲବ୍ଧି କରି ରାଜ୍ୟ ସରକାର ଦୁଇଟି ସ୍ଥାୟୀ ବେଂଚ ପାଇଁ ପ୍ରସ୍ତାବ ଦେଇଛନ୍ତି। କିନ୍ତୁ ରାଜ୍ୟ ସରକାରଙ୍କର ଏହିପରି ପ୍ରସ୍ତାବ ଉପରେ ସ୍ଥାୟୀ ବେଂଚ ପ୍ରତିଷ୍ଠା ସମ୍ଭବ ନୁହେଁ ବୋଲି ଜଣାଥିଲେ ମଧ୍ୟ ରାଜନୈତିକ ଚାପ ଆଗରେ ରାଜ୍ୟ ସରକାର ରାଜି ହୋଇଯାଇଛନ୍ତି। ଅତୀତରେ ଏଥିପାଇଁ ସରକାର କମିଶନ ବି ଗଠନ କରିଥିଲେ। କିନ୍ତୁ ସ୍ଥାୟୀ ବେଂଚ ପ୍ରତିଷ୍ଠା ପାଇଁ ଯେଉଁ ନିୟମ ରହିଛି ସେଥିରେ ମୁଖ୍ୟମନ୍ତ୍ରୀ ଓ ହାଇକୋର୍ଟର ମୁଖ୍ୟ ବିଚାରପତି ଏକକାଳୀନ ଭାବରେ ସ୍ଥାୟୀ ବେଂଚର ସ୍ଥାନ ଓ ଭିତ୍ତିଭୂମି ନେଇ ନିର୍ଦ୍ଦିଷ୍ଟ ଭାବରେ ପ୍ରସ୍ତାବ ନଦେଲେ ସୁପ୍ରିମକୋର୍ଟ ବା କେନ୍ଦ୍ର ସରକାର ଏହାକୁ ଗ୍ରହଣ କରି କାର୍ଯ୍ୟକାରୀ କରିବା ସମ୍ଭବ ନୁହେଁ।

Advertisment

ତଥାପି ପଶ୍ଚିମ ଓଡ଼ିଶାରେ ସ୍ଥାୟୀ ବେଂଚ ଦାବିରେ  ବିଭିନ୍ନ ସମୟରେ ସମ୍ବଲପୁର ଓକିଲ ସଂଘ ନେତୃତ୍ୱରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ବାର୍‌ରେ ଓକିଲମାନେ ଧର୍ମଘଟ କରୁଛନ୍ତି ଓ କୋର୍ଟ କାର୍ଯ୍ୟ କରାଇ ଦେଉନାହାନ୍ତି। ଓକିଲମାନେ ଧର୍ମ ଘଟ କରି ମାସ ମାସ ଧରି କୋର୍ଟକାର୍ଯ୍ୟ ଅଚଳ ହେବା କାର୍ଯ୍ୟକୁ ସୁପ୍ରିମକୋର୍ଟ ସବୁବେଳେ କଡ଼ା ଦୃଷ୍ଟିରେ ଦେଖିଛନ୍ତି। ବାସ୍ତବରେ ଦେଖିଲେ ହାଇକୋର୍ଟର ଓକିଲମାନଙ୍କଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ଓକିଲମାନେ ଛୋଟ ଛୋଟ ଘଟଣାରେ ଆନ୍ଦୋଳନ କରି କୋର୍ଟ ବନ୍ଦ କରିବା ଏକ ସାଧାରଣ ଘଟଣା ହୋଇଯାଇଛି। ଓକିଲମାନଙ୍କ ଧର୍ମଘଟ ଯୋଗୁ କୋର୍ଟ କାର୍ଯ୍ୟ ନହେବା ଫଳରେ ନ୍ୟାୟ ପାଇବା ପାଇଁ ଅପେକ୍ଷା କରିଥିବା ଲୋକମାନେ ହଇରାଣ ହରକତ ହେଉଛନ୍ତି। କୋର୍ଟ କାର୍ଯ୍ୟ ନ ହୋଇପାରିବା ବାସ୍ତବରେ ନ୍ୟାୟ ପ୍ରଦାନ ଦିଗରେ ଏକ ବଡ଼ ପ୍ରତିବନ୍ଧକ। ନିକଟରେ ସମ୍ବିଧାନ ଦିବସରେ ଦେଶର ଜେଲଗୁଡ଼ିକରେ କିପରି ଶହ ଶହ ସଂଖ୍ୟାରେ ନିରୀହ ଲୋକମାନେ ବିନା ବିଚାରରେ ଜେଲରେ ଅଛନ୍ତି ଓ ଜାମିନ ଆଦେଶ କାର୍ଯ୍ୟକାରୀ ହୋଇପାରୁ ନାହିଁ ସେ ସଂକ୍ରାନ୍ତଦରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏକ ଆବଗଭରା ମନ୍ତବ୍ୟ ମଧ୍ୟ ଦେଇଥିଲେ। ସୁପ୍ରିମକୋର୍ଟ ଓକିଲମାନଙ୍କ ଧର୍ମଘଟ ଫଳରେ କୋର୍ଟ କାର୍ଯ୍ୟ ଅଚଳ ହେବା ଘଟଣାଗୁଡ଼ିକୁ ସହ୍ୟ କରିପାରିବେ ନାହିଁ ବୋଲି ପୂର୍ବରୁ ବହୁ ବାର କହିଛନ୍ତି।

ଏହି ପରିପ୍ରେକ୍ଷୀରେ ଓଡ଼ିଶାରେ ଓକିଲମାନଙ୍କ ଧର୍ମଘଟ ଯୋଗୁ କୋର୍ଟ କଚେରୀ ବନ୍ଦ ହେଉଥିବା ସଂକ୍ରାନ୍ତରେ ଏକ ମାମଲାର ବିଚାର କରି ସୁପ୍ରିମକୋର୍ଟ ଆଦେଶ ଦେଇଛନ୍ତି ଯେ, ସାଧାରଣ ଲୋକମାନଙ୍କ ପାଇଁ ନ୍ୟାୟ ଏକ ମୌଳିକ ଅଧିକାର ହୋଇଥିବାରୁ ଏଥିରେ ବାଧା ସୃଷ୍ଟି କରୁଥିବା ଓକିଲମାନଙ୍କର ଲାଇସେନ୍ସ ବାତିଲ ହେବା ଉଚିତ। ସେହି ମର୍ମରେ ସୁପ୍ରିମକୋର୍ଟ ବାର୍‌ କାଉନସିଲ ଅଫ୍ ଇଣ୍ଡିଆକୁ ଆଦେଶ ଦେବା ଫଳରେ ସେମାନେ ରାଜ୍ୟ ବାର କାଉନ୍ସିଲକୁ ଏହି ଆଦେଶ ପଠାଇ ଦେଇଛନ୍ତି। କେବଳ ସେତିକି ନୁହେଁ, ପୋଲିସ ଅଦାଲତ ଚାଲିବା ପାଇଁ ପ୍ରତିବନ୍ଧକ ଦୂର କରିବା ନିମନ୍ତେ ଓକିଲମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବାକୁ ମଧ୍ୟ ସୁପ୍ରିମକୋର୍ଟ ପରାମର୍ଶ ଦେଇଛନ୍ତି। ଓକିଲାତି ଏପରି ଏକ ବୃତ୍ତି ଯେଉଁମାନେ ବାସ୍ତବରେ ନ୍ୟାୟ ପାଳିକାର ଏକ ଅଂଶବିଶେଷ। ନ୍ୟାୟପାଳିକା ସବୁପକ୍ଷର କଥା ଶୁଣି ନିଷ୍ପତି ନେବାର ଯେଉଁ ବ୍ୟବସ୍ଥା ଅଛି ସେଥିରେ ନିଜ ପକ୍ଷ ରଖିବା ପାଇଁ ଓକିଲଙ୍କର ଆଶ୍ରୟ ନେବାକୁ ପ୍ରତ୍ୟେକ ମହକିଲ ବାଧ୍ୟ। ଅଧିକାଂଶ ଜଜ୍ ମଧ୍ୟ ଓକିଲାତି ବୃତ୍ତିରୁ ଆସିଛନ୍ତି। ସ୍ଥାୟୀ ବେଂଚ ପ୍ରତିଷ୍ଠା ଦାବି ଯେତେ ନ୍ୟାୟପୂର୍ଣ୍ଣ ଓ ଯଥାର୍ଥ ହେଲେ ମଧ୍ୟ ସୁପ୍ରିମକୋର୍ଟର ଆଦେଶକୁ ଯଦି ଓକିଲମାନେ ସମ୍ମାନ ନ ଦିଅନ୍ତି ତେବେ ଏକ ଭୟଙ୍କର ପରିସ୍ଥିତି ସୃଷ୍ଟିହେବ।

Advertisment

ଭାରତୀୟ ଗଣତାନ୍ତ୍ରିକ ବ୍ୟବସ୍ଥାରେ ନ୍ୟାୟ ପାଳିକାର ଏକ ସ୍ୱତନ୍ତ୍ର ସ୍ଥାନ ଓ ଗୁରୁତ୍ୱ ରହିଛି। ସର୍ବୋଚ୍ଚ ନ୍ୟାୟ ପାଳିକାର ଆଦେଶକୁ ମାନିବା ସରକାରଙ୍କର ଓ ନାଗରିକମାନଙ୍କର ଏକ କର୍ତ୍ତବ୍ୟ। ରାମ ଜନ୍ମଭୂମି ପରି ଏକ ଅତ୍ୟନ୍ତ ବିବାଦୀୟ ମାମଲାରେ ସୁପ୍ରିମକୋର୍ଟର ଆଦେଶ ହିଁ ସମସ୍ୟାର ସମାଧାନ କଲା। ସୁପ୍ରିମକୋର୍ଟର ସାମ୍ବିଧାନିକ ବେଂଚ ସର୍ବସମ୍ମତି କ୍ରମେ ବାବ୍ରି ମସଜିଦ ଭାଙ୍ଗିବା ଏକ ବେଆଇନ କାର୍ଯ୍ୟ ବୋଲି ଉଲ୍ଲେଖ କରିବା ସହିତ ବିବାଦୀୟ ସ୍ଥାନକୁ ରାମ ମନ୍ଦିର ନିର୍ମାଣ ପାଇଁ ହିନ୍ଦୁ ପକ୍ଷଙ୍କୁ ଦେଇଦେବାକୁ ମତ ଦେଇଥିଲେ। ମୁସଲିମମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ୫ ଏକର ଜମି ବିବାଦୀୟ ସ୍ଥାନଠାରୁ ଦୂରରେ ଦେବା ପାଇଁ ଆଦେଶ ଦିଆଯାଇଥିଲା। ଦେଶର ସଂଖ୍ୟାଲଘୁ ଗୋଷ୍ଠୀ ଏହି ସମାଧାନକୁ ସମର୍ଥନ କରୁନଥିଲେ ମଧ୍ୟ ସର୍ବୋଚ୍ଚ ଅଦାଲତର ଆଦେଶକୁ ମାନିନେଇ ବିବାଦୀୟ ସ୍ଥାନରେ ରାମ ମନ୍ଦିର ନିର୍ମାଣ ନିମନ୍ତେ ପଥ ପରିଷ୍କାର କରିଥିଲେ। ନିକଟରେ ଆର୍ଥିକ ଅନଗ୍ରସର ଶ୍ରେଣୀ ପାଇଁ ସ୍ଥାନ ସଂରକ୍ଷଣକୁ ସଂଖ୍ୟାଗରିଷ୍ଠ ମତରେ ସୁପ୍ରିମକୋର୍ଟ ଗ୍ରହଣ କରିବାରେ ଅନେକ ସଂଗଠନ ଏପରିକି ତାମିଲନାଡ଼ୁ ସରକାର ଅସନ୍ତୋଷ ପ୍ରକାଶ କରିଥିଲେ ମଧ୍ୟ କେବଳ ଏକ ରିଭ୍ୟୁ ପିଟିସନ ଜରିଆରେ ଏହାର ପୁନର୍ବିଚାର ପାଇଁ ଆବେଦନ କରିବା ବ୍ୟତୀତ ସେମାନଙ୍କ ନିକଟରେ ଅନ୍ୟ କିଛି ରାସ୍ତା ନାହିଁ।

ଏପରି ଅବସ୍ଥାରେ ଓଡ଼ିଶାରେ ଯେଉଁମାନେ ନ୍ୟାୟ ପାଳିକାର ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଏକ ଅଂଶବିଶେଷ ସେମାନେ ସୁପ୍ରିମକୋର୍ଟର ଆଦେଶକୁ ମାନିବେ ନାହିଁ ଓ ଓକିଲାତି ଲାଇସେନ୍ସ ରଦ୍ଦ ହେଲେ ମଧ୍ୟ ତାହାକୁ ଖାତିର କରିବେ ନାହିଁ ବୋଲି କହି ଆନ୍ଦୋଳନ ଚଳାଇବା ଏକ ଗ୍ରହଣୀୟ ପନ୍ଥା ନୁହେଁ। ହାଇକୋର୍ଟର ସ୍ଥାୟୀ ବେଂଚ ପ୍ରତିଷ୍ଠା ଦାବି ଏକ ରାଜନୈତିକ ପ୍ରସଙ୍ଗ ହୋଇଥିବାରୁ ଓକିଲମାନେ ସୁପ୍ରିମକୋର୍ଟର ଆଦେଶକୁ ସମ୍ମାନ ଦେଇ ଆନ୍ଦୋଳନ କରିବା ନିମନ୍ତେ ରାଜନୈତିକ ଦଳମାନଙ୍କୁ ବା ନାଗରିକ କମିଟିମାନଙ୍କୁ ଆହ୍ୱାନ ଦେଇପାରିଥାନ୍ତେ। ସୁପ୍ରିମକୋର୍ଟ ଯେଉଁ ମାମଲାରେ ଏପରି ଆଦେଶ ଦେଇଛନ୍ତି ସେଥିରେ ସମ୍ବଲପୁର ଓକିଲ ସଂଘ ବା ପଶ୍ଚିମ ଓଡ଼ିଶା ଓକିଲ ସଂଘ ପକ୍ଷଭୁକ୍ତ ହୋଇ ସୁପ୍ରିମକୋର୍ଟର ଆଦେଶ ନ୍ୟାୟ ସମ୍ମତ ନୁହେଁ ବୋଲି ଯୁକ୍ତି କରିପାରିଥାନ୍ତେ। କିନ୍ତୁ ଏହା ନ କରି ସେମାନେ ସୁପ୍ରିମକୋର୍ଟ ଆଦେଶକୁ ମାନିବେ ନାହିଁ ବୋଲି ଯେଉଁ ବାର୍ତ୍ତା ଦେଉଛନ୍ତି ତାହା ଗଣତନ୍ତ୍ର ପାଇଁ ମଙ୍ଗଳଦାୟକ ନୁହେଁ। ସେମାନେ ଜାଣନ୍ତି ସୁପ୍ରିମକୋର୍ଟ ଓ ହାଇକୋର୍ଟ ବିଚାରପତି ମନୋନୟନରେ କେନ୍ଦ୍ର ସରକାର ଓ କଲେଜିୟମ ଭିତରେ ଏକ ବଡ଼ ଧରଣର ବିବାଦ ଏବେ ମୁଣ୍ଡ ଟେକିଛି। କେନ୍ଦ୍ର ଆଇନ ମନ୍ତ୍ରୀ ଖୋଲାଖୋଲି ଭାବରେ କଲେଜିୟମ ବ୍ୟବସ୍ଥାର ସମାଲୋଚନା କରିଛନ୍ତି। ଏହି ବିବାଦର ସମାଧାନ ହେବା ଦେଶର ପ୍ରତ୍ୟେକ ନାଗରିକ ଚାହାନ୍ତି। କାରଣ ଏକ ମୁକ୍ତ ଓ ନିରପେକ୍ଷ ନ୍ୟାୟ ପାଳିକା ବିନା ଦେଶର ଗଣତନ୍ତ୍ର ଦୁର୍ବଳ ହୋଇଯିବ। ସମ୍ବିଧାନରେ ଯେଉଁସବୁ ଅଧିକାର ନାଗରିକମାନଙ୍କୁ ଦିଆଯାଇଛି ତାହାକୁ କାର୍ଯ୍ୟକାରୀ କରିବାର ଏକ ମୁଖ୍ୟ ଦାୟିତ୍ୱ ନ୍ୟାୟପାଳିକାର। ଭାରତରେ ନ୍ୟାୟପାଳିକା ବ୍ୟବସ୍ଥା ଦୃଢ଼ ଥିବାରୁ ଭାରତୀୟ ଗଣତନ୍ତ୍ରର ଯେତେସବୁ ଦୁର୍ବଳତା ଥିଲେ ମଧ୍ୟ ଦେଶରେ ଗଣତନ୍ତ୍ରର ଭବିଷ୍ୟତ ଏବେ ବି ଆଶାଜନକ ଅବସ୍ଥାରେ ଅଛି। ଏପରି ଅବସ୍ଥାରେ ନ୍ୟାୟପାଳିକାକୁ ସୁଦୃଢ଼ କରିବା ପାଇଁ ଯେଉଁମାନେ ପ୍ରମୁଖ ଭୂମିକା ନେବା କଥା ସେମାନେ ଯଦି ଖୋଲାଖୋଲି ଭାବରେ ସର୍ବୋଚ୍ଚ ନ୍ୟାୟପାଳିକାର ଆଦେଶକୁ ମାନିବେ ନାହିଁ ବୋଲି କୁହନ୍ତି ତେବେ ଦେଶର ଗଣତନ୍ତ୍ରକୁ ଦୁର୍ବଳ କରିବା ପାଇଁ ସେମାନେ ଏକ ଭୂମିକା ନେଉଛନ୍ତି ବୋଲି ବିଚାର କରିବାକୁ ହେବ। ସ୍ଥାୟୀ ବେଂଚ ପ୍ରତିଷ୍ଠାର ଆବଶ୍ୟକତା ଏକ ରାଜନୈତିକ ପ୍ରସଙ୍ଗ ସହିତ ନ୍ୟାୟପାଳିକା ସହିତ ଜଡ଼ିତ। ଏହା ଓକିଲମାନଙ୍କର ଏକ ପ୍ରମୁଖ ପ୍ରସଙ୍ଗ କରାଯାଇ ସର୍ବୋଚ୍ଚ ନ୍ୟାୟାଳୟ ଆଦେଶ ବିରୋଧରେ ଛିଡ଼ା ହେବା ଦ୍ୱାରା କାହାର କିଛି ଲାଭ ହେବ ନାହିଁ।

ବରିଷ୍ଠ ସାମ୍ବାଦିକ

ମୋ: ୮୦୧୮୦୯୪୪୫୫

Supreme Court Advocates Strike High Court Bench Wester Odisha Lawyers Forum
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe