ବିଧାନସଭା କ’ଣ ପିଲାଖେଳ?

ଦେବେନ୍ଦ୍ର ପୃଷ୍ଟି ଓଡ଼ିଶା ବିଧାନସଭା ଅଧିବେଶନ ଏମିତି ଯେତେବେଳେ ପାର୍‌ ସେତେବେଳେ ଡକାଯାଇ ନଥାଏ। ସେଥିପାଇଁ ସଂସଦୀୟ ବ୍ୟାପାର ବିଭାଗ, ବିଧାନସଭା ସଚିବାଳୟ ଏବଂ ରାଜଭବନ ମଧ୍ୟରେ ଅନେକ ଥର ଫାଇଲ୍‌ ଏପଟସେପଟ ହୋଇଥାଏ। ବିଧି ଅନୁସାରେ ବିଧାନସଭା ଅଧିବେଶନ ଡାକିବା, ମୁଲତବୀ ରଖିବା ଓ ଭଙ୍ଗ କରିବାର କ୍ଷମତା ରାଜ୍ୟପାଳଙ୍କ ନିକଟରେ ଅଛି। ତେବେ ଅଧିବେଶନର କାର୍ଯ୍ୟକ୍ରମ ସ୍ଥିର କରିଥାନ୍ତି ରାଜ୍ୟ ସରକାର। ବିଧି ଅନୁସାରେ ବିଧାନସଭା ବର୍ଷକ ଅତି କମ୍‌ରେ ତିନି ଥର ବସିବ […]

assembly

Debendra Prusty
  • Published: Friday, 29 November 2019
  • , Updated: 29 November 2019, 07:26 PM IST
  • ଦେବେନ୍ଦ୍ର ପୃଷ୍ଟି

ଓଡ଼ିଶା ବିଧାନସଭା ଅଧିବେଶନ ଏମିତି ଯେତେବେଳେ ପାର୍‌ ସେତେବେଳେ ଡକାଯାଇ ନଥାଏ। ସେଥିପାଇଁ ସଂସଦୀୟ ବ୍ୟାପାର ବିଭାଗ, ବିଧାନସଭା ସଚିବାଳୟ ଏବଂ ରାଜଭବନ ମଧ୍ୟରେ ଅନେକ ଥର ଫାଇଲ୍‌ ଏପଟସେପଟ ହୋଇଥାଏ। ବିଧି ଅନୁସାରେ ବିଧାନସଭା ଅଧିବେଶନ ଡାକିବା, ମୁଲତବୀ ରଖିବା ଓ ଭଙ୍ଗ କରିବାର କ୍ଷମତା ରାଜ୍ୟପାଳଙ୍କ ନିକଟରେ ଅଛି। ତେବେ ଅଧିବେଶନର କାର୍ଯ୍ୟକ୍ରମ ସ୍ଥିର କରିଥାନ୍ତି ରାଜ୍ୟ ସରକାର। ବିଧି ଅନୁସାରେ ବିଧାନସଭା ବର୍ଷକ ଅତି କମ୍‌ରେ ତିନି ଥର ବସିବ ଓ ସମୁଦାୟ ଅଧିବେଶନ ଦିନ ୬୦ ହେବ। ବଜେଟ ଅଧିବେଶନ, ମୌସୁମୀ ଅଧିବେଶନ ଓ ଶୀତ ଅଧିବେଶନରେ କୋଡ଼ିଏ କୋଡ଼ିଏ ଦିନ ବିଧାନସଭା ବସିଲେ ବି ବର୍ଷକୁ ୬୦ ଦିନ ହେବ। ଏହାଠାରୁ ଅଧିକ ଦିନ ଅଧିବେଶନ ବସିବାରେ କିଛି ବାଧା ନାହିଁ। ବିଧାନସଭା ଅଧିବେଶନ ଯେତେ ଅଧିକ ଦିନ ବସିବ ଗଣତନ୍ତ୍ର ପାଇଁ ସେତେ ଭଲ। ବିଧାନସଭାରେ ସରକାର ଉତ୍ତରଦାୟୀ ହୋଇଥା’ନ୍ତି। ବିଭିନ୍ନ ଦଳର ବିଧାୟକମାନେ ନିଜନିଜ ଅଞ୍ଚଳର ବିବିଧ ସମସ୍ୟା ସଂପର୍କରେ ଆଲୋଚନା କରିଥାନ୍ତି। ରାଜ୍ୟ ପରିଚାଳନା ପାଇଁ ବିଭିନ୍ନ ବିଧି ଉପରେ ଆଲୋଚନା ହୋଇଥାଏ। ସରକାର ପରିଚାଳନା ନେଇ ଦେଖାଦେଉଥିବା ଅନେକ ଦୋଷତ୍ରୁଟି ଇତ୍ୟାଦି ସଂପର୍କରେ ସରକାରଙ୍କଠାରୁ ଉତ୍ତର ମଗାଯାଏ। ବିଧାନସଭାରେ ସରକାରଙ୍କ ଆସ୍ଥା ପ୍ରମାଣିତ ହୁଏ, ବଜେଟ ଗୃହୀତ ହୁଏ, ଅଡିଟ ରିପୋର୍ଟ ଉପସ୍ଥାପିତ ହୁଏ, ବିଭାଗୀୟ ବାର୍ଷିକ ବିବରଣୀ ଉପସ୍ଥାପିତ ହୁଏ, ବିଭାଗୀୟ ସ୍ଥାୟୀ କମିଟି ଦ୍ୱାରା ସଂପୃକ୍ତ ବିଭାଗଗୁଡ଼ିକର କାର୍ଯ୍ୟକ୍ରମର ସମୀକ୍ଷା ହୁଏ, ଆଇନଶୃଙ୍ଖଳା ପରିସ୍ଥିତି ସମୀକ୍ଷା ହୁଏ, ରାଜ୍ୟର ମୁଖ୍ୟ ସମସ୍ୟା ସଂପର୍କରେ ଆଲୋଚନା ହୁଏ। ବିଧାନସଭାର ଏହିପରି ବହୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ରହିଛି। ବିଧାନସଭାକୁ ବାଦ ଦେଇ ବା ଗୌଣ କରି ସରକାର ପରିଚାଳନା କରିବା ଏକଛତ୍ରବାଦୀ ମନୋଭାବର ପରିଚୟ ଦିଏ। କାରଣ ଲୋକେ ସରକାର ଗଠନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିର୍ବାଚିତ କରିନଥା’ନ୍ତି। ଲୋକେ ନିଜନିଜ ଅଞ୍ଚଳର ବିଧାୟକ ନିର୍ବାଚିତ କରିଥା’ନ୍ତି। ସେହି ନିର୍ବାଚିତ ବିଧାୟକମାନେ ସେମାନଙ୍କ ମଧ୍ୟରୁ ଜଣକୁ ମୁଖ୍ୟମନ୍ତ୍ରୀ ଭାବେ ବାଛିଥା’ନ୍ତି। ବିଧାୟକମାନଙ୍କୁ ଗୌଣ କରିଦିଆଯିବାର ଅର୍ଥ ଲୋକମାନଙ୍କ ମତକୁ ଗୌଣ କରାଯିବା। ଗଣତନ୍ତ୍ରର ମାଲିକ ହେଲେ ଲୋକ। ଲୋକଙ୍କ ପ୍ରତିନିଧିଙ୍କୁ ଅଧିକ କାଳ ସରକାରଙ୍କ ଆଲୋଚନାର ସୁଯୋଗ ଦିଆନଯିବା ଗଣତନ୍ତ୍ର ନୁହେଁ, ଏକଛତ୍ରବାଦ।

ଓଡ଼ିଶାରେ ଏବେ ଏହିପ୍ରକାରର ଏକଛତ୍ରବାଦ ଚାଲିଛି। ଗତ ଦୁଇ ଦଶନ୍ଧି ହେଲା ବିଧାନସଭାକୁ ସଂପୂର୍ଣ୍ଣ ଗୌଣ କରିଦିଆଯାଇଛି। ବିଧାନସଭାରେ କୌଣସି ବିଷୟ ଆଲୋଚନା କରିବାକୁ ସରକାର ପସନ୍ଦ କରୁ ନାହାନ୍ତି। ମୁଖ୍ୟମନ୍ତ୍ରୀ ଓଡ଼ିଆ ବୁଝିପାରୁ ନଥିବାରୁ ଅଧିକାଂଶ ଆଲୋଚନା ସମୟରେ ଉପସ୍ଥିତ ରହୁନାହାନ୍ତି। କିମ୍ବା ବିଧାୟକମାନଙ୍କ ପ୍ରଶ୍ନର ଉତ୍ତର ଦେବାକୁ ପଡ଼ିବ ବୋଲି ବିଧାନସଭାରେ ବସୁ ନାହାନ୍ତି। ପ୍ରାୟ ପ୍ରତି ବିଧାନସଭାରେ ତାଙ୍କ ବିଭାଗ ପାଇଁ ଅନ୍ୟ ମନ୍ତ୍ରୀମାନେ ଉତ୍ତର ଦେଉଛନ୍ତି। ତାସ୍‌ ଓ ବାଗୁଡ଼ି ଖେଳରେ କା ନେଇ ଖେଳିବା ପରି ମୁଖ୍ୟମନ୍ତ୍ରୀ ସବୁବେଳେ ଜଣେ କା ଉପରେ ନିର୍ଭର କରୁଛନ୍ତି। ସେ ନିଜେ ବିଧାନସଭାର ପବିତ୍ର ଗୃହକୁ ଭଲ ପାଉ ନଥିବାରୁ ତାଙ୍କ ଦଳର ମନ୍ତ୍ରୀ ଓ ବିଧାୟକମାନେ ମଧ୍ୟ ଏହାକୁ ଆଡ଼େଇ ନିଜନିଜ ବାଟରେ ବ୍ୟକ୍ତିଗତ କାର୍ଯ୍ୟ କରାଇ ନେବା ଉପରେ ଗୁରୁତ୍ୱ ଦେଉଛନ୍ତି। ଖାଲି ବିଧି ରକ୍ଷା ପାଇଁ ବିଧାନସଭା ଅଧିବେଶନ ଡକାଯାଉଛି। ଯେତିକି ଦିନ ଅଧିବେଶନ ଡକାଯାଉଛି ସେତିକି ଦିନ ବି ବିଧାନସଭା ବସୁ ନାହିଁ। ସରକାରଙ୍କ ତରଫରୁ ପ୍ରସ୍ତାବ ଆଗତ କରାଯାଇ ଅଧିବେଶନକୁ ଧାର୍ଯ୍ୟ ସମୟର ଯଥେଷ୍ଟ ଆଗରୁ ବନ୍ଦ କରିଦିଆଯାଉଛି।

ମୁଖ୍ୟମନ୍ତ୍ରୀ ଓ ତାଙ୍କ ଦଳର ମନ୍ତ୍ରୀ, ମୁଖ୍ୟ ସଚେତକ ପ୍ରମୁଖ ସବୁବେଳେ କହନ୍ତି ସରକାର ବିଧାନସଭାରେ ଯେକୌଣସି ବିଷୟରେ ଆଲୋଚନା କରିବାକୁ ପ୍ରସ୍ତୁତ। ତେବେ ଅଧିବେଶନ ବନ୍ଦ କରୁଛନ୍ତି କାହିଁକି? ବିଧାନସଭାରେ ଆଲୋଚନା କରିବାକୁ କ’ଣ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ବିଷୟ ବାଛି ଆସୁନି?

ବିଧାନସଭା ଅଧିବେଶନ ପ୍ରତି ଏ ପ୍ରକାର ଉଦାସୀନତା ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ବିଧାୟକମାନଙ୍କର ଦେହସୁହା ହୋଇଗଲାଣି। ଏହି କ୍ରମରେ ୨୦୧୯ ନଭେମ୍ବର ୨୮ ତାରିଖରେ ଓଡ଼ିଶାର ଷୋଡ଼ଶ ବିଧାନସଭାର ଶୀତ ଅଧିବେଶନକୁ ଧାର୍ଯ୍ୟ ସମୟର ୧୭ ଦିନ ପୂର୍ବରୁ ବନ୍ଦ କରି ଦିଆଯାଇଛି। କାରଣ ଦର୍ଶା ଯାଇଛି ଯେ ଆଉ ଅଧିକ ଦିନ ପାଇଁ ସରକାରଙ୍କ ପାଖରେ କିଛି କାର୍ଯ୍ୟକ୍ରମ ନାହିଁ। ତେବେ ପ୍ରଶ୍ନ ହେଉଛି, ଓଡ଼ିଶା ବିଧାନସଭା ଶୀତ ଅଧିବେଶନରେ ଯଦି ସରକାରୀ କାର୍ଯ୍ୟକ୍ରମ କିଛି ନଥିଲା ତେବେ ମାସିକିଆ ଅଧିବେଶନ ଡକା ଯାଇଥିଲା କାହିଁକି? ଶୀତ ଅଧିବେଶନର ଅବଧି ଧାର୍ଯ୍ୟ କରିବା ସମୟରେ କ’ଣ ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କୁ ସରକାରଙ୍କ କାର୍ଯ୍ୟକ୍ରମ ସଂପର୍କରେ କିଛି ଜଣା ନଥିଲା? ବିନା କାର୍ଯ୍ୟକ୍ରମରେ ବିଧାନସଭା ଅଧିବେଶନ ଡାକିବା କେତେ ଦୂର ଗ୍ରହଣୀୟ? ଏହା କ’ଣ ପିଲା ଖେଳ? ଇଚ୍ଛା ହେଲେ ବସିବୁ, ଆଲୋଚନା କରିବୁ, ନହେଲେ ନାହିଁ! ଏ କି ପ୍ରକାର ଆଭିମୁଖ୍ୟ?

ମୁଖ୍ୟମନ୍ତ୍ରୀ ଓ ତାଙ୍କ ଦଳର ମନ୍ତ୍ରୀ, ମୁଖ୍ୟ ସଚେତକ ପ୍ରମୁଖ ସବୁବେଳେ କହନ୍ତି ସରକାର ବିଧାନସଭାରେ ଯେକୌଣସି ବିଷୟରେ ଆଲୋଚନା କରିବାକୁ ପ୍ରସ୍ତୁତ। ତେବେ ଅଧିବେଶନ ବନ୍ଦ କରୁଛନ୍ତି କାହିଁକି? ବିଧାନସଭାରେ ଆଲୋଚନା କରିବାକୁ କ’ଣ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ବିଷୟ ବାଛି ଆସୁନି? ଓଡ଼ିଶାର ନଦୀ, ସମୁଦ୍ର, ମାଟି, ପାଣି, ପବନ, ଚାଷ, ବାସ, ଭାଷା, ସାହିତ୍ୟ, କଳା, ସଂସ୍କୃତି, ସ୍ଥାପତ୍ୟ, ଐତିହ୍ୟ, ପ୍ରକୃତି, ସଂପଦ, ନୀତି, ଦୁର୍ନୀତି, ଦାରିଦ୍ର୍ୟ, ମାନବ ସମ୍ବଳ, ଶାସନ, ଅର୍ଥନୀତି, ଶିଳ୍ପ, ବ୍ୟବସାୟ, ବଜାର ଦର, ନିଯୁକ୍ତି, ରୋଜଗାର, ଅପରାଧ, ପ୍ରଦୂଷଣ ଶହଶହ ବିଷୟ ଉପରେ ମାସ ମାସ ଆଲୋଚନା ହୋଇପାରିବ। ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ମାନ୍ୟବର ବିଧାୟକମାନଙ୍କୁ ଏସବୁ ବିଷୟରେ ଆଲୋଚନା କରିବାକୁ କିଏ ମନା କରିଛି? ନା ଏଥିପାଇଁ ଯଥେଷ୍ଟ ଜ୍ଞାନ ଓ ସୂଚନାର ଅଭାବ? ବିଧାନସଭାରେ କାହାର କେତେ ଜ୍ଞାନ ଧରା ପଡ଼ିଯିବ ବୋଲି ଡରୁଛନ୍ତି କି ସରକାର? ନହେଲେ ଯେଉଁ ଗଣତାନ୍ତ୍ରିକ ବିଧିବ୍ୟବସ୍ଥା ଯୋଗୁଁ ନବୀନବାବୁ ମୁଖ୍ୟମନ୍ତ୍ରୀ ଓ ଅନ୍ୟମାନେ ମନ୍ତ୍ରୀ ସେହି ଗଣତନ୍ତ୍ରର ମନ୍ଦିର କୁହାଯାଉଥିବା ବିଧାନସଭାକୁ ଏମିତି ହିନିମାନିଆ କାହିଁକି କରାଯାଉଛି? ବର୍ଷକ ୬୦ ଦିନ ଆଲୋଚନା ପାଇଁ ବି ବିଧାନସଭାରେ ସରକାରୀ କାର୍ଯ୍ୟକ୍ରମ ନାହିଁ? ଏଭଳି ବାହାନା ବା ଯୁକ୍ତି ସରକାରଙ୍କ ଅଜ୍ଞାନତା ପ୍ରକାଶ କରୁନାହିଁ?

ନବୀନବାବୁଙ୍କ ସମୟରେ ୨୦୦୪ରେ ୫୮ ଦିନ, ୨୦୦୫ରେ ୪୯ ଦିନ, ୨୦୦୬ରେ ୬୦ ଦିନ, ୨୦୦୭ରେ ୪୨ ଦିନ, ୨୦୦୮ରେ ୫୨ ଦିନ, ୨୦୦୯ରେ ୫୦ ଦିନ, ୨୦୧୦ରେ ୬୦ ଦିନ, ୨୦୧୧ରେ ୫୪ ଦିନ, ୨୦୧୨ରେ ୬୦ ଦିନ, ୨୦୧୩ରେ ୫୨ ଦିନ ଓ ୨୦୧୪ରେ ୪୮ ଦିନ ବିଧାନସଭା ଅଧିବେଶନ ବସିଛି।

ନବୀନବାବୁ ମୁଖ୍ୟମନ୍ତ୍ରୀ ହେଲା ଦିନରୁ ତାଙ୍କ ବାପା ବିଜୁବାବୁଙ୍କ ସମୟରେ ବିଧାନସଭାର ସର୍ବନିମ୍ନ ଅଧିବେଶନ ନେଇ ଅନୁସୃତ ହୋଇଥିବା ବିଧି ଓ ପରମ୍ପରାକୁ ବାରମ୍ବାର ଉଲ୍ଲଙ୍ଘନ କରିଚାଲିଛନ୍ତି। ବିଜୁବାବୁଙ୍କ ଦ୍ୱିତୀୟ ଦଫା ମୁଖ୍ୟମନ୍ତ୍ରିତ୍ୱ କାଳରେ ବିଧାନସଭା ଅଧିବେଶନ କେତେ ଥର ବର୍ଷକ ୬୦ ଦିନକୁ ବି ଟପିଥିଲା। ତାଙ୍କ ପୂର୍ବରୁ ଅବଶ୍ୟ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସମୟରେ ଅନେକ ଥର ବର୍ଷକ ୬୦ ଦିନରୁ କମ୍‌ ବସିଥିଲା ବିଧାନସଭା। ନବୀନବାବୁ ବିଜୁବାବୁଙ୍କ ଦାୟାଦ ନା ଜାନକୀବାବୁଙ୍କର? କାହା ନୀତି ଓ ଆଦର୍ଶ ଅନୁସାରେ ସରକାର ପରିଚାଳନା କରୁଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ? ମିଳିଥିବା ତଥ୍ୟ ଅନୁସାରେ ନବୀନବାବୁଙ୍କ ସମୟରେ ୨୦୦୪ରେ ୫୮ ଦିନ, ୨୦୦୫ରେ ୪୯ ଦିନ, ୨୦୦୬ରେ ୬୦ ଦିନ, ୨୦୦୭ରେ ୪୨ ଦିନ, ୨୦୦୮ରେ ୫୨ ଦିନ, ୨୦୦୯ରେ ୫୦ ଦିନ, ୨୦୧୦ରେ ୬୦ ଦିନ, ୨୦୧୧ରେ ୫୪ ଦିନ, ୨୦୧୨ରେ ୬୦ ଦିନ, ୨୦୧୩ରେ ୫୨ ଦିନ ଓ ୨୦୧୪ରେ ୪୮ ଦିନ ବିଧାନସଭା ଅଧିବେଶନ ବସିଛି। ୨୦୦୦-୦୩ ଓ ୨୦୧୫-୧୮ ଯାଏଁ ତଥ୍ୟ ଆମ ପାଖରେ ଉପଲବ୍ଧ ନାହିଁ। ଆମେ କିନ୍ତୁ ନିଶ୍ଚିତ ଯେ ଏହି ବର୍ଷଗୁଡ଼ିକରେ ମଧ୍ୟ ବିଧାନସଭା ଅଧିବେଶନ ୬୦ ଦିନ ପୂରଣ କରିନାହିଁ। ଗତ କିଛି ବର୍ଷ ଧରି ଅଧିକ ଦିନ ପାଇଁ ଅଧିବେଶନ ଡାକି ଅଧାରୁ ବନ୍ଦ କରିଦେବା ଏକ ପରମ୍ପରାରେ ପରିଣତ ହୋଇଛି।

ବିଧାନସଭା ପ୍ରତି ଯଦି ସରକାରଙ୍କର ଏପରି ଆଭିମୁଖ୍ୟ ତେବେ ବିଧାନ ପରିଷଦ ଗଢ଼ିବାର ଆବଶ୍ୟକତା କ’ଣ? କାହିଁକି ମିଛୁଟାରେ ଲୋକଙ୍କ ଟିକସ ଅର୍ଥ ଶ୍ରାଦ୍ଧ ହେବ? ସରକାର ଯଦି ବିଧାନସଭାକୁ ଡରୁଛନ୍ତି ବିଧାନ ପରିଷଦର ଆବଶ୍ୟକତା କାହିଁକି? ଦଳୀୟ ଲୋକଙ୍କୁ ଥଇଥାନ କରିବାକୁ? ସରକାରଙ୍କ ପାଇଁ ବିଧାନସଭା କ’ଣ କେବଳ ଗୋଟେ ସୌଧ ବା କୋଠା? ବିଧାନ ସୌଧର ଉଚ୍ଚତା ଓ ଆକାର ବଢ଼ିଲେ କ’ଣ ଗଣତନ୍ତ୍ର ମଜବୁତ ହୁଏ? ସେହି ସୌଧର ପରିସରରେ ଫୁଲର ବଗୀଚା ହେଲେ କ’ଣ ଲୋକଙ୍କ ଦୁଃଖ ଦୂର ହୋଇଯାଏ? ବିଧାୟକ ଓ ମନ୍ତ୍ରୀମାନଙ୍କ ପାଇଁ ବଙ୍ଗଳା ନିର୍ମାଣ ହେଲେ କି ଲୋକଙ୍କ ଘରକୁ ପାନୀୟ ଜଳ ଓ ଚାଷୀଙ୍କ ଜମିକୁ ଜଳସେଚନ ସୁବିଧା ହୋଇଯାଏ?

ବିଧାନସଭାକୁ ଆଡ଼େଇ ଯଦି ସରକାର ଅମଲାତନ୍ତ୍ର ଜରିଆରେ ଶାସନ ପରିଚାଳନା କରିପାରନ୍ତି। ତାହା କିନ୍ତୁ ଗଣତନ୍ତ୍ର ନୁହେଁ। ଅଫିସରମାନେ ମନ୍ତ୍ରୀଙ୍କ ପାଖରେ ଉତ୍ତରଦାୟୀ ହୋଇପାରନ୍ତି, ବିଧାନସଭା ପାଖରେ ନୁହେଁ। ଲୋକେ ମଧ୍ୟ ମନ୍ତ୍ରୀ ଓ ବିଧାୟକଙ୍କୁ ପ୍ରଶ୍ନ କରିପାରନ୍ତି, କାରଣ ସେମାନେ ତାଙ୍କୁ ଭୋଟ୍‌ ଦେଇଥାନ୍ତି। ଅଫିସରମାନେ ଲୋକଙ୍କ ନିକଟରେ ଉତ୍ତରଦାୟୀ ନୁହନ୍ତି। କାରଣ ସେମାନେ ଭୋଟ୍‌ ପାଇ ନିଯୁକ୍ତ ହୋଇନଥାନ୍ତି। ସେମାନେ ଗଣତନ୍ତ୍ରର ଅଂଶବିଶେଷ। ମାତ୍ର, ଗଣତନ୍ତ୍ରର ପ୍ରତିନିଧି ନୁହନ୍ତି। ସେମାନଙ୍କ ଉପରେ ଶାସନ ଭାର ଲଦି ଅୟସ କରିବା ଅଜ୍ଞାନତା ଓ ଅପାରଗତାର ଅନ୍ୟ ଏକ ନାମ। ବିଧାନସଭା ଅଧିବେଶନର ଦିବସ ହ୍ରାସ ବା ସରକାରଙ୍କ ପାଇଁ ବିଧାନସଭା ଅଧିବେଶନର ଅନାବଶ୍ୟକତାରୁ ଗଲା କୋଡ଼ିଏ ବର୍ଷ ଧରି ଓଡ଼ିଶାରେ ଏହି ଅଜ୍ଞାନ ଓ ଅପାରଗମାନଙ୍କର ନାମକେ ବାସ୍ତେ ସରକାର ଚାଲିଥିବା ପ୍ରତୀତ ହୁଏ।

Related story