ପଛୁଆବର୍ଗ ସଂରକ୍ଷଣ ନେଇ ବିଳମ୍ବରେ ରାଜନୀତି

ରବି ଦାସ ଓଡ଼ିଶାରେ ପଛୁଆବର୍ଗଙ୍କ ପାଇଁ ମଣ୍ଡଳ କମିଶନ ସୁପାରିଶ ଆଧାରରେ ସାରା ଦେଶରେ କାର୍ଯ୍ୟକାରୀ ହୋଇଥିବା ୨୭ ପ୍ରତିଶତ ସଂରକ୍ଷଣ କାହିଁକି ଓଡ଼ିଶାରେ କାର୍ଯ୍ୟକାରୀ କରାଯାଇନାହିଁ ସେ ସଂପର୍କରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କୁ ବା ମୁଖ୍ୟମନ୍ତ୍ରୀଙ୍କୁ ବାରମ୍ବାର ବିଭିନ୍ନ ତଥ୍ୟ ସହ ଚିଠି ଲେଖିବା ପରେ ଓଡ଼ିଶାରେ ପଛୁଆବର୍ଗ ସଂରକ୍ଷଣ ରାଜନୀତି ଆରମ୍ଭ ହୋଇଛି। ଭି.ପି. ସିଂହଙ୍କ ସରକାର ମଣ୍ଡଳ କମିଶନ ସୁପାରିଶକୁ କାର୍ଯ୍ୟକାରୀ କରି ଯେଉଁ ଆଦେଶ ୧୯୯୦ ମସିହାରେ ପ୍ରଦାନ […]

obc

Debendra Prusty
  • Published: Friday, 05 March 2021
  • , Updated: 05 March 2021, 04:38 PM IST

ରବି ଦାସ

ଓଡ଼ିଶାରେ ପଛୁଆବର୍ଗଙ୍କ ପାଇଁ ମଣ୍ଡଳ କମିଶନ ସୁପାରିଶ ଆଧାରରେ ସାରା ଦେଶରେ କାର୍ଯ୍ୟକାରୀ ହୋଇଥିବା ୨୭ ପ୍ରତିଶତ ସଂରକ୍ଷଣ କାହିଁକି ଓଡ଼ିଶାରେ କାର୍ଯ୍ୟକାରୀ କରାଯାଇନାହିଁ ସେ ସଂପର୍କରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କୁ ବା ମୁଖ୍ୟମନ୍ତ୍ରୀଙ୍କୁ ବାରମ୍ବାର ବିଭିନ୍ନ ତଥ୍ୟ ସହ ଚିଠି ଲେଖିବା ପରେ ଓଡ଼ିଶାରେ ପଛୁଆବର୍ଗ ସଂରକ୍ଷଣ ରାଜନୀତି ଆରମ୍ଭ ହୋଇଛି। ଭି.ପି. ସିଂହଙ୍କ ସରକାର ମଣ୍ଡଳ କମିଶନ ସୁପାରିଶକୁ କାର୍ଯ୍ୟକାରୀ କରି ଯେଉଁ ଆଦେଶ ୧୯୯୦ ମସିହାରେ ପ୍ରଦାନ କରିଥିଲେ ତାହାକୁ ସୁପ୍ରିମକୋର୍ଟର ସାମ୍ବିଧାନିକ ବେଂଚ ୧୯୯୩ରେ ବୈଧ ଘୋଷଣା କରିଥିଲେ। ସୁପ୍ରିମକୋର୍ଟର ତତ୍କାଳୀନ ପ୍ରଧାନ ବିଚାରପତି ସ୍ୱର୍ଗତଃ ଜଷ୍ଟିସ ରଙ୍ଗନାଥ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ସାମ୍ବିଧାନିକ ବେଂଚ ସମ୍ବିଧାନର ଆଧାର ଉପରେ ପଛୁଆ ଜାତିମାନଙ୍କ ପାଇଁ ୨୭% ସ୍ଥାନ ସଂରକ୍ଷଣ ସଂପୂର୍ଣ୍ଣ ଯୁକ୍ତିଯୁକ୍ତ ବୋଲି ମତ ଦେବା ସହିତ ମୋଟ ସଂରକ୍ଷଣ ସୀମା ଶତକଡ଼ା ୫୦ ଭାଗରୁ ଅଧିକ ହେବ ନାହିଁ ବୋଲି ମତ ଦେଇଥିଲେ। ଯେହେତୁ ଭାରତରେ ମୋଟ ଲୋକସଂଖ୍ୟାର ଶତକଡ଼ା ୨୨ ଭାଗ ଦଳିତ ଓ ଆଦିବାସୀ ଅଛନ୍ତି ସେହେତୁ ପଛୁଆବର୍ଗ ପାଇଁ ୨୭% ସ୍ଥାନ ସଂରକ୍ଷଣରେ କୌଣସି ଅସୁବିଧା ନାହିଁ ବୋଲି କୁହାଯାଇଥିଲା। ଏଥିରେ ଆହୁରି ମଧ୍ୟ କୁହାଯାଇଥିଲା ଯେ, ଶତକଡ଼ା ୫୦ ଭାଗ ସଂରକ୍ଷଣ ସୀମା ଅତିକ୍ରମ କରିବାକୁ ହେଲେ ସଂପୃକ୍ତ ରାଜ୍ୟକୁ ଏଥିପାଇଁ ବିଶେଷ ପରିସ୍ଥିତି କ’ଣ ରହିଛି ତାହା ଦର୍ଶାଇବାକୁ ପଡ଼ିବ।

କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କ ରାୟ ପରେ ସରକାରୀ ଚାକିରି ଓ କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନମାନଙ୍କରେ ଶତକଡ଼ା ୨୭ ଭାଗ ସ୍ଥାନ ସଂରକ୍ଷଣ ରଖିଲେ। କିନ୍ତୁ ଓଡ଼ିଶାରେ ଯେହେତୁ ଆଦିବାସୀ ଓ ଦଳିତମାନଙ୍କର ଲୋକସଂଖ୍ୟା ଶତକଡ଼ା ୩୮.୫ ଭାଗ ଅଛି ସେହେତୁ ଓଡ଼ିଶାରେ ୨୭ ଭାଗ ସ୍ଥାନ ସଂରକ୍ଷଣ ଶତକଡ଼ା ୫୦ ସୀମାକୁ ଅତି ସହଜରେ ଅତିକ୍ରାନ୍ତ କରିଯାଉଛି। ସେତେବେଳେ ଓଡ଼ିଶାରେ କ୍ଷମତାରେ ଥିବା ବିଜୁ ପଟ୍ଟନାୟକଙ୍କ ସରକାର ଉପରେ ଚାପ ସୃଷ୍ଟିହେବା ପରେ ସେ ଓଡ଼ିଶାରେ ପଛୁଆବର୍ଗରେ କେଉଁ ଜାତି ରହିବେ ଓ କେଉଁ ଜାତି ବାଦ୍ ପଡ଼ିବେ ସେଥିପାଇଁ ସ୍ୱର୍ଗତଃ ନବକୁମାର ଦାସଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିଥିଲେ ମଧ୍ୟ ସୁପ୍ରିମକୋର୍ଟର ରାୟ ପରିପ୍ରେକ୍ଷୀରେ ଓଡ଼ିଶାରେ ମୋଟ ସଂରକ୍ଷଣ ସୀମା ୫୦ ଭାଗକୁ ଅତିକ୍ରମ କରି ୬୫ ଭାଗରେ ପହଁଚିବା ପାଇଁ କ’ଣ ଯଥାର୍ଥ କାରଣ ଓ ବିଶେଷ ପରିସ୍ଥିତି ରହିଛି ତାହାର ତଥ୍ୟକୁ ଠିକ୍ ଭାବରେ ପ୍ରସ୍ତୁତ ନକରି ସରକାରୀ ଆଦେଶ ବଳରେ ୨୭ ଭାଗ ସ୍ଥାନ ସଂରକ୍ଷଣ ବିଷୟରେ ଏକ ନିଷ୍ପତି ନେଇଥିଲେ। କିନ୍ତୁ ଏହି ଆଧାର ଉପରେ ଯେତେବେଳେ ସରକାରୀ ଚାକିରି ହେବେ ବା ସର୍ଭିସ୍ ରିକ୍ୟୃଟମେଂଟରେ ଏହି ଧାରାକୁ ପ୍ରୟୋଗ କରାଗଲା ସେତେବେଳେ ଏହା ଉପରେ ଓଡ଼ିଶା ପ୍ରଶାସନିକ ଟ୍ରିବ୍ୟୁନାଲରେ ଚ୍ୟାଲେଞ୍ଜ କରାଗଲା। ସରକାଙ୍କ ଓକିଲ ସୁପ୍ରିମକୋର୍ଟର ରାୟ ପରିପ୍ରେକ୍ଷୀରେ ଏଥିପାଇଁ ୨୭% ସ୍ଥାନ ସଂରକ୍ଷଣ ପାଇଁ ଓଡ଼ିଶାରେ କି ବିଶେଷ ପରିସ୍ଥିତି ରହିଛି ତାହାକୁ ତଥ୍ୟ ସହିତ ଉପସ୍ଥାପିତ କରିପାରିଲେ ନାହିଁ। ଫଳରେ ଟ୍ରିବୁନାଲ ଓଡ଼ିଶା ସରକାରଙ୍କ ଆଦେଶକୁ ଅକାମୀ କରିଦେଇଥିଲା। ୧୯୯୫ରୁ ୨୦୦୦ ଭିତରେ କଂଗ୍ରେସ ସରକାର ଟ୍ରିବୁନାଲ ଓ ହାଇକୋର୍ଟ ମାମଲା ଆଳରେ ଏହାକୁ କାର୍ଯ୍ୟକାରୀ କଲେନାହିଁ। ଏପରିକି ଶିକ୍ଷା କ୍ଷେତ୍ରରେ ଆଦୌ ସଂରକ୍ଷଣ ବ୍ୟବସ୍ଥା ରାଜ୍ୟରେ କାର୍ଯ୍ୟକାରୀ ହୋଇନଥିଲା। ନବୀନ ପଟ୍ଟନାୟକଙ୍କ ସରକାର ଉପରେ ଏ କ୍ଷେତ୍ରରେ ଚାପ ସୃଷ୍ଟିହେବା ଫଳରେ ପଂଚାୟତ ଓ ପୌର ବ୍ୟବସ୍ଥାରେ ଶତକଡ଼ା ୨୭ ଭାଗ ସଂରକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ କରାଗଲା। କିନ୍ତୁ ହାଇକୋର୍ଟଙ୍କ ରାୟ ପରେ ସରକାରୀ ଚାକିରିରେ ପଛୁଆବର୍ଗ ସଂରକ୍ଷଣ ଥିବାକୁ ଶତକଡ଼ା ୫୦ ସୀମା ଭିତରେ ରଖିବା ପାଇଁ ସେମାନଙ୍କ ପାଇଁ ମାତ୍ର ଶତକଡ଼ା ୧୧ ଭାଗ ସଂରକ୍ଷଣ କରାଗଲା। ଏଥିରେ ପଛୁଆବର୍ଗ ଲୋକମାନଙ୍କର ବିଶେଷ କ୍ଷତି ହୋଇଥିଲେ ମଧ୍ୟ ସେମାନଙ୍କ ପକ୍ଷରୁ ଏଥିପାଇଁ ବିଶେଷ ଆନ୍ଦୋଳନ ହୋଇନଥିଲା।

ପୌର ନିର୍ବାଚନରେ ପଛୁଆବର୍ଗଙ୍କ ପାଇଁ ସ୍ଥାନ ସଂରକ୍ଷଣ ଘଟଣା ମାମଲାରେ ହାଇକୋର୍ଟ ସଂରକ୍ଷଣ ସୀମା ୫୦ ଭାଗରୁ ଅଧିକ ପାଇଁ ଅନୁମତି ଦେବା ସମ୍ଭବ ନୁହେଁ ବୋଲି ସ୍ପଷ୍ଟଭାବେ ଜଣାଇଦେବା ପରେ ଓଡ଼ିଶାରେ ଗତ ଦୁଇବର୍ଷ ହେଲା ପୌରପରିଷଦ ବା ମହାନଗର ନିଗମ ନିର୍ବାଚନ କରାନଯାଇ ସେହିସବୁ ସ୍ଥାନରେ ଅଫିସରମାନେ ପୌର ଶାସନକୁ ପରିଚାଳନା କରୁଛନ୍ତି। କିନ୍ତୁ ସାମ୍ବିଧାନିକ ନିର୍ଦ୍ଦେଶ ମୁତାବକ ପ୍ରତି ପାଂଚ ବର୍ଷରେ ଥରେ ପୌର ପରିଷଦ ନିର୍ବାଚନ କରାଯିବା ଜରୁରୀ। କିନ୍ତୁ ସଂରକ୍ଷଣ ଜନିତ ଜଟିଳତାକୁ ଆଳକରି ପୌର ନିର୍ବାଚନ ଗଡ଼ାଇ ଦିଆଯାଉଥିବା ସମୟରେ ଓଡ଼ିଶାରେ ପଛୁଆବର୍ଗଙ୍କ ଶିକ୍ଷା ଓ ସାମାଜିକ ସ୍ଥିତି ବିଷୟରେ ତଥ୍ୟ ସଂଗ୍ରହ କରିବା ପାଇଁ ଓଡ଼ିଶା ସରକାର ଏକ ପଛୁଆବର୍ଗ କମିଶନ ଗଠନ କରିଛନ୍ତି। କେନ୍ଦ୍ରରେ ଏଭଳି ଏକ କମିଶନ ଥିଲେ ମଧ୍ୟ ଓଡ଼ିଶାରେ ଏହା କରାଯାଇନଥିଲା। କିନ୍ତୁ ସାରା ଦେଶରେ ଏବଂ ବିଭିନ୍ନ ରାଜ୍ୟରେ ପଛୁଆବର୍ଗଙ୍କ ପାଇଁ ଯେଉଁ ସ୍ଥାନ ସଂରକ୍ଷଣ କରାଯାଇଛି ତାହା ୧୯୩୧ର ଜନଗଣନାକୁ ଭିତ୍ତିକରି କରାଯାଇଛି। କାରଣ ସେହିବର୍ଷ ଠାରୁ ଦେଶରେ ଜାତିଭିତ୍ତିକ ଜନଗଣନା ହୋଇନାହିଁ। ୨୦୧୧ ଜନଗଣନାରେ ଏହା କରାଯାଇଥିଲେ ମଧ୍ୟ ତାହା ସାଧାରଣରେ ପ୍ରକାଶ କରାଯାଇନାହିଁ।

ଏପରି ସ୍ଥିତିରେ ୧୯୩୧ରେ ଜନଗଣନା ଭିତ୍ତିରେ ବିଚାର କଲେ ଓଡ଼ିଶାରେ ନବକୁମାର ଦାସଙ୍କ କମିଶନଙ୍କ ସୁପାରିଶ ଆଧାରରେ ଯଦି ଚଷା-ଖଣ୍ଡାୟତ ପଛୁଆବର୍ଗରେ ସାମିଲ କରାଯାଉଛି ତେବେ ଓଡ଼ିଶାରେ ଏମାନଙ୍କ ସଂଖ୍ୟା ଶତକଡ଼ା ୫୪ ଭାଗ ହେଉଛି। କିନ୍ତୁ ଏତେବଡ଼ ଶ୍ରେଣୀ ପ୍ରତି କ୍ରମାଗତ ଭାବରେ ଅବିଚାର କରାଯାଉଥିଲେ ମଧ୍ୟ ସେହି ଶ୍ରେଣୀ ଯେପରି ଭାବରେ ଏହାର ପ୍ରତିବାଦ ଓ ଆନ୍ଦୋଳନ ଓଡ଼ିଶାରେ କରିବା କଥା ତାହା କରିନାହାନ୍ତି। ତାହାର ମୁଖ୍ୟକାରଣ ହେଲା ଯେ, ଖଣ୍ଡାୟତମାନେ ପଛୁଆବର୍ଗରେ ଅନ୍ତର୍ଭୁକ୍ତ ହେଲା ପରେ ସେହିମାନେ ହିଁ ପଛୁଆବର୍ଗର ନେତୃତ୍ୱ ନେଉଛନ୍ତି। ଓଡ଼ିଶା ରାଜନୀତିରେ ସଂରକ୍ଷଣ ବ୍ୟବସ୍ଥା ଥାଉ ବା ନଥାଉ ଏମାନେ ରାଜ୍ୟରେ ଅବହେଳିତ ଶ୍ରେଣୀ ବୋଲି ନିଜକୁ ବିଚାର କରୁନାହାନ୍ତି। କାରଣ ଓଡ଼ିଶାରେ ବିଜୁ ପଟ୍ଟନାୟକ ସରକାର ହେଉ ବା ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସରକାର ହେଉ ବା ନବୀନ ପଟ୍ଟନାୟକଙ୍କ ସରକାର ହେଉ ସବୁ ଦଳରେ ଏହି ଶ୍ରେଣୀର ଲୋକମାନେ ଅଣସଂରକ୍ଷିତ ଆସନରେ ସର୍ବାଧିକ ସ୍ଥାନରେ ଅଛନ୍ତି। ବିଧାନସଭାରେ ସବୁଦଳରେ ଏମାନଙ୍କ ସଂଖ୍ୟା ଅନ୍ୟମାନଙ୍କ ଠାରୁ ଯଥେଷ୍ଟ ଅଧିକ। ସେହି ଦୃଷ୍ଟିରୁ ଏକ ଅବହେଳିତ ଶ୍ରେଣୀ ଭାବରେ ସେମାନେ ସାମ୍ବିଧାନିକ ଅଧିକାର ପାଇଁ ଯେଉଁ ଲଢ଼େଇ ହେବା କଥା ତାହା ଓଡ଼ିଶାରେ ହେଉନାହିଁ। ବାସ୍ତବରେ ମଣ୍ଡଳ କମିଶନ ସୁପାରିଶ ବିରୋଧରେ ଯେତେବେଳେ ଓଡ଼ିଶାରେ ଆନ୍ଦୋଳନ ହେଉଥିଲା ଏହି ଶ୍ରେଣୀର ଲୋକମାନେ ଅନେକ ଜାଗାରେ ସେମାନଙ୍କ ନେତୃତ୍ୱ ନେଇଥିଲେ। ଏମାନଙ୍କ ଛଡ଼ା ମଣ୍ଡଳ କମିଶନ ଯେଉଁମାନଙ୍କୁ ପଛୁଆବର୍ଗ ବୋଲି ଚିହ୍ନଟ କରିଥିଲେ ସେହି ଗୋଷ୍ଠୀ ଭିତରେ ସାମାଜିକ ଆନ୍ଦୋଳନ ଓଡ଼ିଶାରେ ଅତ୍ୟନ୍ତ ଦୁର୍ବଳ ଅବସ୍ଥାରେ ରହିଛି। ମଣ୍ଡଳ କମିଶନ ସୁପାରିଶ ଲାଗୁ କରାଯିବା ସମୟରେ ଏହ ଶ୍ରେଣୀମାନଙ୍କ ଭିତରେ ଯେଉଁ ସଂଗଠନ ସୃଷ୍ଟି ହୋଇଥିଲା ତାହା କାଳକ୍ରମେ ଧ୍ୱଂସ ହୋଇଯାଇଛି।

ଏହିପରି ଅବସ୍ଥାରେ ଜନତା ଦଳ ଶାସନ ସମୟରେ ଶ୍ରୀକାନ୍ତ ଜେନା ଏହି ସଂରକ୍ଷଣ ପ୍ରସଙ୍ଗକୁ ମୁଖ୍ୟ କରି ୧୯୯୧ ନିର୍ବାଚନରେ କଟକ ଲୋକସଭା ଆସନରେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ପରାସ୍ତ କରି ନିର୍ବାଚିତ ହୋଇଥିଲେ। କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ଏହି ପ୍ରସଙ୍ଗକୁ ଆଗକୁ ନେବା ପାଇଁ ସେ ସାଂଗଠନିକ ଭିତ୍ତିଭୂମି ପ୍ରସ୍ତୁତ କଲେନାହିଁ। ଏବେ ରାଜ୍ୟରେ ବିଜେପିର ମୁଖ୍ୟ ଭାବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆବିର୍ଭାବ ହେବା ପରେ ପଛୁଆବର୍ଗ ସଂରକ୍ଷଣ କଥାକୁ ସେ ଯେପରି ଗୁରୁତ୍ୱ ଦେଉଛନ୍ତି ତାହା ପଛରେ ରାଜନୈତିକ ଲକ୍ଷ୍ୟ ରହିଥିବା ବିଚାର କରାଯାଉଛି। କାରଣ ୯ ବର୍ଷ କାଳ ରାଜ୍ୟରେ ବିଜେଡି-ବିଜେପିର ମିଳିତ ସରକାର ଥିବା ସମୟରେ ପଛୁଆବର୍ଗ ପ୍ରସଙ୍ଗକୁ ନିର୍ଣ୍ଣାୟକ ନିଷ୍ପତିରେ ପହଁଚାଇବା ପାଇଁ ପଦକ୍ଷେପ ନିଆଗଲା ନାହିଁ। ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କର ରାୟରେ ଓଡ଼ିଶାରେ ବିଶେଷ ପରିସ୍ଥିତି କ’ଣ ତାହା ଅନୁଧ୍ୟାନ କରିବା ପାଇଁ ଗୋଟିଏ କମିଶନ ଗଠନ କରି ୨୭ ଭାଗ ସଂରକ୍ଷଣ ଲାଗୁକରି ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଏହି ମାମଲାକୁ ନେଇଥିଲେ ହୁଏତ ଓଡ଼ିଶାରେ ପଛୁଆବର୍ଗ ସଂରକ୍ଷଣ ପ୍ରସଙ୍ଗ ବହୁଦିନରୁ ସମାଧାନ ହୋଇସାରିଥାନ୍ତା। ରାଜ୍ୟ ସରକାରଙ୍କ ନିଷ୍ଠାର ଅଭାବ ଓ ଓଡ଼ିଶାରେ ସାମାଜିକ ଆନ୍ଦୋଳନ ଦୁର୍ବଳ ଥିବା ଦୃଷ୍ଟିରୁ ପଛୁଆବର୍ଗ ପାଇଁ ସରକାରୀ ଚାକିରି ଓ ଶିକ୍ଷା ବ୍ୟବସ୍ଥାରେ ସଂରକ୍ଷଣ ବ୍ୟବସ୍ଥା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ। ଏବେ ଯେଉଁ ପ୍ରସଙ୍ଗ ଉଠିଛି ତାହା ସଂପୂର୍ଣ୍ଣ ଭାବରେ ରାଜନୈତିକ ଉଦ୍ଦେଶ୍ୟ ବୋଲି ସଂରକ୍ଷଣ ବିରୋଧୀମାନେ ସହଜରେ କହିପାରୁଛନ୍ତି।

ବରିଷ୍ଠ ସାମ୍ବାଦିକ

ମୋ- ୮୦୧୮୦୯୪୪୫୫

Related story