ଜାନକୀଶ ବଡ଼ପଣ୍ଡା
ଚଳିତ ବର୍ଷ ମଇ ମାସ ପ୍ରଥମ ସପ୍ତାହରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ପ୍ରସ୍ତାବିତ ଶ୍ରୀଜଗନ୍ନାଥ ଆନ୍ତର୍ଜାତିକ ବିମାନ ବନ୍ଦର ପ୍ରସଙ୍ଗରେ କରିଥିବା ଆଲୋଚନାକୁ ଉଲ୍ଲେଖ କରି ଆଗାମୀ ୩ରୁ ୪ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ଭାବେ ମୋଦି ଏହି ଗ୍ରୀନ ଫିଲଡ ବିମାନ ବନ୍ଦରର ଲୋକାର୍ପଣ କରିବେ ବୋଲି ସେହି ମାସ ୧୮ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଶା ବ୍ୟକ୍ତ କରିଥିଲେ। ଏଥିରୁ ଦୁଇଟି କଥା ସ୍ପଷ୍ଟ ହେଲା। ପ୍ରଥମ - ମୋଦି ଲଗାତାର ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବା ନବୀନଙ୍କ ଇଚ୍ଛା ଓ ପୁରୀରେ ବିମାନ ବନ୍ଦର ନିଶ୍ଚୟ ହେବ।
ଆମେ ରାଜନୈତିକ ଦିଗକୁ ଆଲୋଚନା ନକରି କେବଳ ବିକାଶମୂଳକ କାର୍ଯ୍ୟ ଉପରେ ଆଲୋଚନା କରିବା। ଆବଶ୍ୟକ ଜମି ଅଭାବରୁ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦର ସମ୍ପ୍ରସାରଣ ଅସମ୍ଭବ ବୋଲି ହୃଦବୋଧ କଲା ପରେ ଓ ସହର ଉପକଣ୍ଠରେ ଦ୍ୱିତୀୟ ବିମାନ ବନ୍ଦର ଆଶା ମଉଳି ଗଲା ପରେ ପୁରୀରେ ଗ୍ରୀନଫିଲଡ ବିମାନ ବନ୍ଦର ନିର୍ମାଣ କରିବାକୁ ପ୍ରସ୍ତାବ ଆସିଥିଲା। ଭୁବନେଶ୍ୱରସ୍ଥିତ ବିମାନ ବନ୍ଦରର ଭବିଷ୍ୟତକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଆସିଛି। ଏଠାରେ ଅତି କମରେ ଦୁଇଟି ରନୱେ ନାହିଁ; ଅଛି ମାତ୍ର ଗୋଟିଏ ରନ୍ୱେ। ସ୍ଥାନାଭାବରୁ ରନ୍ୱେକୁ ଅନ୍ତତଃ ୧୦ ହଜାର ୫୦୦ ଫୁଟ ଯାଏଁ ବୃଦ୍ଧି କରାଯାଇ ପାରୁନି। ଫଳରେ ବୋଇଂ ୩୩୭ ଏବଂ ଏୟାର ବସ ୩୨୦ ଏବଂ ତା'ଠାରୁ ବଡ଼ ବିମାନ ଅବତରଣ କରିପାରୁ ନାହିଁ।
ଭୁବନେଶ୍ୱର ଉପକଣ୍ଠରେ ବିକଳ୍ପ ବିମାନବନ୍ଦର ପରିକଳ୍ପନା କରିଥିଲେ ରାଜ୍ୟ ସରକାର। ଏଥିପାଇଁ ୨୦୧୧ରେ ଜମି ଖୋଜା ଅଭିଯାନ ଆରମ୍ଭ ହୋଇଥିଲା। ସେତେବେଳେ ଖୋର୍ଦ୍ଧା ସହର ପାଖ ମଳିପଡ଼ା ଅଞ୍ଚଳରେ ବିମାନ ବନ୍ଦର ପ୍ରତିଷ୍ଠା ନେଇ ଆଶା ସଞ୍ଚାର ହୋଇଥିଲା। ମଳିପଡ଼ା, କିଆଝରୀ, କାଳିବତୀ, ଲହଙ୍ଗା, ଖଜୁରିଆ, ମୁଣ୍ଡାଆମ୍ବ ପ୍ରଭୃତି ମୌଜାରେ ୨୮୩୧ ଏକର ୫୪୪ ଡିସିମିଲ ଜମି ଚିହ୍ନଟ ହୋଇଥିଲା। ବୈଷୟିକ କାରଣରୁ ଏହି ଯୋଜନା ଅଟକିଲା ପରେ ବିଜୁ ପଟ୍ଟନାୟକ ବିମାନ ବନ୍ଦର ସମ୍ପ୍ରସାରଣ ପାଇଁ କର୍ତ୍ତୃପକ୍ଷ ପୁଣି ପ୍ରୟାସ ଆରମ୍ଭ କରିଥିଲେ। ସଫଳତା ନ ମିଳିବାରୁ ଦୀର୍ଘ ବର୍ଷର ନୀରବତା ପରେ ପୁଣି ୨୦୧୭ ଶେଷ ଭାଗରେ ଖୋର୍ଦ୍ଧା ନିକଟରେ ବିମାନ ବନ୍ଦର ପାଇଁ ଉପଯୁକ୍ତ ଜମି ଚୟନ ପାଇଁ ବିଡିଏ, ଇଡ୍କୋ ଓ ଜିଲ୍ଲା ପ୍ରଶାସନକୁ ଦାୟିତ୍ୱ ଦିଆଯାଇଥିଲା। ଜିଲ୍ଲା ପ୍ରଶାସନ ପକ୍ଷରୁ ମଳିପଡ଼ା, ଟାଙ୍ଗିଆପଡ଼ା ଓ ଗଉଡ଼ପୁଟଠାରେ ଉପଯୁକ୍ତ ଜମି ଥିବାର କୁହାଗଲା। ଅନୁଧ୍ୟାନ ପାଇଁ ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ (ଏଏଆଇ) ବୈଷୟିକ ଟିମ୍ ୨୦୧୮ ମାର୍ଚ୍ଚରେ ଆସିଲେ। ସେମାନେ ଟାଙ୍ଗିଆପଡ଼ାକୁ ସର୍ବାଧିକ ପସନ୍ଦ କରିଥିବା କୁହାଗଲା। ମାତ୍ର ଅଚାନକ ଏହି ଯୋଜନା ଅଟକିଗଲା।
ମୂଳରୁ ମାଇପ ନଥିଲେ ବି ପୁଅର ନାମକରଣ କରିବାରେ ବିଶେଷଜ୍ଞ ଓଡ଼ିଶା ସରକାର ଶ୍ରୀକ୍ଷେତ୍ରରେ ଏକ ଗ୍ରୀନଫିଲଡ ବିମାନ ବନ୍ଦର ନିର୍ମାଣ କରି ତାହାର ନାମ ଶ୍ରୀ ଜଗନ୍ନାଥ ଆନ୍ତର୍ଜାତିକ ବିମାନ ବନ୍ଦର କରିବାକୁ ପ୍ରସ୍ତାବ ଦେଲେ ୨୦୨୧ ମସିହା ଜାନୁଆରୀ ମାସ ଏକ ତାରିଖରେ। ଅର୍ଥାତ ଆଜିକୁ ପ୍ରାୟ ତିନି ବର୍ଷ ତଳେ। ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କୁ ସମ୍ବୋଧନ କରି ଚିଠି ଲେଖିଥିଲେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗୋଟିଏ ଗୁଳିରେ ତିନୋଟି ଶିକାର - ବିକଳ୍ପ ବିମାନ ବନ୍ଦର ନିର୍ମାଣ, ପୁଣି ଶ୍ରୀ ଜଗନ୍ନାଥଙ୍କ ନାମରେ ଓ ଆଧ୍ୟତ୍ମିକ ପର୍ଯ୍ୟଟନକ୍ଷେତ୍ରରେ। ଅତ୍ୟନ୍ତ ଭାବାବେଗ ସହ ମୁଖ୍ୟମନ୍ତ୍ରୀ ଲେଖିଥିଲେ ଯେ, ଶ୍ରୀଜଗନ୍ନାଥ ଧାମ ତଥା ତୀର୍ଥକ୍ଷେତ୍ର ପୁରୀ ହିନ୍ଦୁମାନଙ୍କର ଚାରିଧାମ ମଧ୍ୟରୁ ଅନ୍ୟତମ ଏବଂ ସମଗ୍ର ବିଶ୍ୱର କୋଣ ଅନୁକୋଣରୁ ଜଗନ୍ନାଥ ଭକ୍ତଗଣ ଏଠାକୁ ଆସିଥାନ୍ତି। ୟୁନେସ୍କୋ ପକ୍ଷରୁ ଐତିହ୍ୟ ମାନ୍ୟତା ପ୍ରାପ୍ତ ପ୍ରସିଦ୍ଧ ସୂର୍ଯ୍ୟ ମନ୍ଦିରର ଦୂରତ୍ୱ ପୁରୀଠାରୁ ମାତ୍ର ୩୫ କିମି। ରାମଚଣ୍ଡୀ-ଚନ୍ଦ୍ରଭାଗା ବେଳାଭୂମି ମଧ୍ୟ ଦେଶବିଦେଶର ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣୀୟ। ଭାରତର ସର୍ବବୃହତ କ୍ଷାର ଜଳାଧାର ଚିଲିକା ହ୍ରଦ ଓ ଅନ୍ୟତମ ପରିବେଶ ପର୍ଯ୍ୟଟନସ୍ଥଳୀ ‘ଭିତରକନିକା ଜାତୀୟ ଉଦ୍ୟାନ’ ଶ୍ରୀକ୍ଷେତ୍ରର ଦୁଇ ପାର୍ଶ୍ୱରେ ଅବସ୍ଥିତ। ସ୍ୱଳ୍ପ ଦୂରରେ ଅବସ୍ଥିତ ରତ୍ନଗିରି ବିଶ୍ୱର ବୌଦ୍ଧ ଧର୍ମାବଲମ୍ବୀଙ୍କୁ ଆକୃଷ୍ଟ କରି ଆସିଛି। ପ୍ରାୟ ୪୮୦ କିମି ଦୀର୍ଘ ସୁନ୍ଦର ସମୁଦ୍ର ତଟରେ ପ୍ରସ୍ତାବିତ ଅନେକ ସାମୁଦ୍ରିକ ବନ୍ଦର ଅର୍ଥନୈତିକ ମହତ୍ୱ ରଖୁଥିବାରୁ ଶ୍ରୀକ୍ଷେତ୍ରରେ ଆନ୍ତର୍ଜାତିକ ବିମାନବନ୍ଦର ପ୍ରତିଷ୍ଠା ଜରୁରୀ ବୋଲି ମୁଖ୍ୟମନ୍ତ୍ରୀ ଦର୍ଶାଇଥିଲେ। ଏହା ଛଡ଼ା କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ଉପକୂଳ ରାଜପଥ ନିର୍ମାଣ ହୋଇଗଲା ପରେ ପାରାଦ୍ଵୀପ ବୃହତ ବନ୍ଦର ଓ ପ୍ରସ୍ତାବିତ ଅସ୍ତରଙ୍ଗ ବନ୍ଦର ମଧ୍ୟ ଶ୍ରୀକ୍ଷେତ୍ର ସହ ପ୍ରଶସ୍ତ ସଡ଼କ ପଥରେ ଯୋଡ଼ି ହୋଇଯିବାର ଥିବାରୁ ପ୍ରସ୍ତାବିତ ବିମାନ ବନ୍ଦର କେବଳ ଆଧ୍ୟାତ୍ମିକ ଦୃଷ୍ଟିରୁ ନୁହେଁ, ତାହା ସହିତ ଅର୍ଥନୈତିକ ଓ ପର୍ଯ୍ୟଟନ ବିକାଶର ପ୍ରବେଶ ଦ୍ୱାର ହୋଇପାରିବ। ପୁରୀର ପ୍ରସିଦ୍ଧ ରଥଯାତ୍ରାରେ ଭାଗନେବାକୁ ବିଶ୍ୱର ଯେଉଁ ୧୯୨ଟି ଦେଶର ଶ୍ରୀଜଗନ୍ନାଥ ଭକ୍ତ ଚାତକ ପରି ଚାହିଁ ରହିଥାନ୍ତି, ସେମାନେ ପୁରୀରେ ଆନ୍ତର୍ଜାତିକ ବିମାନ ବନ୍ଦର ହେଲେ ସୁବିଧାରେ ଏଠାକୁ ଆସିପାରିବେ। ଚିଠିରେ ଏହିପରି ଅନେକ ବଳିଷ୍ଠ ଯୁକ୍ତି ଉପସ୍ଥାପନ କରିଥିଲେ ମୁଖ୍ୟମନ୍ତ୍ରୀ।
ଆମ ରାଜ୍ୟରେ ସବୁଦିନିଆ ବା ନିୟମିତ ବିମାନ ବନ୍ଦର ସଂଖ୍ୟା ଏବେ ବଢିଛି। ଗତ ନବକଳେବର ପୂର୍ବରୁ ୩୦.୧୦.୨୦୧୩ରେ ଭୁବନେଶ୍ୱର ବିମାନ ବନ୍ଦରକୁ ଆନ୍ତର୍ଜାତିକ ମାନ୍ୟତା ମିଳିସାରିଛି। କେନ୍ଦ୍ର ସରକାରଙ୍କ 'ଉଡାନ' ଯୋଜନାରେ ଝାରସୁଗୁଡ଼ା ବିମାନ ବନ୍ଦରକୁ ନିୟମିତ ଉଡ଼ାଣ ସମ୍ଭବ ହୋଇଛି ୨୨.୯.୨୦୧୮ଠାରୁ। ପରେ, କୋରାପୁଟର ଜୟପୁର, ସୁନ୍ଦରଗଡ଼ର ରାଉରକେଲା ଓ କଳାହାଣ୍ଡିର ଉତ୍କେଲା 'ଉଡାନ' ଯୋଜନାରେ ନିୟମିତ ବିମାନ ବନ୍ଦର ହୋଇସାରିଛି। ନିଜସ୍ୱ ଉଦ୍ୟମରେ ବ୍ରହ୍ମପୁର ନିକଟସ୍ଥ ରଙ୍ଗେଇଲୁଣ୍ଡାଠାରୁ ବିମାନ ଚଳାଚଳ ବ୍ୟବସ୍ଥା ଓଡ଼ିଶା ସରକାର କରି ସାରିଛନ୍ତି।
କିଛିଦିନ ତଳେ, ଭାରତ ସରକାରଙ୍କ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଓଡ଼ିଶା ସରକାରଙ୍କ ଦ୍ୱାରା ନିରୂପିତ ସ୍ଥାନରେ ଗ୍ରୀନଫିଲଡ ବିମାନ ବନ୍ଦର ନୀତି ୨୦୦୮ ଅନୁସାରେ ନୂତନ ସ୍ଥାନରେ (ଗ୍ରୀନଫିଲଡ) ବିମାନବ ନ୍ଦର ସ୍ଥାପନ କରିବାପାଇଁ ସମ୍ମତି ପ୍ରଦାନ କରିଛନ୍ତି। ଓଡ଼ିଶା ସରକାରଙ୍କ ପାଖରୁ ସମସ୍ତ ତଥ୍ୟ ପାଇବାର ମାତ୍ର ବର୍ଷକ ମଧ୍ୟରେ କେନ୍ଦ୍ର ସରକାରଙ୍କ ସମ୍ମତି ମିଳିପାରିଛି। ତେବେ, ବିଧିବଦ୍ଧ ମଞ୍ଜୁରୀ ଦେବା ପୂର୍ବରୁ ରାଜ୍ୟ ସରକାରଙ୍କୁ ସମ୍ପୂର୍ଣ୍ଣ ପରିକଳ୍ପନା ବିବରଣୀ (ଡିପିଆର) ପ୍ରସ୍ତୁତ କରିବାକୁ ପଡ଼ିବ ଓ ଦରଖାସ୍ତ ସହିତ ଦାଖଲ କରିବାକୁ ହେବ।
ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଜମି ଅଧିଗ୍ରହଣ ପାଇଁ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇ ସାରିଛି। ଚିହ୍ନଟ ହୋଇଥିବା ମାତ୍ର ୧୧୬୪ ଏକର ଜମି ମଧ୍ୟରେ ୬୮ ଏକର ଜଙ୍ଗଲ ଜମି ରହିଛି। ବ୍ରହ୍ମଗିରି ତହସିଲ ଅନ୍ତର୍ଗତ ଘରୋଇ ମାଲିକାନାରେ ସିପସରୁବାଲିରେ ୧୫୩.୩୭ ଏକର ଓ ଷଣ୍ଢପୁର ଗ୍ରାମରେ ୬୮.୧୧ ଏକର, ଏପରି ସମୁଦାୟ ୨୨୧.୪୮ ଏକର ଜମି ରହିଛି। ଏହି ସମସ୍ତ ଜମିରେ ଜନବସତି ନଥିବାରୁ, ଜମି ମାଲିକମାନଙ୍କ ପୁନର୍ବାସ ପାଇଁ ଭୂ ଅଧିଗ୍ରହଣକାରୀଙ୍କୁ କସରତ କରିବାକୁ ପଡ଼ିବ ନାହିଁ। ଜିଲ୍ଲା ପ୍ରଶାସନ ପକ୍ଷରୁ ଇତିମଧ୍ୟରେ ଜମି ଚିହ୍ନଟ, ଭୂପୃଷ୍ଠ ବାଧକ ସର୍ଭେ (ଓଏଲଏସ) କରାଯାଇ ପ୍ରକଳ୍ପ ପ୍ରସ୍ତାବ ଦିଆଯାଇଛି। ଘରୋଇ ଜମି ଅଧିଗ୍ରହଣ ନିୟମ ଅନୁସାରେ ଜନଶୁଣାଣୀ ସରିଛି ଓ କିଛି ସରକାରୀ ମାଲିକାନାରେ ଥିବା ଜମି ଅଧିଗ୍ରହଣ ପାଇଁ ପଦକ୍ଷେପ ନିଆ ସରିଛି। କେବଳ ଅପେକ୍ଷା ଥିଲା ନିରୂପିତ ସ୍ଥାନରେ ଗ୍ରୀନଫିଲଡ ବିମାନ ବନ୍ଦର ସ୍ଥାପନ କରିବା ପାଇଁ କେନ୍ଦ୍ରର ସମ୍ମତି। ଏହା ମିଳିସାରିଥିବାରୁ ଅନ୍ୟାନ୍ୟ ଆନୁସଙ୍ଗିକ ପଦକ୍ଷେପ ଗ୍ରହଣ କରିବାରେ ରାଜ୍ୟ ସରକାରଙ୍କୁ ଅସୁବିଧା ହେବନାହିଁ। ସମସ୍ତ ନିୟାମକ ସଂସ୍ଥା, ସରକାରୀ ବ୍ୟବସ୍ଥା ସହଯୋଗରେ ରାଜ୍ୟ ସରକାରଙ୍କ ପକ୍ଷରେ କେନ୍ଦ୍ରଠାରୁ ନୀତିଗତ ମଞ୍ଜୁରୀ ପାଇବା ସହଜ ହେବ ଏବଂ ମାର୍ଚ୍ଚ ୨୦୨୪ ବେଳକୁ ନିର୍ମାଣ କାମ ଆରମ୍ଭ ହେବାର ସମ୍ଭାବନା ରହିଛି। ତେବେ ଅନ୍ତତଃ ୨୦୦୦ ଏକରରୁ ଅଧିକ ଜମି ଅଧିଗ୍ରହଣ ନକରି, ମାତ୍ର ୧୧୬୪ ଏକର ଜମିରେ ଅନ୍ତର୍ଜାତୀୟ ବିମାନ ବନ୍ଦର ପ୍ରତିଷ୍ଠା ପରିକଳ୍ପନା କେବେ ହେଁ ଦୂରଦର୍ଶୀ ନୁହେଁ ବୋଲି କହିହେବ।
ପ୍ରସ୍ତାବିତ ବିମାନ ବନ୍ଦର ବିମାନବନ୍ଦର ପ୍ରାଧିକରଣଙ୍କ (ଏଏଆଇ) ପରିଚାଳନାଧୀନ ରହିବ। ଇତିମଧ୍ୟରେ ପରିବେଶ ପ୍ରଭାବ ମୂଲ୍ୟାୟନ କମିଟି କେଉଁ କେଉଁ ଦିଗ ପ୍ରତି ଧ୍ୟାନ ଦେଇ ନିଜର ବିବରଣୀ ଦେବେ, ତାହାର ଏକ ବିସ୍ତୃତ ତାଲିକା କେନ୍ଦ୍ର ସରକାରଙ୍କ ପରିବେଶ, ଜଙ୍ଗଲ ଓ ପାଣିପାଗ ପରିବର୍ତ୍ତନ ମନ୍ତ୍ରଣାଳୟ ପଠାଇ ସାରିଛନ୍ତି। ପ୍ରସ୍ତାବିତ ଅଞ୍ଚଳରେ ରାଜ୍ୟ ସରକାର ପାଚେରୀ ନିର୍ମାଣ ଶେଷ କରିସାରିଲେଣି। ସମୁଦ୍ର କୂଳରେ ପ୍ରାୟ ଢେଉ ଛୁଉଁଥିବା ସ୍ଥାନଠାରୁ ୬୦୦ ମିଟର ଦୂରବର୍ତ୍ତୀ 'ଉପକୂଳ ନିୟାମକ ଅଞ୍ଚଳ' ସୀମା ବାହାରେ ପ୍ରସ୍ତାବିତ ବିମାନ ବନ୍ଦର ରହିବ। ପ୍ରସ୍ତାବିତ ଶ୍ରୀଜଗନ୍ନାଥ ଆନ୍ତର୍ଜାତିକ ବିମାନ ବନ୍ଦରକୁ ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ ନିର୍ମାଣ କରିବା ସଙ୍ଗେସଙ୍ଗେ ପରିଚାଳନା କରିବ ବୋଲି ଜଣାଯାଇଛି। ଏଥିପାଇଁ ପ୍ରାଧିକରଣ ପକ୍ଷରୁ ୫,୬୩୧ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏଠାରେ ସମସ୍ତ ପ୍ରକାର ବିଶ୍ୱ ସ୍ତରୀୟ ତଥା ଆଧୁନିକତମ ବ୍ୟବସ୍ଥା ରହିବା ପାଇଁ ସ୍ଥିର କରାଯାଇଛି।
ଆମେ ଜାଣିରଖିବା ଉଚିତ ଯେ, ସାଧାରଣତଃ ଆନ୍ତର୍ଜାତିକ ବିମାନ ବନ୍ଦର ଗୁଡ଼ିକର ରନୱେ ପ୍ରାୟ ଅଧିକ ଲମ୍ବ ବିଶିଷ୍ଟ ହୋଇଥାଏ। ଆଜି ଆମେ ଯଦି ୯,୦୦୦ ଫୁଟର ରନୱେ ନିର୍ମାଣ କରି କାମ ଚଳେଇବାକୁ ସକ୍ଷମ ବୋଲି ଭାବୁଥାଉ, ଆଗାମୀ ଦିନରେ ଭିଡ଼ ବଢ଼ିଗଲେ, ଆମକୁ ଅନ୍ତତଃ ୧୨,୦୦୦ ଓ ତା’ ପରେ ୧୪,୦୦୦ ଫୁଟ ଯାଏଁ ରନୱେ ଲମ୍ବ ବଢ଼ାଇବାକୁ ପଡ଼ିବ। ଏଥିପାଇଁ ଅଧିକ ଜମି ଆବଶ୍ୟକ ପଡ଼ିଲେ, ଆମେ କିପରି ତାହା ପାଇବା? ଗଣିତର ସରଳ ସୂତ୍ର ପ୍ରୟୋଗକରି କେହି ବି କହି ପାରିବେ ଯେ, ୭୫ ଫୁଟ ଓସାର, ୧୨,୦୦୦ ଫୁଟ ଲମ୍ବ ବିଶିଷ୍ଟ ରନୱେ ପାଇଁ ମାତ୍ର ୯ ଲକ୍ଷ ବର୍ଗଫୁଟ ବା ୨୭.୫୪ ଏକର ଜମି ଆବଶ୍ୟକ। ତେବେ, ଆମେ କାହିଁକି ଦୁଇ ହଜାର ଏକର ଜମି ଗୋଟିଏ ବିମାନ ବନ୍ଦର ନିର୍ମାଣ ପାଇଁ ବ୍ୟବହାର କରିବା? ବିମାନ ବନ୍ଦର ପ୍ରତିଷ୍ଠା ଓ ପରିଚାଳନା ସହିତ ସମ୍ପୃକ୍ତ ବିଶେଷଜ୍ଞମାନଙ୍କ ମତରେ, ମାତ୍ର ଗୋଟିଏ ଟର୍ମିନାଲ, ଗୋଟିଏ ରନୱେ ସହିତ ସର୍ବନିମ୍ନ ଆବଶ୍ୟକତା ପୂରଣ କରୁଥିବା ଗ୍ରୀନଫିଲଡ (ନୂଆ) ଆନ୍ତର୍ଜାତିକ ବିମାନ ବନ୍ଦର ନିର୍ମାଣ କରିବାକୁ ହେଲେ, ଅତିକମରେ ୧୨୫୦ ଏକର ଜମି ଦରକାର ପଡ଼େ। ଏହାଠାରୁ ଯେତେ ଅଧିକ ଜମି ମିଳିବ ସେତେ ଭଲ - କାହିଁକି ନା, ଅଧିକ ଟର୍ମିନାଲ, ଏକାଧିକ ରନୱେ, ବିମାନ ବନ୍ଦର ପରିସରରେ ତାରକା ହୋଟେଲ, କରମୁକ୍ତ ଉପହାର ବିକ୍ରି କେନ୍ଦ୍ର, ଗମନାଗମନ ସୁବିଧା ପାଇଁ ମେଟ୍ରୋ ରେଳ, ବସ, ଟ୍ୟାକ୍ସି ସେବା ଓ ରହଣୀ ସ୍ଥଳ ଇତ୍ୟାଦି ଆବଶ୍ୟକତା ଅନୁସାରେ ପରବର୍ତ୍ତୀ କାଳରେ ନିର୍ମାଣ କରିହେବ। ସେତେ ଦିନ ଯାଏଁ ଅଧିଗୃହିତ ଜମିରେ ଅସ୍ଥାୟୀ କୁଟୀର ଶିଳ୍ପଗ୍ରାମ, ଲଳିତ କଳା ଗ୍ରାମ କରାଯାଇ ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣୀୟ କରିହେବ। ପ୍ରଥମେ, ଅଳ୍ପ ଜମି ଅଧିଗ୍ରହଣ କରି, ପରବର୍ତ୍ତୀ କାଳରେ ଅଧିକ ଜମି ଅଧିଗ୍ରହଣ କରିବାକୁ ମନ କଲେ ଜମି ମିଳିବା ହୁଏତ ସେତେ ବେଳେ ସମ୍ଭବ ହେବନାହିଁ। ଭୁବନେଶ୍ୱରସ୍ଥିତ ବିମାନ ବନ୍ଦରକୁ ପରିବର୍ଦ୍ଧିତ ଓ ସମ୍ପ୍ରସାରଣ କଲାବେଳେ ସେହି ଅସୁବିଧା ଭୋଗିଥିଲେ ରାଜ୍ୟ ସରକାର। ଏଣୁ, ଏଥିରୁ ଶିକ୍ଷାଲାଭ କରି ପୁରୀରେ ନୂତନ ବିମାନ ବନ୍ଦର ନିର୍ମାଣ କଲାବେଳେ ଅନ୍ତତଃ ୨,୦୦୦ ଏକର ଜମି ଅଧିଗ୍ରହଣ କରିରଖିବା ଦୂରଦର୍ଶୀ କାର୍ଯ୍ୟ। ଆମଦେଶରେ କିଛିବର୍ଷ ତଳେ ନିର୍ମିତ ଓ ନିର୍ମାଣାଧୀନ ଥିବା କେତୋଟି ଗ୍ରୀନଫିଲଡ ଆନ୍ତର୍ଜାତିକ ବିମାନ ବନ୍ଦର ଉପରେ ଦୃଷ୍ଟି ନିକ୍ଷେପ କଲେ ଆମେ ବୁଝିପାରିବା ଯେ, ପୁରୀରେ ପ୍ରସ୍ତାବିତ ଆନ୍ତର୍ଜାତିକ ବିମାନ ବନ୍ଦର ଶ୍ରୀଜଗନ୍ନାଥଙ୍କ ନାମରେ କେବଳ ନାମିତ କରିଦେଲେ ହେବ ନାହିଁ; ଶ୍ରୀଜଗନ୍ନାଥଙ୍କ ଭଳି ମଧ୍ୟ ବିଶାଳ କରିବାକୁ ପଡିବ। ବଡ଼ଠାକୁର, ବଡ଼ଦାଣ୍ଡ ... ଏମିତି ସବୁକିଛି ବଡ଼ ହୋଇଥିଲା ବେଳେ ପୁରୀରେ ବିମାନ ବନ୍ଦରକୁ କାହିଁକି ଛୋଟ କରାଯାଉଛି ତାହା ଅନୁସନ୍ଧାନ ସାପେକ୍ଷ।
ବେଙ୍ଗାଲୁରୁର ଦେବନହାଲିଠାରେ କିଛିବର୍ଷ ହେଲା କାର୍ଯ୍ୟକାରୀ ହେଉଥିବା ବିମାନ ବନ୍ଦରର ଆୟତନ ୪,୦୦୦ ଏକର, ହାଇଦ୍ରାବାଦର ସାମସାବାଦଠାରେ ପ୍ରତିଷ୍ଠିତ ବିମାନ ବନ୍ଦର ୫,୪୯୫ ଏକର, ବିଶାଖାପାଟଣା ନିକଟ ଭୋଗପୁରମରେ ନିର୍ମାଣାଧୀନ ବିମାନ ବନ୍ଦର ୨,୨୦୦ ଏକର ଜମିରେ ରହିଥିଲା ବେଳେ କଲିକତା ମହାନଗରୀରେ ଥିବା ବହୁ ପୁରୁଣା ଦମଦମ ବିମାନ ବନ୍ଦରର ଆୟତନ ୨,୪୬୦ ଏକର। ଏବେ ଉତ୍ତର ପ୍ରଦେଶ-ଦିଲ୍ଲୀ ସୀମାନ୍ତରେ ନିର୍ମାଣ ଚାଲିଥିବା ନଏଡ଼ା ଅନ୍ତର୍ଜାତୀୟ ବିମାନ ବନ୍ଦରର ଆୟତନ ଆଖି ଖୋସି ହେଲାଭଳି ୧୯,୧୫୦ ଏକର। ଏବେ, ଚିନ୍ତା କରନ୍ତୁ ତ, ଆମେ କେତେ ମାତ୍ରାରେ ଦୂରଦୃଷ୍ଟି ସମ୍ପନ୍ନ? ଆମ ପୁର୍ବପୁରୁଷମାନେ ଏକ ହଜାର ବର୍ଷ ତଳେ ଯେଉଁ ଶ୍ରୀମନ୍ଦିର ଓ ବଡ଼ଦାଣ୍ଡର ପରିକଳ୍ପନା କରିଥିଲେ ତାହା ଆଜି ବି କାମ ଦେଉଥିଲା ବେଳେ ଭୁବନେଶ୍ୱର ବିମାନ ବନ୍ଦରକୁ କାହିଁକି ମାତ୍ର ୧୦୦ ବର୍ଷ ପରେ ସ୍ଥାନାନ୍ତରିତ କରିବାକୁ ପଡୁଛି, ତାହା ଭାବିବାର ସମୟ ଆସିଛି।
ହଁ ଆଜ୍ଞା, ସ୍ଥାନାନ୍ତରିତ କଥା ଶୁଣି ଚକିତ ହୁଅନ୍ତୁ ନାହିଁ। ଯେଉଁଦିନ ପୁରୀରେ ବିମାନ ଉଡ଼ାଣ ହେବ, ସେଦିନ ଭୁବନେଶ୍ୱର ବିମାନବନ୍ଦର ଯାତ୍ରୀ ପରିବହନ କରିବ ନାହିଁ, ଏହା ଏକ ସତ୍ୟ। ଏପରିକି, ଏହା ଦେଶ ଭିତରେ ବି ଯାତ୍ରୀ ପରିବହନ କରିବ ନାହିଁ। ବେଙ୍ଗାଳୁରୁ ଓ ହାଇଦ୍ରାବାଦ ଏହାର ଦୁଇଟି ଜ୍ୱଳନ୍ତ ଉଦାହରଣ ମାତ୍ର। କୋରାପୁଟର ଜୟପୁର ଯିବାକୁ ଥିବା ଜଣେ ବିମାନଯାତ୍ରୀ ଯଦି ଦୁବାଇରୁ ଆସିବାର ଥିବ ସେ କ'ଣ ବିମାନରେ ଦୁବାଇରୁ ପୁରୀ ଆସି, ପୁରୀରୁ ଭୁବନେଶ୍ୱର ବିମାନବନ୍ଦରକୁ ରେଳ/ଟ୍ୟାକ୍ସିରେ ଆସିଲା ପରେ ଜୟପୁର ଯିବେ? ଏମିତି ହୁଏନା।
ଫୋ- ୯୪୩୮୨୯୯୦୩୭