- ଜାନକୀଶ ବଡ଼ପଣ୍ଡା
ବିଜୁ ଜନତା ଦଳ ବା ବିଜେଡି ନାମରେ ଆଞ୍ଚଳିକ ଦଳଟିଏ ଗଠନ କରି ନବୀନ ପଟ୍ଟନାୟକଙ୍କୁ ତାହାର ସଭାପତି ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ପଦରେ ବସାଇବାର ନିଷ୍ପତ୍ତି ଯେ ଆୟୋଜକଙ୍କ ପାଇଁ ମହାଙ୍ଗା ପଡ଼ିଛି, ଏହା ନିଃସନ୍ଦେହରେ କୁହାଯାଇପାରେ। କେନ୍ଦ୍ରରେ ଶାସନ କରୁଥିବା ଭାରତୀୟ ଜନତା ପାର୍ଟି ଭାଜପା ସହ ଗଠବନ୍ଧନ କରି ଓଡ଼ିଶାରେ ନବୀନଙ୍କ ନେତୃତ୍ୱରେ ସରକାର ଗଢ଼ିବା ଓ ବିଜୁବାବୁଙ୍କ କଂଗ୍ରେସ ବିରୋଧୀ ଆଭିମୁଖ୍ୟକୁ ବଳଦେବା ସହ ଓଡ଼ିଶାବାସୀଙ୍କର ବିଜୁଙ୍କ ସହ ଭାବାତ୍ମକ ସମ୍ପର୍କର ଲାଭ ଉଠାଇବା ଥିଲା ବିଜେଡିର ଆଦ୍ୟ ଆୟୋଜକଙ୍କ ଯୋଜନା। ରାଜନୀତିରେ ରୁଚି ରଖି ନଥିବା ଅବିବାହିତ ପ୍ରୌଢ଼ ନବୀନ ଓଡ଼ିଶାକୁ ଆସି ପ୍ରଥମେ ଆସିକାରୁ ଉପନିର୍ବାଚନ ଲଢ଼ିବା, ଅଟଳ ବିହାରୀ ବାଜପେୟୀଙ୍କ ମନ୍ତ୍ରିମଣ୍ଡଳରେ ପ୍ରଥମ ପଦାର୍ପଣରେ କେନ୍ଦ୍ରମନ୍ତ୍ରୀ ପଦ ପାଇବା ଆଜି ଇତିହାସ। ଏହାପରେ ରାଜ୍ୟ ରାଜନୀତିରେ ପଦାର୍ପଣ କରି ଭାଜପା ସହ ହାତମିଳାଇ ୨୦୦୦ ଓ ୨୦୦୪ରେ ମିଳିତ ମନ୍ତ୍ରିମଣ୍ଡଳର ମୁଖ୍ୟମନ୍ତ୍ରୀତ୍ୱ ଓ ତାଙ୍କ ନିଜ ବଳରେ ୨୦୦୯,୨୦୧୪ ଓ ୨୦୧୯ ନିର୍ବାଚନରେ କ୍ରମବର୍ଦ୍ଧିଷ୍ଣୁ ସଂଖ୍ୟାଗରିଷ୍ଠତା ହାସଲ କରି ଏପରି ନିରଙ୍କୁଶ ଶାସନ କରିବାର ସୌଭାଗ୍ୟ ଓଡ଼ିଶାରେ ଅନ୍ୟ କାହା ଭାଗ୍ୟରେ ଜୁଟି ନଥିଲା। ସମଦୂରତ୍ୱ କଥା କହୁଥିବା ନବୀନଙ୍କ ବିରୁଦ୍ଧରେ ଅଭିଯୋଗ ହୁଏ ଯେ, ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି କିଏ ହେବ, ତାହା ସେ ହିଁ କୁଆଡ଼େ ସ୍ଥିର କରନ୍ତି। ଓଡ଼ିଶାରେ ନିରଙ୍କୁଶ କ୍ଷମତା ଉପଭୋଗ କରୁଥିବା ବିଜେଡି କୁଆଡ଼େ କେନ୍ଦ୍ର ସ୍ତରରେ ଉଭୟ ଭାଜପା ଓ କଂଗ୍ରେସର ସର୍ବୋଚ୍ଚ ନେତୃତ୍ୱ ସହ ଭାରସାମ୍ୟ ରକ୍ଷାକରି ନିଜକୁ ନିରାପଦ ରଖିବାରେ ସଫଳ ହୋଇ ଆସିଛନ୍ତି। କେବଳ ଉଭୟ ବିରୋଧୀ ଦଳର ରାଜ୍ୟସ୍ତରୀୟ ନେତୃତ୍ୱ ପରସ୍ପରକୁ ବିଜେଡିର 'ବି' ଟିମ କହୁଥିଲେ ହେଁ, ଶାସକ ଦଳ ଏସବୁକୁ ରାଜନୈତିକ ବିଳାପ ମନେକରେ।
ନିଜର ବାପାଙ୍କ ନାଁରେ ଗଠିତ ରାଜନୈତିକ ଦଳର ଅଧ୍ୟକ୍ଷ ଭାବେ ୨୫ ବର୍ଷ ଓ ରାଜ୍ୟର ସର୍ବୋଚ୍ଚ ପଦରେ ଦୀର୍ଘ ୨୨ ବର୍ଷ ପୂର୍ଣ୍ଣ କଲାପରେ ରାଜ୍ୟବାସୀଙ୍କ ସତ୍ତାବିରୋଧୀ ମାନସିକତା ସୃଷ୍ଟିହେବା ସ୍ୱାଭାବିକ। ବିଜେଡିର ଏପରି ପ୍ରଭାବଶାଳୀ ନିର୍ବାଚନୀ ସଫଳତା କ'ଣ ଓଡ଼ିଶାକୁ ଫଳପ୍ରଦ ଶାସନ ଦେଇପାରିଛି? 'ଆମେ ସୁଶାସନ ଦେଉଛୁ; ନହେଲେ କଣ ରାଜ୍ୟବାସୀ ଆମକୁ ବାରମ୍ବାର କ୍ଷମତା ଦେଇ ସେମାନଙ୍କ ସେବା କରିବାକୁ ସୁଯୋଗ ଦେଉଥାଆନ୍ତେ କି?' ଏପରି ପ୍ରଶ୍ନ ଶୁଣିବାକୁ ମିଳୁଥିଲେ ବି ଓଡ଼ିଶା ଯେ ଅର୍ଥନୈତିକ, ସାମାଜିକ, ନୈତିକ ଓ ଆନୁଷ୍ଠାନିକ ଦୃଷ୍ଟିରୁ ଅନ୍ୟାନ୍ୟ ରାଜ୍ୟ ତୁଳନାରେ ପଛେଇ ଯାଇଛି, ଏହା କଣ ଅସ୍ୱୀକାର କରିହେବ? ନବୀନ ବାବୁ କେତେବେଳେ କୃଷିକର୍ମଣ ତ ଆଉ କେତେବେଳେ ଶ୍ରେଷ୍ଠ ପ୍ରଶାସକ ଭଳି ପୁରସ୍କାର ବାରମ୍ବାର ପାଉଥିଲେ ବି, ଓଡ଼ିଶାର ଗ୍ରାମୀଣ ଅର୍ଥନୀତିରେ କି ପରିବର୍ତ୍ତନ ଆସିଛି? ଓଡ଼ିଶାର ଚାଷୀ ପରିବାରର ମାସିକ ଆୟ ଦେଶରେ ତଳ ଆଡୁ ଦ୍ଵିତୀୟକୁ ଖସି ଆସିଛି।
ନବୀନ ସରକାର ଅମଳରେ ଗଣତନ୍ତ୍ର ନାମରେ ଅମଲାତନ୍ତ୍ରଙ୍କ ଦ୍ୱାରା ଶାସନ ଚାଲିଥିବାର ଅଭିଯୋଗ ମିଥ୍ୟା ନୁହେଁ। ୨୦୦୯ ମସିହା ପରଠୁ, ଭାଜପାର ହାତ ଛାଡ଼ି ନିଜ ବଳରେ ବିଜେଡି ସରକାର ଗଢ଼ିବା ଦିନଠୁ, ନିର୍ବାଚନ ଖର୍ଚ୍ଚ ବହୁଗୁଣିତ ହୋଇ ଯାଇଛି। ନିର୍ବାଚିତ ବିଧାୟକଙ୍କ କଥା ଛାଡ଼ନ୍ତୁ, ରାଜ୍ୟର ମନ୍ତ୍ରୀମାନେ ଅମଲାଙ୍କ ଚାଟୁକାର ନହେଲେ, ତାଙ୍କ ନିର୍ବାଚନ ମଣ୍ଡଳୀରେ ଲୋକଙ୍କ କାମ ହେଉନି। ସମସ୍ତ କେନ୍ଦ୍ର ଯୋଜନାକୁ ନିଜର କହି ଅଶିକ୍ଷିତ ଗରୀବ ଲୋକଙ୍କ ଅସହାୟତାର ଫାଇଦା ଉଠାଉଛନ୍ତି ନବୀନଙ୍କ ଦଳୀୟ କାର୍ପଟଦାର ଓ ଦୁର୍ନୀତିଗ୍ରସ୍ତ, ଅହଙ୍କାରୀ ଅମଲା। ନିର୍ବାଚନ ପ୍ରଚାର ହାଇଟେକ ହେଉଛି, ପ୍ରଚୁର ଅର୍ଥ, ମଦ ଓ ବିଭିନ୍ନ ମାଗଣା ଯୋଜନାର ପ୍ରଲୋଭନରେ ଭୋଟରଙ୍କୁ ଜଳକା କରିଦିଆଯାଉଛି। ବିଜେଡି ନିଜର ପସନ୍ଦଯୋଗ୍ୟତା ହରାଉଥିଲେ ବି ଆଗାମୀ ୨୦୨୪ ନିର୍ବାଚନ ଜିଣିବା ଅସମ୍ଭବ ମନେ ହେଉନି। ଏହା ଏପରି ସୁବିଧା ସ୍ଥିତିରେ ରହିବାର କାରଣ ହେଉଛି ଦଳର ଆର୍ଥିକ ପ୍ରାଚୁର୍ଯ୍ୟ, ନିଷ୍ଠାପର କର୍ମୀ-ଅମଲାଙ୍କ ଅଘୋଷିତ ସାଙ୍ଗଠନିକ କାର୍ଯ୍ୟକ୍ରମ, ପୋଲିସ ଓ ସରକାରୀ କଳ ମାଧ୍ୟମରେ ବିରୋଧାଭାସ ଦମନ ପ୍ରମୁଖ। ଏଥି ସହିତ, ଅବକ୍ଷୟମୁଖୀ କଂଗ୍ରେସ ଓ କେନ୍ଦ୍ରରେ ସରକାର ଗଢ଼ି ଶାସନ କରିବାର ଦୁର୍ବାର ଆଶାୟୀ କେନ୍ଦ୍ରୀୟ ଭାଜପା ପକ୍ଷରୁ ନରମ ବ୍ୟବହାର, ନବୀନଙ୍କ ବିକଳ୍ପ ନେତୃତ୍ୱ ଘୋଷଣା କରାନଯିବା ଫଳରେ ଓଡ଼ିଶାରେ ଭରସାଯୋଗ୍ୟ ବିରୋଧୀ ଦଳର ଅଭାବ ହିଁ ବିଜେଡ଼ିକୁ ସୁହାଉଛି।
ଅତୀତରେ ଜ୍ୟୋତି ବସୁଙ୍କ ନେତୃତ୍ୱରେ ପଶ୍ଚିମବଙ୍ଗରେ ବାମପନ୍ଥୀ ସରକାର ଦୀର୍ଘ ୩୩ ବର୍ଷ କାଳ କ୍ଷମତାରେ ରହିଥିଲା। ସେଠାରେ ସମୁଦାୟ ୩୪ ବର୍ଷର ବାମପନ୍ଥୀ ସରକାର ରହିବା ପରେ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ କ୍ଷମତା ଦାଖଲ କଲା। ତେବେ ଜ୍ୟୋତି ବସୁ ନିର୍ବାଚନ ଜିଣିବାର ସମସ୍ତ ପାରଙ୍ଗମତା ହାସଲ କରିଥିଲେ, ଯଦିଓ ଶାସନ କରିବାରେ ଥିଲେ ଅନୁପଯୁକ୍ତ। ଜ୍ୟୋତି ବାବୁଙ୍କ ବ୍ୟକ୍ତିତ୍ୱ ଓ ଭଦ୍ରଲୋକ ଚେହେରା ସହ ସେହି ପ୍ରଦେଶରେ ବିକଶିତ ମଜଭୁତ ଉଦ୍ୟୋଗ, ଶିକ୍ଷାନୁଷ୍ଠାନ, ବିକଶିତ ପର୍ଯ୍ୟଟନ ସ୍ଥଳ, ବନ୍ଦର ଇତ୍ୟାଦି ଭିତ୍ତିଭୂମି ସହ ସମୃଦ୍ଧ ଭାଷା-ସାହିତ୍ୟ-ସଂଗୀତ-ସାଂସ୍କୃତିକ ପରିବେଶ ଥିଲା ପୁଞ୍ଜି। ଜ୍ୟୋତି ବାବୁ ୩୩ ବର୍ଷର ଶାସନ କାଳରେ ଏପରି ଶାସନ କଲେ ଯେ, ସେଠାକାର ଶିଳ୍ପସଂସ୍ଥାମାନେ ଅନ୍ୟସ୍ଥାନକୁ ପଳାଇଗଲେ। ଭାରତର ତିନୋଟି ରାଜ୍ୟରେ ବାମପନ୍ଥୀ ସରକାର ଥିଲା - ପଶ୍ଚିମ ବଙ୍ଗ, ତ୍ରିପୁରା ଓ କେରଳ। ଏହି ତିନୋଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଥିଲେ ଯଥାକ୍ରମେ ଜ୍ୟୋତି ବସୁ, ମାଣିକଲାଲ ସରକାର ଓ ପିନାରାୟୀ ବିଜୟନ୍। ତିନି ହେଁ ବ୍ୟକ୍ତିଗତ ଭାବେ ବୟସ୍କ, ଭଦ୍ର ଓ କଳଙ୍କମୁକ୍ତ। ଜ୍ୟୋତି ବସୁଙ୍କ ସର୍ବଭାରତୀୟ ଗ୍ରହଣୀୟତା ଏତେ ଅଧିକ ଥିଲା ଯେ, ପ୍ରଧାନମନ୍ତ୍ରୀତ୍ୱ ପାଇଁ ତାଙ୍କର ନାମ ଏକଦା ଚର୍ଚ୍ଚାରେ ଥିଲା। ସେ ଥିଲେ ତାଙ୍କ ଦଳର ସାର୍ବଜନୀନ ଚେହେରା। ତାଙ୍କର ବିନମ୍ରତା ଓ ଶୁଦ୍ଧତା ବଙ୍ଗବାସୀ, ବିଶେଷ ଭାବେ ମଧ୍ୟବିତ୍ତଙ୍କ ହୃଦୟ ଜିଣି ନେଇଥିଲା। ପ୍ରଚଣ୍ଡ ଆଞ୍ଚଳିକତାବାଦ, କେନ୍ଦ୍ର ଅବହେଳା, ବଙ୍ଗବାସୀଙ୍କ ପ୍ରତି କେନ୍ଦ୍ରର ବୈମାତୃକ ମନୋଭାବକୁ ବାରମ୍ବାର କହି ଓ କ୍ୟାଡ଼ରମାନଙ୍କ ମାଧ୍ୟମରେ କୁହାଇ ନିଜ ବିଫଳତାକୁ କେନ୍ଦ୍ର ସରକାରଙ୍କ ମୁଣ୍ଡରେ ଲଦିଦେଇ ଦୀର୍ଘ ୩୩ ବର୍ଷ ଶାସନ କରିଥିଲେ ଜ୍ୟୋତି ବସୁ। ଏହି ତିନି ନେତାଙ୍କ ପୋଷାକ ଥିଲା ଦାଗହୀନ ଧଳା ପଞ୍ଜାବୀ।
ଜ୍ୟୋତି ବସୁ ଓ ନବୀନ ପଟ୍ଟନାୟକ ଉଭୟେ ପ୍ରଭାବହୀନ ମୁଖ୍ୟମନ୍ତ୍ରୀ ହୋଇଥିଲେ ହେଁ ଜ୍ୟୋତି ବାବୁ ନବୀନଙ୍କ ପରି ବ୍ୟକ୍ତିପୂଜା ସଂସ୍କୃତିକୁ ପ୍ରଶ୍ରୟ ଦେଇନଥିଲେ। ବୋଧହୁଏ, ଏଥିପାଇଁ ସର୍ବଭାରତୀୟ ବାମପନ୍ଥୀ ବିଚାରଧାରା ବାଧକ ହୋଇଥିବ। କିନ୍ତୁ ବିଜେଡି ଭଳି ଏକ ଆଞ୍ଚଳିକ ଦଳର ସର୍ବମୟ କର୍ତ୍ତା ନବୀନ ପଟ୍ଟନାୟକଙ୍କ ପାଇଁ ଏପରି କିଛି ବି ବାଧ୍ୟବାଧ୍ୟକତା ମୂଳରୁ ନଥିଲା କି ନାହିଁ। ଯଦିଓ ଉଭୟ ନବୀନ ଓ ଜ୍ୟୋତି ବସୁଙ୍କ ମଧ୍ୟରେ ମୌଳିକ ଶିଷ୍ଟତା ଓ ଔଚିତ୍ୟ ଭାବନା ସହ ସ୍ଵଳ୍ପଭାଷୀ ସମ୍ଭ୍ରାନ୍ତ ମାନସିକତା ସୁସ୍ପଷ୍ଟ, ତଥାପି ଶାସନର ଡୋରି ହାତରେ ରଖିଥିଲେ ଜ୍ୟୋତି ବସୁ। ତାଙ୍କର ଦଳର ନିଷ୍ପତ୍ତି ଓ କ୍ୟାବିନେଟ ବୈଠକରେ ନିଆଯାଉଥିବା ନିଷ୍ପତ୍ତିକୁ ଅମଲାଙ୍କ ମାଧ୍ୟମରେ ସେ କାର୍ଯ୍ୟକାରୀ କରୁଥିଲେ ଓ ରାଜନେତାମାନେ ଉତ୍ତରଦାୟିତ୍ୱ ନେଉଥିଲେ। ନବୀନଙ୍କ ସମସ୍ତ କାର୍ଯ୍ୟ ଅମଲାମାନଙ୍କ ଦ୍ୱାରା ପରିକଳ୍ପିତ ହୁଏ, ଅମଲାଙ୍କ ଦ୍ୱାରା ମଧ୍ୟ କାର୍ଯ୍ୟକାରୀ କରାଯାଏ। ଭୁଲଭଟକା ପାଇଁ କେହି ଅମଲା ଉତ୍ତରଦାୟୀ ହୁଅନ୍ତି ନାହିଁ। ଅତି ବେଶିରେ ଚୁକ୍ତିଭିତ୍ତିକ ଅସ୍ଥାୟୀ ଓ ତଳିଆ କର୍ମଚାରୀଙ୍କ ମୁଣ୍ଡରେ ଦୋଷ ଲଦି ଦିଆଯାଏ। କ୍ଷତିଗ୍ରସ୍ତ ଲୋକଙ୍କୁ ଆର୍ଥିକ ସାହାଯ୍ୟ /ଅନୁଦାନ ଦେଇ ଚୁପ କରିଦିଆଯାଏ। ଅତିବେଶିରେ ଦନ୍ତହୀନ ବିଭାଗୀୟ ତଦନ୍ତ, ବିଚାର ବିଭାଗୀୟ ତଦନ୍ତ କମିସନ ଘୋଷଣା କରିଦିଆଯାଏ। ତେବେ, ଉଭୟ ଦଳରେ ସମାନତା ମଧ୍ୟରେ କ୍ୟାଡର କର୍ମୀମାନେ ବିଭିନ୍ନ ସରକାରୀ ଯୋଜନା ମାଧ୍ୟମରେ ଦଳୀୟ ଭିତ୍ତିରେ ସରକାରୀ ଅର୍ଥ ବାଣ୍ଟି ଭୋଟ ବ୍ୟାଙ୍କକୁ ଅକ୍ଷୁର୍ଣ୍ଣ ରଖିବା ଉଲ୍ଲେଖନୀୟ।
ଦେଶର ବିଭିନ୍ନ ରାଜ୍ୟରେ ଆଞ୍ଚଳିକ ସରକାରମାନେ ଯେତେପ୍ରକାର ଭୋଟ-ଉତ୍ପାଦନଶୀଳ ଯୋଜନା କରି ଲୋକପ୍ରିୟତା ହାସଲ କରିଛନ୍ତି, ସେହିଭଳି ଯୋଜନାଗୁଡ଼ିକର ଓଡ଼ିଶା ସଂସ୍କରଣ କାର୍ଯ୍ୟକାରୀ କରିବାରେ ନବୀନଙ୍କ ସରକାର ଅତୁଳନୀୟ ପାରଦର୍ଶିତା ହାସଲ କରିଛନ୍ତି। ଜନ୍ମଠାରୁ ମୃତ୍ୟୁ ଯାଏଁ ଯୋଜନାରେ ଓଡ଼ିଶାର ଜନଗଣ ଜାଲରେ ଛନ୍ଦିହୋଇ ରହିଛନ୍ତି। ଅବସ୍ଥା ଏପରି ଯେ ସଧବା ମହିଳା ବିଧବା ଭତ୍ତା ପାଉଛନ୍ତି, ଯୁବକ-ଯୁବତୀମାନେ ବାର୍ଦ୍ଧକ୍ୟ ଭତ୍ତା, ଧନୀମାନେ ଖାଦ୍ୟସୁରକ୍ଷା ଯୋଜନାରେ ହିତାଧିକାରୀ ହେବାକୁ ଲଜ୍ଜା ଅନୁଭବ କରୁନାହାନ୍ତି। ଏସବୁକୁ ନବୀନଙ୍କ 'ଓଡ଼ିଶା ପରିବାର'କୁ ଭଲପାଇବା କହି, ନିଜର ସାମର୍ଥ୍ୟ ଭାବେ ପ୍ରତିପାଦିତ କରି, ନିର୍ବାଚନ ବୈତରଣୀ ପାର କରୁଛି। ଜ୍ୟୋତି ବସୁ ବି 'ଅପରେସନ ବରଗା' ନାମରେ ଚାଷ ଜମି ମାଲିକାନା ଅଧିକାର କଥା କହି କ୍ଷମତାରେ ରହିଥିଲେ।
ଶାସକ ଦଳ ବିରୁଦ୍ଧରେ କେହି କିଛି କହିଲେ କିମ୍ବା ଲେଖିଲେ, ସେମାନଙ୍କ ଉପରେ ପଶ୍ଚିମବଙ୍ଗରେ କ୍ୟାଡର କର୍ମୀମାନଙ୍କ ଅତ୍ୟାଚାର କରୁଥିଲା ବେଳେ ଓଡ଼ିଶାରେ ପୋଲିସ ସମେତ ଉଭୟ ସରକାରୀ କଳ ଓ ଦଳୀୟ କର୍ମୀଙ୍କ ଆକ୍ରମଣ ଦେଖିବାକୁ ମିଳୁଛି। ସ୍ୱାଧୀନ ଖବର କାଗଜ, ଟେଲିଭିଜନ ଚାନେଲକୁ ଧମକ, ବିଜ୍ଞାପନ ଅସହଯୋଗ, ସାମ୍ବାଦିକଙ୍କୁ ବିଭିନ୍ନ କାର୍ଯ୍ୟାଳୟ ପ୍ରବେଶ ବାରଣ - ଏପରିକି ଆକ୍ରମଣ ଓ ଗିରଫଦାରୀ ଯାଏଁ ଘଟୁଛି। ସରକାରଙ୍କ ସପକ୍ଷରେ ପୂର୍ବପ୍ରସ୍ତୁତ ସମ୍ବାଦ ପ୍ରସାରଣ କରିବାକୁ ବାଧ୍ୟ କରାଯାଉଛି ଓ ରାଜନୈତିକ ବ୍ୟାଖ୍ୟାନ ସୃଷ୍ଟି କରାଯାଉଛି। ଶହ ଶହ ନୂଆ ୱେବଚାନେଲ ଓ ୟୁଟିୟୁବ ତିଆରି ଚାଲିଛି; ଯେଉଁମାନଙ୍କର କାମ ଟୁଙ୍ଗୁରୁ ଭୋଳ-ବର୍ଷା-ବାବୁସାନ ଓ ପ୍ରକୃତିଙ୍କ ଉପରେ ଅତ୍ୟଧିକ ଆଲୋଚନା ଓ ବିରୋଧୀଙ୍କ ଚରିତ୍ର ସଂହାର ସହିତ ସରକାରୀ ବନ୍ଦନା। ଅବସ୍ଥା ଏପରି ଯେ କିଛି ପ୍ରଶାସନିକ ଅଧିକାରୀଙ୍କ ଫ୍ୟାନ କ୍ଲବ ବି ସାମାଜିକ ଗଣମାଧ୍ୟମରେ ସେମାନଙ୍କୁ କଳଙ୍କହୀନ ଇସ୍ପାତରୁ ତିଆରି ମହାମାନଵ ଭାବେ ଚିତ୍ରିତ କରୁଛନ୍ତି।
ସ୍ଵାଧୀନୋତ୍ତର ଭାରତୀୟ ଗଣତନ୍ତ୍ରରେ ଅନେକ ଉଦାହରଣ ଅଛି ଯେ, ଏକାଦିକ୍ରମେ ବହୁବାର ବିଧାନସଭା ନିର୍ବାଚନରେ ଜିଣି ସ୍ଥିର ସରକାର ଗଢ଼ିବାକୁ ସୁଶାସନ କୁହାଯାଏନା। ଏହା ଯେ ସାମାଜିକ ସୁସ୍ଥତା ଓ ଆର୍ଥିକ ପ୍ରଗତିର ପରିମାପକ, ତାହା ନୁହେଁ। ଯଦି ଜ୍ୟୋତି ବସୁଙ୍କ ପରି ନବୀନ ପଟ୍ଟନାୟକ ମଧ୍ୟ ଓଡ଼ିଶାକୁ ୩୩ ବର୍ଷ ଧରି ଶାସନାଧୀନ କରି ରଖନ୍ତି ତାହା, ଓଡ଼ିଶାକୁ ଅଧିକ ଋଣଗ୍ରସ୍ତ, ରୁଗ୍ଣ କରି ଚାଲିବ। ଆମକୁ ମନେ ରଖିବାକୁ ହେବ ଯେ, ଦୀର୍ଘ ଦିନ ଧରି ଯେ କୌଣସି ଗୋଟିଏ ରାଜନୈତିକ ଦଳ ଅଖଣ୍ଡ କ୍ଷମତାରେ ରହିଲେ, ତାହାକୁ ଉପଭୋଗ କରିବାକୁ ମନ ବଳାଏ। ପରିଣାମରେ ଏପରି ସରକାର ହୁଏ ଦର୍ପୀ, ଆତ୍ମତୁଷ୍ଟ ଓ କୁଶାସକ। ଏହା ସମସ୍ତ ଦଳ ପାଇଁ ପ୍ରଯୁଜ୍ୟ। କୁହାଯାଏ ଯେ, ବଙ୍ଗାଳୀମାନେ ଆଜି ଯାହା ଚିନ୍ତାକରନ୍ତି, ସମଗ୍ର ଭାରତ ତାହା ଆଗାମୀ କାଲି ଭାବିବାକୁ ବାଧ୍ୟ ହୁଏ। ଏହା ଯଦି ସତ୍ୟ, ଅଖଣ୍ଡ କ୍ଷମତାର ଅଧିକାରୀ ବିଜୁ ଜନତା ଦଳର ଦର୍ପ ଯେ ଶୀଘ୍ର ଭାଙ୍ଗି ଓଡ଼ିଶାକୁ ଅଧିକ ଅବକ୍ଷୟରୁ ବଞ୍ଚାଇ ପାରିବ, ଏହା ଆଶା କରାଯାଇପାରେ।
ବି-୩୦୬, କୋକିଳା ଏନକ୍ଳେଭ-II, ପୋଖରୀପୁଟ, ଭୁବନେଶ୍ୱର, ଫୋ- ୯୪୩୮୨୯୯୦୩୭
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।