- ରବି ଦାସ
ଏବେ ବିହାରର ରାଜ୍ୟ ବିଧାନସଭା ନିର୍ବାଚନ ସହିତ ମଧ୍ୟପ୍ରଦେଶରେ ଗୁରୁତ୍ୱପୂର୍ଣ୍ଣ ୨୮ଟି ବିଧାନସଭା ଉପନିର୍ବାଚନ ଏବଂ ଅନ୍ୟ କେତୋଟି ଉପନିର୍ବାଚନ ଓ ଓଡ଼ିଶାର ଦୁଇଟି ଉପନିର୍ବାଚନ ପ୍ରଚାର ପ୍ରକ୍ରିୟା ଚାଲିଛି। ବିହାରରେ ୭୧ଟି ଆସନରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସରିଛି। ଓଡ଼ିଶା ସମେତ ଅନ୍ୟ ଉପନିର୍ବାଚନଗୁଡ଼ିକ ନଭେମ୍ବର ୩ ତାରିଖରେ ଅନୁଷ୍ଠିତ ହେବ। ବିହାରର ତୃତୀୟ ପର୍ଯ୍ୟାୟ ନିର୍ବାଚନ ୭ ତାରିଖ ଦିନ ସରିଲେ ୧୦ ତାରିଖ ଦିନ ସମସ୍ତ ଆସନର ଭୋଟଗଣତି ହେବ। ବିହାର ପରି ୨୪୩ ଆସନ ବିଶିଷ୍ଟ ବିଧାନସଭା ନିର୍ବାଚନ ଫଳାଫଳ ଉପରେ ସେଠାରେ ନୂଆ ସରକାର ଗଠିତ ହେବାକୁ ଥିବା ସମୟରେ ମଧ୍ୟପ୍ରଦେଶ ଉପନିର୍ବାଚନ ଫଳାଫଳ ଉପରେ ଦଳତ୍ୟାଗ ବଳରେ କଂଗ୍ରେସକୁ ହଟାଇ ବିଜେପି କରିଥିବା ସରକାରର ଭବିଷ୍ୟତ ନିର୍ଭର କରିବ। ଯଦିଓ ଏହି ଉପନିର୍ବାଚନରେ ମାତ୍ର ୮ଟି ଆସନ ଜିତିପାରିଲେ ବିଜେପି ସରକାର ତିଷ୍ଠି ରହିବାରେ କୌଣସି ଅସୁବିଧା ହେବ ନାହିଁ। ଅପରପକ୍ଷରେ ବିଜେପି ସରକାରକୁ ପ୍ରକୃତ ଅସୁବିଧାରେ ପକାଇବା ପାଇଁ ହେଲେ କଂଗ୍ରେସକୁ ଅତିକମ୍ରେ ୨୫ଟି ଆସନରେ ବିଜୟୀ ହେବାକୁ ପଡ଼ିବ। ଯଦିଓ ପୂରା ୨୮ଟି ଆସନ ଜିତିଲେ କଂଗ୍ରେସ ଏକାକୀ ସଂଖ୍ୟା ଗରିଷ୍ଠତା ହାସଲ କରିବ। ସେହି ଦୃଷ୍ଟିରୁ ମଧ୍ୟପ୍ରଦେଶ ଉପନିର୍ବାଚନ ଫଳାଫଳ ଗୁରୁତ୍ୱପୂର୍ଣ୍ଣ ହୋଇଥିଲେ ମଧ୍ୟ ବିଜେପି ସରକାର ତିଷ୍ଠି ରହିବା ନେଇ କୌଣସି ଅସୁବିଧା ହେବ ନାହିଁ ବୋଲି ଅନୁମାନ କରାଯାଉଛି। ସେଠାରେ ୨୮ଟି ବିଧାନସଭା ଉପନିର୍ବାଚନ ମଧ୍ୟରୁ ୨୫ଟିରେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସହିତ ଯାଇଥିବା ୨୫ ଦଳତ୍ୟାଗୀ ବିଜେପି ଟିକେଟରେ ଲଢ଼ୁଥିବା ସମୟରେ ଅନ୍ୟ ୩ଟିରେ ବିଜେପି ନିଜର ପ୍ରାର୍ଥୀ ଛିଡ଼ା କରିଛି। ଏଣୁ ଏହି ନିର୍ବାଚନ ଫଳାଫଳ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କର ବିଜେପିରେ ଭବିଷ୍ୟତ ଅନେକ ପରିମାଣରେ ନିର୍ଭର କରିବ। ଯେଉଁସବୁ ଦଳତ୍ୟାଗୀମାନେ କଂଗ୍ରେସ ଛାଡ଼ିଥିଲେ ସେମାନେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସମର୍ଥକ ଓ ତାଙ୍କର ପ୍ରଭାବ ଥିବା ଅଂଚଳ ଭିତରେ ଆସୁଥିବାରୁ ଉପନିର୍ବାଚନରେ ସେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି। ସେହି ଅଂଚଳରେ କଂଗ୍ରେସ ଓ ବିଜେପି ବାଦ୍ ବିଏସପିର କିଛି ପ୍ରଭାବ ଥିବା ଅଂଚଳ। ଯେହେତୁ ବିଏସପି ଏବେ ବିଜେପି ଅପେକ୍ଷା କଂଗ୍ରେସକୁ ପ୍ରଧାନ ଶତ୍ରୁ ଭାବରେ ବିବେଚନା କରୁଛି ସେହେତୁ ତାହାର ପ୍ରଭାବ ମଧ୍ୟ ଉପନିର୍ବାଚନ ଫଳାଫଳରେ ପଡ଼ିବ ବୋଲି ଆଶା କରାଯାଉଛି। ବିହାରରେ ସରକାର ଗଠନ କରିବା ପାଇଁ ସାଧାରଣ ନିର୍ବାଚନ ହୋଇଥିବାରୁ ସେଠାରେ ନିର୍ବାଚନ ପ୍ରଚାର ଘମାଘୋଟ ରହିଛି।
କୋଭିଡ୍ ମହାମାରୀ ସମୟରେ ଏହିସବୁ ନିର୍ବାଚନ ଓ ଉପନିର୍ବାଚନ ହୋଇଥିଲେ ମଧ୍ୟ ନିର୍ବାଚନ ପ୍ରଚାରରେ ନିର୍ବାଚନ କମିଶନଙ୍କ ଦ୍ୱାରା ଧାର୍ଯ୍ୟ ନୀତିନିୟମକୁ କୌଣସି ଦଳ ବା ନେତା ମାନୁନାହାନ୍ତି। ବିହାରରେ ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ରମାଗତ ଭାବରେ ବହୁଗୁଡ଼ିଏ ସାଧାରଣ ସଭାରେ ଉଦବୋଧନ ଦେଇଛନ୍ତି। କାରଣ ବିହାରରେ ମୁଖ୍ୟମନ୍ତ୍ରୀ ଥିବା ଜନତା ଦଳ (ୟୁ)ର ମୁଖ୍ୟ ନୀତୀଶ କୁମାରଙ୍କ ସହିତ ବିଜେପି ବସ୍ତୁତଃ ୧୫ ବର୍ଷ ହେଲା କ୍ଷମତାରେ ଅଂଶୀଦାର ଭାବରେ ରହିଛି। ଯଦିଓ ନୀତୀଶ କିଛିଦିନ ପାଇଁ ବିଜେପିକୁ ଛାଡ଼ି ୨୦୧୫ ନିର୍ବାଚନରେ ଲାଲୁପ୍ରସାଦ ଯାଦବଙ୍କ ରାଷ୍ଟ୍ରୀୟ ଜନତା ଦଳ ସହ ମିଶି ବିଜେପି ବିରୋଧରେ ନିର୍ବାଚନ ଲଢ଼ିଥିଲେ ତଥାପି ମାତ୍ର ଦେଢ଼ ବର୍ଷ ଭିତରେ ସେ ରାଷ୍ଟ୍ରୀୟ ଜନତା ଦଳକୁ ଛାଡ଼ି ପୁଣି ବିଜେପି ପାଖକୁ ଫେରି ସରକାର କାଏମ ରଖିଥିଲେ। ୨୦୧୫ରେ ନୀତୀଶ ଓ ଲାଲୁ ଯାଦବଙ୍କ ମେଣ୍ଟ ସହିତ କଂଗ୍ରେସ ମଧ୍ୟ ରହିଥିଲା। ସେହି ନିର୍ବାଚରେ ନରେନ୍ଦ୍ର ମୋଦିଙ୍କର ସମସ୍ତ ପ୍ରଚାର ସତ୍ୱେ ବିଜେପି ମାତ୍ର ୫୪ଟି ବିଧାନସଭା ଆସନ ଦଖଲ କରିଥିବାରୁ ଏକାକୀ ବିହାର ବିଧାନସଭା ନିର୍ବାଚନ ଯିବା ପାଇଁ ବିଜେପିର ସାହସ ନଥିବାରୁ ନିର୍ବାଚନ ପୂର୍ବରୁ ନୀତୀଶ କୁମାରଙ୍କ ନେତୃତ୍ୱରେ ବିହାର ବିଧାନସଭା ନିର୍ବାଚନରେ ଏନଡିଏ ଲଢ଼ିବ ବୋଲି ଘୋଷଣା କରି ସେହି ଅନୁସାରେ ଆସନ ବଣ୍ଟା ହୋଇଛି। ନୀତିଶ ଲୋକପ୍ରିୟତା ହରାଇଥିବା ଓ ତାଙ୍କର ୧୫ବର୍ଷ ଶାସନ ବିରୋଧରେ ଜନମତ ଥିବା ବିଜେପି ଅନୁଭବ କରି ଏନଡିଏର ଅନ୍ୟଏକ ଅଂଶୀଦାର ରାମବିଳାସ ପାଶୱାନଙ୍କ ଲୋକ ଜନଶକ୍ତି ପାର୍ଟିର ମୁଖ୍ୟ ଚିରାଗ ଗୋସ୍ୱାମୀଙ୍କୁ ଏକାକୀ ନିର୍ବାଚନ ଲଢ଼ିବା ପାଇଁ ସୁଯୋଗ ଦେଇଛନ୍ତି। କାରଣ ଏଲ୍ଜେପି କେନ୍ଦ୍ରରେ ଏନଡିଏ ଥିବା ସମୟରେ ବିହାରରେ ଏକାକୀ ନିର୍ବାଚନ ଲଢ଼ୁଛି। ଯେଉଁ ଆସନଗୁଡ଼ିକରେ ଜନତା ଦଳ (ୟୁ)କୁ ଛ।ଡ଼ି ଦିଆଯାଇଛି ସେହି ଆସନ ଗୁଡ଼ିକରେ ଲୋକ ଜନଶକ୍ତି ପାର୍ଟି ପ୍ରାର୍ଥୀ ଦେଇଛି। ଅଧିକାଂଶ ସାଧାରଣ ବର୍ଗ ଆସନଗୁଡ଼ିକରେ ବିଜେପିର ସମର୍ଥନ ବା ନେତାମାନଙ୍କୁ ଦଳ ପ୍ରାର୍ଥୀ କରଛି। ଚିରାଗ ପାଶୱାନ ପ୍ରଚାର ଅଭିଯାନରେ କେବଳ ନୀତୀଶ କୁମାରଙ୍କ ବିରୋଧରେ ମତ ଦେଇ ତାଙ୍କ ଦଳ କ୍ଷମତାକୁ ଆସିଲେ ନୀତୀଶ ଜେଲ୍ ଯିବେ ବୋଲି କହିସାରିଛନ୍ତି। ଯଦିଓ ଏନଡିଏ ବା ଜେଡିୟୁ ଓ ବିଜେପି ମେଂଟର ପ୍ରକୃତ ପ୍ରତିଦ୍ୱନ୍ଦ୍ୱୀ ହେଉଛନ୍ତି ରାଷ୍ଟ୍ରୀୟ ଜନତା ଦଳର ନେତୃତ୍ୱାଧୀନ ମହାଗଠବନ୍ଧନ। ଜେଡିୟୁ ଓ ବିଜେପି ମେଂଟ ସହିତ ଅନ୍ୟ ଦୁଇଟି କ୍ଷୁଦ୍ର ଦଳ ରହିଛନ୍ତି।
ସେହିପରି ମହାଗଠବନ୍ଧନରେ କଂଗ୍ରେସ ଓ ବାମନ୍ଥୀ ଦଳମାନେ ରହିଥିଲେ ମଧ୍ୟ ରାଷ୍ଟ୍ରୀୟ ଜନତା ଦଳର ନେତା ତେଜସ୍ୱୀ ଯାଦବଙ୍କୁ ମେଣ୍ଟ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବରେ ଉପସ୍ଥାପିତ କରିଥିବାରୁ ତେଜସ୍ୱୀ ଯାଦବ ଦୈନିକ ପ୍ରାୟ ୯ଟି ପ୍ରଚାର ସଭାରେ ଭାଷଣ ଦେଉଛନ୍ତି। ତାଙ୍କ ସଭାଗୁଡ଼ିକରେ ଲକ୍ଷାଧିକ ଲୋକଙ୍କର ଯେପରି ଭିଡ଼ ହେଉଛି ସେଥିରୁ କେହି ବି ଅନୁମାନ କରିପାରୁନି ଯେ କୋଭିଡ୍ର ଭୟ ଲୋକମାନଙ୍କ ଭିତର ଅଛି। ଅବଶ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖମନ୍ତ୍ରୀ ନୀତୀଶ କୁମାରଙ୍କ ମିଟିଂରେ ଭିଡ଼କୁ ଲକ୍ଷ୍ୟ କଲେ ବିହାର ନିର୍ବାଚନରେ କୋଭିଡ୍ ନଥିବା ଜଣାପଡ଼ୁଛି। କିନ୍ତୁ ନିର୍ବାଚନରେ କୋଭିଡ୍ ଜନିତ ସମସ୍ୟା ସବୁଠୁ ମୁଖ୍ୟ ପ୍ରସଙ୍ଗ ଭାବରେ ଦେଖାଦେଇଛି। ପ୍ରାୟ ୨୫ ଲକ୍ଷ ପ୍ରବାସୀ ଶ୍ରମିକ ଦେଶର ବିଭିନ୍ନ ପ୍ରାନ୍ତରୁ ବିହାରକୁ ଫେରିଛନ୍ତି ଏବଂ ସେମାନଙ୍କ ପାଇଁ କର୍ମନିଯୁକ୍ତି ଏକ ମୁଖ୍ୟ ଦାବି ଭାବରେ ଛିଡ଼ା ହୋଇଛି। ଯଦିଓ ପ୍ରଧାନମନ୍ତ୍ରୀ ଲକଡାଉନ ସମୟରେ ଓ ନଭେମ୍ବର ପର୍ଯ୍ୟନ୍ତ ଲୋକମାନଙ୍କୁ ମାଗଣା ଖାଦ୍ୟଶସ୍ୟ, ଡାଲି ସହିତ ୩ମାସ ପାଇଁ ଜନଧନ ଆକାଉଂଟରେ ମହିଳାମାନଙ୍କୁ ପ୍ରଦାନ କରିଛନ୍ତି ସେହେତୁ ଲକଡାଉନ ଜନିତ କ୍ଷତି ପାଇଁ ସିଧାସଳଖ ଭାବରେ ନରେନ୍ଦ୍ର ମୋଦିଙ୍କୁ ଅଧିକ ଲୋକ ଦାୟୀ କରୁନାହାନ୍ତି। ସେମାନଙ୍କ ପାଇଁ ରାଜ୍ୟରେ ନିଯୁକ୍ତି ସୃଷ୍ଟି ନହେବା, ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ଭାଙ୍ଗିପଡ଼ିବା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥା ଦୁର୍ବଳ ହେବା ପାଇଁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଲୋକମାନେ ସିଧାସଳଖ ଦାୟୀ କରୁଛନ୍ତି। ତାହାର ଫାଇଦା ନେଇ ରାଷ୍ଟ୍ରୀୟ ଜନତା ଦଳ ପ୍ରଥମ ଥର ପାଇଁ ସାମାଜିକ ନ୍ୟାୟକୁ ମୁଖ୍ୟ ପ୍ରସଙ୍ଗ ନକରି ୧୦ ଲକ୍ଷ ଲୋକଙ୍କୁ ନିଯୁକ୍ତି ପ୍ରଦାନ, ଶିକ୍ଷା ବ୍ୟବସ୍ଥା ସୁଦୃଢ଼ୀକରଣ, ସ୍ୱାସ୍ଥ୍ୟ ସୁବିଧା ପ୍ରସାର ଓ ରାଜ୍ୟରେ ଶିଳ୍ପୀକରଣ ଉପରେ ଗୁରୁତ୍ୱ ଦେଇଛି। ଅର୍ଥାତ୍ ବିହାର ବିକାଶକୁ ନିର୍ବାଚନରେ ପ୍ରାଥମିକତା ଦିଆଯାଇଛି। ସେଥିପାଇଁ ପ୍ରଧାନମନ୍ତ୍ରୀ ବା ଅନ୍ୟ ବିଜେପି ନେତାମାନେ ଜାତୀୟ ପ୍ରସଙ୍ଗ ଯଥା କାଶ୍ମୀର ୩୭୦ ଧାରା ଉଚ୍ଛେଦ ଓ ରାମମନ୍ଦିର ନର୍ମାଣ ପ୍ରସଙ୍ଗକୁ ଜନସାଧାରଣ ଗୁରୁତ୍ୱ ଦେଇନାହାନ୍ତି।
ଜାତିଆଣ ଭିତ୍ତିରେ ବିହାରରେ ନିର୍ବାଚନ ଫଳାଫଳ ଅନେକ ପରିମାଣରେ ନିର୍ଭର କରୁଥିଲେ ମଧ୍ୟ ଏହି ନିର୍ବାଚନରେ ସେଠାରେ ପ୍ରସଙ୍ଗ ବଦଳିଛି, ଯଦିଓ ଉଚ୍ଚ ବର୍ଗର ଅଧିକ ଲୋକ ବିଜେପି ସହିତ ରହିଛନ୍ତି। ଯାଦବ ଓ ମୁସଲିମମାନେ ମହାଗଠବନ୍ଧନ ବା ରାଷ୍ଟ୍ରୀୟ ଜନତା ଦଳ ସହିତ ଅଛନ୍ତି। କିନ୍ତୁ ଦଳିତ, ମହାଦଳିତ ଓ ପଛୁଆବର୍ଗର ଯାଦବମାନଙ୍କୁ ଛାଡ଼ି ଅନ୍ୟମାନଙ୍କୁ ଆକୃଷ୍ଟ କରିବା ନିମନ୍ତେ ନୀତୀଶ କୁମାର ଓ ବିଜେପି ଯେପରି ଉଦ୍ୟମ କରୁଛନ୍ତି ମହାଗଠବନ୍ଧନରେ ଥିବା କଂଗ୍ରେସ ଓ ବାମପନ୍ଥୀମାନେ ସେହିପରି ଉଦ୍ୟମ ଚଳାଇଛନ୍ତି। ଲାଲୁ ପ୍ରସାଦ ଯାଦବ ଓ ରାବ୍ରୀ ଦେବୀଙ୍କ ୧୯୯୦ରୁ ୨୦୦୫ ପର୍ଯ୍ୟନ୍ତ ଶାସନ ବିରୋଧରେ ଥିବା ମତକୁ ଏନଡିଏ ଏବେବି ମୁଖ୍ୟ ପ୍ରସଙ୍ଗ ଭାବରେ ଉପସ୍ଥାପିତ କରୁଛି। ଯଦିଓ ସେହି ଆଧାରରେ ୨୦୦୫ ଓ ୨୦୧୦ରେ ଜନସାଧାରଣ ସେମାନଙ୍କ ମତ ଦେଇଛନ୍ତି ଓ ୨୦୧୫ରେ ନିଜେ ନୀତୀଶ କୁମାର ଲାଲୁଙ୍କ ସହିତ ମିଶି ନିର୍ବାଚନ ଲଢ଼ିଥିଲେ। ତଥାପି ନିର୍ବାଚନ ଗଣିତ ଯେପରି ରହିଛି ଓ ମୋଦିଙ୍କର ଲୋକପ୍ରିୟତା ସେତେଟା ହ୍ରାସ ପାଇନାହିଁ ସେହେତୁ ନୀତୀଶ କୁମାରଙ୍କର ନିର୍ବାଚନରେ କ୍ଷତି ହେଲେ ମଧ୍ୟ ବିଜେପିର ଆସନରେ ଉନ୍ନତି ଘଟିବ ଓ ଅନ୍ୟ ଦଳମାନଙ୍କର ସମର୍ଥନ ଆଦାୟ କରିବାରେ ଏହା ସକ୍ଷମ ହେବ ବୋଲି ସମସ୍ତଙ୍କର ହିସାବ ରହିଛି। ତେଜସ୍ୱୀଙ୍କ ମେଣ୍ଟ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ନପାଇଲେ ଏହା ସରକାର ଗଠନ କରିବାର ସମ୍ଭାବନା କମିଯିବ। କିନ୍ତୁ ଏହା ଏବେ ସମସ୍ତେ ସ୍ୱୀକାର କରିବେ ଯେ ଲାଲୁପ୍ରସାଦ ଯାଦବ ଜେଲ୍ରେ ଥିଲେ ମଧ୍ୟ ତେଜସ୍ୱୀ ଯାଦବ ବିହାରର ଜଣେ ଅଗ୍ରଣୀ ନେତା ଭାବରେ ଏଥର ଉଭା ହୋଇଛନ୍ତି। ଏହି ବାସ୍ତବତାକୁ କେହି ଅସ୍ୱୀକାର କରିପାରିବେ ନାହିଁ।
ବରିଷ୍ଠ ସାମ୍ବାଦିକ
ମୋ- ୯୪୩୭୪୦୪୪୫୫