ସୁବିଧାବାଦ ବନାମ ରାଜନୀତିକ ବାସ୍ତବତା

ଦେବେନ୍ଦ୍ର ପୃଷ୍ଟି ମହାରାଷ୍ଟ୍ରରେ କ୍ଷମତା ପାଇଁ ଶିବସେନା ଓ ଏନସିପି-କଂଗ୍ରେସ ମେଣ୍ଟ ମଧ୍ୟରେ ଯେଉଁ ବୁଝାମଣା ହେବାର ସମ୍ଭାବନା ସୃଷ୍ଟି ହୋଇଛି ତାହା ପୁଣି ଥରେ ଭାରତରେ ସୁବିଧାବାଦୀ ରାଜନୀତି ପ୍ରସଙ୍ଗକୁ ତେଜୀୟାନ କରିଛି। ଏହି ସମ୍ଭାବ୍ୟ ବୁଝାମଣା ନେଇ ଅସନ୍ତୁଷ୍ଟ ଲୋକମାନେ ସରକାର ଗଠନ ପାଇଁ ଏଭଳି ବୁଝାମଣାକୁ ବିରୋଧ କରିପାରନ୍ତି, ସରକାରର ସ୍ଥାୟିତ୍ୱ ନେଇ ସନ୍ଦେହ ପ୍ରକଟ କରିପାରନ୍ତି, ଦୁଇ ଆଦର୍ଶଗତ ବିରୋଧୀଙ୍କ କ୍ଷମତା-ସର୍ବସ୍ୱ ରାଜନୀତି କହି ସମାଲୋଚନା କରିପାରନ୍ତି। ଏଭଳି ଆକଳନ ଓ […]

p-908-1

Debendra Prusty
  • Published: Monday, 11 November 2019
  • , Updated: 12 November 2019, 01:24 PM IST

ଦେବେନ୍ଦ୍ର ପୃଷ୍ଟି

ମହାରାଷ୍ଟ୍ରରେ କ୍ଷମତା ପାଇଁ ଶିବସେନା ଓ ଏନସିପି-କଂଗ୍ରେସ ମେଣ୍ଟ ମଧ୍ୟରେ ଯେଉଁ ବୁଝାମଣା ହେବାର ସମ୍ଭାବନା ସୃଷ୍ଟି ହୋଇଛି ତାହା ପୁଣି ଥରେ ଭାରତରେ ସୁବିଧାବାଦୀ ରାଜନୀତି ପ୍ରସଙ୍ଗକୁ ତେଜୀୟାନ କରିଛି। ଏହି ସମ୍ଭାବ୍ୟ ବୁଝାମଣା ନେଇ ଅସନ୍ତୁଷ୍ଟ ଲୋକମାନେ ସରକାର ଗଠନ ପାଇଁ ଏଭଳି ବୁଝାମଣାକୁ ବିରୋଧ କରିପାରନ୍ତି, ସରକାରର ସ୍ଥାୟିତ୍ୱ ନେଇ ସନ୍ଦେହ ପ୍ରକଟ କରିପାରନ୍ତି, ଦୁଇ ଆଦର୍ଶଗତ ବିରୋଧୀଙ୍କ କ୍ଷମତା-ସର୍ବସ୍ୱ ରାଜନୀତି କହି ସମାଲୋଚନା କରିପାରନ୍ତି। ଏଭଳି ଆକଳନ ଓ ଆଲୋଚନା ପାଇଁ ଏହି କ୍ଷମତା-ଅଂଶୀଦାରୀ ସୁଯୋଗ ସୃଷ୍ଟି କରିଛି। ତେବେ, ଏହା ମଧ୍ୟ ଗ୍ରହଣ କରିବାକୁ ହେବ ଯେ ମହାରାଷ୍ଟ୍ରର ଏହି ସୁବିଧାବାଦୀ ମେଣ୍ଟ ସ୍ୱାଧୀନ ଭାରତ ଇତିହାସରେ ଆଦୌ ନୂଆ ନୁହେଁ। ଏହା ପୂର୍ବରୁ ମଧ୍ୟ ଅନେକ ରାଜ୍ୟରେ, ଏପରି କି ଜାତୀୟ ସ୍ତରରେ ମଧ୍ୟ ଏଭଳି ବୁଝାମଣା ଓ ମେଣ୍ଟ ହୋଇଥିବା ନେଇ ଅନେକ ଉଦାହରଣ ରହିଛି। କେତେକ କ୍ଷେତ୍ରରେ ଏସବୁ ମେଣ୍ଟ ଆବଶ୍ୟକତା ଭିତ୍ତିରେ ହୋଇଛି, ଅନ୍ୟ କେତେକ କ୍ଷେତ୍ରରେ କେବଳ କ୍ଷମତା ପାଇଁ ମଧ୍ୟ ଦୁଇ ପରସ୍ପର ବିରୋଧୀ ଦଳ ଚତୁରେ ଚତୁରେ କୋଳାକୋଳି ହୋଇଛନ୍ତି। ଏସବୁ ମୂଳରେ ରହିଛି ଭାରତୀୟ ଗଣତନ୍ତ୍ରର ବହୁ-ଦଳୀୟ ବ୍ୟବସ୍ଥା, ରାଜନୀତିକ ଦଳଗୁଡ଼ିକର ମହତ୍ୱାକାଙ୍‌କ୍ଷା ଏବଂ ରାଜନୀତିକ ବାସ୍ତବତା। ଏଭଳି କ୍ଷମତା-ରାଜନୀତି ଭାରତ ପରି ଏକ ବିବିଧ ନୀତି, ଆଦର୍ଶ ଓ ସଂସ୍କୃତିର ଦେଶ ପାଇଁ ଅନେକ ସମୟରେ ଅପରିହାର୍ଯ୍ୟ ବୋଧ ହୋଇଥାଏ।

ଏବେ କେନ୍ଦ୍ରରେ ନରେନ୍ଦ୍ର ମୋଦୀଙ୍କ ବିଜେପି ନେତୃତ୍ୱାଧୀନ ରାଷ୍ଟ୍ରୀୟ ଗଣତାନ୍ତ୍ରିକ ସାମ୍ମୁଖ୍ୟ ବା ଏନଡିଏ ମେଣ୍ଟ ସରକାରରେ ଅଛି। ଏହି ମେଣ୍ଟର ଅନେକ ସଦସ୍ୟ ଦଳଙ୍କ ନୀତି ଓ ଆଦର୍ଶ ଏକ ନୁହେଁ, ତଥାପି ସେମାନେ ଗୋଟିଏ ମେଣ୍ଟରେ ରହିଛନ୍ତି। ମୋଦୀଙ୍କ ଏନଡିଏର ସଦସ୍ୟ ଥିବା ରାମବିଳାସ ପାଶ୍ୱାନଙ୍କ ଲୋକ ଜନଶକ୍ତି ପାର୍ଟି ବା ଏଲଜେପି ଓ ରାମଦାସ ଅଠାବଳେଙ୍କ ରିପବ୍ଲିକାନ ପାର୍ଟି ଅଫ୍‌ ଇଣ୍ଡିଆ ବା ଆରପିଆଇ ଜାତିଭିତ୍ତିକ ସଂରକ୍ଷଣର ସମର୍ଥକ। ଦଳିତ-ରାଜନୀତି ହେଉଛି ଏ ଦୁଇ ଦଳର ମୁଖ୍ୟ ଅସ୍ତ୍ର। ଅଥଚ ମୋଦୀଙ୍କ ଭାରତୀୟ ଜନତା ପାର୍ଟି ବା ବିଜେପି ଅନେକ ସମୟରେ ସଂରକ୍ଷଣ ବିରୋଧରେ ପ୍ରତ୍ୟକ୍ଷ ଓ ପରୋକ୍ଷରେ ଜନମତ ସୃଷ୍ଟି କରିଥାଏ। ବିଜେପି ଜାତି ଓ ଧର୍ମର ରାଜନୀତି କରେ ନାହିଁ ବୋଲି ଦାବି କରେ। ବିଜେପିର ଆଦର୍ଶଗତ ଗୁରୁ ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘ ମଧ୍ୟ ସଂରକ୍ଷଣବାଦୀ ଶାସନ ଓ ପ୍ରଶାସନକୁ ସମର୍ଥନ କରେ ନାହିଁ। ସଂଘର ଅନେକ ସଦସ୍ୟ ଓ ମୋଦୀଙ୍କର ଭକ୍ତବାହିନୀ ଜାତିଭିତ୍ତିକ ସଂରକ୍ଷଣର ଘୋର ବିରୋଧୀ। ତଥାପି ଆରପିଆଇ ଓ ଏଲଜେପି ମୋଦୀଙ୍କ ନେତୃତ୍ୱରେ ଏନଡିଏରେ ଅଛନ୍ତି ଓ କେନ୍ଦ୍ର ସରକାରରେ ଅଂଶୀଦାର ହୋଇଛନ୍ତି।

ଠିକ ସେହିପରି ଉଭୟ ଅଠାବଳେ ଓ ପାଶ୍ୱାନ ବିଜେପିର ରାମ ମନ୍ଦିର ରାଜନୀତିର ଘୋର ବିରୋଧୀ ଭାବେ ଜଣାଶୁଣା। ରାମ ମନ୍ଦିର ପାଇଁ ଲାଲକୃଷ୍ଣ ଆଡ଼ଭାନୀଙ୍କ ରଥଯାତ୍ରାକୁ ଉଭୟ ନେତା ସମାଲୋଚନା କରିଥିଲେ। ସେତେବେଳେ ପାଶ୍ୱାନ ଜନତା ଦଳର ସଦସ୍ୟ ଥିଲେ। ଜନତା ଦଳ ନେତୃତ୍ୱାଧୀନ ରାଷ୍ଟ୍ରୀୟ ସାମ୍ମୁଖ୍ୟ ସରକାର ବିରୋଧରେ ହିଁ ଆଡ଼ଭାନୀ ରଥଯାତ୍ରା ବାହାର କରିଥିଲେ। ସେତେବେଳେ ପ୍ରଧାନମନ୍ତ୍ରୀ ଥିଲେ ବିଶ୍ୱନାଥ ପ୍ରତାପ ସିଂହ। ସେ ମଣ୍ଡଳ କମିଶନ ସୁପାରିଶ ଲାଗୁ କରି ଭାରତରେ ସାମାଜିକ ଇଂଜିନିଅରିଂ ଜରିଆରେ ବ୍ୟବସ୍ଥା ପରିବର୍ତ୍ତନ ପାଇଁ ପଥ ପ୍ରସ୍ତୁତ କରିଥିଲେ। ତାହା ଉତ୍ତର ପ୍ରଦେଶ ଓ ବିହାର ପରି ରାଜ୍ୟରେ ଜାତିଭିତ୍ତିକ ରାଜନୀତିକୁ ସୁଦୃଢ଼ କରିଥିଲା। ସେତେବେଳେ ଜନତା ଦଳରେ ଥିବା ମୁଲାୟମ ସିଂହ ଯାଦବ, ଲାଲୁ ପ୍ରସାଦ ଯାଦବ, ନୀତୀଶ କୁମାର ଓ ରାମବିଳାସ ପାଶ୍ୱାନ ପ୍ରମୁଖ ମଣ୍ଡଳ ରାଜନୀତିର ପ୍ରବକ୍ତା ସାଜିଥିଲେ। ଅନ୍ୟପକ୍ଷରେ ରାମ ମନ୍ଦିର ଓ ହିନ୍ଦୁତ୍ୱ ଆଦି ପ୍ରସଙ୍ଗକୁ ତୀକ୍ଷ୍ଣ ରାଜନୀତି ଆୟୁଧରେ ପରିଣତ କରିବା ପାଇଁ ଭାରତୀୟ ଜନତା ପାର୍ଟି ହିନ୍ଦୁ ସାଧୁସନ୍ଥମାନଙ୍କ ଉପରେ ନିର୍ଭର କରୁଥିଲା। ଏବେ ବି ଏହି ଶକ୍ତି ବିଜେପି ସପକ୍ଷରେ ରହିଛି ଓ ମଠମନ୍ଦିର ଆଦି ଏହି ଦଳର ରାଜନୀତିକ ଇସ୍ତାହାରରୁ ଲୋପ ପାଇନାହିଁ। ସେଥିପାଇଁ ସେତେବେଳେ ଜନତା ପରିବାର ଓ ସଙ୍ଘ ପରିବାରର ପରସ୍ପର ବିରୋଧୀ ରାଜନୀତି ମଣ୍ଡଳ-କମଣ୍ଡଳ ରାଜନୀତି ବୋଲି କୁହାଯାଉଥିଲା। ଏବେ ବି ଦେଶରେ ମଣ୍ଡଳବାଦୀ ଓ କମଣ୍ଡଳବାଦୀ ରାଜନୀତି ଚାଲିଛି। ତେବେ, ବାସ୍ତବତା ହେଉଛି ମଣ୍ଡଳବାଦ ଓ କମଣ୍ଡଳବାଦ ପରସ୍ପରର ବିରୋଧୀ ହୋଇଥିଲେ ମଧ୍ୟ ଏନଡିଏରେ ଉଭୟ ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀ ଏକାଠି ଅଛନ୍ତି।

ଏବେ ଏନଡିଏର ସଦସ୍ୟ ନଥିଲେ ମଧ୍ୟ ‘ଓଡ଼ିଶାର ବିକାଶ’କୁ ପ୍ରସଙ୍ଗ କରି କେନ୍ଦ୍ର ସରକାରଙ୍କୁ ସମର୍ଥନ ଦେଉଥିବା ବିଜୁ ଜନତା ଦଳ ନିଜକୁ ଏକ ଧର୍ମନିରପେକ୍ଷ ଦଳ ଭାବେ ଦାବି କରେ। ଦଳର ପ୍ରତିଷ୍ଠାତା ସଭାପତି ନବୀନ ପଟ୍ଟନାୟକଙ୍କର ବାପା ବିଜୁ ପଟ୍ଟନାୟକ ତାଙ୍କ ଜୀବଦ୍ଦଶାରେ ବିଜେପିକୁ ଘୋର ବିରୋଧ କରୁଥିଲେ। ବିଜେପି ଦେଶରେ ସାଂପ୍ରଦାୟିକ ରାଜନୀତି କରୁଛି ବୋଲି ତାଙ୍କର ଧାରଣା ଥିଲା। ତାଙ୍କରି ନୀତି ଓ ଆଦର୍ଶ ଉପରେ ବିଜୁ ଜନତା ଦଳ ଗଠିତ ହୋଇଛି ବୋଲି ନବୀନ ପଟ୍ଟନାୟକ ଦାବି କରନ୍ତି। ଏମିତିକି ନିଜେ ନବୀନ ପଟ୍ଟନାୟକ ମଧ୍ୟ ଏକଦା କହିଥିଲେ ଯେ ତାଙ୍କ ଦେହର ପ୍ରତ୍ୟେକ ହାଡ଼ ହେଉଛି ଧର୍ମନିରପେକ୍ଷ। ପୁଣି ବିଜୁ ପଟ୍ଟନାୟକ ଥିଲେ ଆଞ୍ଚଳିକ ସ୍ୱାଭିମାନର ପ୍ରବକ୍ତା। ଓଡ଼ିଶାର ସ୍ୱାଭିମାନ ଓ ସମୃଦ୍ଧି କଥା ଉଠେଇ ସେ କଂଗ୍ରେସ ଛାଡ଼ିଥିଲେ ଓ ପରବର୍ତ୍ତୀ ତିନି ଦଶନ୍ଧି ରାଜ୍ୟରେ ଏକ ଆଞ୍ଚଳିକ ରାଜନୀତିକ ଶକ୍ତି ଗଠନ କରିବାକୁ ଯାଇଁ ଅନେକ ତ୍ୟାଗ ସ୍ୱୀକାର କରିଥିଲେ। ସେହି ବିଜୁ ପଟ୍ଟନାୟକଙ୍କ ଦାୟାଦ ହୋଇଥିଲେ ମଧ୍ୟ ନବୀନ ପଟ୍ଟନାୟକ କେବଳ ‘ସାଂପ୍ରଦାୟିକ’ ବିଜେପି ସହିତ ମେଣ୍ଟ କରିବା ଉଦ୍ଦେଶ୍ୟରେ ହିଁ ବିଜୁବାବୁଙ୍କ ପ୍ରତିଷ୍ଠିତ ଜନତା ଦଳରେ ବିଭାଜନ କରାଇ ବିଜୁ ଜନତା ଦଳ ଗଠନ କରିଥିଲେ ଏବଂ ଏନଡିଏ ମେଣ୍ଟର ସଦସ୍ୟ ହିସାବରେ ବାଜପେୟୀଙ୍କ କ୍ୟାବିନେଟରେ ମନ୍ତ୍ରୀ ହୋଇଥିଲେ। ଓଡ଼ିଶାରେ ସେ ମୁଖ୍ୟମନ୍ତ୍ରୀ ହେବା ପରେ ବିଜେପିକୁ ମନ୍ତ୍ରିମଣ୍ଡଳରେ ସାମିଲ କରିଥିଲେ।

ପଞ୍ଜାବରେ ଅକାଳୀ-ବିଜେପି ମେଣ୍ଟ, କାଶ୍ମୀରରେ ପିଡିପି- ବିଜେପି ସରକାର ମଧ୍ୟ ଏହିପରି ସୁବିଧାବାଦୀ ରାଜନୀତିର ପରିପ୍ରକାଶ। ଭାରତୀୟ ଜନତା ପାର୍ଟିର ସବୁଠୁଁ ବଡ଼ ତଥା ଆଦରଣୀୟ ନେତା ଅଟଳ ବିହାର ବାଜପେୟୀଙ୍କ ସମୟରେ କାଶ୍ମୀର ସ୍ୱତନ୍ତ୍ରତାବାଦୀ ଦଳ ନ୍ୟାସନାଲ କନ୍‌ଫରେନ୍ସ ମଧ୍ୟ ଏନଡିଏ ସଦସ୍ୟ ଥିଲା। ଏହି ଦଳର ବାପପୁଅ ଫାରୁକ୍‌ ଅବ୍ଦୁଲ୍ଲା ଓ ଓମାର ଅବଦ୍ଦୁଲ୍ଲା ବାଜପେୟୀ ସରକାରରେ ମନ୍ତ୍ରୀ ଥିଲେ। ମୋଦୀଙ୍କ ଶାସନରେ ସେମାନେ ଏବେ ଗୃହବନ୍ଦୀ, କାଶ୍ମୀରର ସ୍ୱତନ୍ତ୍ରତା ବିଲୁପ୍ତ। ସେହିପରି କଂଗ୍ରେସ ମଧ୍ୟ ଅନେକ ସମୟରେ କ୍ଷମତା ପାଇଁ ଘୋର ବିରୋଧୀଙ୍କ ସହିତ ହାତ ମିଳେଇଛି। ଉପା-୧ ଓ ଉପା-୨ ସରକାର କଂଗ୍ରେସର ସ୍ୱାର୍ଥକୈନ୍ଦ୍ରିକ ରାଜନୀତିର ଏକ ଅଲିଭା ସ୍ୱାକ୍ଷର। କଂଗ୍ରେସ-କମ୍ୟୁନିଷ୍ଟ ସହଯୋଗ, କଂଗ୍ରେସ-ଡିଏମକେ ମେଣ୍ଟ, କଂଗ୍ରେସ-ଏନସିପି ମେଣ୍ଟ ଓ କଂଗ୍ରେସ-ଏନସି ମେଣ୍ଟ ମଧ୍ୟ ଏହି ପର୍ଯ୍ୟାୟଭୁକ୍ତ।

ଭାରତ ଏକ ବିବିଧ ଭାବଧାରାର ଦେଶ। ବିବିଧ ଏହାର ସଂସ୍କୃତି। ବିବିଧ ଏହାର ଲୋକମାନଙ୍କର ଧର୍ମ, ଅର୍ଥ ଓ କାମ ବା ଧନ୍ଦା। ଭାଷା ଓ ଆଞ୍ଚଳିକ ସ୍ୱାଭିମାନ ଭିତ୍ତିରେ ଗଢ଼ା ଯାଇଛି ଏହାର ଅନେକ ରାଜ୍ୟ ସ୍ତରୀୟ ଦଳ। ଏହି ଦଳଗୁଡ଼ିକ ଅନେକ ସମୟରେ ବାସ୍ତବବାଦୀ ଆଭିମୁଖ୍ୟ ଗ୍ରହଣ କରି ଆବଶ୍ୟକତା ଦୃଷ୍ଟିକୋଣରୁ ଶତ୍ରୁତା ଛାଡ଼ି ମିତ୍ରତା କରିବା ଆଦୌ ଅଯୁକ୍ତିକର କି ଅସ୍ୱାଭାବିକ ନୁହେଁ। ସାମ୍ବିଧାନିକ ଅଚଳାବସ୍ଥାର ଅବସାନ ପାଇଁ, ବାରମ୍ବାର ନିର୍ବାଚନ ଜରିଆରେ ଜାତୀୟ ସମ୍ବଳ, ଶକ୍ତି ଓ ସମୟ ନଷ୍ଟ କରିବା ପାଇଁ ଅନେକ ସମୟରେ ଏଭଳି ବାଧ୍ୟବାଧକତାର ରାଜନୀତି ଆବଶ୍ୟକ ବୋଧ ହୁଏ। ଏହି ଦୃଷ୍ଟିରୁ ମହାରାଷ୍ଟ୍ରରେ ଯାହା ହୋଇଛି ତାହାକୁ ମଧ୍ୟ ବାସ୍ତବବାଦୀ ରାଜନୀତି କୁହାଯାଇ ପାରେ। ଏହା ସତ ଯେ ଶିବସେନା ହେଉଛି ଏକ ଉଗ୍ର ହିନ୍ଦୁତ୍ୱବାଦୀ ଦଳ। ଏପରିକି ବିଜେପିର ହିନ୍ଦୁତ୍ୱବାଦଠାରୁ ଶିବସେନାର ହିନ୍ଦୁତ୍ୱ ଅଧିକ ଉଗ୍ର। ବିଜେପିର ଆଦର୍ଶଗୁରୁ ଆରଏସଏସ ମୂଳତଃ ଏକ ମହାରାଷ୍ଟ୍ର-ଭିତ୍ତିକ ସଂଗଠନ। ଏହାର ପ୍ରତିଷ୍ଠାତା ଓ ଅନେକ ମୁଖ୍ୟ ହେଲେ ମରାଠା ବ୍ରାହ୍ମଣ। ବିଜେପି ନେତାମାନେ ଯେଉଁ ଶିବାଜୀଙ୍କ ନାମ ନିଅନ୍ତି ସେ ମଧ୍ୟ ଥିଲେ ଜଣେ ମରାଠା ବୀର। ଶିବସେନା ଏହି ଶିବାଜୀ ଓ ହିନ୍ଦୁତ୍ୱର ଦ୍ୱାହି ଦେଇ ରାଜନୀତି କରେ। ଏନସିପି ପ୍ରତିଷ୍ଠାତା ଶରଦ ପାୱାର ହେଉଛନ୍ତି ଜଣେ ମରାଠା ନେତା। ସେ ପୂର୍ବରୁ କଂଗ୍ରେସରେ ଥିଲେ। ସ୍ୱାଭିମାନ ଓ ମହତ୍ୱାକାଙ୍‌କ୍ଷା ପାଇଁ ସୋନିଆ ଗାନ୍ଧୀଙ୍କୁ ବିଦେଶୀ କହି କଂଗ୍ରେସ ଛାଡ଼ି ଏନସିପି ଗଢ଼ିଥିଲେ। ପରେ ପୁଣି ରାଜନୀତିକ ଆବଶ୍ୟକତାରୁ କଂଗ୍ରେସ ସହିତ ମେଣ୍ଟ କଲେ। ମୁଖ୍ୟତଃ ତାଙ୍କରି ପରାମର୍ଶ ଭିତ୍ତିରେ ହିଁ ସୋନିଆ ଗାନ୍ଧୀ ଶିବସେନା-ଏନସିପି ସରକାରକୁ ବାହ୍ୟ ସମର୍ଥନ ଦେବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ବୁଝାପଡ଼ୁଛି। କାରଣ ଶିବସେନା ପ୍ରମୁଖ ଉଦ୍ଧବ ଥାକରେ ନାକରେ କ୍ଷମତାର ଘିଅ ଶୁଙ୍ଘିବା ପରେ ଶରଦ ପାୱାର ସୋନିଆ ଗାନ୍ଧୀଙ୍କ ଭେଟି ରାଜ୍ୟର ରାଜନୀତି ସ୍ଥିତି ସଂପର୍କରେ ଆଲୋଚନା କରିଥିବା ବେଶ୍‌ ଜଣାଶୁଣା।

ଆଉ ବାକି ରହିଥିଲା କଂଗ୍ରେସର ଧର୍ମନିରପେକ୍ଷତା। ସତରେ କ’ଣ କଂଗ୍ରେସ ଏକ ଧର୍ମନିରପେକ୍ଷ ଦଳ? ଏହା ଏକ ଧର୍ମନିରପେକ୍ଷ ଦଳ ବୋଲି ଦାବି କରୁଥିଲେ ହେଁ ଭୋଟବ୍ୟାଙ୍କ ରାଜନୀତି ପାଇଁ ଅନେକ ସମୟରେ ସମାଲୋଚିତ ହୋଇଛି। ଏହି କାରଣରୁ ମଧ୍ୟ ଅନେକ ସମୟରେ ବିଭିନ୍ନ ବର୍ଗର ଭୋଟ ହରେଇ ଏବେ କାଙ୍ଗାଳ ଅବସ୍ଥାକୁ ଖସି ଆସିଛି। ଏହି ଦଳ ସମର୍ଥନ କରିବାରୁ ଭାରତ ବିଭାଜନ ହେଲା। ଏହି ଦଳ କ୍ଷମତାରେ ଥିଲାବେଳେ ୧୯୪୯ରେ ବାବ୍ରି ମସଜିଦରେ ରାମଙ୍କ ମୂର୍ତ୍ତି ସ୍ଥାପନ ହେଲା। ଏହି ଦଳ କ୍ଷମତାରେ ଥିଲାବେଳେ ୧୯୮୭ରେ ବିବାଦୀୟ ସ୍ଥଳରେ ହିନ୍ଦୁମାନଙ୍କୁ ପୂଜା ଅନୁମତି ଦିଆଗଲା। ପୁଣି ଏହି ଦଳ କ୍ଷମତା ଥିଲାବେଳେ ୧୯୯୨ରେ ବାବ୍ରି ମସଜିଦ ଭଙ୍ଗା ଗଲା। ଏ ଦଳ ଚାହିଁ ନଥିଲେ କ’ଣ ଏତେ କଥା ହୋଇପାରିଥାନ୍ତା? ଭୋଟ ପାଇଁ ଏହି ଦଳର ନରମ ହିନ୍ଦୁତ୍ୱ ନୀତି ଗ୍ରହଣ କରିଥାଏ ବୋଲି ଅନେକ ରାଜନୀତି ବିଶେଷଜ୍ଞ ମତ ଦିଅନ୍ତି। ସେହି ଭୋଟ ପାଇଁ ମଧ୍ୟ ଏହି ଦଳ ମୁସଲିମ ସନ୍ତୁଷ୍ଟୀକରଣ ନୀତି ଗ୍ରହଣ କରିବାର ଅନେକ ନଜୀର ରହିଛି। ୧୯୯୧ରେ ଏହି ଦଳର ନରସିଂହ ରାଓ ସରକାର ଆରମ୍ଭ କରିଥିବା ଆର୍ଥନୀତିକ ସଂସ୍କାରକୁ ଏବେକାର ମୋଦୀ ସରକାର ଅଧିକ ଦ୍ରୁତଗତିରେ ଆଗେଇ ନେଇ ଚାଲିଛନ୍ତି। ଏଭଳି ସ୍ଥଳେ ମହାରାଷ୍ଟ୍ରରେ ଯେଉଁ ବୁଝାମଣା ହେବ ତାହା ପରସ୍ପର ବିରୋଧୀଙ୍କ ମେଣ୍ଟ ବୋଲି କୁହାଯିବା ଅପେକ୍ଷା ଏହା ଶତ୍ରୁଙ୍କ ମଧ୍ୟରେ ସାମୟିକ ସନ୍ଧି ବୋଲି କୁହାଯିବା ଅଧିକ ଠିକ ହେବ। ପରେ ପୁଣି ବିକଳ୍ପ ସମ୍ଭାବନା ସୃଷ୍ଟି ହେଲେ ଏହି ସହଯୋଗୀମାନେ ଆଉ ଥରେ ଶତ୍ରୁ ହୋଇଯିବେ। ରାଜନୀତିରେ କେହି କାହାର ଚିର ଶତ୍ରୁ ନୁହେଁ କି ଚିର ମିତ୍ର ନୁହେଁ। ମହାରାଷ୍ଟ୍ରରେ ବିଜେପି, ଶିବସେନା, ଏନସିପି ଓ କଂଗ୍ରେସ ଏହି ଆପ୍ତବାକ୍ୟର ବାସ୍ତବତାକୁ ପୁଣି ଥରେ ପ୍ରମାଣିତ କରିଛନ୍ତି।

Related story