ରାଷ୍ଟ୍ରଦ୍ରୋହ ଆଇନ : ସମ୍ପୂର୍ଣ୍ଣ ଉଚ୍ଛେଦ ଜରୁରୀ

ଭାଲଚନ୍ଦ୍ର ଷଡ଼ଙ୍ଗୀ

ନିକଟରେ ସର୍ବୋଚ୍ଚ ନ୍ୟାୟାଳୟର ପ୍ରଧାନ ବିଚାରପତି ଏନ୍‌.ଭି. ରମନ୍ନାଙ୍କ ଅଧ୍ୟକ୍ଷତାରେ ବିଚାରପତି ହିମା କୋହଲୀ ଓ ସୂର୍ଯ୍ୟକାନ୍ତଙ୍କୁ ନେଇ ଗଠିତ ତିନି ଜଣିଆ ଖଣ୍ଡପୀଠ ବହୁ ବିତର୍କିତ ରାଷ୍ଟ୍ରଦ୍ରୋହ ଆଇନ ସମ୍ପର୍କରେ ଏକ ଐତିହାସିକ ରାୟ ଦେଇଛନ୍ତି। କେନ୍ଦ୍ର ସରକାର ପୁନଃବିଚାର ନକରିବା ପର୍ଯ୍ୟନ୍ତ ଏହି ଆଇନର ସମସ୍ତ ପ୍ରକାର ପ୍ରୟୋଗକୁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାୟରେ କୁହାଯାଇଛି ଯେ ଏହି ଆଇନ ଜରିଆରେ ନୂତନ ଭାବେ କାହାରିକୁ ଅଭିଯୁକ୍ତ କରାଯିବନି। ଏହି ଆଇନ ଜରିଆରେ ବର୍ତ୍ତମାନ ଯେଉଁ ସବୁ ମାମଲା ଚାଲିଛି, ତାକୁ ସ୍ଥଗିତ ରଖିବାକୁ ମଧ୍ୟ କହିଛି। ଏଥିରେ ବର୍ତ୍ତମାନ ରହିଥିବା ଅଭିଯୁକ୍ତମାନେ ନିଜର ଜାମିନ ଆବେଦନ କରିପାରିବେ ଏବଂ ପୋଲିସ ଯଦି କେଉଁଠି ଏହି ଆଇନ ଜରିଆରେ କାହାକୁ ଗିରଫ କରେ ସେ ନ୍ୟାୟାଳୟର ଆଶ୍ରୟ ନେଇ ପାରିବେ ବୋଲି ମଧ୍ୟ କୁହାଯାଇଛି।

ସର୍ବୋଚ୍ଚ ନ୍ୟାୟାଳୟର ଏହି ରାୟକୁ କ୍ଷମତାସୀନ ବିଜେପିକୁ ଛାଡ଼ିଦେଲେ ଦେଶର ଅଧିକାଂଶ ଆଇନଜୀବି, ସାମାଜିକ କାର୍ଯ୍ୟକର୍ତ୍ତା, ମାନବିକ ଅଧିକାର ସଂଗଠନ ଓ ବିରୋଧୀ ରାଜନୈତିକ ଦଳମାନେ ସ୍ୱାଗତ ଜଣାଇଛନ୍ତି। ବିଜେପି ନେତା ତଥା କେନ୍ଦ୍ର ଆଇନମନ୍ତ୍ରୀ କିରଣ ରିଜ୍ଜୁ ନ୍ୟାୟାଳୟର ଏହି ରାୟ ସମ୍ପର୍କରେ ନିଜର ମତାମତ ଦେବାକୁ ଯାଇ ସରକାରଙ୍କ ବିରୁଦ୍ଧରେ ନିଜର ଲକ୍ଷ୍ମଣ ରେଖାକୁ ଡେଇଁ ପଡ଼ିବାର ନ୍ୟାୟାଳୟର ଏଭଳି ପ୍ରବଣତା ଭବିଷ୍ୟତରେ ଏକ ଭୁଲ ଧାରା ସୃଷ୍ଟି କରିବ ବୋଲି ରାୟ ବିରୁଦ୍ଧରେ ନିଜର ଅସନ୍ତୋଷକୁ ପ୍ରକାଶ କରିଛନ୍ତି।

ଭାରତୀୟ ଦଣ୍ଡବିଧିର ୧୨୪(କ) ଧାରାରେ ଲିପିବଦ୍ଧ ହୋଇଛି ରାଷ୍ଟ୍ରଦ୍ରୋହ ଦଫା। ସର୍ବପ୍ରଥମେ ବ୍ରିଟିଶ ଐତିହାସିକ ଓ ରାଜନୀତିଜ୍ଞ ତଥା ବ୍ରିଟିଶ ଭାରତର ସୁପ୍ରିମ କାଉନସିଲର ସଦସ୍ୟ ଟମାସ୍ ମେକାଲେ ରାଷ୍ଟ୍ରଦ୍ରୋହ ଶବ୍ଦଟିକୁ ଉଲ୍ଲେଖ କରିଥିଲେ। ତାଙ୍କ ଦ୍ୱାରା ପ୍ରସ୍ତୁତ ଖସଡ଼ା ଅନୁଯାୟୀ ହିଁ ୧୮୭୦ ମସିହାରେ ବ୍ରିଟିଶମାନେ ଭାରତର ଦଣ୍ଡବିଧିରେ ଏହି ଧାରାକୁ ଯୁକ୍ତ କରିଥିଲେ। ୧୯୪୭ରେ ଦେଶ ସ୍ୱାଧୀନ ହେବା ପରେ ମଧ୍ୟ ଏଭଳି ଏକ ଔପନିବେଶିକ କଳା ଆଇନକୁ ଅବ୍ୟାହତ ରଖାଗଲା। ସମ୍ବିଧାନରେ ଅନ୍ତର୍ଭୁକ୍ତ ନକଲେ ବି ଭାରତୀୟ ଦଣ୍ଡବିଧିରେ ଧାରା-୧୨୪(କ)କୁ ଅନ୍ତର୍ଭୁକ୍ତ କରାଯାଇଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଔପନିବେଶିକ କାଳର ଏହି କୁଖ୍ୟାତ ଆଇନକୁ କେବେଳ ରଖାଯାଇନି ବରଂ ନାଗରିକମାନଙ୍କ ବିରୁଦ୍ଧରେ ତା’ର ମନଇଛା ଦୁରୁପଯୋଗ କରାଯାଇଛି। ବରଂ ବ୍ରିଟିଶ ଶାସନ କାଳରେ ଏହି ଆଇନର ଯେତେ ଦୁରୁପଯୋଗ ହେଉ ନଥିଲା ତା’ଠାରୁ ଅନେକ ଗୁଣ ଅଧିକ ଦୁରୁପଯୋଗ ସ୍ୱାଧୀନ ଭାରତର ସରକାରମାନେ ନିଜ ଦେଶର ନାଗରିକମାନଙ୍କ ବିରୁଦ୍ଧରେ କରିବା ଦେଖାଯାଇଛି।

ଗତ ୭୫ ବର୍ଷରେ ଦଳମତ ନିର୍ବିଶେଷରେ ଶାସନରେ ଥିବା ସବୁ ସରକାରଙ୍କ ଦ୍ୱାରା ଏହି ଆଇନର ବାରମ୍ବାର ଦୁରୁପଯୋଗ ହୋଇଛି। ୨୦୨୧ର ସମୀକ୍ଷା ରିପୋର୍ଟରେ ପ୍ରକାଶ ପାଇଛି ଯେ ଗତ ଏକ ଦଶକ ମଧ୍ୟରେ ରାଷ୍ଟ୍ରଦ୍ରୋହ ମାମଲା ସଂଖ୍ୟାରେ ୨୮% ବୃଦ୍ଧି ହୋଇଛି। ୨୦୧୦ ମସିହାଠାରୁ ଯଦି ହିସାବ କରାଯିବ ତାହେଲେ ୮୧୭ଟି ମାମଲାରେ ପ୍ରାୟ ୧୧ ହଜାର ବ୍ୟକ୍ତିଙ୍କୁ ଅଭିଯୁକ୍ତ କରାଯାଇଛି। ସେଥିମଧ୍ୟରୁ ୬୫% ମାମଲା କେବଳ ୨୦୧୪ ପରେ ଦାୟର ହୋଇଛି। ବିଶେଷ କରି ଗତ ୩/୪ ବର୍ଷ ମଧ୍ୟରେ ମାମଲାର ସଂଖ୍ୟା ଅନେକ ଗୁଣ ବଢ଼ିଯାଇଛି। ୨୦୧୮ରେ ୭୦ଟି ମାମଲା, ୨୦୧୯ରେ ୯୩ଟି ଏବଂ ୨୦୨୦ରେ ୭୩ଟି ମାମଲା ଦାୟର ହୋଇଛି। ଗତ ତିନି ବର୍ଷ ମଧ୍ୟରେ ମାତ୍ର ୨୦୧୯ର ମାମଲାରେ ଦୁଇ ଜଣ ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ଅନ୍ୟ ସମସ୍ତ ମାମଲାରେ ଏଯାଏଁ କେହି ବି ଦୋଷୀ ସାବ୍ୟସ୍ତ ହୋଇନାହାନ୍ତି। ଜାତୀୟ ଅପରାଧ ରେକର୍ଡ଼ ବ୍ୟୁରୋର ତଥ୍ୟ ଅନୁଯାୟୀ ୨୦୨୦ ମସିହାରେ ମଣିପୁରରେ ସର୍ବାଧିକ ୧୫ଟି ମାମଲା ଦାୟର ହୋଇଥିବା ବେଳେ ଆସାମରେ ୧୨, କର୍ଣ୍ଣାଟକରେ ୯, ଉତ୍ତର ପ୍ରଦେଶରେ ୭, ହରିଆନା ୬ ଓ ଦିଲ୍ଲୀରେ ୫ଟି ମାମଲା ଦାୟର ହୋଇଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଉପରୋକ୍ତ ୬ଟି ରାଜ୍ୟ ମଧ୍ୟରୁ ୫ଟିରେ ବିଜେପି କ୍ଷମତାରେ ଥିବା ବେଳେ ଦିଲ୍ଲୀରେ ବି ପୋଲିସ ବିଭାଗ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ଅଧୀନରେ ରହିଛି।

ରାଷ୍ଟ୍ର ବିରୁଦ୍ଧରେ କୌଣସି ପ୍ରକାଶ ଘୃଣା, ଅସମ୍ମାନ କିମ୍ବା ବିରୋଧ ପ୍ରଦର୍ଶନ କଲେ ବି ଏହି ଧାରାରେ ମକଦ୍ଦମା କରାଯିବାର ବ୍ୟବସ୍ଥା ରହିଛି। ଏଥିରେ ଜଣେ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହେଲେ ତାକୁ ଆଜୀବନ କାରାଦଣ୍ଡର ମଧ୍ୟ ବ୍ୟବସ୍ଥା ରହିଛି। ବ୍ରିଟିଶ ଶାସକଙ୍କ ଦ୍ୱାରା ଏହି ଆଇନକୁ ନିଜର ଔପନିବେଶିକ ସ୍ୱାର୍ଥରେ ପ୍ରଣୟନ କରାଯାଇଥିଲା। ନିଜର ଶାସନର ସୁରକ୍ଷା ପାଇଁ ଭାରତୀୟମାନଙ୍କୁ ଦମନ କରିବା ଏହାର ଉଦ୍ଦେଶ୍ୟ ଥିଲା। ସ୍ୱାଧୀନତା ଆନ୍ଦୋଳନର ସଂଗ୍ରାମୀମାନଙ୍କ ବିରୁଦ୍ଧରେ ଏହା ଏକ ସରକାରୀ ଅସ୍ତ୍ର ଥିଲା। ୧୮୯୧ ମସିହାରେ ଯୋଗେନ୍ଦ୍ର ଚନ୍ଦ୍ର ବସୁ ନାମକ ଜଣେ ସମ୍ବାଦପତ୍ର ସମ୍ପାଦକଙ୍କ ବିରୁଦ୍ଧରେ ସର୍ବପ୍ରଥମେ ଏହି ଆଇନର ପ୍ରୟୋଗ ହୋଇଥିଲା। ପରେ ସ୍ୱାଧୀନତା ଆନ୍ଦୋଳନ ସମୟରେ ମହାତ୍ମା ଗାନ୍ଧୀଙ୍କଠାରୁ ଆରମ୍ଭ କରି ବାଲ ଗଙ୍ଗାଧର ତିଲକ, ଜବାହରଲାଲ ନେହେରୁ, ଅବଦୁଲ୍ କାଲାମ୍ ଆଜାଦ୍‌ଙ୍କ ପରି ଅନେକ ସ୍ୱାଧୀନତା ସଂଗ୍ରାମୀମାନଙ୍କ ବିରୁଦ୍ଧରେ ଏହାର ପ୍ରୟୋଗ କରାଯାଇ ସେମାନଙ୍କୁ ଜେଲରେ ରଖାଯାଇଥିଲା।

ବିଶେଷ କରି ସରକାରରେ ଥିବା ଲୋକେ ନିଜର ରାଜନୈତିକ ବିରୋଧୀମାନଙ୍କ ବିରୁଦ୍ଧରେ ତଥା ଭିନ୍ନମତକୁ ଦବାଇବା ପାଇଁ ଏହାର ବାରମ୍ବାର ବ୍ୟବହାର କରିଛନ୍ତି। ବିରୋଧୀ ରାଜନୈତିକ ନେତାଙ୍କଠାରୁ ଆରମ୍ଭ କରି ସାମ୍ବାଦିକ, ଓକିଲ, ଲେଖକ, ବ୍ୟଙ୍ଗଶିଳ୍ପୀ, ମାନବିକ ଅଧିକାର କର୍ମୀ, ସାମାଜିକ କର୍ମୀ, ପରିବେଶ କର୍ମୀ, ବିଭିନ୍ନ ଗଣତାନ୍ତ୍ରିକ ଜନ ଆନ୍ଦୋଳନର ନେତା ଏବଂ ସମର୍ଥକମାନେ ଏହାର ବାରମ୍ବାର ଶିକାର ହେବା ଦେଖିବାକୁ ମିଳିଛି। ଲେଖିକା ଅରୁନ୍ଧତୀ ରାୟଙ୍କଠାରୁ ସାମ୍ବାଦିକ ସିଦ୍ଦିକ୍ କପ୍ପାନ ପର୍ଯ୍ୟନ୍ତ, ଛାତ୍ରନେତା ଉମର ଖାଲିଦ୍‌ଙ୍କଠାରୁ ପରିବେଶ କର୍ମୀ ଦିଶା ରବିଙ୍କ ପର୍ଯ୍ୟନ୍ତ ଅନେକ ଏହାର ଶିକାର ହୋଇଛନ୍ତି। ପ୍ରତିବାଦର କଣ୍ଠସ୍ୱରକୁ ଦବେଇ ଦେବା ପାଇଁ ଦେଶର ଶହ ଶହ ମଣିଷଙ୍କୁ ଏହି ଔପନିବେଶିକ କଳା ଆଇନ ଜରିଆରେ ବର୍ଷ ବର୍ଷ ଧରି ଜେଲ୍‌ରେ ଅଟକାଇ ରଖାଯାଇଛି।

ତେବେ ଏଭଳି ଏକ କଳା ଆଇନର ବୈଧତାକୁ ନେଇ ଏବଂ ତାର ଅପପ୍ରୟୋଗ ସମ୍ପର୍କରେ ଅତିତରେ ଅନେକ ଥର ସର୍ବୋଚ୍ଚ ନ୍ୟାୟାଳୟର ଦୃଷ୍ଟି ଆକର୍ଷଣ କରାଯାଇଛି। ଅନେକ ପ୍ରଗତିଶୀଳ ଆଇନଜୀବୀ, ମାନବିକ ଅଧିକାର କର୍ମୀ ଏହାର ସମୀକ୍ଷା ପାଇଁ ଅତିତରେ ଦାବି କରିବା ସହିତ ନ୍ୟାୟାଳୟକୁ ବି ଯାଇଛନ୍ତି। ୨୦୧୮ ମସିହାରେ ଜାତୀୟ ଆଇନ କମିଶନ ବି ନିଜ ରିପୋର୍ଟରେ ଏକ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଏଭଳି ଆଇନର ଔଚିତ୍ୟ ନାହିଁ ବୋଲି ସ୍ପଷ୍ଟ କହିସାରିଛି। ତେବେ ୧୯୬୨ର କେଦାରନାଥ ସିଂହ ବନାମ ବିହାର ରାଜ୍ୟ ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟ ଏହି ଆଇନ ସମ୍ପର୍କରେ ନିଜର ଏକ ଅପେକ୍ଷାକୃତ ସ୍ପଷ୍ଟ ରାୟ ଦେଇଥିଲେ ମଧ୍ୟ ତା’ର ଔଚିତ୍ୟ ନେଇ କୌଣସି ପ୍ରଶ୍ନ କରିନଥିଲେ। କେବଳ ଏହାର ଅପବ୍ୟବହାରକୁ ରୋକିବା ଉଦ୍ଦେଶ୍ୟରେ କିଛି ନିର୍ଦ୍ଦେଶାବଳୀ ଜାରୀ କରିଥିଲେ। କିନ୍ତୁ ଉପରୋକ୍ତ ନିର୍ଦ୍ଦେଶାବଳୀ ସତ୍ତ୍ୱେ ଦେଶରେ ରାଷ୍ଟ୍ରଦ୍ରୋହ ଆଇନର ଦୁରୁପଯୋଗ ଅବ୍ୟାହତ ରହିଛି। ସେହି ପରିପ୍ରେକ୍ଷୀରେ ହିଁ ବର୍ତ୍ତମାନ ସର୍ବୋଚ୍ଚ ନ୍ୟାୟାଳୟ ରାଷ୍ଟ୍ରଦ୍ରୋହ ଆଇନ ସମ୍ପର୍କରେ ନିଜର ସଦ୍ୟତମ ରାୟ ଦେଇଛନ୍ତି।

ଏହି ମାମଲାର ବିଚାର ସମୟରେ ପ୍ରଥମରୁ ହିଁ କେନ୍ଦ୍ର ସରକାର ଆଇନଟିକୁ ଅବ୍ୟାହତ ରଖିବା ପାଇଁ ହିଁ ନିଜର ଯୁକ୍ତି ରଖିଥିଲେ। ୧୯୬୨ ମସିହାର ସର୍ବୋଚ୍ଚ ନ୍ୟାୟାଳୟର ଏ ସମ୍ପର୍କିତ ରାୟର ଅବତାରଣା କରି ଦେଶର ନିରାପତ୍ତା ପାଇଁ ଏହି ଆଇନଟି କିଭଳି ଜରୁରୀ ସେ ନେଇ କେନ୍ଦ୍ର ସରକାର ନିଜର ପକ୍ଷ ରଖିଥିଲେ। କିନ୍ତୁ ଶୀର୍ଷ ନ୍ୟାୟାଳୟରେ ବିଚାରପତିମାନଙ୍କ ବାରମ୍ବାର ପ୍ରଶ୍ନ ଥିଲା ଯେ ସ୍ୱାଧୀନ ଭାରତରେ ଏଭଳି କଳା ଆଇନକୁ ରଖାଯିବ କାହିଁକି? କ୍ଷମତାସୀନ ଲୋକଙ୍କ ଦ୍ୱାରା ଏହି ଆଇନର ଯେ ଅପପ୍ରୟୋଗ ହୋଇଛି, ସେକଥାକୁ ବି ନେଇ ନ୍ୟାୟାଳୟ ସରକାରଙ୍କୁ ବାରମ୍ବାର ପ୍ରଶ୍ନ କରିଥିଲେ।

ତେବେ ଏନେଇ କେନ୍ଦ୍ର ସରକାରଙ୍କ ଯୁକ୍ତିଗୁଡ଼ିକ ଅତ୍ୟନ୍ତ ଦୁର୍ବଳ ଥିଲା ଏବଂ ମାମଲାଟିରେ କେନ୍ଦ୍ର ସରକାର ପରାସ୍ତ ହେବା ଜଳଜଳ ଦିଶୁଥିଲା। ବିଶେଷ କରି ଏହି ଆଇନର ଔଚିତ୍ୟ ସମ୍ପର୍କରେ ତର୍ଜମା ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ଆଉ ଏକ ବୃହତ୍ତର ଖଣ୍ଡପୀଠକୁ ମାମଲାଟିକୁ ସୁପାରିଶ କରିବାକୁ ଚିନ୍ତା କରୁଥିବା ସରକାର ଜାଣିପାରିଲେ। ଅତଏବ ନ୍ୟାୟାଳୟ ଆଇନକୁ ଖାରଜ କରି ତା’ର ଶ୍ରେୟ ନେବା ପୂର୍ବରୁ ନିଜର ସମ୍ମାନକୁ ବଂଚାଇବା ପାଇଁ କେନ୍ଦ୍ର ସରକାର ଅତ୍ୟନ୍ତ ତରବରିଆ ଭାବେ ଏହା ଉପରେ ପୁନଃବିଚାର କରିବେ ବୋଲି ଜଣାଇବାକୁ ବାଧ୍ୟ ହେଲେ। ଆଇନ ନେଇ ସରକାରଙ୍କ ଏଭଳି ୟୁ ଟର୍ଣ୍ଣ ପଛରେ ଏହା ହିଁ ପ୍ରମୁଖ କାରଣ ଥିଲା। ତେବେ ପୁନଃବିଚାର ନାଁରେ ସରକାର ସମୟ ଗଡ଼େଇବାକୁ ଯେଉଁ କୌଶଳ କରିଥିଲେ ତାକୁ ସର୍ବୋଚ୍ଚ ନ୍ୟାୟାଳୟ ଏକରକମ ଭଣ୍ଡୁର କରିଦେଇଛନ୍ତି। ପୁନଃବିଚାର ନହେବା ପର୍ଯ୍ୟନ୍ତ ଏହି ଆଇନ ବଳରେ କାହାରିକୁ ଗିରଫ କରାଯାଇ ପାରିବ ନାହିଁ କି କୌଣସି ଅଭିଯୁକ୍ତଙ୍କ ବିରୁଦ୍ଧରେ କୌଣସି ତଦନ୍ତ ହେବ ନାହିଁ ବୋଲି ନ୍ୟାୟାଳୟ ସ୍ପଷ୍ଟ କରିଦେଇଛନ୍ତି।

ନ୍ୟାୟାଳୟ ଯଦିଓ ଆଇନଟିକୁ ସମ୍ପୂର୍ଣ୍ଣ ବାତିଲ କରିନାହାନ୍ତି, କିନ୍ତୁ ତାକୁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇ ତା’ର ଔଚିତ୍ୟ ଉପରେ ପ୍ରଶ୍ନଚିହ୍ନ ଲଗାଇ ଦେଇଛନ୍ତି। ନିଜ ରାୟରେ ସ୍ପଷ୍ଟ ଭାବେ କହିଛନ୍ତି ଯେ ଔପନିବେଶିକ ଶାସନ କାଳରେ ପ୍ରଣୀତ ଏହି ଆଇନ ଭାରତର ବର୍ତ୍ତମାନର ସାମାଜିକ ପରିସ୍ଥିତି ସହିତ ଆଦୌ ସଙ୍ଗତିପୂର୍ଣ୍ଣ ନୁହେଁ। ମାମଲାର ବିଚାରଣା ବେଳେ ଆଟର୍ଣ୍ଣି ଜେନେରାଲଙ୍କ ତାରଫରୁ ମହାରାଷ୍ଟ୍ରରେ ହନୁମାନ ଚାଳିଶା ପଢ଼ିବା କାରଣରୁ ଜଣେ ସାଂସଦଙ୍କୁ ରାଷ୍ଟ୍ରଦ୍ରେହ ଆଇନରେ ଗିରଫ କରିବା କଥାର ଉଲ୍ଲେଖ କରାଯାଇଥିଲା। ଅବଶ୍ୟ ସେ ଉତ୍ତର ପ୍ରଦେଶରେ ଏହି ଆଇନ ବଳରେ ଗିରଫ କେରଳୀ ସାମ୍ବାଦିକ ସିଦ୍ଦକୀ କାପ୍ପାନ୍ କିମ୍ବା ଦିଲ୍ଲୀରେ ଗିରଫ ପୂର୍ବତନ ଛାତ୍ରନେତା ଉମର ଖାଲିଦଙ୍କୁ ମାମଲାକୁ ଉଲ୍ଲେଖ କରିନାହାନ୍ତି। ତେବେ ତାଙ୍କ ବକ୍ତବ୍ୟର ଆଧାରରେ ହିଁ ନ୍ୟାୟାଳୟ ଏହି ଆଇନର କିପରି ଅପବ୍ୟବହାର ହେଉଛି, ତା’ର ଉଲ୍ଲେଖ କରିଥିଲେ। ରାଷ୍ଟ୍ରର କର୍ତ୍ତବ୍ୟ ଓ ନାଗରିକମାନଙ୍କ ଅଧିକାର ମଧ୍ୟରେ ଏକ ଭାରସାମ୍ୟ ରହିବା ଉଚିତ ବୋଲି ନ୍ୟାୟାଳୟ ସ୍ପଷ୍ଟ କରିଛନ୍ତି। ଅତଏବ ସେହି ଲକ୍ଷ୍ୟକୁ ଆଗରେ ରଖି ସରକାର ଏହି ଆଇନର ପୁନଃବିଚାର କରିବେ ବୋଲି ନ୍ୟାୟାଳୟ ଆଶା ପ୍ରକାଶ କରିଛନ୍ତି।

ଏକ ସ୍ୱାଧୀନ ଦେଶରେ ନାଗରିକମାନଙ୍କୁ କହିବାର ବା ମତ ପ୍ରକାଶ କରିବାର ସ୍ୱାଧୀନତା ରହିବା ଜରୁରୀ। ସରକାର କୌଣସି ମତେ ଡରାଇ ଧମକାଇ ଏହି ସ୍ୱାଧୀନତାକୁ ଛଡ଼େଇ ନେଇ ପାରିବେନି। ସେହିହେତୁ ରାଷ୍ଟ୍ରଦ୍ରୋହ ପରି କଳା ଆଇନର ଉଚ୍ଛେଦ ଜରୁରୀ। ଏ ଦିଗରେ କେନ୍ଦ୍ର ସରକାର ଆଇନର ପୁନଃବିଚାର ପାଇଁ ସର୍ବୋଚ୍ଚ ନ୍ୟାୟାଳୟରେ ଦେଇଥିବା ପ୍ରତିଶୃତି ଏକ ସକାରାତ୍ମକ ପଦକ୍ଷେପ ବୋଲି କୁହାଯାଇପାରେ। କିନ୍ତୁ ଏଠାରେ ପ୍ରଶ୍ନ ଉଠେ ଯେ ଏଭଳି କଳା ଆଇନର ପକ୍ଷଧର ରହି ଆସିଥିବା କେନ୍ଦ୍ର ସରକାର କ’ଣ ସତରେ ଏହି ଆଇନର ଉଚ୍ଛେଦ କରିବେ? ନା ପୁନଃବିଚାର ନାଁରେ ଏହି କଳା ଆଇନରେ କିଛି ଲୋକଦେଖାଣିଆ ସଂଶୋଧନ କରି ଅଥବା ଅନ୍ୟ କୌଣସି ଆଇନରେ ଏହାର ବିପଜ୍ଜନକ ଧାରାଗୁଡ଼ିକୁ ସାମିଲ କରି ତାକୁ ଅବ୍ୟାହତ ରଖିବେ? ଉଲ୍ଲେଖଯୋଗ୍ୟ ଯେ ଅତିତରେ ଆତଙ୍କବାଦର ମୁକାବିଲା ନାଁରେ ରହିଥିବା ‘ପୋଟା’ ଆଇନ ବିରୁଦ୍ଧରେ ଜନମତକୁ ଦେଖି କେନ୍ଦ୍ରର ତତ୍କାଳୀନ ୟୁପିଏ ସରକାର ଉକ୍ତ ବିବାଦୀୟ ଆଇନକୁ ଉଚ୍ଛେଦ କରିଥିଲେ ମଧ୍ୟ ସେଥିରେ ଥିବା ସମସ୍ତ ବିପଜ୍ଜନକ ଧାରାଗୁଡ଼ିକୁ ପୂର୍ବରୁ ଥିବା ବେଆଇନ କାର୍ଯ୍ୟକଳାପ ପ୍ରତିଷେଧକ ଆଇନ-୧୯୬୭ ବା ‘ୟୁଏପିଏ’ରେ ସାମିଲ କରି ତାକୁ ଅବ୍ୟାହତ ରଖିଥିଲେ। ତେବେ ସରକାର ଚଳିତ ବର୍ଷ ଭାରତର ସ୍ୱାଧୀନତା ସଂଗ୍ରାମର ୭୫ ବର୍ଷ ପୂର୍ତ୍ତିକୁ ଅମୃତକାଳ ରୂପେ ପାଳନ କରୁଥିବା ବେଳେ ସ୍ୱାଧୀନତା ଆନ୍ଦୋଳନ ସହିତ ଜଡ଼ିତ ଏଭଳି କଳା ଆଇନର ସମ୍ପୂର୍ଣ୍ଣ ଉଚ୍ଛେଦ କରାଗଲେ ତାହା କେବଳ ଦେଶରେ ଗଣତନ୍ତ୍ର ଓ ନାଗରିକ ଅଧିକାରକୁ ହିଁ ସୁଦୃଢ଼ କରିବନି ବରଂ ସ୍ୱାଧୀନତା ଆନ୍ଦୋଳନର ସେନାନୀମାନଙ୍କ ବଳୀଦାନକୁ ବି ପ୍ରକୃତ ସମ୍ମାନ ହେବ।

ଫୋନ :  ୯୪୩୭୧୬୬୩୯୧

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।