କରୋନା ସହିତ ଆର୍ଥିକ ସଂକଟ

ରବି ଦାସ ଓଡ଼ିଶାରେ କରୋନା ସଂକ୍ରମଣ ହାର ଦ୍ରୁତଗତିରେ ବୃଦ୍ଧି ପାଉଥିବା ସମୟରେ ରାଜ୍ୟର ଆର୍ଥିକ ସଂକଟ ଘନୀଭୂତ ହେବାରେ ଲାଗିଛି। ଆର୍ଥିକ ସଂକଟ ବଢ଼ିବାର ମୁଖ୍ୟକାରଣ ହେଲା ଯେ, ଜୁନ୍ ସୁଦ୍ଧା ରାଜ୍ୟର ରାଜସ୍ୱ ପ୍ରାୟ ଶତକଡ଼ା ୨୨.୯୪ ଭାଗ କମିଯାଇଛି। କେନ୍ଦ୍ର ସରକାର ଜିଏସ୍‌ଟି ବାବଦରେ ଗତବର୍ଷର ହଜାରେ କୋଟି ଟଙ୍କା ଦେଇନଥିବା ସମୟରେ ଚଳିତ ବର୍ଷ ପାଇଁ କିଛି ବି ଅର୍ଥ ଦେଇନାହାନ୍ତି। ନିଜର ରାଜସ୍ୱ ହ୍ରାସ ସହିତ କେନ୍ଦ୍ରୀୟ ଅନୁଦାନ ଓ […]

Rabi-Das

Subrat Kumar Nayak
  • Published: Saturday, 25 July 2020
  • , Updated: 25 July 2020, 07:09 PM IST

ରବି ଦାସ

ଓଡ଼ିଶାରେ କରୋନା ସଂକ୍ରମଣ ହାର ଦ୍ରୁତଗତିରେ ବୃଦ୍ଧି ପାଉଥିବା ସମୟରେ ରାଜ୍ୟର ଆର୍ଥିକ ସଂକଟ ଘନୀଭୂତ ହେବାରେ ଲାଗିଛି। ଆର୍ଥିକ ସଂକଟ ବଢ଼ିବାର ମୁଖ୍ୟକାରଣ ହେଲା ଯେ, ଜୁନ୍ ସୁଦ୍ଧା ରାଜ୍ୟର ରାଜସ୍ୱ ପ୍ରାୟ ଶତକଡ଼ା ୨୨.୯୪ ଭାଗ କମିଯାଇଛି। କେନ୍ଦ୍ର ସରକାର ଜିଏସ୍‌ଟି ବାବଦରେ ଗତବର୍ଷର ହଜାରେ କୋଟି ଟଙ୍କା ଦେଇନଥିବା ସମୟରେ ଚଳିତ ବର୍ଷ ପାଇଁ କିଛି ବି ଅର୍ଥ ଦେଇନାହାନ୍ତି। ନିଜର ରାଜସ୍ୱ ହ୍ରାସ ସହିତ କେନ୍ଦ୍ରୀୟ ଅନୁଦାନ ଓ ପ୍ରାପ୍ୟ କମିଯିବା କାରଣରୁ ରାଜ୍ୟ ଅର୍ଥନୀତିରେ ପ୍ରକୃତ ସଂକଟ ଦେଖାଦେଇଛି। କେବଳ କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ବର୍ତମାନ ସୁଦ୍ଧା ୧୯୧୨ କୋଟି ଟଙ୍କା ଖର୍ଚ୍ଚ କରିସାରିଲେଣି। ଏଥିରୁ ୬୨୪ କୋଟି ଟଙ୍କା ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ପାଣ୍ଠିରୁ ଦିଆଯାଇଥିବା ସମୟରେ ଅନ୍ୟ ଅର୍ଥ ଋଣ ମାଧ୍ୟମରେ ପୂରଣ ହୋଇଛି। ରାଜ୍ୟ ସରକାର ପରିସ୍ଥିତିକୁ ସମ୍ଭାଳିବା ପାଇଁ ବର୍ତମାନ ସୁଦ୍ଧା ୪୮୩୦ କୋଟି ଟଙ୍କାର ଋଣ ନେଇଛନ୍ତି। ସେଥିରୁ ୩ ହଜାର କୋଟି ଟଙ୍କା ଖୋଲା ବଜାରରୁ ନିଆଯାଇଥିବା ସମୟରେ ୧୮୦୦ କୋଟି ଟଙ୍କା ଓଡ଼ିଶା ମିିନେରାଲ ବିୟରିଂ ଏରିଆ ଉନ୍ନୟନ କର୍ପୋରେସନରୁ ଓ ବାକି ଅର୍ଥ ଖଣି ଅଂଚଳରୁ ବନୀକରଣ ପାଇଁ ଆସୁଥିବା କାମ୍ପା ପାଣ୍ଠିରୁ ନିଆଯାଇଛି।

ଏହା ସମସ୍ତେ ଜାଣନ୍ତି ଯେ, ଓଡ଼ିଶାରେ ଖଣି ଦୁର୍ନୀତି ନେଇ ଯେଉଁ ମାମଲା ଚାଲିଥିଲା ସେଥିରେ ସୁପ୍ରିମକୋର୍ଟ ପରିବେଶ ଆଇନ ଉଲ୍ଲଂଘନ କରି ଖଣି ଉତ୍ତୋଳନ କରିଥିବା କମ୍ପାନୀମାନଙ୍କ ଉପରେ ୧୦୦ ଭାଗ ଜୋରିମାନା ଧାର୍ଯ୍ୟ କରିଥିଲେ। ସେହି ଅର୍ଥରେ ଯେଉଁ କମ୍ପାନୀମାନେ ଅର୍ଥ ପଇଠ କରୁଛନ୍ତି ସେହି ଅର୍ଥ କିପରି ଖର୍ଚ୍ଚ ହେବ ତାହା ସୁପ୍ରିମକୋର୍ଟଙ୍କ ଆଦେଶରେ ରହିଛି। ତାହା ସତ୍ୱେ ଏବେ ସେହି ଅର୍ଥରୁ ଶତକଡ଼ା ୪ ଭାଗ ସୁଧରେ ଓ କାମ୍ପା ଅର୍ଥକୁ ମଧ୍ୟ ସେହି ହାର ସୁଧରେ ସରକାର ଋଣ କରୁଛନ୍ତି। ଯଦିଓ ରାଜ୍ୟ ବଜେଟରେ ଚଳିତ ବର୍ଷ ପ୍ରାୟ ୧୪ ହଜାର କୋଟି ଟଙ୍କାର ଋଣ ପାଇଁ ପ୍ରସ୍ତାବ ରହିଥିଲା ଯାହାକି ଫିସ୍କାଲ ରେସ୍‌ପନସିବିଲିଟି ଓ ବଜେଟ୍ ମ୍ୟାନେଜମେଂଟ (ଏଫଆରବିଏମ୍‌) ଆଇନ ଅନୁସାରେ ଧାର୍ଯ୍ୟ ହୋଇଥିଲା। ଏହି ଆଇନ ଅନୁସାରେ ରାଜ୍ୟ ସରକାର ରାଜ୍ୟ ଜିଡିପିର ଶତକଡ଼ା ତିନିଭାଗ ପର୍ଯ୍ୟନ୍ତ ଋଣ ନେଇପାରିବାର ବ୍ୟବସ୍ଥା ରହିଛି। କିନ୍ତୁ କେନ୍ଦ୍ର ସରକାର କରୋନା ଜନିତ ପରିସ୍ଥିତି ପାଇଁ ରାଜ୍ୟମାନେ ଏଫଆରବିମ୍ ଆଇନ ଅନୁସାରେ ଜିଡିପିର ଶତକଡ଼ା ତିନିଭାଗ ଋଣ ଉଠାଇବାର ଯେଉଁ ବ୍ୟବସ୍ଥା ଥିଲା ତାହାକୁ ଶତକଡ଼ା ୫ ଭାଗ ପର୍ଯ୍ୟନ୍ତ ନେଇଯିବା ପାଇଁ ଅନୁମତି ଦେଇଛନ୍ତି। କିନ୍ତୁ ରାଜ୍ୟ ସରକାର ଶତକଡ଼ା ୩.୫ ଭାଗ ଋଣ ଉଠାଇବା ପାଇଁ ସ୍ଥିର କରି ନିଜ ହାତରେ ଥିବା ଓଏମବିଏଡିସି ଓ କାମ୍ପା ପାଣ୍ଠିରୁ ଋଣ ନେଉଛନ୍ତି। ଏଥିପାଇଁ କେନ୍ଦ୍ର ଅନୁମତି ଦେଇଥିବା କୁହାଯାଉଛି।

ଅର୍ଥାତ ଏହିସବୁ ଅର୍ଥ ଯେଉଁ ବାବଦରେ ଖର୍ଚ୍ଚ ହେବା କଥା ତାହା କରାନଯାଇ କୋଭିଡ୍ ପରିଚାଳନାରେ ଖର୍ଚ୍ଚ ହେବ। ସାଧାରଣତଃ ଋଣ ହେଉଛି ଏକ ପୁଞ୍ଜି। ଏହି ପୁଞ୍ଜିକୁ ଠିକ୍ ଭାବରେ ବିନିଯୋଗ କରାନଗଲେ ତାହା ଉପରେ ରାଜ୍ୟ ଋଣ ପରିଶୋଧ କରିବା କଷ୍ଟକର ହୋଇଯିବ। ଅର୍ଥାତ ଋଣଭାର ବଢ଼ିବ ଅଥଚ ସେହି ଅନୁସାରେ ରାଜ୍ୟରେ ସମ୍ପତି ନଥିବ। ଏହିପରି ଏକ ବ୍ୟବସ୍ଥା ରାଜ୍ୟକୁ ଏକ ଋଣ ଯନ୍ତା ଭିତରକୁ ଠେଲିଦେବାର ପୂର୍ଣ୍ଣ ସମ୍ଭାବନା ରହିଛି। ରାଜ୍ୟର ଆର୍ଥିକ ଅବସ୍ଥାକୁ ଦେଖି ବଜେଟ୍‌ରେ ଅଣଅଗ୍ରାଧିକାର ଖର୍ଚ୍ଚଗୁଡ଼ିକୁ କାଂଟଛାଂଟ କରିଦେଇ କେବଳ ଅଗ୍ରାଧିକାର ଉଦ୍ୟୋଗରେ ଖର୍ଚ୍ଚ କରିବାର ସିଦ୍ଧାନ୍ତ ଯଥାର୍ଥ ହେଲେ ମଧ୍ୟ ନିଯୁକ୍ତି ବଜାର ଏହାଦ୍ୱାରା କେତେ କ୍ଷତିଗ୍ରସ୍ତହେବ ତାହାର ହିସାବ ହୋଇନାହିଁ। ବର୍ତମାନ ପାଇଁ ବେକାରୀ ବଢ଼ୁଥିବା ସତ୍ୱେ ସରକାର ଠିକା କର୍ମଚାରୀମାନଙ୍କର ଚାକିରି ବା ନିଯୁକ୍ତି କମାଇଦେବା ପାଇଁ ପଦକ୍ଷେପ ନେଲେଣି।

କରୋନା ଜନିତ ସମସ୍ୟା ଯୋଗୁ ଗରିବ ଶ୍ରେଣୀ ଯେପରି ଖାଦ୍ୟ ଅଭାବରେ ନପଡ଼ନ୍ତି ସେଥିପାଇଁ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଖାଦ୍ୟ ସୁରକ୍ଷା ଅଧୀନରେ ଥିବା ଗରିବ ଲୋକମାନଙ୍କୁ ନଭେମ୍ବର ମାସ ପର୍ଯ୍ୟନ୍ତ ମାଗଣା ରେସନ ଦେବାର କାର୍ଯ୍ୟକ୍ରମ ଘୋଷଣା କରିବା ପରେ ଓଡ଼ିଶା ସରକାର ମଧ୍ୟ ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନରେ ଅନ୍ତର୍ଭୁକ୍ତ ହୋଇଥିବା ପ୍ରାୟ ୧୦ ଲକ୍ଷ ପରିବାରକୁ ନଭେମ୍ବର ପର୍ଯ୍ୟନ୍ତ ମାଗଣା ରେସନ ପାଇଁ ବ୍ୟବସ୍ଥା କରିଛନ୍ତି। ମନରେଗା କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ଅଧିକାଂଶ ପ୍ରବାସୀ ଶ୍ରମିକ ଏହି ଯୋଜନା ଦ୍ୱାରା ଉପକୃତ ହୋଇପାରିନାହାନ୍ତି। କାରଣ ମନରେଗା ଯୋଜନାରେ କାମ କରିବାକୁ ଆଗ୍ରହୀ ନଥିବା ଲୋକମାନେ ହିଁ ପ୍ରବାସୀ ଶ୍ରମିକଭାବରେ ବାହାର ରାଜ୍ୟକୁ ଯାଉଛନ୍ତି। ଏହାଛଡ଼ା ମନରେଗାରେ ଯେଉଁ ମଜୁରି ମିଳୁଛି ତାହା ପ୍ରକୃତରେ ବଜାର ଦରଠାରୁ କମ୍। ପ୍ରବାସୀ ଶ୍ରମିକମାନଙ୍କ ପାଇଁ ସେମାନଙ୍କର କର୍ମଦକ୍ଷତା ଅନୁସାରେ ଓଡ଼ିଶାର ବିଭିନ୍ନ ଅଂଚଳରେ କ୍ଷୁଦ୍ର ଓ ମଧ୍ୟମ ଧରଣର ଶିଳ୍ପ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେବା ଉଚିତ ଥିଲା। କାରଣ ଏଥିପାଇଁ ବ୍ୟାଙ୍କମାନଙ୍କରେ ପୁଞ୍ଜିର ଅଭାବ ନାହିଁ। ରାଜ୍ୟ ସରକାର ମଧ୍ୟ ଯେଉଁ ଋଣ କରୁଛନ୍ତି ସେଥିରୁ କିଛି ଅଂଶ ଏହି କ୍ଷେତ୍ରକୁ ଦେଇପାରିବେ।

ଏବେ ସମସ୍ତ ବିଶେଷଜ୍ଞ ଓ ଅର୍ଥନୀତିଜ୍ଞମାନେ ମତଦେଲେଣି ଯେ, ଜାତୀୟସ୍ତରରେ ମୋଟ୍ ଜାତୀୟ ଉତ୍ପାଦନ ଯେଉଁ ହାରରେ କମିବ ଓଡ଼ିଶାରେ ତାହାଠାରୁ ଅଧିକ କମିବ। ଅର୍ଥାତ ଅଧିକାଂଶ ହିସାବ କରୁଛନ୍ତି ଯେ, ଚଳିତ ଆର୍ଥିକ ବର୍ଷର ପ୍ରଥମ ତିନିମାସରେ ଯେଉଁ ସୂଚନା ଆସିଛି ଓ ଆଗକୁ ଯାହା ହେବାର ସମ୍ଭାବନା ଅଛି ସେଥିରେ ରାଜ୍ୟର ଜିଡିପି ଅତି କମ୍‌ରେ ଶତକଡ଼ା ୧୫ ଭାଗରୁ ୨୫ ଭାଗ ପର୍ଯ୍ୟନ୍ତ କମିଯିବ। ରାଜ୍ୟ ଜିଡିପିର ଶତକଡ଼ା ୧୫ରୁ ୧୭ଭାଗ ପର୍ଯ୍ୟନ୍ତ ଆସୁଥିବା କୃଷି କ୍ଷେତ୍ରରେ କୌଣସି ସଂକଟ ନଥିଲେ ମଧ୍ୟ ମାନୁଫେକ୍‌ଚରିଂ ଓ ସେବା ଉଦ୍ୟୋଗରେ ଉତ୍ପାଦନ ଯଥେଷ୍ଟ ହ୍ରାସ ପାଇବ। ରାଜ୍ୟ ସରକାର ଓଡ଼ିଶାରେ ପର୍ଯ୍ୟଟନ ବିକାଶ ପାଇଁ ଗତବର୍ଷ ଯେଉଁ ପ୍ରକ୍ରିୟା ଆରମ୍ଭ କରିଥିଲେ ତାହା କୌଣସି ଠାରେ ଫଳପ୍ରଦ ହୋଇପାରିବ ନାହିଁ। ରାଜ୍ୟର ଅଧିକାଂଶ ହୋଟେଲ, ରେଷ୍ଟୁରାଂଟ, ପର୍ଯ୍ୟଟନଶିଳ୍ପ, ଟ୍ୟାକ୍ସି, ପରିବହନ କ୍ଷେତ୍ର, ଯେଉଁ ପରିମାଣରେ ବନ୍ଦ ହୋଇଯାଇଛି ବା ହ୍ରାସ ପାଇଛି ସେଥିରେ ଦୁର୍ଗାପୂଜା ପୂର୍ବରୁ ବଦଳିବାର ସମ୍ଭାବନା ନାହିଁ। ଏହି ଆର୍ଥିକ କ୍ଷତି ସରକାରଙ୍କ ରାଜସ୍ୱ ଉପରେ ପଡ଼ିବା ସ୍ୱାଭାବିକ।

ଏପରି ଅବସ୍ଥାରେ ରାଜସ୍ୱ ବୃଦ୍ଧି ପାଇଁ ସରକାର କୌଣସି ନୂଆ କୌଶଳ କରିପାରୁନାହାନ୍ତି। ରାଜ୍ୟର ଶିଳ୍ପ ବିଭାଗ ପୂରାମାତ୍ରାରେ ବିନିଯୋଗ ପାଇଁ ବାହାର ଉଦ୍ୟୋଗୀମାନଙ୍କ ଉପରେ ନିର୍ଭର କରୁଛନ୍ତି। କିନ୍ତୁ ରାଜ୍ୟ ଭିତରୁ ଉଦ୍ୟୋଗୀମାନଙ୍କ ଜରିଆରେ ଏବଂ ବ୍ୟାଙ୍କ ସହାୟତାରେ କି କି ପ୍ରକାର କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ହୋଇପାରିବ ସେଦିଗରେ ଯଥେଷ୍ଟ ଧ୍ୟାନ ଦିଆଯାଉନାହିଁ। ରାଜ୍ୟ ଅର୍ଥନୀତିରେ ପ୍ରାୟ ଶତକଡ଼ା ୧୬ ଭାଗ ରପ୍ତାନୀ କ୍ଷେତ୍ରରୁ ଆସୁଛି। ବିଶେଷ ଭାବରେ ଖଣିଜ ପଦାର୍ଥ, ସାମୁଦ୍ରିକ ମତ୍ସ୍ୟ ଓ ଆଇଟି ଜରିଆରେ କରାଯାଉଥିବା ରପ୍ତାନୀଗୁଡ଼ିକ ଭିତରୁ ପ୍ରଥମ ଦୁଇଟି ଏବେ କ୍ଷତିଗ୍ରସ୍ତ ହୋଇଛି। ବିଶ୍ୱ ବଜାରରେ ଚାହିଦା କମିଥିବା ହେତୁ ଖଣିଜ ପଦାର୍ଥ ଓ ଚିଙ୍ଗୁଡ଼ି ପ୍ରଭୃତି ରପ୍ତାନୀ ନିଶ୍ଚିତ ହ୍ରାସ ପାଇଛି।

କରୋନା ଜନିତ ସମସ୍ୟା ରାଜ୍ୟ ଅର୍ଥନୀତିକୁ ଏପରି ଅବସ୍ଥାକୁ ନେଉଛି ଯେଉଁଠାରୁ ମୁକୁଳିବା ପାଇଁ ରାଜ୍ୟକୁ ଆଗୁଆ ଯୋଜନା କରିବାକୁ ପଡ଼ିବ। କରୋନା ପରୀକ୍ଷଣ ହାର ବଢ଼ିବା ଫଳରେ ସଂକ୍ରମିତଙ୍କ ସଂଖ୍ୟା ଯେପରି ବଢ଼ୁଛି ସେଥିରେ ଓଡ଼ିଶାରେ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ ବୋଲି ଯୁକ୍ତି କରିବାର କୌଣସି କାରଣ ନାହିଁ। ଗଞ୍ଜାମ ସହିତ ଖୋର୍ଦ୍ଧା ଓ ଅନେକ ଜିଲ୍ଲାରେ ସଂକ୍ରମଣକୁ ଦେଖିଲେ ଓଡ଼ିଶାରେ ଦିଲ୍ଲୀ ପରି ଅବସ୍ଥା ହୁଏତ ସୃଷ୍ଟିହେବ। ଅର୍ଥାତ୍ ଅନେକ ଲୋକ ବାହାରକୁ କରୋନାର କୌଣସି ଲକ୍ଷଣ ନଥାଇ ମଧ୍ୟ କରୋନା ସଂକ୍ରମିତ ହୋଇଥିବେ, ଯାହାଫଳରେ ସେମାନଙ୍କ ଭିତରେ ରୋଗ ପ୍ରତିରୋଧକ ଶକ୍ତି ଜାଗ୍ରତ ହେବ। ଦିଲ୍ଲୀରେ ପ୍ରାୟ ୨୩ ଭାଗ ଲୋକଙ୍କର ଏହି ଅବସ୍ଥା ହୋଇଥିବା ସଦ୍ୟତମ ସର୍ଭେରୁ ଜଣାପଡ଼ିଛି। ଅର୍ଥାତ ସେଠାରେ ଶତକଡ଼ା ୭୭ ପ୍ରତିଶତ ଲୋକ ସଂକ୍ରମିତ ହେବାର ଆଶଙ୍କା ରହିଛି। କିନ୍ତୁ ଲୋକମାନଙ୍କ ଭିତରେ ରୋଗ ପ୍ରତିରୋଧକ ଶକ୍ତି ଜାଗ୍ରତ ହେବା ଫଳରେ ଦିଲ୍ଲୀରେ ଦୈନିକ ସଂକ୍ରମିତ ହାର ଏବେ ଦ୍ରୁତଗତିରେ ହ୍ରାସ ପାଇବାରେ ଲାଗିଛି। ଓଡ଼ିଶାରେ ଏହି ସ୍ଥିତି କେବେ ଆସିବ ତାହା କହିହେବ ନାହିଁ। ଏହି ସ୍ଥିତି ଆସିଲେ ହିଁ ରାଜ୍ୟରେ ସ୍ୱାଭାବିକ ଆର୍ଥିକ କାରବାର ପାଇଁ ପରିବେଶ ସୃଷ୍ଟିହେବ ଓ ଲୋକମାନଙ୍କର ବିଶ୍ୱାସ ମଧ୍ୟ ଆସିବ।

କରୋନା ଟିକା ଚଳିତ ବର୍ଷ ଶେଷ ମାସରେ ବା ଆସନ୍ତାବର୍ଷ ଆସିଲେ ମଧ୍ୟ ସମସ୍ତଙ୍କୁ ଟିକାକରଣ କରିବା ପାଇଁ ପ୍ରାୟ ଦୁଇବର୍ଷରୁ ଊର୍ଦ୍ଧ୍ୱ ସମୟ ଲାଗିବ। ସେପର୍ଯ୍ୟନ୍ତ ଜନସାଧାରଣ କରୋନା ସହିତ ଚଳିବାକୁ ପଡ଼ିବ। ଏଥିପାଇଁ ନୂଆ ସାମାଜିକ ବ୍ୟବସ୍ଥା ଓ କାର୍ଯ୍ୟକଳାପ ନେଇ ଭଲଭାବରେ ଲୋକମାନଙ୍କୁ ଘରେ ଘରେ ସଚେତନ କରିବାକୁ ପଡ଼ିବ। ଖାଲି ହାତ ଧୋଇବାକୁ ବା ମାସ୍କ ପିନ୍ଧିବା ପାଇଁ ଓ କିପରି ମାସ୍କ ପିନ୍ଧାଯିବ ତାହା ଜଣାଇବା ପାଇଁ ସବୁସ୍ତରରେ ଅଭିଯାନର ଆବଶ୍ୟକତା ରହିଛି। ସବୁଘରେ ସମସ୍ତେ ଯେତେଥର ବାହାରକୁ ଯିବେ ଓ ଯେତେଥର ଘରକୁ ଫେରିବେ ସାବୁନରେ ହାତ ଧୋଇବା ଆବଶ୍ୟକ ଥିଲେ ମଧ୍ୟ ସବୁ ପରିବାର ଏହା କରିପାରିବେ କି? ଏଥିପାଇଁ ପ୍ରତ୍ୟେକ ଗରିବ ପରିବାରକୁ ବା ଲୋକଙ୍କୁ ସାବୁନ ଯୋଗାଇବାକୁ ପଡ଼ିବ। ଖାଲି ସାବୁନ ଯୋଗାଇଦେଲେ ହେବ ନାହିଁ, ହାତ ଧୋଇବା ପାଇଁ ପ୍ରତି ପରିବାରରେ ପାଣି ଅଛି କି ନାହିଁ, ତାହା ମଧ୍ୟ ଦେଖିବାକୁ ପଡ଼ିବ। କିନ୍ତୁ ଏହି ବ୍ୟବସ୍ଥାରେ ମାସ୍କ ପିନ୍ଧି, ସାମାଜିକ ଦୂରତା ରକ୍ଷାକରି ଯଦି ଜଣେ ପ୍ରତିଥର ବାହାରକୁ ଗଲେ ବା ଫେରିଲେ ହାତଧୋଇବାର ଅଭ୍ୟାସ କରିବ ତେବେ କରୋନାକୁ ସହଜରେ ମୁକାବିଲା କରିହେବ। କିନ୍ତୁ ଅର୍ଥନୈତିକ କାର୍ଯ୍ୟକଳାପ କରିବାକୁ ହେଲେ, ନିର୍ମାଣ କ୍ଷେତ୍ରକୁ ଚଳଚଂଚଳ କରିବାକୁ ହେଲେ ଏବଂ ସର୍ବୋପରି ଛାତ୍ରଛାତ୍ରୀମାନଙ୍କୁ ବିଦ୍ୟାଳୟକୁ ଆଣିବାକୁ ହେଲେ ସାଧାରଣ ପରିବାର ପାଇଁ କରୋନାକୁ ଦୃଷ୍ଟିରେ ରଖି ଏକ ନୂଆ ପ୍ରକାର ଜୀବନ ପ୍ରଣାଳୀ କରିବା ସହଜ କଥା ନୁହେଁ।

କିନ୍ତୁ ପରିସ୍ଥିତି ସ୍ୱାଭାବିକ ହେଲା ପର୍ଯ୍ୟନ୍ତ କେନ୍ଦ୍ର ଓ ରାଜ୍ୟକୁ ଲୋକମାନଙ୍କର କ୍ରୟଶକ୍ତି ବଢ଼ାଇବା ପାଇଁ ସବୁବେଳେ କାର୍ଯ୍ୟକ୍ରମ ଓ ଯୋଜନା କରିବାକୁ ପଡ଼ିବ। ଏଥିପାଇଁ ରାଜ୍ୟର ସମ୍ବଳ ଆବଶ୍ୟକ, ଯାହା ଏବେ ରାଜ୍ୟ ପାଖରେ ନାହିଁ। ଏହି ସଂକଳ୍ପ ପରେ ରାଜ୍ୟର ସ୍ଥିତିକୁ ଦେଖି କ’ଣ କରାଯିବା ଆବଶ୍ୟକ ଓ କିପରି ତାହା ହାସଲ ହେବ ସେଥିପାଇଁ ରାଜ୍ୟ ସରକାର ବା ମୁଖ୍ୟମନ୍ତ୍ରୀ ସିଧାସଳଖ ଭାବରେ ବିଶେଷଜ୍ଞମାନଙ୍କୁ ନେଇ ପରାମର୍ଶଦାତା ପରିଷଦ ଗଢ଼ିବା ଉଚିତ ଓ କରୋନା ସଂକଟ ଶେଷ ନହେବା ପର୍ଯ୍ୟନ୍ତ ଏହି ପରାମର୍ଶଦାତା ପରିଷଦ ପ୍ରତି ସପ୍ତାହରେ ଘରେ ଭିଡିଓ କନଫରେନ୍ସିଂ ଜରିଆରେ ସେମାନଙ୍କ ପରାମର୍ଶ ଲିପିବଦ୍ଧ କରିବା ଉଚିତ। ରାଜ୍ୟ ଯୋଜନା ବୋର୍ଡକୁ ପୁର୍ନଗଠିତ କରି ତାହାକୁ ମଧ୍ୟ ପରାମର୍ଶଦାତା ପରିଷଦ ଭାବରେ ରଖାଯାଇପାରିବ। କିନ୍ତୁ କେବଳ ଗତାନୁଗତିକ ଧାରାରେ ପ୍ରଶାସନିକ ଅଧିକାରୀମାନଙ୍କ ଦ୍ୱାରା କରୋନା ସଂକଟ ଓ ଆର୍ଥିକ ସଂକଟକୁ ମୁକାବିଲା କରାଯାଇପାରିବ ବୋଲି ଭାବିବା ଭୁଲ ହେବ। ରାଜ୍ୟ ସେହି ଭୁଲ୍ ରାସ୍ତାରେ ହିଁ ଚାଲିଛି।

ବରିଷ୍ଠ ସାମ୍ବାଦିକ
ମୋ- ୯୪୩୭୪୦୪୪୫୫

Related story