ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜୁ ଜନତା ଦଳ ଗତ ୨୩ ବର୍ଷ ହେଲା କ୍ଷମତାରେ ରହିଛି। ନବୀନ ପଟ୍ଟନାୟକ କ୍ରମାଗତ ଭାବରେ ୫ଟି ନିର୍ବାଚନରେ ବିଜୟ ହାସଲ କରି ଏବେ ଷଷ୍ଠ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଛନ୍ତି। ଯଦିଓ ନବୀନ ପଟ୍ଟନାୟକ ପ୍ରଥମେ କ୍ଷମତାକୁ ଆସିବା ସମୟରେ ବିଜେପି ତାଙ୍କର ସହଯୋଗୀ ଥିଲା ଓ ୨୦୦୦ରୁ ୨୦୦୮ ଶେଷ ପର୍ଯ୍ୟନ୍ତ ଓଡ଼ିଶାରେ ବିଜେଡି-ବିଜେପିର ମିଳିତ ସରକାର ଚାଲିଥିଲା ୨୦୦୯ ନିର୍ବାଚନରେ ଦୁଇଦଳ ଅଲଗା ହୋଇ ନିର୍ବାଚନ ଲଢ଼ିଲେ ଓ ସେଥିରେ ମଧ୍ୟ ନବୀନ ପଟ୍ଟନାୟକ ବିଜୟ ହାସଲ କଲେ।
ତେବେ ୨୦୧୪ରେ ନରେନ୍ଦ୍ର ମୋଦି ବିଜେପିର ନେତୃତ୍ୱ ନେଇ ଦିଲ୍ଲୀରେ କ୍ଷମତା ହାସଲ କରିବା ପରେ ବିଜେପିର ଓଡ଼ିଶାରେ ଶକ୍ତି ଯଥେଷ୍ଟ ବଢ଼ି ଏହା ରାଜ୍ୟରେ ମୁଖ୍ୟ ବିରୋଧୀ ଦଳରେ ପରିଣତ ହୋଇଛି। ପୂର୍ବରୁ ୨୦୧୭ ପଞ୍ଚାୟତ ନିର୍ବାଚନ ପର୍ଯ୍ୟନ୍ତ କଂଗ୍ରେସ ଦଳ ହିଁ ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ଭାବରେ ରହିଥିଲା। କିନ୍ତୁ ସେହି ପଞ୍ଚାୟତ ନିର୍ବାଚନରେ ବିଜେପି ଦ୍ୱିତୀୟ ସ୍ଥାନକୁ ଆସି କଂଗ୍ରେସକୁ ତୃତୀୟ ସ୍ଥାନକୁ ପଠେଇଦେବା ପରେ ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ସବୁ ଦୃଷ୍ଟିରୁ ମୁଖ୍ୟ ବିରୋଧୀ ଦଳର ମର୍ଯ୍ୟାଦା ହାସଲ କରିଛି। ୨୦୧୪ରେ ପ୍ରଥମ ଥର ପାଇଁ ମୋଦି ହାୱା ଯେତେବେଳେ ଅନୁଭୂତ ହୋଇଥିଲା ସେତେବେଳେ ବିଜେପିର ଶକ୍ତି ବଢ଼ିଥିଲେ ମଧ୍ୟ କଂଗ୍ରେସର ବିରୋଧୀ ପକ୍ଷରେ ପ୍ରାଧାନ୍ୟ ଯୋଗୁ ରାଜ୍ୟରେ ଯେପରି ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେଲା ସେଥିରେ ଉଭୟ ଲୋକସଭା ଓ ବିଧାନସଭାରେ ବିଜେଡି ଲାଭବାନ ହେଲା। ବିଜେଡି ପ୍ରଥମଥର ପାଇଁ ଲୋକସଭାରେ ୨୧ଟି ଆସନ ମଧ୍ୟରୁ ୨୦ଟି ଦଖଲ କରିନେଲା। ବିଜେପି ମାତ୍ର ଗୋଟିଏ ଲୋକସଭା ଆସନ ସୁନ୍ଦରଗଡ଼ ହାସଲ କରିଥିଲା। ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ସହିତ ମହିଳା ସଶକ୍ତିକରଣ ନାଁରେ ମିଶନଶକ୍ତି ଜରିଆରେ ବିଜେଡି ବିଧାନସଭାରେ ୪୩ ପ୍ରତିଶତ ଭୋଟ ସହିତ ୧୧୭ଟି ବିଧାନସଭା ଆସନ ଦଖଲ କରିନେଲା। ସେତେବେଳେ ବିଜେପି ବିଧାନସଭାରେ ୧୮ ପ୍ରତିଶତ ଭୋଟ୍ ସହିତ ୧୦ଟି ଆସନ ହାସଲ କରିଥିବା ସମୟରେ ୨୫.୭ ପ୍ରତିଶତ ଭୋଟ୍ ସହିତ କଂଗ୍ରେସ ୧୬ଟି ଆସନ ପାଇଥିଲା। କିନ୍ତୁ ୨୦୧୯ ନିର୍ବାଚନ ବେଳକୁ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଓ ଲୋକପ୍ରିୟତା ଯଥେଷ୍ଟ ବଢ଼ିଯାଇଥିବାରୁ ବିଜେପି ଲୋକସଭା କ୍ଷେତ୍ରରେ ୩୮ ପ୍ରତିଶତ ଭୋଟ ପାଇ ୮ଟି ଲୋକସଭା ଆସନ ପାଇଥିବା ସମୟରେ ବିଧାନସଭା କ୍ଷେତ୍ରରେ ଏହା ଶତକଡ଼ା ୩୨.୪୯ ଭାଗ ଭୋଟ ପାଇ ୨୩ଟି ଆସନ ହାସଲ କରିଥିଲା। ଆଶ୍ଚର୍ଯ୍ୟର କଥା ସେତେବେଳେ କଂଗ୍ରେସ ଦଳର ଭୋଟ ହାର କମିଯାଇ ବିଧାନସଭା କ୍ଷେତ୍ରରେ ୧୬.୧୨ ପ୍ରତିଶତ ହେବାରୁ ଏହା ମାତ୍ର ୯ଟି ଆସନ ପାଇଥିଲା।
ଏଠାରେ ସ୍ମରଣଯୋଗ୍ୟ ଯେ ୨୦୧୭ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଓ ୨୦୧୯ ସାଧାରଣ ନିର୍ବାଚନ ପର୍ଯ୍ୟନ୍ତ ସେତେବେଳେ ବିଜେପିର ରାଷ୍ଟ୍ରୀୟ ସଭାପତି ଥିବା ଅମିତ ଶାହା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରମ୍ବାର ଓଡ଼ିଶା ଆସି ରାଜ୍ୟରେ ଯେଉଁ କାର୍ଯ୍ୟକ୍ରମ ଚଳାଇଥିଲେ, ସେଥିରେ ସରକାରୀ ବିରୋଧୀ ସାଧାରଣ ଲୋକମାନେ ବିଜେପି ପ୍ରତି ଆକୃଷ୍ଟ ହୋଇଥିଲେ। ବିଜେପିର ଏହି ଶକ୍ତିବୃଦ୍ଧି ସାମ୍ପ୍ରଦାୟିକ ଆଧାରିତ ନଥିଲା। ଯେଉଁ କଂଗ୍ରେସ ଦଳ ୨୦୦୦ ମସିହାରୁ ନବୀନ ପଟ୍ଟନାୟକଙ୍କ ସରକାର ବିରୋଧରେ ଲଢ଼ି ଆସୁଥିଲା ଓ କ୍ରମାଗତ ୪ଟି ନିର୍ବାଚନରେ ସଫଳତା ହାସଲ ନକରି ଭୋଟ ହାର କମାଇ ଚାଲିଥିଲେ ସେହି ଦଳର ସମର୍ଥକମାନେ ବିଜେପିକୁ ପ୍ରକୃତ ବିରୋଧୀ ଦଳ ବୋଲି ମର୍ଯ୍ୟାଦା ଦେଇ ସେହି ଆଡ଼କୁ ସମର୍ଥନ ଢାଳି ଦେଲେ। କିନ୍ତୁ କଂଗ୍ରେସ ଏକ କ୍ଷମତା ଆଧାରିତ ଦଳ ହୋଇଥିବାରୁ କ୍ଷମତାର ନିକଟବର୍ତ୍ତୀ ହେବାକୁ ଚାହୁଁଥିବା କଂଗ୍ରେସର ନେତାମାନେ ବିଜେଡି ଆଡ଼କୁ ଢଳି ଯାଇଥିଲେ। ୨୦୧୪ରେ ଆରମ୍ଭ ହୋଇଥିବା ଏହି ପ୍ରକ୍ରିୟା ୨୦୧୯ ନିର୍ବାଚନ ପୂର୍ବରୁ ଦେଖାଦେବାରୁ ନବକିଶୋର ଦାସଙ୍କ ନେତୃତ୍ୱରେ ଅନେକ କଂଗ୍ରେସ ନେତା ବିଜେଡିରେ ସାମିଲ ହୋଇଯାଇଥିଲେ। କିନ୍ତୁ ୨୦୧୯ ନିର୍ବାଚନରେ ବିଜେପି ଯଦିଓ ନବୀନଙ୍କୁ ଗାଦିଚ୍ୟୁତ କରିବାରେ ଅସଫଳ ହେଲେ କିନ୍ତୁ ଯେଉଁ ହାରରେ ଏମାନେ ଲୋକସଭା ଓ ବିଧାନସଭାରେ ଭୋଟ ପାଇଥିଲେ ସେଥିରେ ଉତ୍ସାହିତ ହେବା କଥା। ଅବଶ୍ୟ କେନ୍ଦ୍ରୀୟ ବିଜେପି ନେତୃତ୍ୱର ହୃଦବୋଧ ହୋଇଥିଲା ଯେ ରାଜ୍ୟ ସ୍ତରରେ ନବୀନ ପାଉଥିବା ଭୋଟ ହାର ଶତକଡ଼ା ୪୪.୭୧ ଭାଗ ସମୟରେ ବିଜେପିକୁ ରାଜ୍ୟ ବିଧାନସଭାରେ ଶତକଡ଼ା ୩୨.୪୯ ଭାଗ ଭୋଟ ମିଳୁଛି। ଅର୍ଥାତ୍ ବିଧାନସଭା କ୍ଷେତ୍ରରେ ବିଜେଡି ଓ ବିଜେପି ଭିତରେ ପ୍ରାୟ ଶତକଡ଼ା ୧୨ ଭାଗର ଭୋଟ ବ୍ୟବଧାନ ରହିଛି। ପରବର୍ତ୍ତୀ ସମସ୍ତ ଉପ-ନିର୍ବାଚନରେ କେବଳ ଧାମନଗରକୁ ଛାଡ଼ିଦେଲେ ବିଜେଡି-ବିଜେପି ଭୋଟ୍ ବ୍ୟବଧାନ ବଢ଼ିବାରେ ଲାଗିଛି। ଯଦିଓ ଲୋକସଭା କ୍ଷେତ୍ରରେ ଓଡ଼ିଶାରେ ୨୦୧୯ରେ ବିଜେଡି-ବିଜେପି ଭିତରେ ଭୋଟ୍ ବ୍ୟବଧାନରେ ମାତ୍ର ଶତକଡ଼ା ୪ ଭାଗର ବ୍ୟବଧାନ ରହିଥିଲା।
ଏହିସବୁ ତଥ୍ୟଗୁଡ଼ିକୁ ବିଶ୍ଳେଷଣ କଲା ପରେ ଓ କ୍ରମାଗତ ଭାବରେ ୨୦୧୪ ଓ ୨୦୧୯ ନିର୍ବାଚନର ଅଭିଜ୍ଞତା ଦୃଷ୍ଟିରୁ କେନ୍ଦ୍ରୀୟ ବିଜେପି ନେତୃତ୍ୱ ବୋଧହୁଏ ଧରି ନେଇଛନ୍ତି ଯେ ନବୀନ ପଟ୍ଟନାୟକଙ୍କୁ ରାଜ୍ୟ ଶାସନରୁ ଗାଦିଚ୍ୟୁତ କରିବା ଏତେଟା ସହଜ ନୁହେଁ। ଯଦିଓ ନବୀନ ପଟ୍ଟନାୟକଙ୍କ ୨୩ ବର୍ଷ ଶାସନ ଯୋଗୁ ସରକାରୀ ବିରୋଧୀ ଯେଉଁ ବାତାବରଣ ରହିଛି, ତା’ର ଅଧିକାଂଶ ଭାଗ ଫାଇଦା ବିଜେପି ଆଡ଼କୁ ଆସିପାରିଛି। ଅପରପକ୍ଷରେ ୨୦୧୯ ନିର୍ବାଚନ ପୂର୍ବରୁ କେନ୍ଦ୍ରୀୟ ବିଜେପି ନେତୃତ୍ୱର ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ସରକାରକୁ ଗାଦିଚ୍ୟୁତ କରିବା ପାଇଁ ସମସ୍ତ ଉଦ୍ୟମ ପରେ ମଧ୍ୟ ନିର୍ବାଚନ ଫଳାଫଳ ପରେ ନବୀନ ପଟ୍ଟନାୟକ ସବୁ କ୍ଷେତ୍ରରେ କେନ୍ଦ୍ରୀୟ ବିଜେପି ସରକାର ପାର୍ଲାମେଣ୍ଟ ଭିତରେ ନେଉଥିବା ସମସ୍ତ ନିଷ୍ପତ୍ତି, ନୀତି ଓ ବିଲକୁ ସମର୍ଥନ କରିଆସୁଛନ୍ତି। ଏପରିକି ବିଜେପିର ଜଣେ ସଦସ୍ୟଙ୍କୁ ୨୦୧୯ ନିର୍ବାଚନ ପରେ ଓଡ଼ିଶାରୁ ନବୀନ ପଟ୍ଟନାୟକ ରାଜ୍ୟସଭାକୁ ପଠାଇଛନ୍ତି।
ସମ୍ଭବତଃ ଏହିସବୁ କାରଣରୁ କେନ୍ଦ୍ରୀୟ ବିଜେପି ନେତୃତ୍ୱ ବା ସରକାର ନବୀନ ପଟ୍ଟନାୟକଙ୍କ ସରକାରକୁ ଏକ ମୁଖ୍ୟ ଶତ୍ରୁ ଭାବରେ ବିଚାର କରୁନାହିଁ। ଯେଉଁପରି ଆଭିମୁଖ୍ୟ କେନ୍ଦ୍ରୀୟ ବିଜେପି ସରକାର ବିଭିନ୍ନ ଏଜେନ୍ସି ଜରିଆରେ ପଶ୍ଚିମବଙ୍ଗ, ଛତିଶଗଡ଼ ଓ ତେଲେଙ୍ଗାନାରେ ଗ୍ରହଣ କରିଛି ତାହା ଓଡ଼ିଶା କ୍ଷେତ୍ରରେ କରାଯାଇନାହିଁ। ଏପରିକି ୨୦୧୯ ନିର୍ବାଚନ ପରେ କେବଳ ଫନି ବାତ୍ୟା ସମୟରେ ପ୍ରଧାନମନ୍ତ୍ରୀ ଆକାଶ ମାର୍ଗରୁ ଓଡ଼ିଶା ପରିଦର୍ଶନ କରିବା ସହିତ ୪ ବର୍ଷ ଭିତରେ ଆଦୌ ଓଡ଼ିଶାକୁ ଆସିନାହାନ୍ତି। ସେହିପରି କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କେବଳ ଭର୍ତ୍ତୃହରି ମହତାବଙ୍କ ଏକ ନିମନ୍ତ୍ରଣରେ କଟକ ଆସିବା ଛଡ଼ା ଅନ୍ୟ କୌଣସି କାର୍ଯ୍ୟକ୍ରମରେ ଓଡ଼ିଶାକୁ ଆସିନାହାନ୍ତି। ନିକଟରେ ବିରୋଧୀ ଏକତା ପାଇଁ ଉଦ୍ୟମ କରୁଥିବା ନୀତୀଶ କୁମାର ଭୁବନେଶ୍ୱର ଆସି ନବୀନଙ୍କୁ ସାକ୍ଷାତ କଲାପରେ ନବୀନ ଯେପରି ଦିଲ୍ଲୀ ଯାଇ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରି ସେ ବିରୋଧୀ ଏକତା ଉଦ୍ୟମରେ ସାମିଲ ନୁହନ୍ତି ବୋଲି ଜଣାଇ ଦେଇଛନ୍ତି, ସେଥିରୁ ନବୀନ ପଟ୍ଟନାୟକଙ୍କ ଆଭିମୁଖ୍ୟରେ ସମଦୂରତା ନୀତି ରହିଥିବା କୁହାଯାଉଛି। ଏବେ କର୍ଣ୍ଣାଟକ ନିର୍ବାଚନ ଫଳାଫଳ ପରେ ବିଜେପି ଯେଉଁ ପରିସ୍ଥିତିର ସମ୍ମୁଖୀନ ହେଉଛି ସେଥିରେ ୨୦୨୪ ନିର୍ବାଚନ ଫଳାଫଳ ପରେ ନବୀନଙ୍କ ଆବଶ୍ୟକତା ହୁଏତ ଅନୁଭବ କରାଯାଇପାରେ ବୋଲି କେତେକ ପର୍ଯ୍ୟବେକ୍ଷକ ମତ ଦେଉଛନ୍ତି। କିନ୍ତୁ କେନ୍ଦ୍ରୀୟ ବିଜେପି ନେତୃତ୍ୱ ଏହା ଜାଣିବା ଦରକାର ଯେ ଓଡ଼ିଶାରେ ସେମାନେ ମୁଖ୍ୟ ବିରୋଧୀ ଦଳର ମର୍ଯ୍ୟାଦା ପାଇବାର ଏକମାତ୍ର କାରଣ ହେଉଛି ଯେ ସେମାନଙ୍କୁ ନବୀନ ବିରୋଧୀ ଜନମତର ପ୍ରକୃତ ବାହକ ବୋଲି ଜନସାଧାରଣ ଭାବିଛନ୍ତି। ତେଣୁ ନବୀନ ପଟ୍ଟନାୟକଙ୍କ ପ୍ରତି କୌଣସି କୋହଳ ମନୋଭାବ ବିଜେପି ପାଇଁ ୨୦୨୪ ନିର୍ବାଚନ ଦୃଷ୍ଟିରୁ ମହଙ୍ଗା ପଡ଼ିବ। ଯେଉଁମାନେ ସରକାରୀ ବିରୋଧୀ ମତ ପାଇଁ ବିଜେପିକୁ ରାଜ୍ୟରେ ସମର୍ଥନ କରୁଛନ୍ତି, ସେମାନେ ନିଷ୍ପତ୍ତିର ପୁନର୍ବିଚାର କରିପାରନ୍ତି। ଓଡ଼ିଶାରେ ସାମ୍ପ୍ରଦାୟିକତା ଆଧାରିତ ଜନମତ ଅତ୍ୟନ୍ତ ନଗଣ୍ୟ। ରାଜ୍ୟରେ ସଂଖ୍ୟାଲଘୁ ଓ ମୁସଲମାନଙ୍କ ସଂଖ୍ୟା ଶତକଡ଼ା ୪ ଭାଗ ଭିତରେ। ଓଡ଼ିଶାରେ ବିଜେପି ଏକ ବିକଳ୍ପ ସରକାର ଦେବାକୁ ବିଶ୍ୱାସ ଜନ୍ମାଇ ନପାରିଲେ ବହୁଦିନ ଧରି ପରୀକ୍ଷିତ ନବୀନ ପଟ୍ଟନାୟକଙ୍କ ନେତୃତ୍ୱକୁ ଜନସାଧାରଣ ବଦଳାଇବେ କାହିଁକି?
ରବି ଦାସ, ବରିଷ୍ଠ ସାମ୍ବାଦିକ
ମୋ-୮୦୧୮୦୯୪୪୫୫