ଦେବେନ୍ଦ୍ର ପୃଷ୍ଟି
ଡକ୍ଟର ମନମୋହନ ସିଂହଙ୍କ ଉପା ସରକାର ସମୟରେ ଅର୍ଥନୀତିର ଏପରି ଅଧୋଗତି ହୋଇନଥିଲା, ଦୁର୍ନୀତି ଚରମ ସୀମାରେ ପହଂଚିଥିଲା। ଶେଷ ଆଡ଼କୁ ବଜାର ଦର ଉପରେ ନିୟନ୍ତ୍ରଣ ହରାଇଥିଲେ ସରକାର। ଅନ୍ତର୍ଜାତୀୟ ବଜାରରେ ତୈଳଦର ବହୁଗୁଣ ବଢ଼ିବାରୁ ଭାରତବର୍ଷରେ ମଧ୍ୟ ତାହାର ପ୍ରଭାବ ପରିଲକ୍ଷିତ ହୋଇଥିଲା। ଦୁର୍ନୀତି ଓ ଦରବୃଦ୍ଧି ହିଁ ଥିଲା ଉପା ସରକାର ବିରୋଧରେ ଜମାଟ ବାନ୍ଧିଥିବା ଜନ ଅସନ୍ତୋଷର ପ୍ରମୁଖ କାରଣ। ମୋଟ ଘରୋଇ ଉତ୍ପାଦ, ମୁଣ୍ଡ ପିଛା ଆୟ, ନିଯୁକ୍ତି ହାର ଇତ୍ୟାଦି ପରିସଂଖ୍ୟାନ ଦୃଷ୍ଟିରୁ ଅର୍ଥନୀତି ସେତେ ଖରାପ ସ୍ତରକୁ ଗତି କରି ନଥିଲା। ମାତ୍ର, ଏବେ ଉପା ସରକାରର ୬ ବର୍ଷ ପରେ ଅବସ୍ଥା ଏକରକମ ଅସମ୍ଭାଳ ସ୍ଥିତିକୁ ଗତି କରିଛି। ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ୨୦୧୪ ମସିହାରେ ଦାୟିତ୍ୱ ନେବା ପରେ ମୋଟ ଘରୋଇ ଉତ୍ପାଦ (ଜିଡିପି) ବା ଅଭିବୃଦ୍ଧି ହାର ହିସାବର ପଦ୍ଧତି ପରିବର୍ତ୍ତନ କରି ସରକାରଙ୍କ ପ୍ରଥମ ଚାରି ବର୍ଷରେ ଏହି ହାର ବଢ଼ୁଛି ବୋଲି ଦର୍ଶାଇଥିଲେ ବି ଏହା ପରେ ଏହା କ୍ରମାଗତ ଭାବେ ଖସି ଚାଲିଛି। ୨୦୧୯-୨୦ ଆର୍ଥିକ ବର୍ଷର ଦ୍ୱିତୀୟ ତିମାସିଆ ବା ଜୁଲାଇ-ସେପ୍ଟେମ୍ବର ଶେଷରେ ଅଭିବୃଦ୍ଧି ହାର ୪.୫ ପ୍ରତିଶତକୁ ଖସିଛି ବୋଲି ସରକାରୀ ପରିସଂଖ୍ୟାନ ପ୍ରକାଶ ପାଇବା ପରେ ତାହାକୁ ନେଇ ସ୍ୱାଭାବିକ ଭାବେ ବିରୋଧୀ ଦଳଗୁଡ଼ିକ ଉଦବେଗ ପ୍ରକାଶ କରିଛନ୍ତି। ଆଗକୁ ପରିସ୍ଥିତି ଆହୁରି ଖରାପ ହେବ ବୋଲି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବିଶିଷ୍ଟ ଅର୍ଥନୀତିଜ୍ଞ ଡକ୍ଟର ମନମୋହନ ସିଂହ କହିଛନ୍ତି। ତେବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଆଗକୁ ପରିସ୍ଥିତି ସୁଧୁରିବ।
ପ୍ରଧାନମନ୍ତ୍ରୀ ଦାୟିତ୍ୱ ନେବା ପରଠାରୁ ନରେନ୍ଦ୍ର ମୋଦୀ ଭାରତୀୟ ଅର୍ଥନୀତିକୁ ସୁଦୃଢ଼ କରିବାର ଲକ୍ଷ୍ୟ ଘୋଷଣା କରି ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ଇଜ୍ ଅଫ୍ ଡୁଇଂ ବିଜନେସ୍ ବା ସହଜ ବେପାର ପରିବେଶ ସୃଷ୍ଟି କରିବାକୁ ସରକାର ଲାଇସେନ୍ସ ବ୍ୟବସ୍ଥା କୋହଳ କରିଛନ୍ତି। ମେକ୍ ଇନ୍ ଇଣ୍ଡିଆ କାର୍ଯ୍ୟକ୍ରମ ଘୋଷଣା କରିଛନ୍ତି। ଷ୍ଟାର୍ଟ ଅପ୍ ଯୁଗ ପ୍ରଚଳନ କରିଛନ୍ତି। ଲୋକମାନଙ୍କୁ ଶିଳ୍ପୋଦ୍ୟୋଗୀ ହେବାରେ ପ୍ରୋତ୍ସାହିତ କରିବାକୁ ମୁଦ୍ରା ଯୋଜନାରେ ସହଜ ଋଣର ବ୍ୟବସ୍ଥା କରାଯାଇଛି। ଯେଉଁସବୁ କ୍ଷେତ୍ରରେ ଉପା ସରକାରଙ୍କ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶର ସୀମା ବୃଦ୍ଧିକୁ ଭାରତୀୟ ଜନତା ପାର୍ଟି ଓ ତାହାର ସହଯୋଗୀ ଦଳଗୁଡ଼ିକ ସମାଲୋଚନା କରୁଥିଲେ ଏବଂ ଯାହାକୁ ନେଇ ନିଜେ ନରେନ୍ଦ୍ର ମୋଦୀ ନିର୍ବାଚନ ପ୍ରଚାର ସମୟରେ କହୁଥିଲେ ‘ହମ୍ ଦେଶ୍ ନେହିଁ ବେଚ୍ନେ ଦୁଙ୍ଗା’, ପ୍ରଧାନମନ୍ତ୍ରୀ ହେଲା ପରେ ସେହିସବୁ କ୍ଷେତ୍ରରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ ବା ଏଫଡିଆଇ ସୀମାକୁ ୧୦୦ ପ୍ରତିଶତ ଯାଏଁ ବୃଦ୍ଧି କରାଯାଇଛି। ଏଇ ସରକାରଙ୍କ ଅମଳରେ ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ, ଗଣମାଧ୍ୟମ, ବ୍ୟାଙ୍କ, ବୀମା, ସ୍ୱାସ୍ଥ୍ୟ ଓ ଶିକ୍ଷା ଆଦି କ୍ଷେତ୍ରରେ ବିଦେଶୀ ପୁଞ୍ଜିର ସୀମା ବୃଦ୍ଧି କରାଯାଇଛି। ଚାଷୀଙ୍କ ଆୟ ଦୁଇ ଗୁଣ କରିବାର ପ୍ରତିଶ୍ରୁତି କାର୍ଯ୍ୟକାରୀ କରିବା ଉଦ୍ଦେଶ୍ୟରେ ଏକାଧିକ ଫସଲର ସର୍ବନିମ୍ନ ସଂଗ୍ରହ ଦର ବା ଏମଏସପି ବୃଦ୍ଧି କରାଯାଇଛି। ଚାଷର ଇନ୍ପୁଟ୍ ସବ୍ସିଡ଼ି କମାଇବାକୁ ରାସାୟନିକ ସାର, କୀଟନାଶକ, ବିହନ ଇତ୍ୟାଦିର ବଜାର ଦର ନିୟନ୍ତ୍ରଣ କରିବାକୁ ପଦକ୍ଷେପ ଗ୍ରହଣ କରାଯାଇଛି। କୃଷିଜାତ ଦ୍ରବ୍ୟର ଅଭାବୀ ବିକ୍ରି ରୋକିବାକୁ ଆଧୁନିକ ପ୍ରଯୁକ୍ତିର ବ୍ୟବହାର କରି କ୍ଷେତକୁ ବଜାର ସହିତ ଯୋଡ଼ାଯାଇଛି। ବିଭିନ୍ନ ପ୍ରକାର କର ହଟେଇ ସମଗ୍ର ଦେଶରେ ଗୋଟିଏ ପ୍ରକାର କର ବ୍ୟବସ୍ଥା ଲାଗୁ କରାଯାଇଛି। ଏକ ରାଷ୍ଟ୍ର, ଏକ ବଜାର ଓ ଏକ ଟିକସ ସ୍ଲୋଗାନକୁ କାର୍ଯ୍ୟକାରୀ କରି ଗୁଡ୍ସ ଆଣ୍ଡ ସର୍ଭିସେସ୍ ଟ୍ୟାକ୍ସ ବା ଜିଏସଟି ପ୍ରଚଳନ କରାଯାଇଛି। ସର୍ବୋପରି ଶିଳ୍ପ ଓ ବ୍ୟବସାୟ ସହିତ ସାଧାରଣ ଅର୍ଥନୀତିର ବାଧକ ସାଜିଥିବା ଦୁର୍ନୀତି ଓ କଳାଟଙ୍କା ହଟେଇବାକୁ ବିମୁଦ୍ରାୟନ ଭଳି ଆର୍ଥିକ ସର୍ଜିକାଲ ଷ୍ଟ୍ରାଇକ୍ କରାଯାଇଛି। ଗତ ୬ ବର୍ଷ ଭିତରେ ଏଇଭଳି ଚକ୍ମା ଦେଲାଭଳି ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି ମୋଦୀ ସରକାର।
ମୋଦୀଙ୍କ ପ୍ରଥମ ପାଞ୍ଚ ବର୍ଷ ଭିତରେ ମୋଟ ଘରୋଇ ଉତ୍ପାଦ ବା ଜିଡିପି ଅଭିବୃଦ୍ଧି ହାର ୭ ପ୍ରତିଶତ ଟପିଥିଲା। ଯେଉଁ ଗତିରେ ତାହା ବୃଦ୍ଧି ପାଉଥିଲା ତାହାକୁ ଲକ୍ଷ୍ୟ କରି ଏହା ୧୦ ପ୍ରତିଶତ ଛୁଇଁବ ବୋଲି ମଧ୍ୟ ଆକଳନ କରାଯାଉଥିଲା। ଅନ୍ତର୍ଜାତୀୟ ବଜାରରେ ତୈଳ ମୂଲ୍ୟହ୍ରାସ ସରକାରଙ୍କ ପାଇଁ ପ୍ରଚୁର ସୁଯୋଗ ସୃଷ୍ଟି କରିଥିଲା। ତୈଳମୂଲ୍ୟ ହ୍ରାସର ଫଳ ଉପଭୋକ୍ତାମାନଙ୍କ ଯାଏଁ ନପଠେଇ ସରକାର ପ୍ରଚୁର ରାଜସ୍ୱ ଉପାର୍ଜନ କଲେ ଓ ସେହି ରାଜସ୍ୱକୁ ବିଭିନ୍ନ କ୍ଷେତ୍ରରେ ପୁଞ୍ଜି ଓ ଖର୍ଚ୍ଚ ଆକାରରେ ବିନିଯୋଗ କରି ଅର୍ଥନୀତିକୁ ଅଧିକ ସୁଦୃଢ଼ କରିବାକୁ ଚାହିଁଲେ। ଏ ୬ ବର୍ଷ ଭିତରେ ଅଶୋଧିତ ତୈଳ ଦର ଅନ୍ତର୍ଜାତୀୟ ବଜାରରେ ଉପା ସରକାର ସମୟର ଦର ପାଖାପାଖି ବି ହେଲା ନାହିଁ। ସେତେବେଳେ ବ୍ୟାରେଲ ପିଛା ଦର ୧୩୦ ଡଲାର ଟପିଥିଲା। ଏ ୬ ବର୍ଷ ଭିତରେ ତାହା ସର୍ବାଧିକ ୯୨ ଡଲାରରେ ପହଂଚିଛି। ଏସବୁ ଲକ୍ଷ୍ୟ କରି ଦ୍ୱିତୀୟବାର ପ୍ରଧାନମନ୍ତ୍ରୀ ଦାୟିତ୍ୱ ନେବା ପରେ ପ୍ରଧାନମନ୍ତ୍ରୀ ମୋଦୀ ନାରା ଦେଲେ ଯେ ଖୁବଶୀଘ୍ର ଭାରତ ହେବ ୫ ଲକ୍ଷ କୋଟି ଡଲାରର ଅର୍ଥନୀତି। ତାଙ୍କର ଅନେକ ମନ୍ତ୍ରୀ ସହଯୋଗୀ ଓ ତାଙ୍କ ଦଳର ଅନେକ ନେତା ମଧ୍ୟ ୫ ଲକ୍ଷ କୋଟି ଡଲାର ଅର୍ଥନୀତିର ସ୍ୱପ୍ନ ଦେଖିବା ସହିତ ଲୋକଙ୍କ ମଧ୍ୟରେ ବାଣ୍ଟିବା ଆରମ୍ଭ କଲେ। ସ୍ୱାଭାବିକ ଭାବେ ଏହି ପ୍ରେରଣା ଓ ଉତ୍ସାହର ସହିତ ଆର୍ଥିକ କ୍ଷେତ୍ର ସହିତ ଜଡ଼ିତ ଅନ୍ୟ ବିଶେଷଜ୍ଞ ବର୍ଗ କାର୍ଯ୍ୟ କରି ଭାରତକୁ ବିଶ୍ୱର ତୃତୀୟ ବୃହତ ଅର୍ଥଶକ୍ତିରେ ପରିଣତ କରିବାକୁ ଅଣ୍ଟା ଭିଡ଼ି ବାହାରି ପଡ଼ିଲେ।
କିନ୍ତୁ ଅର୍ଥନୀତି ଉପରେ ଏସବୁ ସ୍ଲୋଗାନ ଓ ସଂସ୍କାରର ସକାରାତ୍ମକ ପ୍ରଭାବ ପରିବର୍ତ୍ତେ ନକାରାତ୍ମକ ପ୍ରଭାବ ପଡ଼ିଛି ବୋଲି ଏବେ ଏକ ଧାରଣା ସୃଷ୍ଟି ହୋଇଛି। ଗତ ୪୫ ବର୍ଷ ଭିତରେ ଦେଶର ନିଯୁକ୍ତି ହାର ସର୍ବନିମ୍ନ ସ୍ତରକୁ ଖସିଛି। ଅର୍ଥାତ ବେକାରୀ ହାର ଆଶଙ୍କାଜନକ ଭାବେ ବୃଦ୍ଧି ପାଇଛି। ଆକଳନ କରାଯାଉଛି ଯେ ବିମୁଦ୍ରାୟନ ପରେ ଦେଶରେ ୩୦ ନିୟୁତ ବା ନ କୋଟି ନିଯୁକ୍ତି ନଷ୍ଟ ହୋଇଛି। ଅର୍ଥାତ ଏତିକି ଲୋକ ନିଯୁକ୍ତି ହରାଇଛନ୍ତି। ଠିକ ସେହିପରି ଗତ ୬ ବର୍ଷ ମଧ୍ୟରେ ଦେଶର ଉପଭୋଗ ହାର ମଧ୍ୟ ନିମ୍ନ ସ୍ତରକୁ ଗତି କରିଛି। ଅର୍ଥାତ ଲୋକମାନେ ଅନେକ ଜିନିଷ କିଣାକିଣି ବନ୍ଦ କରିଛନ୍ତି। ଯେଉଁଥିପାଇଁ ଗାଡ଼ି ବିକ୍ରି କମିଛି, ଗୃହନିର୍ମାଣ ସାମଗ୍ରୀ ବିକ୍ରି କମିଛି, ଏପରିକି ସାଧାରଣ ଉପଭୋକ୍ତା ସାମଗ୍ରୀର କାରବାର ମଧ୍ୟ ହ୍ରାସ ପାଇଛି। ଦରବୃଦ୍ଧି ଓ ବିମୁଦ୍ରାୟନ ଯୋଗୁଁ ଏହି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଅର୍ଥନୀତି ବିଶାରଦମାନେ ମତ ଦେଉଛନ୍ତି। ଗତ ୬ ବର୍ଷ ମଧ୍ୟରେ ଗାଡ଼ି ଓ ଅନ୍ୟାନ୍ୟ ଅଳସ/ବିଳାସ ସାମଗ୍ରୀର ଦର ବିଶେଷ ବୃଦ୍ଧି ପାଇନଥିଲେ ମଧ୍ୟ ଖାଦ୍ୟଦ୍ରବ୍ୟ ଦର କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଆଳୁ ଓ ପିଆଜ ଦର ଉପା ଅମଳରୁ ଅଧିକ ହୋଇଗଲାଣି। ଡାଲି ଦର ଉପା ଶେଷ ସମୟର ସର୍ବୋଚ୍ଚ ଦରଠୁଁ କମିଥିଲେ ବି ଆରମ୍ଭ ସମୟର ଦର ସ୍ତରକୁ ଫେରି ନାହିଁ। ଖାଇବା ତେଲ, ଚାଉଳ ଓ ଅଟା ସମେତ ପ୍ରାୟ ସବୁ ପ୍ରକାର ପନିପରିବା ଓ ଫଳ ଦର ଉପା ଅମଳର ଦରକୁ ଟପି ଯାଇଛି। ସୁନା ଦର ପ୍ରାୟ ୪୦ ପ୍ରତିଶତ ବଢ଼ିଛି।
ବଜାର ପରିସ୍ଥିତି ଏପରିଥିବାବେଳେ ଗୃହନିର୍ମାଣ, ଅଟୋମୋବାଇଲ, ମାନୁଫାକ୍ଚରିଂ ଓ ଶିଳ୍ପ କ୍ଷେତ୍ରରେ ମାନ୍ଦାବସ୍ଥା ଲକ୍ଷ୍ୟ କରାଯାଉଛି। ଏସବୁ କ୍ଷେତ୍ରରେ ହଜାର ହଜାର କର୍ମଚାରୀ ଛଟେଇ ହୋଇଛନ୍ତି। ସୂଚନା ପ୍ରଯୁକ୍ତି କ୍ଷେତ୍ରରେ ମଧ୍ୟ ଅନେକ ପେସାଦାର ଚାକିରି ହରେଇଛନ୍ତି। ଜାତୀୟକୃତ ବ୍ୟାଙ୍କଗୁଡ଼ିକର ଅଚଳ ସଂପତ୍ତି ବା ଖରାପ ଋଣ ପରିମାଣ ତୀବ୍ର ଗତିରେ ବୃଦ୍ଧି ପାଇଛି। ନୂଆ ଋଣ ଦେବାକୁ ବ୍ୟାଙ୍କ ନିକଟରେ ଅର୍ଥାଭାବ ସାଙ୍ଗକୁ ଋଣ ବୁଡ଼ିଯିବାର ଆଶଙ୍କା ଏବଂ ମାନ୍ଦାବସ୍ଥା ବ୍ୟାଙ୍କଗୁଡ଼ିକୁ ଅଧିକ ଦୁର୍ବଳ କରିଛି। ଏସବୁର ମୁକାବିଲା ପାଇଁ ସରକାର ବ୍ୟାଙ୍କଗୁଡ଼ିକୁ ଦୁଇଟି ପର୍ଯ୍ୟାୟରେ ପ୍ରାୟ ଏକ ଲକ୍ଷ କୋଟି ଟଙ୍କାର ପୁଞ୍ଜି ସହାୟତା ଦେଇଛନ୍ତି। ରିୟଲ ଇଷ୍ଟେଟ୍ କ୍ଷେତ୍ରକୁ ପୁଣି ଥରେ ଚଳଚଞ୍ଚଳ କରିବା ପାଇଁ ୫୦ ହଜାର କୋଟି ଟଙ୍କାର ବ୍ୟବସ୍ଥା ହୋଇଛି। ଶିଳ୍ପ ଓ ବ୍ୟବସାୟକୁ ଉତ୍ସାହିତ କରିବା ପାଇଁ କର୍ପୋରେଟ୍ ଟିକସ ହ୍ରାସ ମାଧ୍ୟରେ ପ୍ରାୟ ୧.୪୫ ଲକ୍ଷ କୋଟି ଟଙ୍କା ଛାଡ଼ କରାଯାଇଛି। ସରକାରଙ୍କର ଏଭଳି କେତେକ ପଦକ୍ଷେପ ଷ୍ଟକ୍ ବଜାରକୁ ଉତ୍ସାହିତ କରିଛି। ଅନେକ କମ୍ପାନୀର ଶେୟାର ଦର ବୃଦ୍ଧି ପାଇଛି, ଷ୍ଟକ୍ ମାର୍କେଟ କାରବାର ବଢ଼ିଛି। କିନ୍ତୁ ଶିଳ୍ପ ଉତ୍ପାଦନ ବଢ଼ିନାହିଁ, ନିଯୁକ୍ତି ହାର ବଢ଼ି ନାହିଁ କି ସାଧାରଣ ଖାଉଟିର ଉପଭୋଗ ହାର ବଢ଼ି ନାହିଁ।
ଏସବୁ ତଥ୍ୟ ଉପରେ ରାଜନୀତିକ ବିଶ୍ଳେଷଣ ନକରି ଆର୍ଥନୀତିକ ଦୃଷ୍ଟିରୁ ଅନୁଶୀଳନ କରିବା ଏବେ ମୋଦୀ ସରକାରଙ୍କ ପାଇଁ ସବୁଠୁ ବଡ଼ ଆହ୍ୱାନ। ସରକାର ବୁଝିବା ଉଚିତ ଯେ ଦେଶର ହାତଗଣନ୍ତା ଶିଳ୍ପପତି, ବ୍ୟବସାୟୀ ବା ପୁଂଜିପତିଙ୍କର ପାଣ୍ଠି ବଢ଼ିଲେ ଦେଶର ଜିଡିପି ହାର ହୁଏତ ବଢ଼ିପାରେ, ମାତ୍ର ତଦ୍ୱାରା ତୃଣମୂଳ ସ୍ତରରେ କାରବାର ବୃଦ୍ଧି ପାଏ ନାହିଁ। ଗାଁ ଓ ସହର ସ୍ତରରେ ଏକା ସମୟରେ ନିଯୁକ୍ତି ଓ ରୋଜଗା ନବଢ଼ିଲେ, ଉଭୟ ପ୍ରକାର ବଜାରେ ଖାଦ୍ୟ ଓ ଅନ୍ୟାନ୍ୟ ଖାଉଟି ସାମଗ୍ରୀର ଦର ଲୋକଙ୍କ ସାମର୍ଥ୍ୟର ପହଂଚ ମଧ୍ୟରେ ନରହିଲେ ସାମଗ୍ରିକ ଦୃଷ୍ଟି କୋଣରୁ ଆର୍ଥିକ ଅଭିବୃଦ୍ଧିର ବେଗ ତ୍ୱରାନ୍ୱିତ ହେବ ନାହିଁ। ସେଥିପାଇଁ କୃଷି, କୁଟୀର ଶିଳ୍ପ, ପର୍ଯ୍ୟଟନ, ଖାଦ୍ୟ ପ୍ରକ୍ରିୟାକରଣ ଆଦି କ୍ଷେତ୍ର ସହିତ ଶିକ୍ଷା ଓ ସ୍ୱାସ୍ଥ୍ୟ ପରି ସାମାଜିକ କ୍ଷେତ୍ରରେ ଅଧିକ ପୁଞ୍ଜିନିବେଶ ଜରୁରୀ। କୃଷକ, ଶ୍ରମିକ ଓ କାରିଗର ଆଦି ବର୍ଗର ଲୋକମାନଙ୍କର ଆୟବୃଦ୍ଧି ନହେଲା ଯାଏଁ ଭାରତର ଅର୍ଥନୀତି ସ୍ଥାୟୀ ଭାବେ ସୁଦୃଢ଼ ଓ ଶକ୍ତିଶାଳୀ ହୋଇପାରିବ ନାହିଁ।